ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

ମୌଳିକ ସୁବିଧା ରୁ ବଞ୍ଚିତ ୩୮ ବିସ୍ଥାପିତ କୁଟିଆ ଆଦିବାସୀ ପରିବାର ନିଜ ଭିଟାମାଟିକୁ ଫେରିବେ

କନ୍ଧମାଳ, ତା,୦୯/୦୯ (ମନିସ) : କନ୍ଧମାଳ ପ୍ରଶାସନ ଉପରେ ଭରସା କରି ପାହାଡ଼ ଉପର ଗାଁରୁ ତଳକୁ ଆସି ବସତି ସ୍ଥାପନ କଲେ; କିନ୍ତୁ ଏଠାରେ ଦୁର୍ଦ୍ଦଶାରେ ଏତେ ବଢ଼ିଗଲା ଯେ ଦିନ କାଟିବା ଅସମ୍ଭବ ହୋଇପଡ଼ିଲା । ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ହୋଇ ଶେଷରେ ପୁଣି ନିଜ ଭିଟାମାଟି ବା ଗାଁକୁ ଫେରିଯିବାକୁ ମନ ବଳାଇଛନ୍ତି ୩୮ କୁଟିଆ ଆଦିବାସୀ ପରିବାର । କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ଅନ୍ତର୍ଗତ କୋଟଗଡ଼ ବ୍ଳକ କୋଟଗଡ଼ ପଞ୍ଚାୟତର ବାନ୍ଦକା ଗ୍ରାମର ୩୮ କୁଟିଆ ଆଦିବାସୀ ପରିବାରଙ୍କ କଥା ପ୍ରଶାସନ ଦୀର୍ଘ ଦିନ ହେଲା ବୁଝୁନାହିଁ । ସେମାନେ ପ୍ରଶାସନ ବିରୋଧରେ ନାନା ଅଭିଯୋଗ କରୁଛନ୍ତି। ବାନ୍ଦକା ଗ୍ରାମରେ ୩୮ ଆଦିବାସୀ ପରିବାର ୪୦ ବର୍ଷ ଧରି ରହୁଥିଲେ। ପାହାଡ଼ ଉପରେ ଗାଁ । ଚାରିଆଡ଼େ ଘଞ୍ଚ ଜଙ୍ଗଲ I ରାସ୍ତା, ପିଇବା ପାଣି, ବିଦ୍ୟୁତ କିମ୍ବା ଶିକ୍ଷା ସୁବିଧା ନଥିଲା। ବହୁ ଅସୁବିଧାରେ ସେମାନେ ଜୀବନ ଯାପନ କରୁଥିଲେ। ସେମାନଙ୍କ ଦୁର୍ଦ୍ଦଶା ଖବର ପ୍ରକାଶନ ପରେ ପ୍ରଶାସନ ଗାଁରେ ପହଞ୍ଚିଥିଲା । ୧୨ବର୍ଷ ତଳେ ବାନ୍ଦକାର ସମସ୍ତ ପରିବାରକୁ ପାହାଡ଼ ତଳ ଜାମଝୋର ଗ୍ରାମରେ ଥଇଥାନ କରାଗଲା । ସେହି ସମୟରେ ସମସ୍ତ ମୌଳିକ ସୁବିଧା ମିଳିବ ବୋଲି ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା। ପ୍ରଶାସନର ଭରସାରେ ୩୮ ଆଦିବାସୀ ପରିବାର ୧୨ ବର୍ଷ ଧରି ଜାମଝୋରରେ ଆସି ରହିଛନ୍ତି; କିନ୍ତୁ ପୂର୍ବରୁ ନିଜ ଭିଟାମାଟି ବାନ୍ଦକାରେ ଯେଉଁ ଅସୁବିଧା ଥିଲା ଜାମଝୋରରେ ମଧ୍ୟ ସେମାନେ ସେହି ସମାନ ଅବସ୍ଥା ଭୋଗୁଛନ୍ତି। ବ୍ଲକ ପ୍ରଶାସନ ସେମାନଙ୍କୁ ପ୍ରତାରଣା କରିଥିବା ସଂପୃକ୍ତ ପରିବାର ଅଭିଯୋଗ କରିଛନ୍ତି। ସେମାନେ କହିଛନ୍ତି ଯେ ମୁଖ୍ୟରାସ୍ତା ଠାରୁ ଜାମଝୋରକୁ ଆଜି ପର୍ଯ୍ୟନ୍ତ ଭଲ ରାସ୍ତା ନାହିଁ । ବର୍ଷା ଦିନରେ ପାଣି କାଦୁଅ ରାସ୍ତାରେ ଚଳପ୍ରଚଳ କରନ୍ତି । ଗାଁକୁ ଆମ୍ବୁଲାନ୍ସ ଆସିପାରୁନି। ରୋଗୀଙ୍କୁ ଖଟିଆରେ ୨ କି.