ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ

ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମି ହେଲା ଜବରଦଖଲ ମୁକ୍ତ

ରାଉରକେଲା, ୨୭ ନଭେମ୍ବର ୨୦୨୪ : ପାୱାର ହାଉସ୍ ରୋଡ଼ ନିକଟରେ ଥିବା ରାଉରକେଲା ଇସ୍ପାତ କାରଖାନାର ଏକ ଜମିକୁ ଜବରଦଖଲ ମୁକ୍ତ କରାଯାଇଛି। ଆରଏସପି ଅଧୀନରେ ଥିବା ଉକ୍ତ ଜମିରୁ ଜବରଦଖଲ ହଟାଇବା ପାଇଁ ପୂର୍ବରୁ ରାଉରକେଲା ଇସ୍ପାତ କାରଖାନା ତରଫରୁ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣିଙ୍କୁ ଏକ ପତ୍ର କରାଯାଇଥିଲା। ଯାହା ଫଳରେ ବୁଧବାର ଅତିରିକ୍ତ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପ୍ରଶାସନ ତରଫରୁ ପାୱାର ହାଉସ୍ ରୋଡ଼ ଠାରେ ଥିବା ଆରଏସପି ଜମିରୁ ବେଆଇନ ଭାବେ ପାର୍କିଂ ହୋଇଥିବା ଟ୍ରକ୍ ତଥା ଅନ୍ୟ ସମସ୍ତ ଗାଡ଼ି ଗୁଡ଼ିକୁ ହଟାଯାଇଛି। 

ଦୀର୍ଘ ସମୟ ଧରି ଆରଏସପିର ଏହି ଜାଗା ବେଆଇନ ଭାବେ ଜବରଦଖଲକାରୀଙ୍କ କବଜାରେ ରହିଥିଲା। ମୁଖ୍ୟତଃ ପାୱାର ହାଉସ୍ ରୋଡ଼ ନିକଟରେ ଥିବା ଏହି ଜମି ଟ୍ରକ୍ ଗୁଡ଼ିକର ପାର୍କିଂ ନିମନ୍ତେ ବ୍ୟବହୃତ ହେଉଥିବାରୁ ସହର ମଧ୍ୟରେ ବଡ଼ ବଡ଼ ଟ୍ରକ୍ ଗୁଡ଼ିକର ଅବାଧ ପ୍ରବେଶ ହେଉଥିଲା। ଯାହା ଫଳରେ ଟ୍ରକ୍ ଧୂଆଁ ଯୋଗୁଁ ସ୍ଥାନୀୟ ଅଞ୍ଚଳରେ ବାୟୁ ପ୍ରଦୂଷଣ ସୃଷ୍ଟି ହେବା ସହ ସହର ଭିତରେ ଟ୍ରାଫିକ୍ ସମସ୍ୟା ମଧ୍ୟ ଦିନକୁ ଦିନ ଗୁରୁତର ହେଉଥିଲା। ବହୁ ସମୟ ଧରି ଏହି ସ୍ଥାନକୁ ଜବରଦଖଲ ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଯୋଜନା କରାଯାଇଥିଲା। ଯାହା ବୁଧବାର ଦିନ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ପୁଲିସ ଉପସ୍ଥିତିରେ କାର୍ଯ୍ୟକାରୀ କରାଯାଇଥିଲା। 

ପୂର୍ବରୁ ଡାକବାଜି ମାଧ୍ୟମରେ ଏହି ସ୍ଥାନରୁ ଟ୍ରକ୍ ତଥା ଅନ୍ୟ ସମସ୍ତ ଯାନବାହାନ ଗୁଡ଼ିକୁ ଯଥାଶୀଘ୍ର ହଟାଇବା ପାଇଁ ଘୋଷଣା କରାଯାଇଥିଲା। ଏଥିସହ ସାମାଜିକ ଗଣମାଧ୍ୟମ ଯୋଗେ ସୂଚନା ପ୍ରଦାନ କରାଯାଇଥିଲା। କିନ୍ତୁ କିଛି ଅମାନିଆ ବ୍ୟକ୍ତି ଏହି ନିର୍ଦ୍ଦେଶକୁ ନମାନିବାରୁ ବୁଧବାର ଏହି ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ପାନପୋଷ ସହକାରୀ ଜିଲ୍ଲାପାଳ ଶ୍ରୀଯୁକ୍ତ ବିକାଶ ଭୋଇ, ଡିଏସପି ନିର୍ମଳ ମହାପାତ୍ର, ପାନପୋଷ ଆଞ୍ଚଳିକ ପରିବହନ ଅଧିକାରୀ ବିଭୋର ସାମନ୍ତରାୟ, ରାଉରକେଲା ମହାନଗର ନିଗମର ଏନଫୋର୍ସମେଣ୍ଟ ଟିମ୍ ପ୍ରମୁଖଙ୍କ ଉପସ୍ଥିତିରେ ଏହି ଜବରଦଖଲ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ଏଥିସହ ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ସମ୍ପୃକ୍ତ ସ୍ଥାନରେ ପୁଲିସ ମୁତୟନ କରାଯାଇଥିଲା। 

