ରାଇରଙ୍ଗପୁରରେ ବାମନଘାଟୀ ଉପଖଣ୍ଡ ସ୍ତରୀୟ ୯୦ ତମ ଓଡ଼ିଶା ଦିବସ ସମାରୋହ ପାଳିତ
ମୟୂରଭଞ୍ଜ – ୦୧/୦୪ // ଆଜି ପବିତ୍ର ଓଡ଼ିଶା ଦିବସ ।ଆଜିର ଦିନରେ ୧୯୩୬ ମସିହା ପହିଲା ଦିନ ଭାରତର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଏକ ଭାଷା ଭିତ୍ତିକ ରାଜ୍ୟ ମାନ୍ୟତା ପାଇଥିବାଵେଳେ ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା ମାନ୍ୟତା ପାଇଛି।ଓଡ଼ିଆ ଜାତୀୟତା ଜୀବନର ଅନେକ ସ୍ମୃତିକୁ ବହନ କରିଥିଲା ଏହି ଐତିହାସିକ ଦିନ ।ଅତିତରେ ଓଡ଼ିଶା ର ସିମା ଗଙ୍ଗାରୁ ଗୋଦାଵରୀ ଥିଲା ।ଓଡ଼ିଆ ଜାତି ଏକ ଦୁର୍ଦ୍ଦଷ ଜାତି ଭାଵେ ସମଗ୍ର ଭାରତରେ ପରିଚିତ ଥିଲା ।ଏହାର କଳା, ଭାସ୍କର୍ଯ୍ୟ, ସମୃଦ୍ଧି, ସଂସ୍କୃତି ଓ ଐତିହ୍ୟ, ଅର୍ଥନୈତିକ , ସାମାଜିକ ସବୁଠି ଶୀର୍ଷ ସ୍ତରରେ ପହଞ୍ଚି ଥିଲା । କିନ୍ତୁ ଓଡିଶାର ଶେଷ ରାଜା ମୁକୁନ୍ଦଦେଵ ୧୫୬୮ ଖ୍ରୀଷ୍ଟାବ୍ଦରେ ଗୋହିରାଟିକିରିଠାରେ ଯୁଦ୍ଧରେ ପରାସ୍ତ ଓ ନିହତ ପରେ ଓଡ଼ିଶା ଖଣ୍ଡବିଖଣ୍ଡିତ ହୋଇଥିଲା ।ଆଫଗାନ,ପରେ ମୋଗଲ ଏବଂ ପରେ ଇଂରେଜମାନେ ଓଡ଼ିଶାକୁ ଶାସନ କରିଥିଲେ ।ଓଡ଼ିଆ ଭାଷା ଓ ସଂସ୍କୃତି ବିପନ୍ନ ହୋଇ ପଡ଼ିଥିଲା ।ଓଡ଼ିଆ ଭାଷା ଆନ୍ଦୋଳନରୁ ଓଡ଼ିଆର ଜାତୀୟତାର ଜନ୍ମ। ଏହିଠାରୁ ଜନ୍ମ ନେଲା ସ୍ବତନ୍ତ୍ର ଓଡ଼ିଶା ଗଠନ ପାଇଁ ବିଧିବଦ୍ଧ ଉଦ୍ୟମ ।ଓଡ଼ିଆ ଭାଷାଭିତ୍ତିକ ରାଜ୍ୟ ପାଇଁ କ୍ରାନ୍ତିକାରୀ ଓଡ଼ିଆ ଜାତି ପ୍ରାଣ ବାରିଷ୍ଟରତଥା ପ୍ରାତଃ ସ୍ମରଣୀୟ ମଧୁସୂଦନ ଦାସ ନେଇଥିଲେ ନେତୃତ୍ଵ । ତାଙ୍କରି ବରିଷ୍ଠ ଉଦ୍ୟମ , ଦୂରଦୃଷ୍ଟି,ଜାତାପ୍ରାଣ ମନୋଭାବ ଯୋଗୁଁ ୧୯୦୩ ମସିହା ମେ ୭ ତାରିଖରେ କଟକ ଇଦଗା ପଡ଼ିଆରେ ଉତ୍କଳ ସମ୍ମିଳନୀ ଗଠିତ ହୋଇଥିଲା । ତାଙ୍କ ସହିତ ଉତ୍କଳମଣି ଗୋପବନ୍ଧୁ ଦାସ,ପାରଳା ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ମୟୂରଭଞ୍ଜ ମହାରାଜା ଶ୍ରୀରାମଚନ୍ଦ୍ର ଭଂଜଦେଓ, କର୍ମବୀର ଗୌରୀଶଙ୍କର ରାୟ,ବ୍ୟାସ କବି ଫକିରମୋହନ ସେନାପତି, ସ୍ବଭାବ କବି ଗଙ୍ଗାଧର ମେହେର ,କବିବର ରାଧାନାଥ,ପଲ୍ଲିକବି ନନ୍ଦକିଶୋର ବଳ,ଭକ୍ତକବି ମଧୁସୂଦନ ରାଓ, ପଣ୍ଡିତ ଗୋଦାବରୀଶ ମିଶ୍ର, ପଣ୍ଡିତ ନୀଳକଣ୍ଠ ମିଶ୍ର ଏବଂ ବହୁ ମନୀଷୀଗଣ ସଂଗ୍ରାମ,ତ୍ୟାଗ ଓ ତିତୀକ୍ଷା ଯୋଗୁଁ ଇଂରେଜ ସରକାର ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଭାଷା ଭିତ୍ତିକ ରାଜ୍ୟ ଭାବେ ମାନ୍ୟତା ଦେଇଥିଲେ ।
