ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ

ରାୟଗଡାରେ ପଥ ଉତ୍ସବ ଅନୁଷ୍ଠିତ 
ସମ୍ଭାବ୍ୟ ଭୋଟରଙ୍କ ମଧ୍ୟରେ ପ୍ରତିଯୋଗୀତା ଅନୁଷ୍ଠିତ 
ୱାକେଥନରେ ସାମିଲ ହେଲେ ଜିଲ୍ଳାବାସୀ ।
ସାଂସ୍କୃତିକ କାର୍ଯ୍ୟକ୍ରମ ମୋହିଲା ଭୋଟରଙ୍କ ମନ।

   ମଙ୍ଗଳବାର ସକାଳ ରାୟଗଡା ସହର ହେଲା ଉତ୍ସବ ମୁଖର। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ପାରୁଲ ପଟ୍ଟାୱରୀଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ଼ା ସଦର ମହକୁମାରେ ଆୟୋଜିତ ହେଲା ପଥ ଉତ୍ସବ। ହଜାର ହଜାର ସଂଖ୍ୟାରେ ଶିକ୍ଷକ, ଛାତ୍ରୀ, ଛାତ୍ର, ସରକାରୀ କର୍ମକର୍ତ୍ତା, ପ୍ରଶାସନ, ବିଭିନ୍ନ କ୍ଲବ ଓ ସଂଗଠନର କର୍ମକର୍ତ୍ତା, ବରିଷ୍ଠ ନାଗରିକ ଓ ଜନସାଧାରଣ ପଥ ଉତ୍ସବରେ ବ୍ଳକ କାର୍ଯ୍ୟାଳୟ ଛକରୁ ବାହାରି ନୂଆ ବସ୍ ଷ୍ଟାଣ୍ଡ ପର୍ଯ୍ୟନ୍ତ ଧାଡ଼ି ବାନ୍ଧି ସ୍ଳୋଗାନ ସହ ଆଗ୍ରହରେ ଯାଉଥିବା ଦେଖାଗଲା। କାହା ହାତରେ ପ୍ଳାକାର୍ଡ଼, କିଏ କହୁଛି ସ୍ଲୋଗାନ, ଅନେକେ ଶହେ ମିଟର ଲମ୍ବର ପଥ ଉତ୍ସବ ବ୍ୟାନର ଧରି ବଢୁଥିଲେ ଆଗକୁ, ଯେପରି ଗଣତନ୍ତ୍ରର ସୂରକ୍ଷା ନିମନ୍ତେ ଆଗେଇ ଆସୁଛନ୍ତି ସଚେତନ ସୈନିକ। 

  ବସଷ୍ଟାଣ୍ଡ ସମ୍ମୁଖରେ ପଥ ଉତ୍ସବ ମଞ୍ଚରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ଭାସ୍କର ରଇତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦର ମୁଖ୍ୟ ବିକାଶ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ନିହାର ରଞ୍ଜନ କହଁର,ବିଶିଷ୍ଟ ଶିକ୍ଷାବିତ ତଥା ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ: ଦୁଷ୍ମନ୍ତ କୁମାର ମହାନ୍ତି, ରାୟଗଡା ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ, ଉପ ନିର୍ଦ୍ଦେଶକ ତଥା ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା ଶିକ୍ଷାଧିକାରୀ ବସନ୍ତ କୁମାର ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ରାଷ୍ଟ୍ରର ପବିତ୍ର ସମ୍ବିଧାନ ଫଟୋଚିତ୍ରରେ ଧୂପ, ଦୀପ ଓ ପୁଷ୍ପମାଲ୍ଯ ଅର୍ପଣ କରି ପ୍ରଥମେ ପୂଜା କରାଯାଇଥିଲା । ଡ: ମହାନ୍ତି ସକ୍ରିୟ ସୈନିକ ରୂପେ ଅଂଶଗ୍ରହଣ କରି ଗଣତନ୍ତ୍ରକୁ ସୁଦୃଢ କରିବା ନିମନ୍ତେ ଯୁବଗୋଷ୍ଠୀଙ୍କୁ ପ୍ରେରିତ କରିଥିଲେ । ମୁଖ୍ୟ ଅତିଥି ଶ୍ରୀଯୁକ୍ତ ଭାସ୍କର ରଇତ ସମ୍ଭାବିତ ଯୁବ ଭୋଟରଙ୍କ କର୍ତ୍ତବ୍ୟ ବିଷୟରେ ସଚେତନ କରିବା ସହ ପଥ ଉତ୍ସବରେ ଜିଲ୍ଲାବାସୀଙ୍କ ସକ୍ରିୟ ଅଂଶ ଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାରେ ସହାୟକ ହେବ ବୋଲି ପ୍ରକାଶ କରିଥିଲେ । ମୁଖ୍ୟ ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ କହଁର ଶତ ପ୍ରତିଶତ ପଞ୍ଜୀକରଣ, ତ୍ରୁଟିଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତି ଉପରେ ଗୁରୁତ୍ଵ ଆରୋପ ସହ ସୁଦୃଢ ଗଣତନ୍ତ୍ର ଗଠନ ନିମନ୍ତେ ସଚେତନତା ସୃଷ୍ଟି କରିଥିଲେ। ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ ସଭାର ଆଭିମୁଖ୍ୟ ପ୍ରକାଶ କରିବା ସହ ସମସ୍ତ କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଓଡ଼ିଆ ଓ ଇଂରାଜୀ ଭାଷାରେ ବକ୍ତୃତା, ଚିତ୍ରାଙ୍କନ, ଝୋଟି ଓ ରଙ୍ଗୋଲି ଆଦି ପ୍ରତିଯୋଗୀତା ମାନ ଉପଜିଲ୍ଲାପାଳ ଶ୍ରୀମତୀ କଲ୍ଯାଣୀ ସଂଘମିତ୍ରା ଦେବୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ କୁମାର ଦାଶଙ୍କ ଉପସ୍ଥିତିରେ ଆୟୋଜିତ କରି, ପଥ ଉତ୍ସବରେ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଉଗ୍ରତାରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ୟୁ ଜି ଏମ ଆଇ ଟି, ମହିଳା ମହାବିଦ୍ୟାଳୟ ତଥା ପି ଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟର କଳାକାର ବୃନ୍ଦ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶିକ୍ଷକ ନୀଳାଞ୍ଚଳ ମିଶ୍ର ସଂଯୋଜନା କରିଥିଲେ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମକର୍ତ୍ତା ସହଯୋଗ କରିଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅଭିନେତା ବିଜୟ କୁମାର ମହାନ୍ତିଙ୍କୁ ଆଦର୍ଶ ଦଂପତିଙ୍କ ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳୀ

Sunil Chandra Nayak

କନ୍ଧମାଳ: ଯୁବ ନେତୃତ୍ବ ଏବଂ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ

Sunil Chandra Nayak

ଆସିକା ଯୁବ ବିକାଶ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

masiha

Leave a Comment

error: Content is protected !!