ଆଗକୁ ଯଦି ଏହି ସ୍ଥାନରେ କୌଣସି ଟ୍ରକ୍ କିମ୍ବା ଅନ୍ୟ ଗାଡ଼ି ପାର୍କିଂ କରାଯାଏ ତେବେ ଉକ୍ତ ଗାଡ଼ି ଜବତ କରାଯିବା ସହ ସମ୍ପୃକ୍ତ ମାଲିକଙ୍କ ବିରୁଦ୍ଧରେ ଆଇନ୍ ଅନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଆଜି ଜବରଦଖଲ ଉଚ୍ଛେଦ ସମୟରେ ପ୍ରଶାସନ ତରଫରୁ ଚେତାବନୀ ଦିଆଯାଇଛି। 

ପାୱାର ହାଉସ୍ ରୋଡ଼ ଠାରେ ଥିବା ଜମି ଜବରଦଖଲ ମୁକ୍ତ ପରେ ଏହା ରାଉରକେଲା ଇସ୍ପାତ କାରଖାନା ଅଧୀନକୁ ଆସିଥିବା ବେଳେ ଏହା ଆଗକୁ ରାଉରକେଲା ସହରବାସୀଙ୍କ ହିତ ଉଦ୍ଦେଶ୍ୟରେ ବ୍ୟବହୃତ ହେବ ବୋଲି ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଶ୍ରୀଯୁକ୍ତ ଆଶୁତୋଷ କୁଲକର୍ଣ୍ଣି ସୂଚନା ଦେଇଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଭଳି ବେଆଇନ ଜବରଦଖଲ ଉଚ୍ଛେଦ ଅଭିଯାନକୁ ଆହୁରି ଜୋରଦାର୍ କରାଯିବ ବୋଲି ସେ କହିଛନ୍ତି। 

ଜବରଦଖଲକାରୀଙ୍କ ଅକ୍ତିଆରରେ ଥିବା ଜମି ଗୁଡ଼ିକରୁ ଜବରଦଖଲ ଉଚ୍ଛେଦ କରାଯାଇ ଏହାକୁ ବିଭିନ୍ନ ଜନକଲ୍ୟାଣକାରୀ କାର୍ଯ୍ୟରେ ବ୍ୟବହାର କରାଯିବ ବୋଲି ସେ କହିଛନ୍ତି। ରାଉରକେଲା ସହରର ବିକାଶକୁ ଶୀର୍ଷରେ ପହଞ୍ଚାଇବା ନିମନ୍ତେ ସରକାରୀ କିମ୍ବା ରାଉରକେଲା ଇସ୍ପାତ କାରଖାନାର ଜମି ଗୁଡ଼ିକରୁ ବେଆଇନ ଜବରଦଖଲ ହଟାଇବା ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସହରବାସୀଙ୍କ ସହଯୋଗର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଜୟପାଟଣା:ଚତୁର୍ଥ ସ୍ତମ୍ଭ ଅସୁରକ୍ଷିତ , ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଆକ୍ରମଣ

Sunil Chandra Nayak

ଭଗବାନ ବୁଦ୍ଧଙ୍କ ପ୍ରତିମୂର୍ତ୍ତି କୁ NAC ପ୍ରଶାସନର ଜାଣିଶୁଣି ଅବହେଳା କି ନଜାଣିଲା ଭଳି ଅଭିନୟ 

masiha

କବିସୂର୍ଯ୍ୟନଗର ହାଜତ ମୃତ୍ଯୁ ଘଟଣାର ବିଚାର ବିଭାଗୀୟ ତଦନ୍ତ,ଆର୍ଥିକ ସହାୟତା ଓ ଆଇନଗତ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଉ- ଫରୱାର୍ଡ ବ୍ଲକ

Leave a Comment

error: Content is protected !!