ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

 ମୟୂରଭଂଜ:୧୭.୧୦.୨୦୨୫//  ସ୍ୱାସ୍ଥ୍ୟ ଉପରେ ତମାଖୁର କୁପ୍ରଭାବ ସମଗ୍ର ବିଶ୍ୱରେ ଏକ ଚିନ୍ତାର କାରଣ ହୋଇଥିବା ବେଳେ ସାରା ରାଜ୍ୟରେ ବର୍ତ୍ତମାନ ଯୁବସମାଜ ପାଇଁ ତମାଖୁ ମୁକ୍ତ ଅଭିଯାନ ୩.୦ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ସୋମବାର ଦିନ ଜିଲ୍ଲା ସ୍ୱାସ୍ଥ୍ୟ ଉପବିଭାଗ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ନେତ୍ରାନନ୍ଦ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସ୍ତରୀୟ ତମାଖୁ ମୁକ୍ତ ଅଭିଯାନ ୩.୦ ପ୍ରଗତି ବୈଠକ ଅନୁଷ୍ଠିତ ହୋଇଯାଇଛି।

ଏହି ବୈଠକରେ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇଥିବା ଏବଂ ଆଗକୁ ହେବାକୁ ଥିବା ଏହି ସଚେତନତା ଅଭିଯାନର ସମସ୍ତ ପଦକ୍ଷେପ ବିଷୟରେ ଅତିରିକ୍ତ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡା. ବିଜୟ କୁମାର ଦାଶ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସୁବାଷ ଚନ୍ଦ୍ର ନାୟକ ତମାଖୁ ଜାତୀୟ ଦ୍ରବ୍ୟର ବ୍ୟବହାର କମ କରିବା ପାଇଁ ଜିଲ୍ଲାରେ ହୋଇଥିବା ତମାଖୁ ବର୍ଜନ ସଚେତନତା ଅଭିଯାନ ବିଷୟରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ। ବିବରଣୀ ଅନୁସାରେ ୨୦୨୫-୨୬ରେ ୦୯ଟି ସ୍କ୍ୱାର୍ଡ ଜିଲ୍ଲାରେ କାର୍ଯ୍ୟକାରୀ ହୋଇ ସମୁଦାୟ ୨୦,୮୦୦/- ଟଙ୍କା ଫାଇନ ଆଦାୟ ହୋଇଛି । ବିଭିନ୍ନ ସ୍ଥାନ ଯଥା, ସ୍କୁଲ, କଲେଜ, ସର୍ବସାଧାରଣ ସ୍ଥାନ, ପ୍ରତିଟି ପଂଚାୟତ ସମେତ ବର୍ତ୍ତମାନ ସୁଦ୍ଧା ୧୦ଟି ବ୍ଲକର ୧୧୭ ଜଣ ସରପଞ୍ଚଙ୍କୁ ଏହି ପ୍ରଶିକ୍ଷଣପ୍ରଦାନ କରାଯାଇଛି ଏବଂ ଆଗକୁ ମଧ୍ୟ ଏହି କାର୍ଯ୍ୟକ୍ରମ ଚାଲୁ ରହିବ। 

ଶ୍ରୀ ନିହାର ରଞ୍ଜନ ପୃଷ୍ଟୀ ଜିଲ୍ଲା ଅଣ ସଂକ୍ରାମକ ପରିଚାଳକ ବିସ୍ତୃତ ଭାବରେ ଜିଲ୍ଲାରେ ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ଏହି ତମାଖୁ ମୁକ୍ତ ଯୁବା ଅଭିଯାନ କାର୍ଯ୍ୟକ୍ରମ ରେ ୧୬୦ଟି ସ୍କୁଲରେ ଯୁବପିଢିଙ୍କ ମଧ୍ୟରେ ତମାଖୁ ସେବନ ଜନିତ ସମସ୍ୟା ଓ ତହିଁରେ ସଚେତନତା ସୃଷ୍ଟି କରିବାପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ପ୍ରତିଯୋଗିତା, ଶପଥ ପାଠ, ପ୍ରଶିକ୍ଷଣ ଜିଲ୍ଲା ସ୍ୱାସ୍ଥ୍ୟ ସଂଚାଳକଙ୍କ ଦ୍ୱାରା କରାଯିବାର କାର୍ଯ୍ୟକ୍ରମ ରହିଛି। ଜିଲ୍ଲାର ୨୦ ଗାଁ ମାନଙ୍କୁ ତମାଖୁ ମୁକ୍ତ କରାଯିବ ଏବଂ ତହିଁରେ ୪୦ରୁ ଉର୍ଦ୍ଧ୍ୱ ସୂଚନା, ଶିକ୍ଷା ଓ ଯୋଗାଯୋଗ ମାଧ୍ୟମରେ ପ୍ରଚାର ପ୍ରସାର କରିବାର ଯୋଜନା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କରାଯାଇଛି।

