ଦର୍ପଣ
ଚନ୍ଦ୍ରକଳାଦେବୀ,କୋରାପୁଟ
ଦରପଣ ପ୍ରତିବିମ୍ବର ପ୍ରତୀକ
ସ୍ୱଚ୍ଛ ଆଉ ନିରିମଳ,
ସଦାସତ୍ୟ କୁହେ ମିଛକୁହେ ନାହିଁ
ଭରେ ସ୍ନେହ ଅନାବିଳ ||
ଦର୍ପଣ ମଧ୍ୟରେ ଆମେ ଦେଖିଥାଉ
ଅବିକଳ ପ୍ରତିମୂର୍ତ୍ତି,
କାଚରେ ଗଢ଼ାମୋ ଶରୀର ଅଟଇ
ଦିଅଇ ସଭିଙ୍କୁ ଶାନ୍ତି ||
ମୋଦୁଃଖରେ ଦୁଃଖୀ ମୋସୁଖରେ ସୁଖୀ
ସଦା ହୁଏ ଦରପଣ,
ତେଣୁ ମୋର ସିଏ ଭଲ ବନ୍ଧୁ ଟିଏ
ଦେଖି ପୁଲକିତ ମନ ||
ମନକୁ ଆମର ଦରପଣ ତୁଲ୍ୟ
ସଦା ସ୍ୱଚ୍ଛ ରଖିଥିବା,
କୁଭାବନା କେବେ ମନେ ନଆଣିବା
ସତ୍ୟପଥ ଯାତ୍ରୀ ହେବା ||
ଦର୍ପଣ ଭାଙ୍ଗିଲେ ହୁଏ ଚୂନା ଚୂନା
ଆଉତ ଯୋଡି ହୁଏନା,
ହୃଦୟଟା ଯଦି ଥରେ ଭାଙ୍ଗିଯାଏ
ଭରେ ଅନେକ ଯାତନା ||
ମୋ ମନ ଦର୍ପଣେ ତୁମେ ରହିଅଛ
ହେ ପ୍ରଭୁ ଜଗତ ପତି,
ଆପଦ ବିପଦେ ସଦା ସାହା ହୁଅ
ତୁମେ ଅଗତିର ଗତି ||
ଦର୍ପଣ ଆମକୁ ଶିକ୍ଷା ଦେଇଥାଏ
ରୁହ ସ୍ୱଚ୍ଛ ନିରିମଳ,
ତୁମେ ଯଦି ସ୍ୱଚ୍ଛ ନିର୍ମଳ ରହିବ
ପୃଥିବୀ ହେବ ସୁନ୍ଦର ||