ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା ବିଶ୍ୱର ପ୍ରସିଦ୍ଧ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁ ମିଶି ସ୍ଥାପନ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ

କେନ୍ଦୁଝର ଜିଲ୍ଲାରେ ସ୍ଥାପିତ ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା

ବିଶ୍ୱର ପ୍ରସିଦ୍ଧ ଇସ୍ପାତ ଉତ୍ପାଦନକାରୀ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁ ମିଶି ସ୍ଥାପନ କରିବେ ମେଗା ଷ୍ଟିଲ ପ୍ଲାଣ୍ଟ
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଲେ ଜିଲ୍ଲାବାସୀ

ଭୁବନେଶ୍ୱର ୨୧ ଅଗଷ୍ଟ ୨୦୨୫ —  ଆଜି ଅପରାହ୍ନରେ ଭୁବନେଶ୍ୱର ରାଜ୍ୟ ଅତିଥି ଭବନ ଠାରେ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସଂଗଠନ ଓ ନାଗରିକ ମଞ୍ଚ ଜିଲ୍ଲାରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କୁ ଧନ୍ୟବାଦ ଓ ସମ୍ୱର୍ଦ୍ଧନା ଜ୍ଞାପନ କରିଥିଲେ ।

 ସୂଚନାଯୋଗ୍ୟ ଯେ, ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଶିଳ୍ପ ପୋସ୍କୋ ଏବଂ ଭାରତର ଜେ.ଏସ୍.ଡବ୍ଲ୍ୟୁର ମିଳିତ ଆନୁକୂଲ୍ୟରେ କେନ୍ଦୁଝର ଜିଲ୍ଲାର ପାଟଣା ଅଞ୍ଚଳରେ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ହେବ ରାଜ୍ୟର ଦ୍ୱିତୀୟ ବୃହତ ଇସ୍ପାତ କାରଖାନା । 

ଜିଲ୍ଲାରେ ଏହି କାରଖାନା ସ୍ଥାପନ ପାଇଁ ମୁଖ୍ୟମନ୍ତ୍ରୀ ଶାସନକୁ ଆସିବା ଆଗରୁ ଦାବୀ କରି ଆସୁଥିଲେ । ଏହା ମଧ୍ୟ ଦଳର ନିର୍ବାଚନ ଇସ୍ତାହାରରେ ସ୍ଥାନ ପାଇଥିଲା । କେନ୍ଦୁଝରର ଲୁହାପଥର ବିଦେଶକୁ ରପ୍ତାନୀ ହୋଇ କାମରେ ଆସୁଛି କିନ୍ତୁ ଓଡିଶାରେ ଏହା କାହିଁକି ବ୍ୟବହାର ହୋଇପାରୁନାହିଁ ବୋଲି ମୁଖ୍ୟମନ୍ତ୍ରୀ ସବୁବେଳେ ଦାବୀ କରିଆସୁଥିଲେ ଏବଂ ଏଥିପାଇଁ ଲଗାତାର ଉଦ୍ୟମ ଜାରି ରଖିଥିଲେ । 

କେନ୍ଦୁଝର ଜିଲ୍ଲାବାସୀଙ୍କ ବହୁତ ଦିନର ସ୍ୱପ୍ନ ଥିଲା, ଜିଲ୍ଲାରେ ଇସ୍ପାତ କାରଖାନା । ଆଜି ଏହା ସାକାର ହେବାକୁ ଯାଉଛି, ଏହା ସମ୍ଭବ ହୋଇଛି ମୁଖ୍ୟମନ୍ତ୍ରୀଙ୍କ ଆନ୍ତରିକ ପ୍ରଚେଷ୍ଟା ଓ ଦୃଢ଼ ଇଚ୍ଛାଶକ୍ତି ବଳରେ ବୋଲି ଆଜି ଧନ୍ୟବାଦ ଦେବାପାଇଁ ଆସିଥିବା କେନ୍ଦୁଝର ଜିଲ୍ଲାବାସୀଙ୍କ ମତ ଥିଲା । କେନ୍ଦୁଝର ଜିଲ୍ଲାର ପ୍ରାୟ ସମସ୍ତ ଅଞ୍ଚଳର ଆଦିବାସୀ ମଞ୍ଚ, ଯୁବ ଛାତ୍ରସାମୁଖ୍ୟ, ନାଗରିକ ମଞ୍ଚ, ପ୍ରେସ୍ କ୍ଲବ, ବୁଦ୍ଧିଜୀବି ଓ ଅନ୍ୟାନ୍ୟ ସଂଗଠନର କର୍ମକର୍ତ୍ତା ଓ ସଦସ୍ୟ, ସ୍ଥାନୀୟ ଜନପ୍ରତିନିଧିମାନେ ହଜାର ହଜାର ସଂଖ୍ୟାରେ ଭୁବନେଶ୍ୱର ଆସି ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ୱସିତ ସମ୍ୱର୍ଦ୍ଧନା ଓ ଧନ୍ୟବାଦ ଅର୍ପଣ କରିଛନ୍ତି । ଯଶସ୍ୱୀ ପ୍ରଧାନମନ୍ତ୍ରୀଙ୍କର ଓଡ଼ିଶା, ବିଶେଷକରି କେନ୍ଦୁଝର ଜିଲ୍ଲାକୁ ଏହି ଅମୂଲ୍ୟ ଉପହାର ପାଇଁ ମଧ୍ୟ କୃତଜ୍ଞତା ଜ୍ଞାପନ କରିଛନ୍ତି ଜିଲ୍ଲାବାସୀ ।   କେନ୍ଦୁଝର ଜିଲ୍ଲାବାସୀଙ୍କ ସହିତ ପାଟଣା ବିଧାୟକ ଶ୍ରୀ ଅଖିଳ ନାୟକ ଏବଂ ତେଲକୋଇ ବିଧାୟକ ଡ. ଫକୀର ନାୟକ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ । 

ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ପ୍ରତ୍ୟୁତ୍ତରରେ ଧନ୍ୟବାଦ ଦେଇ କହିଥିଲେ ଯେ, ଖଣିବହୁଳ କେନ୍ଦୁଝର ଜିଲ୍ଲା ସମୃଦ୍ଧ ହେଲେ ଓଡ଼ିଶା ସମୃଦ୍ଧ ହେବ । ଇସ୍ପାତ କାରଖାନା ଦାବୀ ଜିଲ୍ଲାବାସୀଙ୍କର ସବୁଠୁ ପୁରୁଣା ଓ ବଡ଼ ଦାବୀ ଥିଲା । ପୂର୍ବରୁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଦେଶର ଖଣିବହୁଳ ରାଜ୍ୟରେ ଚାରୋଟି ମେଗା ଷ୍ଟିଲ ପ୍ଲାଣ୍ଟ ସ୍ଥାପନ କରିବା ପାଇଁ ଘୋଷଣା କରିଥିଲେ । ତିନୋଟି ଇସ୍ପାତ କାରଖାନା ପ୍ରତିଷ୍ଠା ସରିଛି କିନ୍ତୁ ଇଚ୍ଛାଶକ୍ତିର ଅଭାବରୁ ଓଡ଼ିଶା ଏଥିରୁ ବଞ୍ଚିତ ଥିଲା । ଡବଲ ଇଞ୍ଜିନ ସରକାରଙ୍କ ଯୋଗୁଁ ଆଜି ବିଶ୍ୱର ବୃହତ ଇସ୍ପାତ ଉତ୍ପାଦନକାରୀ କମ୍ପାନୀ ପକ୍ଷରୁ ଏହା ସ୍ଥାପନ ହେବାକୁ ଯାଉଛି । ଏହି ଇସ୍ପାତ କାରଖାନା କେନ୍ଦୁଝର ଜିଲ୍ଲା ଓ ସମୃଦ୍ଧ ଓଡ଼ିଶାର ଭବିଷ୍ୟତ ନିର୍ମାଣ କରିବ । ଆଗାମୀ ଦିନରେ ପାଟଣା ଅଞ୍ଚଳ ମଧ୍ୟ ରାଉରକେଲା ଭଳି ଏକ ଅତ୍ୟାଧୁନିକ ସହରରେ ପରିଣତ ହେବ । 

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ ଡବଲ ଇଞ୍ଜିନ ସରକାରରେ କେବଳ କେନ୍ଦୁଝରରେ ନୁହେଁ ସମଗ୍ର ଓଡ଼ିଶାରେ ବ୍ୟାପକ ଶିଳ୍ପାୟନ ହେବ । ଓଡ଼ିଶା ପାଇଁ ଅନେକ ବଡ ବଡ ପ୍ରକଳ୍ପ କେନ୍ଦ୍ର ସରକାର ମଞ୍ଜୁର କରୁଛନ୍ତି । 

 ଶେଷରେ ମୁଖ୍ୟମନ୍ତ୍ରୀ ଜିଲ୍ଲାବାସୀଙ୍କୁ ଉଦବୋଧନ ଦେଇ କହିଥିଲେ ଯେ, ମହାପ୍ରଭୁ ଶ୍ରୀଜଗନ୍ନାଥ, ମା ତାରିଣୀ ଏବଂ ପ୍ରଭୁ ବଳଦେବ ଜୀଉଙ୍କ ଆଶିର୍ବାଦରୁ ଆଜି ଜିଲ୍ଲାରେ ବୃହତ ଇସ୍ପାତ କାରଖାନା ପ୍ରତିଷ୍ଠା ହେବାକୁ ଯାଉଛି । ଏହା ମାଧ୍ୟମରେ କେନ୍ଦୁଝର ଜିଲ୍ଲା ସହିତ ସମଗ୍ର ରାଜ୍ୟର ବିକାଶ ହେବ । ତେଣୁ ଏଥିପାଇଁ ଜିଲ୍ଲାବାସୀ ବିଶେଷକରି, ପାଟଣା ଅଞ୍ଚଳବାସୀ ସମସ୍ତ ପ୍ରକାର ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ । 

ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

କୃଷି ବିଭାଗର ସଂକଳ୍ପ ସପ୍ତାହ ରେ ସମୃଦ୍ଧି ଦିବସ ପାଳନ

masiha

ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଢେଙ୍କା ଶବରଙ୍କ ପ୍ରତିମୂର୍ତ୍ତି ସ୍ଥାପନ ଓ ପ୍ରାଚୀନ ମଠ/ମନ୍ଦିର ଗୁଡିକର ରକ୍ଷଣାବେକ୍ଷଣା ନିମନ୍ତେ ଢେଙ୍କାନାଳ ଥୁଙ୍କର୍ସ ଫୋରମ୍‌ର ଦାବୀ 

Sunil Chandra Nayak

Leave a Comment

error: Content is protected !!