ଏହି ପବିତ୍ର ଦିବସ ଅବସରରେ ରାଇରଙ୍ଗପୁରରେ ଉପଖଣ୍ଡ ପ୍ରଶାସନ ତରଫରୁ ଵାମନଘାଟୀ ଉପଖଣ୍ଡ ସ୍ତରୀୟ ୯୦ ତମ ଓଡିଶା ଦିବସ ସମାରୋହ ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି ।ଏହି ଅବସରରେ ପ୍ରତ୍ଯୁଷ ୪.୩୦ ସମୟରେ ରାଇରଙ୍ଗପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ତରଫରୁ ରାଇରଙ୍ଗପୁର ସହରରେ ଡ଼ାକବାଜି ଯନ୍ତ୍ର ଯୋଗେ ଦେଶାତ୍ମବୋଧକ ସଙ୍ଗୀତ ବାଦନ କରାଯାଇଥିଲା ।ପରେ ସକାଳ ୭ ଘଟିକା ରେ ରାଇରଙ୍ଗପୁର ସହରର ବିଭିନ୍ନ ସ୍ଥାନରେ ସ୍ଥାପିତ ହୋଇଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତ୍ତୀରେ ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଏବଂ ଅନ୍ୟ ପଦାଧିକାରୀମାନେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।
ପୂର୍ବାହ୍ନ ୯ ଘଟିକା ରେ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଏକ ସ୍ମୃତି ଚାରଣ ସଭା ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଂଜନ ପ୍ରଧାନ ଙ୍କ ଦ୍ଵାରା ଶୁଭ ଉଦ୍ଘାଟିତ ହୋଇଥିଲା ।ଏଥିରେ ଅତିରିକ୍ତ ଉପଜିଲ୍ଲାପାଳ ବାସନ୍ତୀ ଲାକ୍ରା,ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଗୋକୁଳାନନ୍ଦ ସାହୁ, ରାଇରଙ୍ଗପୁର ତହସିଲଦାର ବିଶ୍ଵନାଥ ବିଶ୍ଵାଳ,ଡେପୁଟି କଲେକ୍ଟର ମାନସ ରଞ୍ଜନ ଵେହେରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ସହକାରୀ ଜିଲ୍ଲାପାଳ ଅନିତା ମହାନ୍ତ, ବିଭିନ୍ନ ପଦାଧିକାରୀ, ବରିଷ୍ଠ ନାଗରିକ, ମାନ୍ୟଗଣ୍ୟ ବ୍ୟକ୍ତି ,ଓକିଲସ୍ଘ କର୍ମକର୍ତ୍ତା, ଗଣମାଧ୍ୟମ ପ୍ରତିନିଧି,ଶିକ୍ଷକ, ଶିକ୍ଷୟତ୍ରୀ ପ୍ରମୁଖ ଯୋଗଦେଇ ଦିବଂଗତ ମହାମନିଷୀ ଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ବନ୍ଦେ ଉତ୍କଳୀୟ ଜନନୀ ଗାନ ପରେ ଆଜିର ଓଡିଶା ଦିବସ ଉପରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତି ଆଲୋକପାତ କରିଥିଲେ ।ଅତିଥିଗଣ କହିଥିଲେ ଦିବଙ୍ଗତ ମହାମନିଷୀ ଙ୍କ ତ୍ଯାଗପୂତ କର୍ମ ଓ ନିଃସ୍ଵାର୍ଥପରତା ପାଇଁ ଆମେ ଭାଷାଭିତ୍ତିକ ରାଜ୍ୟ ସହ ଏବେ ଶାସ୍ତ୍ରୀୟ ଭାଷା ମଧ୍ୟ ମାନ୍ୟତା ପାଇଛୁ ।ଆମର ସଂସ୍କୃତି,କଳା, ଭାସ୍କର୍ଯ୍ୟ, ସାହିତ୍ୟ, ଜଗନ୍ନାଥ ଚେତନା ପାଇଁ ସମଗ୍ର ବିଶ୍ଵରେ ଆମର ଏକ ଅନନ୍ୟ ପରିଚୟ ସୃଷ୍ଟି ହୋଇଛି ।ଆମେ ସମସ୍ତେ ଆଜିର ଦିନରେ ଓଡ଼ିଆ ଭାଷା, ସଂସ୍କୃତି ପ୍ରଚାର ଓ ପ୍ରସାର କରିବା ସହ ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ସମସ୍ତେ ସାମଗ୍ରିକ ଭାବେ ଆଗେଇ ଆସିବା ଉଚିିତ । ବିଚ୍ଛିନ୍ନାଞ୍ଚଳରେ ଓଡିଆଭାଷା ଆଜି ବିପନ୍ନ । ସେଠାକାର ସରକାର ମଧ୍ୟ ଓଡ଼ିଆଙ୍କୁ ବୈମାତୃକ ମନୋଭାବ ରଖି ଓଡ଼ିଆ ସ୍କୁଲ ପ୍ରତି ଅଣଦେଖା କରୁଛି । ତେଣୁ ତାହାପ୍ରତି ମଧ୍ୟ ଆମ୍ଭେ ଯତ୍ନଶୀଳ ହେବା ଉଚିତ ।ସମସ୍ତେ କହିବା କବି କିଶୋର ଚନ୍ଦ୍ର ଦେବଙ୍କ ପଂକ୍ତି – ‘ ଓଡ଼ିଆ ଆମ ମାତୃଭାଷା ଭାଷା,ଓଡ଼ିଆ ଆମ ପ୍ରାଣ,ଓଡ଼ିଶା ଦେଶରେ ଜନ୍ମ ଆମର,ଆମର ଓଡ଼ିଆ କରୁ ଟାଣ ।ଆସ ଆସ ଭାଇ ମନପ୍ରାଣ ଦେଇ ରଖିବା ଓଡ଼ିଆ ମାନ,କହିବା ଓଡ଼ିଆ,ପଢ଼ିବା ଓଡ଼ିଆ,ଗାଇବା ଓଡ଼ିଆ ଗାନ’ । ଆମେ ସଂକଳ୍ପ ନେବା ଆମ ଭାଷା, ସାହିତ୍ୟ ଓ ସଂସ୍କୃତି କୁ ଚିହ୍ନି ଆମର ପୂର୍ବ ଗୌରବ ଫେରାଇ ଆଣିବାକୁ ଆପ୍ରାଣ ଚେଷ୍ଟା କରିବା । ତାହାହେଲେ ଯାଇ ଆମେ ଆମର ପୂର୍ବ ସୂରୀମାନେ ଦେଖିଥିବା ସ୍ବପ୍ନ ସାକାର କରିବା ସଙ୍ଗେ ସଙ୍ଗେ ଆମ ରାଜ୍ୟକୁ ପ୍ରଗତି ପଥରେ ଆଗେଇ ନେବା ।
ପରେ ଓଡ଼ିଶା ଦିବସ ପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ଅତିଥିଗଣ ମାନପତ୍ର ଓ ଟ୍ରଫି ଦେଇ ସମ୍ବର୍ଦ୍ଧିତ ଓ ପୁରସ୍କୃତ କରିଥିଲେ । ଶିକ୍ଷକ ରଞ୍ଜନ ନନ୍ଦ ମଂଚ କାର୍ଯକ୍ରମ ପରିଚାଳନା କରିଥିବାବେଳେ ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ କର୍ମଚାରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

