ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଦ୍ୟାଧର ମହାନ୍ତ ଙ୍କ କବିତା ଶ୍ରୀରାଧାକୃଷ୍ଣଦିବ୍ୟ ପ୍ରେମ

ଶ୍ରୀରାଧାକୃଷ୍ଣଦିବ୍ୟ ପ୍ରେମ

 

ରାଗ,–ରାମକେରୀ

 

ସଂସାର ଶାଶ୍ୱତ ସୁନ୍ଦର 

                ସିତ ଅସିତ ସାର 

ସରସ୍ୱିଜ ମୁଖୀ ଶ୍ରୀରାଧା

               କୃଷ୍ଣ ଅସୀତାକାର |1|

 

ନବୋଦୟ ବାଳଅରୁଣ

      .. ସ୍ଵର୍ଣ ବରଣା ରାଧା

କଳା ମାଣିକ୍ୟର ଶ୍ରୀଅଙ୍ଗେ

        … ମାଡ଼େ ଲଭି ଶରଧା |2|

 

କଳାମାଣିକ୍ୟରେ ମାଡିଛି

             ରାଧା ସ୍ଵର୍ଣବଲ୍ଲରୀ

ବିମୋହିତ କରି ନେଉଛି

       …. ତ୍ରିଭୁବନ ସୁନ୍ଦରୀ |3|

 

ଉଦୟ ଅଚଳ ଶିଖର

           ଚୂଳେ ରାଧା ମାଧବ

ଫଗୁଖେଳେ ମାତି ଅଛନ୍ତି

           ପ୍ରେମ ପ୍ରୀତି ବିଭବ |4|

 

ଶୁଭ୍ରାଙ୍ଗୀ ଶ୍ରୀରାଧା ପ୍ରେମର

           ଦିବ୍ୟ ପ୍ରୀତିର ଧାରା

ନବ ଯଉବନେ ମୋହୁଛି

          କୃଷ୍ଣ ହୃଦୟ ସାରା |5|

 

ସଂସାରର ସାର ପୁର୍ଣିମା

        ଦୋଳ ପୁର୍ଣିମା ଆଜି

ସମଗ୍ର ଜଗତେ ଆସିଛି

    ….. ଯେତେ ଋତୁକୁ ମାଜି |

 

ସାରା ଜଗତରେ ହସୁଛି

           ଆମ୍ବ ମହୁଲ ଫୁଲ

ଶିମୁଳୀ ପଳାସ ବଉଳ

           ଜନେ କରି ପ୍ରଫୁଲ |6|

 

ମନ୍ଦ ମନ୍ଦ ଧୀର ପବନ

            ବହେ ସାରା ଜଗତେ

ନବ ପଲ୍ଲବିତ ପାଦପେ

            ସୁବାସିତ ବସନ୍ତେ |7|

 

 

କୁଳୁକୁଳୁ ଯେତେ ଝରଣା

         ଶୁଖାଇଲେ ନିର୍ଝର

ବଡ଼ ବଡ଼ ନଦୀ କଲେଣି

  ……. ତାଙ୍କଗତି ମନ୍ଥର |8|

 

ବନେ ଉପଵନେ ରାବିଲେ

        କୋଇଲି କୁହୁସ୍ୱରେ

ହଳଦୀ ବସନ୍ତ ନାଚିଲେ

         ଗୀତଗାଇ ମଧୁରେ |9|

 

ବିବାହ ଉତ୍ସବ ଚାଲିଲା

      ଗାଆଁ ସହର ସାରା

ଏହି ପରି ଲୀଳା ରଚିଲେ

          ଵିଧି ନବ ଇସାରା |10|

 

କୁସୁମ ଉତ୍ସବ ନିମିତ୍ତ

     ….. ଗ୍ରାମ ବନଉଦ୍ୟାନେ

ହେଲେ ବିକଶିତ ଗୋଲାପ

         ମଲ୍ଲୀ ବିବିଧ ସ୍ଥାନେ |11|

 

ଏକାଳେ ରଚିଲେ ବିଧାତା

        ଦୋଳଜାତ ମହୀରେ

ଆନନ୍ଦ ଉତ୍ସବେ ମାତିଲେ

       ମର୍ତବାସୀ ବିଧିରେ |12|

 

ଶଙ୍ଖ ହୁଳହୁଳି ମୃଦଙ୍ଗ

        ଢୋଲ ନାଗରା ନାଦେ

ଉଛୁଳି ପଡିଲା ସଂସାର

        ଦୋଳଯାତ ସମବାଦେ |13|

 

ଫଗୁରଙ୍ଗ ଆଉ ଅଵିରେ

        ପରସ୍ପର ବୋଳିଲେ

ଘରେ ଘରେ ରାଧା ମାଧବ

         ଆନନ୍ଦରେ ଖେଳିଲେ |14|

 

ବିମାନେ ହସିଲେ ଶ୍ରୀରାଧା

          କୃଷ୍ଣ ଚିତା ଚନ୍ଦନେ

ଶ୍ରୀରାଧା କୃଷ୍ଣ ଦିବ୍ୟପ୍ରେମ

          ମଧୁଭରା ପବନେ |15

 

ଆତ୍ମା ପରମାତ୍ମା ଅଟନ୍ତି

      ପ୍ରଭୁ ଶ୍ରୀକୃଷ୍ଣ ରାଧା

ତେଣୁତାଙ୍କୁ ଧ୍ୟାନ କରିଲେ

        ଜୀବ ଜୀବନୁ ବାଧା|16|

          ସମାପ୍ତ

ଶ୍ରୀ ବିଦ୍ୟାଧର ମହାନ୍ତ, ତମ୍ବାହରା, କେନ୍ଦୁଝର 

 

Related posts

ଆଦର୍ଶ ଶିକ୍ଷକଙ୍କ ପରଲୋକ

Sunil Chandra Nayak

ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ  ପକ୍ଷରୁ ଦାବିପତ୍ର

Sunil Chandra Nayak

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!