ସୂଚନା ଥାଉକି, ଚଳିତ ବର୍ଷ ଆରମ୍ଭ ହୋଇଥିବା ତମାଖୁ ମୁକ୍ତ ଅଭିଯାନ ୩.୦ ଅକ୍ଟୋବର ୧୦ରୁ ଆରଂଭ ହୋଇଛି ଏବଂ ଏହା ୯ ଡିସେମ୍ବର ପର୍ଯ୍ୟନ୍ତ ଚାଲିବ। ତେଣୁ ଏହି ଅଭିଯାନକୁ ବ୍ୟାପକ କରିବା ପାଇଁ ସୋସିଆଲ ମିଡ଼ିଆକୁ ଏକ ବୃହତ ଆଧାର କରା ଯାଇଛି, ଯାହା ଫଳରେ ଅଧିକରୁ ଅଧିକ ଜନସାଧାରଣଙ୍କ ପାଖରେ ଏହି ବାର୍ତ୍ତା ପହଂଚାଇବା ପାଇଁ ଲକ୍ଷ୍ୟ ରଖା ଯାଇଛି। ଏହି ପ୍ରାବଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ, ପୋଲିସ ପ୍ରଶାସନ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ, ଶିକ୍ଷା, ଗୃହ ଏବଂ ନଗର ଉନ୍ନୟନ, କ୍ରୀଡା ଏବଂ ଯୁବ ବ୍ୟାପାର, ଆଦିବାସୀ କଲ୍ୟାଣ ବିଭାଗ ସମସ୍ତଙ୍କୁ ନେଇ ଏହି ତମାଖୁ ମୁକ୍ତ ଅଭିଯାନ ୩.୦ର ସଂଚାଳନ ଜିଲ୍ଲାପାଳଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହେବ। ସଚେତନତା ମାରାଥନ, ରାଲି, ରେଡ଼ିଓ ବାର୍ତ୍ତା , ଲୋକକଳା, ଚିତ୍ର ପ୍ରଦର୍ଶନୀ, ସୋସିଆଲ ମିଡ଼ିଆ ପ୍ରଚାର ଓ ପଥପ୍ରାନ୍ତ ନାଟକ, ନୁକ୍କାଡ଼ ନାଟକ ମାଧ୍ୟମରେ ତମାଖୁ ବର୍ଜନ ବିଷୟରେ ଜନସଚେତନତା ସୃଷ୍ଟି କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଏହି ଅବସରରେ ନିମନ୍ତ୍ରିତ ଅତିଥି ଓ ଅଧିକାରୀ ମାନେ ଏହି ଅଭିଯାନର ଶୁଭାରମ୍ଭ କରିଥିଲେ।

ଜାତୀୟ ତମାଖୁ ନିୟନ୍ତ୍ରଣ ପ୍ରାଧିକରଣ ଅନ୍ତର୍ଭୁକ୍ତ ଆଇନ ଶୃଙ୍ଖଳା ପରିପ୍ରେକ୍ଷୀରେ ଏହି ଅଭିଯାନକୁ ସଫଳ କରିବା ପାଇଁ ଗଣମାଧ୍ୟମ ଏବଂ ଲୋକ ସମ୍ପର୍କ ବିଭାଗର ବିଶେଷ ଆବଶ୍ୟକତା ଅଛି ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମଲ୍ଲିକ କହିଥିଲେ। ଏହି ବୈଠକକୁ ଶ୍ରୀ ନିହାର ରଞ୍ଜନ ପୃଷ୍ଟି ସଂଚାଳନ କରିଥିବା ବେଳେ, ଜିଲ୍ଲା ଅନାସଂକ୍ରମକ ଡଃ ଜ୍ଞାନେନ୍ଦ୍ର ମହାନ୍ତି, ଡ ମିତ ମିଶ୍ର , ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗୌତମ କିଷାନ, ଜିଲ୍ଲା ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିକାଶ ରଞ୍ଜନ ମହାନ୍ତି, ଜିଲ୍ଲା ଡ୍ରଗ କଣ୍ଟ୍ରଲର ରୁଦ୍ର ନାରାୟଣ ସାହୁ, ଡ୍ରଗ ଇନ୍ସପେକ୍ଟର ଦିବ୍ୟ ରଞ୍ଜନ ନାୟକ ଓ ପ୍ରଦୀପ କୁମାର ସାହୁ, ଖାଦ୍ୟ ଅଧିକାର ସଂଯୁକ୍ତା ହେମ୍ବ୍ରମ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ବିନୋଦ ସିଂ, ସମଗ୍ର ଶିକ୍ଷାର ଜିଲ୍ଲା ସଂଯୋଜକ ନିରଞ୍ଜନ ନାଏକଙ୍କ, ଜିଲ୍ଲା ସମ୍ରସରଣ ଅଧିକାରୀ ଧନୁ ମୁର୍ମୁ ଓ ଗଣେଶ୍ୱର ମହାନ୍ତି, ଡ ଶୁଭମ୍ ଶ୍ରୀତମ ସାମନ୍ତରାୟ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଓ ସ୍ୱାସ୍ଥ୍ୟ ବିଭାଗର କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ପହଞ୍ଚି ପାରିଲେନି ମାମୁଁ ଘରେ:ଟ୍ରକ ଧକ୍କାରେ ଝିଅ ମୃତ ,ବାପା ଗୁରୁତର

Sunil Chandra Nayak

ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ଚାଲିଥିବା କାମ ନିମ୍ନମାନର ହେଉଥିବା ଅଭିଯୋଗ 

Sunil Chandra Nayak

ସରୁନି ଦାଦନ ଦୁଃଖ, ହାଇଦ୍ରାବାଦରେ ଦାଦନ ଶ୍ରମିକଙ୍କ ମୃତ୍ୟୁ। ଗାଁକୁ ଫେରିଲା ମୃତକଙ୍କ ଶବ

Sunil Chandra Nayak

Leave a Comment

error: Content is protected !!