ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁରରେ ‘ଆମ କଳାକାର (CTMS 2.0)’ ଅଡିସନ୍ ଆରମ୍ଭ  ୪୧୭ଟି ସାଂସ୍କୃତିକ ଦଳ ଅଡିସନ୍ ପାଇଁ ଯୋଗ୍ୟ ବିବେଚିତ 

ନବରଙ୍ଗପୁରରେ ‘ଆମ କଳାକାର (CTMS 2.0)’ ଅଡିସନ୍ ଆରମ୍ଭ 

୪୧୭ଟି ସାଂସ୍କୃତିକ ଦଳ ଅଡିସନ୍ ପାଇଁ ଯୋଗ୍ୟ ବିବେଚିତ 

ନବରଙ୍ଗପୁର:(ତାରିଖ: ୨୨.୧୦.୨୦୨୬)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାରେ ଆଜିଠାରୁ ଜିଲ୍ଲାସ୍ତରୀୟ ‘ଆମ କଳାକାର (CTMS 2.0)’ ଅଡିସନ୍ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ୍ରମେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ନବରଙ୍ଗପୁରସ୍ଥିତ ଜିଲ୍ଲା ସଂସ୍କୃତି ଭବନଠାରେ ଏହି ଅଡିସନ୍ ଆୟୋଜିତ ହେଉଛି। ଏହି କାର୍ଯ୍ୟକ୍ରମ ଆସନ୍ତା ୩୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଚାଲିବ। ପ୍ରାପ୍ତ ସୂଚନା ଅନୁଯାୟୀ, ‘ଆମ କଳାକାର (CTMS 2.0)’ ପୋର୍ଟାଲ୍‌ରେ ୬୪ଟି ସକ୍ରିୟ କଳାବର୍ଗରେ ନବରଙ୍ଗପୁର ଜିଲ୍ଲାରୁ ୫୦୦ରୁ ଊର୍ଦ୍ଧ୍ୱ ସାଂସ୍କୃତିକ ଦଳର ପ୍ରାୟ ୪,୫୦୦ କଳାକାର ଆବେଦନ କରିଥିଲେ। ପ୍ରାଥମିକ ଯାଞ୍ଚ ପରେ ୪୧୭ଟି ସାଂସ୍କୃତିକ ଦଳକୁ ଅଡିସନ୍‌ରେ ଅଂଶଗ୍ରହଣ ପାଇଁ ଯୋଗ୍ୟ ବିବେଚିତ କରାଯାଇଛି। ଆଜି ପ୍ରଥମ ଦିବସରେ ନିର୍ଦ୍ଧାରିତ ୯୦ଟି ଦଳ ମଧ୍ୟରୁ ୪୦ଟି ଦଳ ଅଡିସନ୍‌ରେ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ଭଜନ (ଭକ୍ତି ସଙ୍ଗୀତ) ଓ ସଙ୍କୀର୍ତ୍ତନ କଳାବର୍ଗର ଅଡିସନ୍ ଅନୁଷ୍ଠିତ ହୋଇଥିଲା।ଅଡିସନ୍ ପ୍ରକ୍ରିୟାକୁ ଶୃଙ୍ଖଳିତ ଓ ସୁରୁଖୁରୁରେ ପରିଚାଳନା କରିବା ପାଇଁ ଜିଲ୍ଲା ସଂସ୍କୃତି ଭବନଠାରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। କଳାକାରମାନଙ୍କ ପଞ୍ଜୀକରଣ ଓ ଉପସ୍ଥିତି ନିମନ୍ତେ ଦୁଇଟି କାଉଣ୍ଟର ଖୋଲା ଯାଇଥିବା ବେଳେ ଦୁଇଟି ପୃଥକ୍ ଅଡିସନ୍ କକ୍ଷରେ ବିଚାରକ ମଣ୍ଡଳୀଙ୍କ ଦ୍ୱାରା ଅଡିସନ୍ ଗ୍ରହଣ କରାଯାଉଛି। ଅଂଶଗ୍ରହଣକାରୀ କଳାକାର ଓ ପଞ୍ଜୀକୃତ ଦଳର ସଦସ୍ୟମାନଙ୍କୁ ନିଜର ଆଧାର କାର୍ଡ ସାଙ୍ଗରେ ଆଣିବା ବାଧ୍ୟତାମୂଳକ କରାଯାଇଛି। ପ୍ରତିଦିନ ପୂର୍ବାହ୍ନ ୯ଟା ୩୦ ମିନିଟ୍‌ରୁ ପଞ୍ଜୀକରଣ ଏବଂ ପୂର୍ବାହ୍ନ ୧୦ଟାରୁ ଅଡିସନ୍ ଆରମ୍ଭ ହେଉଛି l କଳାକାରମାନଙ୍କ ସୁବିଧା ପାଇଁ ଜଳଖିଆ ଓ ପାନୀୟ ଜଳର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏଥିସହ OCAC ଅନଲାଇନ୍ ବାର୍ତ୍ତା ପ୍ରେରଣ ବ୍ୟବସ୍ଥା ମାଧ୍ୟମରେ ପଞ୍ଜୀକୃତ ଦଳଗୁଡ଼ିକୁ ସେମାନଙ୍କ ଅଡିସନ୍‌ର ନିର୍ଦ୍ଧାରିତ ତାରିଖ ସମ୍ପର୍କରେ ପୂର୍ବରୁ ସୂଚନା ଦିଆଯାଇଛି।