ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

କନ୍ଧମାଳ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ 

କନ୍ଧମାଳ, ୧୫/୧୧:(ମନିସ): ଜଙ୍ଗଲ ଏବଂ ବନ୍ୟଜନ୍ତୁଙ୍କୁ ଜଙ୍ଗଲ ନିଆଁରୁ ରକ୍ଷା କରିବା ପାଇଁ ସରକାର ଅଗ୍ନି ଅସୁରକ୍ଷିତ ସ୍ଥାନଗୁଡ଼ିକୁ ଚିହ୍ନଟ କରିବା ପାଇଁ ବିଭିନ୍ନ ବିଭାଗ ସହିତ ସର୍ବୋତ୍ତମ ସମନ୍ୱୟ ରକ୍ଷା କରିବାକୁ ସ୍ଥିର କରିଛନ୍ତି ଏବଂ ଆଗକୁ ଆସୁଥିବା ଅଗ୍ନିକାଣ୍ଡ ଘଟଣାରେ ଜଙ୍ଗଲରେ ନିଆଁକୁ ରୋକିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରିଛନ୍ତି ଯାହା କନ୍ଧମାଳ ଜିଲ୍ଲାରେ ଜାନୁଆରୀ ୨୦୨୫ ରୁ ଜୁନ୍‌‌, ୨୦୨୫ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି କ୍ରମରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ ଅତିରିକ୍ତ ଜିଲ୍ଲାପାଳ ଅଶୋକ କୁମାର ଭୋଇଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ବନାଗ୍ନି ନିରାକରଣ ଓ ପ୍ରତିରୋଧ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଗ୍ନି ଅସୁରକ୍ଷିତ ଅଞ୍ଝଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ। ଏହି ଜଙ୍ଗଲ ସେମାନଙ୍କର ଏବଂ ସେମାନେ ଭବିଷ୍ୟତରେ ଏଥିରୁ ଲାଭବାନ ମଧ୍ୟ ହୋଇପାରିବେ ଯଦି ଜଙ୍ଗଲ ରହିଥିବ। ପୋଡ଼ୁ ଚାଷ ନ କରି ଯେଉଁ ଜମିରେ ସେ ଚାଷ କରୁଛନ୍ତି ସେଥିରୁ ଦୁଇଟା ଫସଲ ଅମଳ କରିବାକୁ ସେମାନଙ୍କୁ ପ୍ରୋତ୍ସାହନ ଦେବା ଆବଶ୍ୟକ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଭୋଇ ପ୍ରକାଶ କରିଥିଲେ। ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରଶାନ୍ତ ପଟେଲ୍‌‌ କହିଲେ, ଏହି ଜିଲ୍ଲାରେ ଅଧିକାଂଶ ଲୋକ ଗଛ କାଟିବା ଓ ପୋଡ଼ୁ ଚାଷ କରିବା ଦ୍ୱାରା ଜିଲ୍ଲାର ଜଙ୍ଗଲ ସମ୍ପଦ ହ୍ରାସ ପାଉଛି। ତେବେ, ବିଭାଗୀୟ ଅଧିକାରୀ ତଥା କର୍ମଚାରୀ ଏବଂ ଏ ଦିଗରେ କାର୍ଯ୍ୟ କରୁଥିବା ଅନୁଷ୍ଠାନ ଗୁଡ଼ିକ ଉଦ୍ୟମରେ ଚଳିତ ବର୍ଷ ଗତ ବର୍ଷ ତୁଳନାରେ ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ କମ୍‌‌ ଥିବା ଜଣାପଡ଼ିଛି। ୨୦୨୫ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପ୍ରଚେଷ୍ଟା କରାଯିବ ବୋଲି ବନଖଣ୍ଡ ଅଧିକାରୀ ଶ୍ରୀ ପଟେଲ କହିଥିଲେ। ସେହିପରି ବାଲିଗୁଡ଼ା ବନଖଣ୍ଡ ଅଧିକାରୀ ଶ୍ରୀ ବିଶ୍ୱରାଜ୍‌‌ ପଣ୍ଡା କହିଲେ, ଚାଷ ପାଇଁ ଗଛ କାଟି ନିଆଁ ଲଗାଇଦେଲେ ସେମାନଙ୍କର ଳାଭ ବଦଳରେ କ୍ଷତି ହେଉଛି ବୋଲି ସେମାନେ ଜାଣିପାରୁନାହାଁନ୍ତି। ସେଥିପାଇଁ ଅଗ୍ନି ଅସୁରକ୍ଷିତ ଅଞ୍ଝଳର ଜଙ୍ଗଲ ଉପରେ ନିର୍ଭର କରି ଚଳୁଥିବା ଲୋକମାନଙ୍କୁ ସଚେତନ କରିବା ନିହାତି ଆବଶ୍ୟକ। ସମ୍ବେଦନଶୀଳ ଅଗ୍ନିକାଣ୍ଡ ପଏଣ୍ଟ ଗୁଡ଼ିକରେ ବାରମ୍ବାର ବୈଠକ କରି ନିଅାଁ ନ ଲଗାଇଲେ ସେମାନଙ୍କର କ’ଣ ସବୁ ଲାଭ ହେବ ସେ ବିଷୟରେ ସ୍ଥାନୀୟ ଲୋକମାନଙ୍କୁ ବୁଝାଇବାକୁ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ। ବନବିଭାଗର ଅଧିକାରୀ, ସ୍ୱେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀ, ପାହାଡ, ବନବାସୀ ସେବା ସମିତି ଇତ୍ୟାଦିର ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତିମାନେ ସେମାନଙ୍କର ମତ ରଖିବା ସହିତ କାର୍ଯ୍ୟକ୍ଷେତ୍ରରେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ ସୂଚନା ଦେଇଥିଲେ ଯାହା ବନ ବିଭାଗର ଆକ୍‌‌ସନ୍‌‌ ପ୍ଲାନ୍‌‌ରେ ସ୍ଥାନ ପାଇବ। ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଜନ ପ୍ରତିନିଧିମାନଙ୍କ ପର୍ଯ୍ୟନ୍ତ ଏବଂ ବନ ବିଭାଗ ସମେତ ପ୍ରତ୍ୟେକ ବିଭାଗ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଗଣ ମାଧ୍ୟମ ସମସ୍ତଙ୍କର ସହଯୋଗରେ ଜଙ୍ଗଲ ନିଆଁକୁ ରୋକାଯାଇପାରିବ। ସେ ନିଆଁ ସ୍ୱାର୍ଥ ହାସଲ ପାଇଁ ଲାଗିଥାଉ କିମ୍ବା ଖଳ ପ୍ରକୃତିର ଲୋକମାନଙ୍କ ଦ୍ୱାରା ଲଗାଯାଇଥାଉ ତାକୁ ଲିଭାଇବା ପାଇଁ ସମସ୍ତଙ୍କର ମିଶନ ହେଉ ବୋଲି ସମସ୍ତେ ମତ ରଖିଥିଲେ। ଫୁଲବାଣୀ ଫରେଷ୍ଟ ଡିଭିଜନର ସହକାରୀ ବନ ସଂରକ୍ଷକ ଶ୍ରୀମତୀ ଶ୍ୱେତାଲିନା ସାହୁ ପାୱାର ପଏଣ୍ଟ ମାଧ୍ୟମରେ ଜଙ୍ଗଲରେ ନିଆଁ ଲାଗିବାର ମୁଖ୍ୟ କାରଣ, ଜଙ୍ଗଲ ନିଆଁର ପ୍ରଭାବ, କେଉଁ କେଉଁ ଗ୍ରାମ ପଞ୍ଝାୟତ ଗୁଡ଼ିକରେ ପ୍ରତିବର୍ଷ ସ୍ଥାନୀୟ ଲୋକମାନଙ୍କ ଦ୍ୱାରା ଜଙ୍ଗଲରେ ନିଆଁ ଲଗାଯାଉଛି ସେଗୁଡ଼ିକର ତାଲିକା, ତା’ର ନିରାକରଣ ଓ ପ୍ରତିରୋଧ ପାଇଁ ବିଭିନ୍ନ ବିଭାଗର ଦାୟିତ୍ୱ, ଏବଂ ୨୦୨୫ ମସିହାରେ ଜଙ୍ଗଲ ନିଆଁ ମୁକ୍ତ କନ୍ଧମାଳ ଜିଲ୍ଲା ପାଇଁ ପ୍ରଚେଷ୍ଟା ଉପରେ ସୂଚନା ପ୍ରଦାନ କରିଥିଲେ। ଉକ୍ତ ବୈଠକରେ, ବନଖଣ୍ଡ ଅଧିକାରୀ(କେନ୍ଦୁ ଲିଫ୍‌‌) ଶରତ କୁମାର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ, (ରାଜସ୍ୱ) ରମେଶ ଚନ୍ଦ୍ର ଜେନା, ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା- କାର୍ଯ୍ୟନିର୍ବାହୀ ଅଧିକାରୀ ଶମ୍ଭୁନାଥ ନନ୍ଦୀଙ୍କ ସମେତ ଫୁଲବାଣୀ ଓ ବାଲିଗୁଡ଼ା ବନଖଣ୍ଡର ଅଧିକାରୀ, ସ୍ୱେଚ୍ଛାସେବୀ ଭାବେ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଭାବେ କାର୍ଯ୍ୟକରୁଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନର ମୁଖ୍ୟ କାର୍ଯ୍ୟ ନିର୍ବାହୀ, ସବୁଜ ପ୍ରେମୀ ଏବଂ ବନ ସୁରକ୍ଷା ସମିତିର ସଭାପତି ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ଯୋଗଦେଇଥିଲେ।

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବରିଷ୍ଠ ଶିକ୍ଷକ ନିଳାଞ୍ଚଳ ମିଶ୍ର ରାଜ୍ୟପାଳଙ୍କ ଦ୍ବାରା ପୁରସ୍କୃତ

Sunil Chandra Nayak

ଧର୍ମଗଡ଼: ବ୍ଲକ ସ୍ତରୀୟ ଅନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳନ 

masiha

ବଦଳିବ ସତିଘାଟ ପ୍ରକଳ୍ପର ଭାଗ୍ୟ ,ଉପକୃତ ହେବେ ଶହ ଶହ ଚାଷୀ

Sunil Chandra Nayak

Leave a Comment

error: Content is protected !!