ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ୟୁପି ଓ ଗଞ୍ଜାମ ଘଟଣାକୁ ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

ୟୁପି ଓ ଗଞ୍ଜାମ ଘଟଣାକୁ ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରିୟା

ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

ଭବାନୀପାଟଣା, ୨୫/୦୬ – ଉତ୍ତର ପ୍ରଦେଶର ଇଟାୱା ଠାରେ ଦୁଇଜଣ ଯାଦବ ସମ୍ପ୍ରଦାୟର କଥାବାଚକଙ୍କ ଉପରେ ଅମାନୁଷିକ ଅତ୍ୟାଚାର ଓ ନିର୍ଯାତନା ତଥା ଓଡ଼ିଶାର ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଖରିଗୁମାରେ ଦୁଇଜଣ ଦଳିତଙ୍କ ଉପରେ ଅମାନବିକ ନିର୍ଯାତନା ସହିତ ଅଧା ଲଣ୍ଡା କରି ରାସ୍ତାରେ ଗୁରୁଣ୍ଡି ଗୁରୁଣ୍ଡି ଚଲାଇବା ଘଟଣାକୁ ନେଇ ସାରା ରାଜ୍ୟରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି। ଘୃଣ୍ୟ ଜାତିପ୍ରଥା ଓ ହୀନ ମାନସିକତାର ଶିକାର ହୋଇଥିବା ଉଭୟ ସ୍ଥାନର ପୀଡିତଙ୍କୁ ନେଇ ସାରା ଦେଶରେ ବିରୋଧର ସ୍ୱର ଶୁଭୁଥିବାବେଳେ ଆଜି ଉଭୟ ଘଟଣାକୁ ନେଇ ବେଶ ତାତି ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲାରେ। ରାଜ୍ୟସ୍ତରୀୟ ସାମାଜିକ ଓ ବୁଦ୍ଧିଜୀବୀ ସଂଗଠନ ମୂଳନିବାସୀ ବହୁଜନ ମିଳିତ ମହାସଂଘ ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ସହିତ ଏଭଳି ଘୃଣ୍ୟ କାର୍ଯ୍ୟ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି। ଉଭୟ ଘଟଣାରେ କେନ୍ଦ୍ର ସରକାର ତୁରନ୍ତ ହସ୍ତକ୍ଷେପ କରିବା, ଦୋଷୀଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ଓ ପୀଡିତଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ରାଶି ଦେବା ଦଳିତ, ଆଦିବାସୀ ଓ ଅନ୍ୟାନ୍ୟ ପଛୁଆବର୍ଗ ଉପରେ ଅତ୍ୟାଚାରକୁ ରୋକିବା, ଏଟ୍ରୋସିଟି ଆଇନକୁ କଡ଼ାକଡି କରିବା, ଘୃଣ୍ୟ ଜାତିପ୍ରଥା ଓ ହୀନମାନସିକତା ବିରୋଧରେ ଦେଶ ବ୍ୟାପି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବା, ଜାତି-ଜାତି ମଧ୍ୟରେ ସମ୍ମନ୍ୱୟ ରକ୍ଷା କରି ଗୋଷ୍ଠୀହତ୍ୟା, ଧର୍ମାନ୍ଧତା ଓ ଧାର୍ମିକ ବର୍ବରତା ବିରୋଧରେ ଦୃଢ ପଦକ୍ଷେପ ନେବା, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରିବା, ଏକ ମାସ ମଧ୍ୟରେ ଚାର୍ଜସିଟ ଦାଖଲ କରି ଫାଷ୍ଟ ଟ୍ରାକ କୋର୍ଟରେ ଏସବୁ କେସର ଶୁଣାଣି କରିବାକୁ ଦାବି କରିଛି ମହାସଂଘ। ସେହିପରି ପୀଡିତ ବ୍ୟକ୍ତି ଓ ତାଙ୍କ ପରିବାର ତଥା ଉକ୍ତ ଗାଁର ଦଳିତ ମାନଙ୍କ ଧନ ଜୀବନର ସୁରକ୍ଷା ଦେବା ସମଗ୍ର ରାଜ୍ୟରେ ଦଳିତ ନିର୍ଯାତନା ବିରୋଧରେ ପଦକ୍ଷେପ ନେବା, ଲୋକଙ୍କ ଭିତରେ ଜାତି ନିର୍ଯାତନା ବିରୁଦ୍ଧରେ ସଚେତନତା ସୃଷ୍ଟି କରିବା ଉପରେ ମହାସଂଘ ଗୁରୁତ୍ୱାରୋପ କରିଛି। ଗୋ ରକ୍ଷା ନାଁରେ ଧାର୍ମିକ ଉନ୍ମାଦତା ବନ୍ଦ କରିବା, ସାମ୍ପ୍ରଦାୟିକ ଶକ୍ତିମାନଙ୍କୁ ଚିହ୍ନଟ କରି ସେମାନଙ୍କ ବିରୁଦ୍ଧରେ ଦୃଢ ଫୌଜଦାରୀ କାର୍ଯ୍ୟାନୁଷ୍ଠାନ ନେବା ସମ୍ପର୍କରେ ଦାବିପତ୍ରରେ ଉଲ୍ଲେଖ ରହିଛି। ଆଜି ମହାସଂଘର ଜିଲ୍ଲା ସଭାପତି ସଚ୍ଚିଦାନନ୍ଦ ମହାଖୁଡ଼ଙ୍କ ନେତୃତ୍ୱରେ ରାଜ୍ୟ ଉପସଭାପତି ଲିଙ୍ଗରାଜ ଆଜାଦ, ଜିଲ୍ଲା କାର୍ଯ୍ୟକାରୀ ସଭାପତି କମଳିନୀ ଯାଦବ, ଯତୀନ୍ଦ୍ର କର, ଜୟପ୍ରକାଶ ଜାଲ, ସାଧାରଣ ସମ୍ପାଦକ କୀର୍ତ୍ତନ ନାୟକ ଯାଦବ, ସତ୍ୟ ମାହାର, ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ, ଆଇନଜୀବୀ ପୃଥ୍ଵୀରାଜ ତାଣ୍ଡି, କୁଞ୍ଜବିହାରୀ ବାଗ, ସୁଧୀର ବାଗ, ସୁରେଶ ମାଝୀ, ସନ୍ତୋଷ ପ୍ରଧାନ, ଏସ. ସୁଜାତା, ଘନ ମାଝୀ, ସଞ୍ଜୟ ସୁନାନୀଙ୍କ ସହିତ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ମହାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଯୋଗଦେଇ କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କୁ ସାକ୍ଷାତ କରିବା ସହିତ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ବିଧାୟକ ଦୁର୍ଗାଚରଣ ତନ୍ତୀଙ୍କୁ ନୂତନ ଦାୟିତ୍ୱ ପ୍ରଦାନ ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଅର୍ପଣ

Sunil Chandra Nayak

ଡାବୁଗାଁରେ ଅନ୍ତୋଦୟ ଦିବସ ପାଳିତ 

masiha

ବିଶ୍ବ ପରିବେଶ ଦିବସର ସୁବର୍ଣ୍ଣ ଜୟନ୍ତୀ ଅବସରରେ ଟିପିଏନଓ ଡିଏଲ ତରଫରୁ ବୃକ୍ଷରୋପଣ

Leave a Comment

error: Content is protected !!