ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରତ ପ୍ରସିଦ୍ଧ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ତଥା ଛଦେଶର ବରପୁତ୍ର ଗୋଲୋକ ବିହାରୀ ଧଳ 

ଭାରତ ପ୍ରସିଦ୍ଧ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ତଥା ଛଦେଶର ବରପୁତ୍ର ଗୋଲୋକ ବିହାରୀ ଧଳ 

ଢେ଼ଙ୍କାନାଳ (ମନିସ)11/11/25 — ଶ୍ରୀଯୁକ୍ତ ଗୋଲକ ବିହାରୀ ଧଳ ଛଦେଶମାଟିର ଗୌରବକୁ ଇତିହାସ ପୃଷ୍ଠାରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରାଇ ରାଜ୍ୟ ଓ ଦେଶର ସମ୍ମାନକୁ ସାହିତ୍ୟାକାଶରେ ଏକ ଦୀପ୍ତିମନ୍ତ ଜ୍ୟୋତିଷ୍କରୂପେ ପ୍ରତିଭାତ କରାଇ ଅକାଳରେ ବୃନ୍ତଚ୍ୟୁତ ହେଲା । ସେ ହେଉଛନ୍ତି ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ ଭାପୁର ଛଦେଶ ଅଞ୍ଚଳର ଚନ୍ଦ୍ରଶେଖରପ୍ରସାଦ ପଞ୍ଚାୟତ ଗଞ୍ଜେଇଡିହ ଗ୍ରାମର ସ୍ୱନାମଧନ୍ୟ ଜମିଦାର ପିତା – ଭୋଳେଶ୍ବର ଧଳଙ୍କର ମଧ୍ୟମପୁତ୍ର ତଥା ଢେଙ୍କାନାଳ ଗଡଜାତ ଆନ୍ଦୋଳନର ଛଦେଶ ଅଞ୍ଚଳର କର୍ଣ୍ଣଧାର ସ୍ଵାଧୀନତା ସଂଗ୍ରାମୀ ତଥା ପ୍ରଜାମଣ୍ଡଳର ନେତା ଶ୍ରୀଯୁକ୍ତ ବ୍ରଜକିଶୋର ଧଳଙ୍କର ଦ୍ବିତୀୟ କନିଷ୍ଠ ଭ୍ରାତା,ବିଶ୍ବର ବିଶିଷ୍ଟ ଭାଷାତତ୍ତ୍ବବିତ,ଧ୍ବନିବିଜ୍ଞାନୀ,ବିଶିଷ୍ଟ ପ୍ରାବନ୍ଧିକ,ଅନୁବାଦକ,ଶିଶୁ ସାହିତ୍ୟିକ,ସୁସମାଲୋଚକ,ସୁବକ୍ତା ,ଛାତ୍ରବତ୍ସଳ,ସଂସ୍କୃତ ଓ ଓଡ଼ିଆ ସାହିତ୍ୟ ଅଧ୍ୟାପକ ଏବଂ କେନ୍ଦ୍ର,ରାଜ୍ୟ ସରକାର ତଥା ଓଡ଼ିଆ ଭାଷା ବିଶାରଦ,ଅନୁବାଦକ ଓ ଲେଖକ ଗୋଲକ ବିହାରୀ ଧଳ (ଜନ୍ମ: ୧୯୨୧ ମସିହା ଡିସେମ୍ବର ୧୫ ତାରିଖ ମୃତ୍ୟୁ: ୨୪ ଜୁନ ୧୯୭୪ ) ମାତା ଜାହ୍ନବୀ ଦେବୀଙ୍କ କୋଳମଣ୍ଡନ କରିଥିଲେ । ବାଲ୍ୟକାଳରୁ ନୂତନତ୍ବ ସୃଷ୍ଟି କରିବାର ପ୍ରତିଭା ଗୋଲକବାବୁଙ୍କ ମଧ୍ୟରେ ରହିଥିଲା । ଯାହାକି ଉଚ୍ଚଶିକ୍ଷା ପ୍ରଭାବରେ କ୍ରମବିକଶିତ ହୋଇ ତାହାଙ୍କୁ ଜଣେ ମହାନ୍‌ ଶିକ୍ଷାବିତ ତଥା ଭାଷାବୈଜ୍ଞାନିକ ରୁପେ ସମଗ୍ର ପୃଥିବୀରେ ପ୍ରତିଷ୍ଠିତ କରି ପାରିଥିଲା । ଗ୍ରାମରୁ ପ୍ରାଥମିକ ଶିକ୍ଷା ସମାପ୍ତି ପରେ ଗ୍ରାମଠାରୁ ୪/୫କିମି ଦୂରରେ ଥିବା ଭାପୁର ମଧ୍ୟ ଇଂରାଜୀ ବିଦ୍ୟାଳୟ ( ୪ର୍ଥ ଶ୍ରେଣୀଠାରୁ ୭ ମ ପର୍ଯ୍ୟନ୍ତ) ଅଧ୍ୟୟନ କରିଥିଲେ। ଶୈଶବରୁ ମେଧାବୀ ଓ ଅଧ୍ୟବସାୟୀ ଥିଲେ । ଢେଙ୍କାନାଳର ବିବି ହାଇ ସ୍କୁଲ୍‌ରୁ ଉତ୍ତୀର୍ଣ୍ଣ ହେବା ପରେ ରେଭେନ୍ସା ମହାବିଦ୍ୟାଳୟ ଏବଂ ତାପରେ ପାଟନା ବିଶ୍ବବିଦ୍ୟାଳୟରେ ସଂସ୍କୃତ ଭାଷା-ସାହିତ୍ୟରେ ଶେଖର ମହାବିଦ୍ୟାଳୟରେ ଓଡ଼ିଆ ତ‌ଥା ସଂସ୍କୃତ ବିଭାଗର ଅଧ୍ୟାପକ ଭାବେ କର୍ମମୟ ଜୀବନ ଆରମ୍ଭ ହୋଇଥିଲା। ଏହି ସମୟରେ ଭାଷା ଶାସ୍ତ୍ର ଓ ଧ୍ବନି ବିଜ୍ଞାନରେ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନ୍ ଯାଇଥିଲେ। ଲଣ୍ତନ୍‌ରୁ ଆମେରିକା ଫେରିବା ପରେ ଆଗ୍ରା ବିଶ୍ଵବିଦ୍ୟାଳୟର ଧ୍ବନି ବିଜ୍ଞାନ ବିଭାଗରେ ଯୋଗଦେଇଥିଲେ। ବିଦେଶ ରହଣି କାଳୀନ ଅନୁଭୂତିକୁ ନେଇ ରଚନା କରିଥିଲେ ‘ଲଣ୍ଡନ୍ ଚିଠି’ ଓ ‘ଆମେରିକା ଅନୁଭୂତି ’I ଭାଷା ଶାସ୍ତ୍ରକୁ ତାଙ୍କର ଅବଦାନ ହେଉଛି-‘ଭାଷା ତତ୍ତ୍ବ’,‘ଧ୍ବନି ବିଜ୍ଞାନ’,‘ମଣିଷର ଭାଷା’,‘ଭାଷା ଶାସ୍ତ୍ର ପରିଚୟ’ଆଦି ପୁସ୍ତକ। ସେ ସାମସମୟିକ କାଳର ଶ୍ରେଷ୍ଠ ଅନୁବାଦକଙ୍କ ମଧ୍ୟରେ ଅନ୍ୟତମ ପ୍ରେମଚନ୍ଦଙ୍କ‘ଗୋଦାନ’,‘ଗବନ’,‘ପ୍ରେମାଶ୍ରମ’,‘ପ୍ରତିଜ୍ଞା’ଆଦି ଉପନ୍ୟାସ ଓ ଗୁଡ଼ିଏ ଗଳ୍ପ ସେ ଓଡ଼ିଆରେ ଅନୁବାଦ କରିଥିଲେ । ସେ ସମୟରେ ଉଚ୍ଚଶିକ୍ଷା ବହୁତ କଷ୍ଟକର ବ୍ୟାପାରଥିଲା ଏବଂ କମ୍ ପାଠପଢାରେ ଲୋକମାନେ ସରକାରୀ ଉଚ୍ଚ ବିଦ୍ୟାଳୟ ଗୁଡିକରେ ଏକାଦଶଶ୍ରେଣୀ ପର୍ଯ୍ୟନ୍ତ ରହିଥିଲା। ଅନେକ ବଡ ବଡ ଚାକିରି ପାଇଁ ଆହ୍ବାନ ଥିଲେ ମଧ୍ୟ ଉଚ୍ଚଶିକ୍ଷା ଯାହାର ଲକ୍ଷ୍ୟ,ସାହିତ୍ୟକ୍ଷେତ୍ରରେ ବିଶ୍ବବାସୀଙ୍କୁ ପଥ ପ୍ରଦର୍ଶନ କରିବା ଭଳି ମହାନକାର୍ଯ୍ୟ ସାଧନର ପ୍ରତିଭା ଯାହାଠାରେ ନିହିତ ସେ ଉଚ୍ଚଶିକ୍ଷା ଛାଡ଼ି ଅର୍ଥଲୋଭରେ ସରକାରୀ ବଡ ବଡ ପଦବୀରେ ସନ୍ତୁଷ୍ଟ ହୋଇପାରି ଥାଆନ୍ତା କିପରି ? ଉକ୍ତ ବିଦ୍ୟାଳୟରେ ପ୍ରଥମଶ୍ରେଣୀରେ ପ୍ରଥମ ହୋଇ ଉତ୍ତୀର୍ଣ୍ଣହେବା ପରେ ତତ୍‌କାଳୀନ ଓଡ଼ିଶାର ସମ୍ମାନଜନକ ଶ୍ରେଷ୍ଠ ମହାବିଦ୍ୟାଳୟରେ ଅଧ୍ୟୟନର ସୁଯୋଗ ଲାଭକଲେ। ପରୀକ୍ଷାରେ ସେ ଏତେ ସୁଫଳ ଲାଭ କରିଥିଲେ ଯେ ସେ ବେଷ୍ଟଗ୍ରାଜୁଏଟ ସ୍ଥାନ ଅଧିକାର କରିଥିଲେ। ତେଣୁ ତାଙ୍କର ସମ୍ମାନ କେତେ ଉର୍ଦ୍ଧ୍ବରେ ଥିଲା ତାହା ସହଜରେ ଅନୁମେୟ। ସଂସ୍କୃତିର ଦେଶ ଭାରତ। ତା’ର ମୂଳଭାଷା ସଂସ୍କୃତ। ଭାରତର ବହୁ ଅନୁଭୂତି ସମ୍ପନ୍ନ ମୁନି,ଋଷିଙ୍କଦ୍ବାରା ରଚିତ। ବେଦ,ଉପନିଷଦ୍,ନ୍ୟାୟ,ମିମାଂସା,ଗଣିତ,ଅର୍ଥଶାସ୍ତ୍ର,ଜ୍ୟୋତିଷଗଣନା ଆଦି ସଂସ୍କୃତରେ ଲିପିବଦ୍ଧ ହୋଇଥିଲା। ତେଣୁ ସଂସ୍କୃତ ବିଦ୍ୟାରେ ପାରଙ୍ଗମ ହେବାପାଇଁ ସେ ପାଟନା ବିଶ୍ବବିଦ୍ୟାଳୟରେ ୧୯୪୫ ମସିହା ସଂସ୍କୃତରେ ସ୍ନାତକୋତ୍ତର କରିଥିଲେ। ଏବଂ ପରୀକ୍ଷାରେ ଶ୍ରେଷ୍ଠସ୍ଥାନ ଅଧିକାର କରିଥିଲେ। ସେତିକି ପାଠରେ ସେ ସନ୍ତୁଷ୍ଟହୋଇ ନଥିଲେ। ସ୍ନାତକୋତ୍ତର