ମି ବୋହିବାକୁ ପଡୁଛି। ପିଇବା ପାଣି ଟ୍ୟାପ ବନ୍ଦ ପଡିଛି । ସୋଲାର ପ୍ରକଳ୍ପରୁ କେବେ କେମିତି ପାଣି ମିଳୁଛି । ଆବାସ ଯୋଜନା ସେମାନଙ୍କ ପାଇଁ ସାତସପନ । ନିଜେ ଝାଟିମାଟିରେ ଘର କରି ରହୁଛନ୍ତି। ଏ ସମ୍ପର୍କରେ ବାରମ୍ବାର ପଲ୍ଲୀ ସଭା ଓ ଗ୍ରାମସଭାରେ ଲିଖୂତ ଅଭିଯୋଗ କଲେ ମଧ୍ଯ ଗାଁର ବିକାଶ ହୋଇପାରିନଥିବା କହିଛନ୍ତି ୱାର୍ଡ ସଭ୍ୟ I ସମସ୍ୟା ସମ୍ପର୍କରେ ସରପଞ୍ଚ ଓ ବ୍ଲକ ଅଧିକାରୀଙ୍କୁ ଗୁହାରି କଲେ କିଛି ସୁଫଳ ମିଳୁନି ବୋଲି ରମେଶ ମାଝୀ, ଜଲେଙ୍ଗା ମାଝୀ, ପପୁ ମାଝୀ, ରୁପିଙ୍ଗା ମାଝୀ, ଟିନ୍ତୁ ମାଝୀ, ମୀନାକ୍ଷୀ ମାଝୀ, ସନିତା ମାଝୀ, ନନ୍ଦିନୀ ମାଝୀ ଅଭିଯୋଗ କରିଛନ୍ତି। ସରକାରଙ୍କ ଖାଦ୍ୟ ନିରାପତ୍ତା ଯୋଜନାରୁ ବଞ୍ଚିତ ରହିଛନ୍ତି ଶିବ ମାଝୀ, ସତ୍ୟ ମାଝୀ, ରୁପିଙ୍ଗା ମାଝୀ, ବିରୁଙ୍ଗି ମାଝୀଙ୍କ ପରିବାର। ଖାଦ୍ୟ ଅଭାବରୁ ମକା ଗୁଣ୍ଡ କରି ସିଝେଇ ଖାଉଛନ୍ତି। ରାସନ କାର୍ଡ ପାଇଁ ବ୍ଲକ ଯୋଗାଣ ଅଧିକାରୀଙ୍କୁ ଗୁହାରି କଲେ ମଧ୍ୟ କେହି ଶୁଣୁନାହାନ୍ତି ବୋଲି ସେମାନେ କହିଛନ୍ତି। ଏଭଳି ସମସ୍ୟା ଭିତରେ ରହିବା ଅପେକ୍ଷା ନିଜ ଭିଟାମାଟିକୁ ଫେରିବାକୁ ସମସ୍ତ ପରିବାର ମନସ୍ଥ କରିଛନ୍ତି। କୁଟିଆ ଆଦିବାସୀ ପରିବାରଙ୍କ ସମସ୍ୟା ସମ୍ପର୍କରେ କୋଟଗଡ ବିଡିଓଙ୍କ ଦୃଷ୍ଟି ଆକର୍ଷଣ ବେଳେ ଏ ବିଷୟ ପୂର୍ବରୁ ସେ ଅବଗତ ନ‌ଥିବା କହିବା ସହିତ ଆଗାମୀ ଦିନରେ ଏହା ଉପରେ ପଦକ୍ଷେପ ନେବେ ବୋଲି କହିଛନ୍ତି।

କନ୍ଧମାଳ ରୁ ସଞ୍ଜୟ  କୁମାର ପାଣିଗ୍ରାହୀ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

ମହାମହିମ ଉପରାଷ୍ଟ୍ରପତି ଙ୍କ ପ୍ରତି ଅଶାଳୀନ ଇଙ୍ଗିତ ପ୍ରତିବାଦରେ କୁଶ ପୁତ୍ତଳିକା ଦାହ

masiha

ଜର୍ମାନୀରେ ଆରମ୍ଭ ହେଇଥିବା ଆର୍ନ୍ତଜାତୀୟ ଧାତବ ବାଣିଜ୍ୟ ମେଳା ରେ କଳାହାଣ୍ଡି ର ଯୁବଦ୍ୟୋଗୀ ବିଭୁ ପ୍ରସାଦ

Sunil Chandra Nayak

Leave a Comment

error: Content is protected !!