ଅଡିସନ୍‌ ଅକ୍ଟୋବର ୨୨ ଓ ୨୩ ତାରିଖରେ ଭଜନ ଓ ସଙ୍କୀର୍ତ୍ତନ ବର୍ଗର ଅଡିସନ୍ ଅନୁଷ୍ଠିତ ହେବ। ଅକ୍ଟୋବର ୨୬ ଓ ୨୭ ତାରିଖରେ ସଙ୍କୀର୍ତ୍ତନ ଓ ବିଭିନ୍ନ ନାଟ୍ୟକଳା ବର୍ଗର ଅଡିସନ୍ ହେବ। ସେହିପରି ଅକ୍ଟୋବର ୨୮, ୨୯ ଓ ୩୦ ତାରିଖରେ ଓଡ଼ିଶୀ ନୃତ୍ୟ, ଢେମସା, ସବର ସବରୁଣୀ, ଘୁମୁରା, ପରାଜା, ଗୋଣ୍ଡ ନୃତ୍ୟ, ମାଡ଼ିଆ ନୃତ୍ୟ, ବିଭିନ୍ନ ପାରମ୍ପରିକ ଲୋକନୃତ୍ୟ ଓ ବାଦ୍ୟଯନ୍ତ୍ର ବର୍ଗର ଅଡିସନ୍ ଅନୁଷ୍ଠିତ ହେବ। ଅକ୍ଟୋବର ୩୧ ତାରିଖରେ ଦାସକାଠିଆ, ଧୁଡୁକି, ଘୁଡ଼କା, ଦେଶାତ୍ମବୋଧକ ଗୀତ, ଦେଶାତ୍ମବୋଧକ ବ୍ୟାଣ୍ଡ ଓ ପାଇକ ଆଖଡ଼ା ଆଦି କଳାବର୍ଗର ଅଡିସନ୍ ସହ କାର୍ଯ୍ୟକ୍ରମ ଶେଷ ହେବ। ଅକ୍ଟୋବର ୩୧ ତାରିଖ ବ୍ୟତୀତ ଅନ୍ୟ ନିର୍ଦ୍ଧାରିତ ଦିନଗୁଡ଼ିକରେ ଅଡିସନ୍ ସମୟ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୫ଟା ୩୦ ମିନିଟ୍ ପର୍ଯ୍ୟନ୍ତ ରହିଛି। ଏହି କାର୍ଯ୍ୟକ୍ରମର ସୁପରିଚାଳନାରେ ଜିଲ୍ଲା ସଂସ୍କୃତି ଉନ୍ନୟନ ଅଧିକାରୀ ଘାସିଆ ହରିଜନଙ୍କ ସମେତ କନିଷ୍ଠ ସହାୟକ ଆତ୍ମପ୍ରକାଶ ସାହୁ, ବରିଷ୍ଠ ସହାୟିକା ରେଖା ପଟ୍ଟନାୟକ, ଏ. ସନ୍ତୋଷ କୁମାର, ନୀଳକଣ୍ଠ ନାଏକ, ସୁବ୍ରତ ବିଷୋୟି ପ୍ରମୁଖ ସହଯୋଗ କରୁଛନ୍ତି।ଜିଲ୍ଲାର ସମସ୍ତ ପଞ୍ଜୀକୃତ କଳାକାର ଓ ସାଂସ୍କୃତିକ ଦଳଗୁଡ଼ିକୁ ନିଜ ନିଜର ନିର୍ଦ୍ଧାରିତ ତାରିଖ ଓ ସମୟ ଅନୁଯାୟୀ ଜିଲ୍ଲା ସଂସ୍କୃତି ଭବନ, ନବରଙ୍ଗପୁରଠାରେ ଆବଶ୍ୟକୀୟ ପରିଚୟପତ୍ର ସହ ଉପସ୍ଥିତ ରହି ଅଡିସନ୍‌ରେ ଅଂଶଗ୍ରହଣ କରିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ସରକାରୀ ଜମିରେ ଆବାସ ନିର୍ମାଣ, ଅଭିଯୋଗ ପରେ ତୁରନ୍ତ ସମାଧାନ

masiha

ଡାବୁଗାଁରେ ବ୍ଲକ ସ୍ତରୀୟ ଲୋକ ମହୋତ୍ସବ “ମଣ୍ଡେଇ” ପାଳିତ 

masiha

ଵାଘିଆଟାଙ୍ଗର ଗ୍ରାମର ନଳକୂପ ଚାରିପଟେ ଖାଲ,ଖମାଲ, ଘଞ୍ଚବୁଦା, ପକ୍କା ଚାନ୍ଦିନୀ ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

Leave a Comment

error: Content is protected !!