ପରେ ପୁରୀ,ସମ୍ବଲପୁର ଆଦିକେତେକ ମହାବିଦ୍ୟାଳୟରେ ସଂସ୍କୃତ ତଥା ଓଡ଼ିଆ ଅଧ୍ୟାପକ ରୂପେ ୮/୯ ବର୍ଷ କାର୍ଯ୍ୟକରିବା ପରେ ଭାଷାତତ୍ତ୍ବ ଉପରେ ଗବେଷଣାତ୍ମକ ଶିକ୍ଷାଲାଭ ପାଇଁ ଲଣ୍ଡନ ଯାଇଥିଲେ ଏବଂ କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରୁ ୧୯୫୬ ମସିହାରେ ଉଚ୍ଚତର ଉପାଧିରେ ଭୂଷିତ ହୋଇ ଭାରତକୁ ଆସି ଆଗ୍ରା ୟୁନିଭର୍ସିଟ୍ ରେ ସଂସ୍କୃତ ଅଧ୍ୟାପକ ରୂପେ କାର୍ଯ୍ୟକଲେ। ସେ ଋଷୀୟ ଭାଷାରେ ଡିପ୍ଲୋମା କରିଥିଲେ ଏବଂ ସେଠାରେ ୟୁନିଭରସିଟିରେ ଅଧ୍ୟାପକ ରୁପେ କାର୍ଯ୍ୟ କରିଥିଲେ। ରକ୍ ଫେଲର୍ ଫିଲୋସଫି ପାଇ ସେ ଆମେରିକାରେ ଅଧ୍ୟୟନ କରିବାର ସୁଯୋଗ ଲାଭକଲେ। ସେ ଏକ୍ସେପରିମେଣ୍ଟ ଇନ୍ ଇଣ୍ଟରନ୍ୟାସଲ ଲିଭିଙ୍ଗ୍ ବିଷୟରେ ରଚନା କରିଥିଲେ। ସେ ଲଣ୍ଡନ,ଋଷ୍,ଆମେରିକା,ଫ୍ରାନନ୍ସ୍ ଆଦି ବହୁ ଦେଶ ଭ୍ରମଣକରି ବିଭିନ୍ନ ଭାଷାରେ ଜ୍ଞାନ ଆହରଣ କରିବା ସଙ୍ଗେ ବିଭିନ୍ନ ଶିକ୍ଷାନୁଷ୍ଠାନକୁ ଯାଇ ଶବ୍ଦାବଳୀର ଉଚ୍ଚାରଣ ତଥା ଭାଷାବିଜ୍ଞାନ ସମ୍ବନ୍ଧୀୟ ବିଭିନ୍ନ ତଥା ଉପରେ ଆଲୋକପାତ କରୁଥିଲେ।ସଂସ୍କୃତ ସାହିତ୍ୟରେ ଏମ୍.ଏ ଓ ରିସର୍ଚ୍ଚ କରିଥିଲେ ମଧ୍ୟ ଓଡ଼ିଆ,ମଇଂରାଜୀ,ହିନ୍ଦୀ ଓ ଋଷୀୟ ଭାଷାରେ ତାଙ୍କର ଅଗାଧ ପାଣ୍ଡିତ୍ୟଥିଲା। ଭାଷାତତ୍ତ୍ବ ବିଷୟରେ ଅଧ୍ୟୟନ କରି ସେ ବିଭିନ୍ନ ଭାଷାର ବିଚାର ଆଲୋଚନା ପୂର୍ବକ ଭାଷାବିଜ୍ଞାନ ସୃଷ୍ଟିକରିବାରେ ସକ୍ଷମ ହୋଇଥିଲେ। ଇଂରାଜୀ,ହିନ୍ଦୀ ଓ ଓଡ଼ିଆଭାଷା କିପରି ସଠିକ୍ ଭାବରେ ଉଚ୍ଚାରଣ କରି ହେବ ସେଥି ପାଇଁ କେତେକ ସଙ୍କେତ ସୃଷ୍ଟି କରିଥିଲେ ସେ। ଏହି ଭାଷା ବିଜ୍ଞାନ ସୃଷ୍ଟିକରିବାରେ ସେ ହେଉଛନ୍ତି ପ୍ରଥମବ୍ୟକ୍ତି। ସେଥିପାଇଁ ସେତେବେଳ ଆମ ରାଜ୍ୟ ସେ ଜଣେ ଆନ୍ତର୍ଜାତିକ ସ୍ତରର ବ୍ୟକ୍ତିତ୍ବ। କୋଲକତାକୁ ତାଙ୍କର ବିଭିନ୍ନ ପ୍ରକାର ସାହିତ୍ୟ କୃତିପାଇଁ ଏକାଧିକ କ୍ରମେ ତିନିଥର ଓଡ଼ିଆ ସାହିତ୍ୟ ଏକାଡେମୀରୁ ପୁରସ୍କୃତ ହୋଇଥିଲେ। ସେ ଅନୁବାଦ ସାହିତ୍ୟପାଇଁ ଓଡ଼ିଆ ସାହିତ୍ୟ ଏକାଡେମୀ ତରଫରୁ ପୁରସ୍କୃତ ହୋଇଥିଲେ। ଶିଶୁ ସାହିତ୍ୟ ଓ ପ୍ରୌଢଶିକ୍ଷାପାଇଁ ସେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କଠାରୁ ପୁରସ୍କୃତ ସମ୍ମାନିତ ହୋଇଥିଲେ । ତାଙ୍କଦ୍ବାରା ଅନୁବାଦ ହୋଇଥିବା ପୁସ୍ତକମାନଙ୍କ ମଧ୍ୟରେ ବିଶିଷ୍ଟ ହିନ୍ଦୀ ଔପନ୍ୟାସିକ ପ୍ରେମଚାନ୍ଦଙ୍କର ଗୋଦାନ,ଗବନ ବ୍ୟତୀତ ପ୍ରତିଜ୍ଞା,ପ୍ରେମାଶ୍ରମ ଧୂସର ପଣତ,ଆମ ସଂସ୍କୃତି,ଭାରତ ମୋର ଘର,ବନ୍ଦୀନେହେରୁ ଆଦି ପ୍ରଣିଧାନ ଯୋଗ୍ୟ ତାଙ୍କର ଭ୍ରମଣକାହାଣୀ ମଧ୍ୟରେ- ଲଣ୍ଡନ ଚିଠି,ବିଦେଶ ଯାତ୍ରା,ଆମେରିକା ଅନୁଭୂତି,ଗଙ୍ଗାରୁ ଦୋଗାବରୀ ଓ ତାଜମହଲର ଦେଶେ ଆଦି ସୁପ୍ରତିଷ୍ଠିତ। ସେ ରଚନା କରିଥିବା ଭାଷାତତ୍ତ୍ବ ଓ ବିଶ୍ଲେଷଣାତ୍ମକ ଗ୍ରନ୍ଥମାନଙ୍କ ମଧ୍ୟରେ ଧ୍ବନୀ ବିଜ୍ଞାନ,ଭାଷାଶାସ୍ତ୍ର ପରିଚୟ,ମଣିଷର ଭାଷା,ଓଡ଼ିଶା କେବେ,ଆଦି ପ୍ରଧାନ। ସେ ଅନେକ ପ୍ରବନ୍ଧ ମଧ୍ୟ ରଚନା କରିଯାଇଛନ୍ତି। ତନ୍ମଧ୍ୟରେ ଶିକ୍ଷା,ଶିକ୍ଷକ,ରକେଟ ଓ ରିସର୍ଚ୍ଚ,ରାମରାଜ୍ୟ ଓ ରାମାୟଣ,ସ୍ଵାଧୀନତାର ନୂତନ ମୂଲ୍ୟବୋଧ,ସ୍ୱାଧୀନଦେଶରେ ଶିକ୍ଷାଚିନ୍ତା,ପଞ୍ଚାୟତିରାଜ,ମାତୃଭାଷା,ପଡିଶା ଦୁର୍ଦ୍ଦଶା ଏବେ ଓଡ଼ିଶାକୁ ନହେଉ,ଆମ ପୁସ୍ତକ ସଂସାର ଆଦି ଶିକ୍ଷା ଓ ସମାଜଧର୍ମୀ ପ୍ରବନ୍ଧମାନ ସ୍ଥାନ ପାଇଛନ୍ତି। ସେ ଇଂରାଜୀ,ହିନ୍ଦୀ ଓ ଓଡ଼ିଆ ତ୍ରିଭାଷୀ ଉଚ୍ଚାରଣଶିକ୍ଷା ପୁସ୍ତକ ରଚନା କରିଥିଲେ। ଇଂରାଜୀରେ ‘ଆସ୍ପିରେସନ୍ ଇନ୍ ଓଡ଼ିଆ ଟିଚର’ପୁସ୍ତକ,ହିନ୍ଦୀରେ’ଧ୍ବନି ବିଜ୍ଞାନ’ସହ ‘ପେଟ୍‌କି ହାଓ୍ବା ମୁହଁକିବାତ୍’,ଆଦି ପୁସ୍ତକମାନ ରଚନା କରିଥିଲେ। ଏତଦ୍ ବ୍ୟତୀତ ସେ ଶିଶୁଶିକ୍ଷା,କଥାମାଳା,ଗଳ୍ପପାଖୁଡ଼ା,ଅମରମଣିଷ,ଅମର କାହାଣୀ,ଅମରଯାତ୍ରୀ,ଆମସ୍ଵାଧୀନ ସଂସାର,ଟଙ୍କାସୁନାର ସଂସାର,ନୂଆ ଗାଆଁ ନୂଆ ସଂସାର ଆଦି ଅନେକ ହୃଦୟସ୍ପର୍ଶୀ ଓ ବାସ୍ତବଧର୍ମୀ ଅନବଦ୍ୟ ପୁସ୍ତକାବଳୀ ରଚନା କରିଛନ୍ତି,ଯେଉଁସବୁ ରଚନାବଳୀ ଆମ ସାହିତ୍ୟରେ ଅମୂଲ୍ୟସମ୍ପଦ। ସେହି ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବିଶିଷ୍ଟ ଭାଷାବିଜ୍ଞାନୀ ମହାଶୟଙ୍କର କୃତୀ ଗୁଡିକ ମଧ୍ୟରେ ରହିଛି। ବିଭିନ୍ନ ଭାଷାର ସଠିକ୍ ଉଚ୍ଚାରଣ ଓ ପ୍ରୟୋଗ,ତତ୍ ସହିତ ଆମ ସମାଜ,ସଂସ୍କୃତି,ସାଂସ୍କୃତିକ ପରମ୍ପରା,ସମାଜର ବିଭିନ୍ନପ୍ତରର ଲୋକଙ୍କ ହୃଦୟର ଅଭିବ୍ୟକ୍ତି। କେତେକ ଇଂରେଜୀ ପଢୁଆଙ୍କ ଇଂରାଜୀମିଶା ଓଡ଼ିଆଙ୍କ ପ୍ରତି ସମାଲୋଚନା,ଶୃଙ୍ଖଳିତ ଓ ବିଶୃଙ୍ଖଳଙ୍କ ମଧ୍ୟରେ ତୁଳନାତ୍ମକ ବିଚାର,ବିଶ୍ଲେଷଣ ଓ ଗବେଷଣାମୂଳକ ରଚନା,ଶିଶୁ ସାହିତ୍ୟ,ପୌଢଶିକ୍ଷା ସାହିତ୍ୟ,ସରଳ ବୋଧଗମ୍ୟ ଭାଷା ଓ ଭାବଗର୍ଭକ ରଚିପୂର୍ଣଲେଖା ତାଙ୍କ ଅଗାଧ ଜ୍ଞାନର ପରିଚୟକ।ଅଧ୍ୟାପନାକୁ ଜୀବନର ବ୍ରତକରି ଜଣେ ସୁଦକ୍ଷ ଦୃଢବ୍ୟକ୍ତିତ୍ବ ଶୃଙ୍ଖଳିତ,କର୍ତ୍ତବ୍ୟନିଷ୍ଠ, ଆଦର୍ଶ ଖ୍ୟାତି ସମ୍ପନ୍ନ ଛାତ୍ରବତ୍ସଳ ଅଧ୍ୟାପକ ରୂପେ ନିଜକୁ ସୁପ୍ରତିଷ୍ଠିତ କରିପାରିଥିଲେ। ସଂସ୍କୃତ ଓ ସାହିତ୍ୟ ଭାଷାରେ ଅଧ୍ୟାପକ ଥିଲେ। ଗୋଲକ ବାବୁଥିଲେ ଉତ୍କଳ ମାତାର ଜଣେ ଗୌରବମୟଙ୍କ ସୁଦକ୍ଷ ସନ୍ତାନ। ମହାବିଦ୍ୟାଳୟ ମାନଙ୍କମଧ୍ୟରେ ରେଭେନ୍ସା ମହାବିଦ୍ୟାଳୟ ଓଡ଼ିଶାର ଶ୍ରେଷ୍ଠ ମହାବିଦ୍ୟାଳୟ ରୂପେ ପରିଗଣିତ ହେଉଥିଲା। ସେହି ବିଦ୍ୟାଳୟରେ ଅଧ୍ୟୟନକରି ଶ୍ରେଷ୍ଠସ୍ଥାନ ଅଧିକାର କରିଥିଲେ ଏବଂ ଉକ୍ତ ମହାବିଦ୍ୟାଳୟରେ ଅଧ୍ୟାପକ ରୂପେ କାମକରି ଜଣେ ସୁଦକ୍ଷ ନୀତିବାନ୍ ଆଦର୍ଶ,ଛାତ୍ରବତ୍ସଳ,ପରୋପକାରୀ,ଦରଦୀ ହୃଦୟ ମହାନ୍ ଅଧ୍ୟାପକ ରୂପେ ବହୁ ଯଶ ଓ ସମ୍ମାନର ଅଧିକାରୀ ହୋଇପାରିଥିଲେ,ଯାହା କମ୍ ଗୌରବରେ ବିଷୟ ନୁହେଁ।ପାଟନାରୁ ପଢିଶେଷରେ ସମ୍ବଲପୁର ବିଶ୍ବବିଦ୍ୟାଳୟରେ ଥିଲେ ଓଡ଼ିଆ ଅଧ୍ୟାପକ। ତେବେ ଅଧ୍ୟୟନ ପାଇଁ ଲଣ୍ଡନ କନ୍ୟା ମଞ୍ଜୁଶ୍ରୀ। ବର୍ତ୍ତମାନ ଦିଲ୍ଲୀରେ ଜ୍ୟେଷ୍ଠପୁତ୍ର ସଞ୍ଜୟ କଟକରେ ଏବଂ କନିଷ୍ଠପୁତ୍ର ସୌଭାଗ୍ୟ ସପରିବାର ବିଦେଶରେ ଜଣେ ଉଚ୍ଚ ପଦାଧିକାରୀ କର୍ମଚାରୀ ରୂପେ ଅବସ୍ଥାପିତ। ୧୯୭୪ ମସିହା ଜାନୁୟାରୀ ୧୮ ତାରିଖ ଭୂବନେଶ୍ବର ବାଣୀବିହାର ଠାରେ ଏକ ଭାଷାତତ୍ତ୍ବ ସଭା (ସମର ଲିଙ୍ଗୁଇଷ୍ଟିକ କନ୍‌ଫରେନ୍ସ) ଚାଲିଥିଲା ସେଥିରେ ଯୋଗଦେଇ ବକ୍ତୃତା ଦେଇ ଫେରିଆସିଥିଲେ ସେ ନିର୍ଧାରିତ ଗେଷ୍ଟ୍ ହାଉସ୍‌କୁ। ବିଶ୍ରାମପାଇଁ ପାହାଚ ଚଢି ତାଙ୍କ କୋଠରିକୁ ଯିବାସମୟରେ ହଠାତ ଗୋଡ ଖସି ଯିବାରୁ ସେ ତଳେ ପଡିଗଲେ ଏବଂ ମସ୍ତକର ପୃଷ୍ଠଭାଗ ଆଘାତ ପ୍ରାପ୍ତହେଲା ଏବଂ ତତ୍‌କ୍ଷଣାତ୍‌ ସେ ଚେତାଶୂନ୍ୟ ହୋଇଗଲେ। ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ନିଆଗଲା ସେଠାରେ ସନାତନ ରଥ,ଭବାନୀ ଦାସ ପ୍ରମୁଖ ବିଶିଷ୍ଟ ନାମକରା ଡାକ୍ତର (ପ୍ରଫେସର) ମାନଙ୍କ ତତ୍ତ୍ବାବଧାନରେ ଚିକିତ୍ସା କାର୍ଯ୍ୟ ଚାଲିଥିଲେ ମଧ୍ୟ ଗୋଲକ ବାବୁଙ୍କର ସଂଜ୍ଞା ଫେରି ନଥିଲା। ଡାକ୍ତର ମାନଙ୍କ ପରାମର୍ଶରେ ଏବଂ ତତ୍‌କାଳୀନ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀମତୀ ନନ୍ଦିନୀ ଶତପଥୀ ଏବଂ ତାଙ୍କ ସ୍ବାମୀ ଶ୍ରୀଯୁକ୍ତ ଦେବେନ୍ଦ୍ର ଶତପଥୀଙ୍କ ସ‌ହାୟତାରେ ଆମେରିକାରୁ ଔଷଧ ଆସି ପହଞ୍ଚିଲା ଜାନୁୟାରୀ ମାସ ୨୧ ତାରିଖରେ। ହେଲେ ସେ ଔଷଧକୁ ଉପଯୋଗ କରିବା ପାଇଁ ଅବକାଶ ନଥିଲା। ଗୋଲକବାବୁ ସେତେବେଳେକୁ ଚାଲିଯାଇଥିଲେ ଗୋଲକଧାମକୁ। ବନ୍ଧୁବାନ୍ଧବ ଆତ୍ମୀୟସ୍ୱଜନ ତଥା ସମସ୍ତ ପରିଚିତଙ୍କ ମଧ୍ୟରେ ହାହାକାର ପଡ଼ିଗଲା ତତ୍ପରେ ତାଙ୍କର ମରଶରୀରକୁ ତାଙ୍କ ପ୍ରିୟ ଜନ୍ମମାଟି ଢେଙ୍କାନାଳ ଜିଲ୍ଲା ଭାପୁର ଛଦେଶ ଅଞ୍ଚଳ ଚନ୍ଦ୍ରଶେଖରପ୍ରସାଦ ଗଞ୍ଜେଇଡିହ ଗ୍ରାମକୁ ନିଆଗଲା ଏବଂ ଗ୍ରାମ ଶ୍ମଶାନରେ ବନ୍ଧୁ ବାନ୍ଧବ ତଥା ଗ୍ରାମବାସୀଙ୍କ ଗହଣରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଯେଉଁ ପରମ ପୂଜ୍ୟ ଗୋଲୋକ ବାବୁଙ୍କ ପ୍ରଗାଢ ପ୍ରଚେଷ୍ଠାରେ ସ୍ୱୀୟ ଅନ୍ତର୍ନିହିତ ଶକ୍ତିକୁ ଉଜ୍ଜୀବିତ କରି ସମଗ୍ର ବିଶ୍ବରେ ନିଜର ପରିଚୟ ସୃଷ୍ଟିକରି ତାଙ୍କ ପରିଚୟରେ ନିଜ ଅଞ୍ଚଳ,ରାଜ୍ୟ ତଥା ଦେଶକୁ ଗୌରବ ବିମଣ୍ଡିତ କରିଛନ୍ତି। ସେ ମହାଶୟଙ୍କର ଦେହାନ୍ତ ହୋଇଥିଲେ ମଧ୍ୟ ସେ ଆଜି ଅମର। ସେ ଭାପୁର ଛଦେଶ ଅଞ୍ଚଳ,ଢେ଼ଙ୍କାନାଳ ଜିଲ୍ଲା,ରାଜ୍ୟ ତଥା ଆମଦେଶର ଗୌରବ ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଭାରତୀୟ ସେନା ଅଗ୍ନିପଥ ଯୋଜନା ରେ ନିଯୁକ୍ତି ନିମନ୍ତେ ପଞ୍ଜିକରଣ ର ଆବେଦନ ତାରିଖ ବୃଦ୍ଧି କରାଗଲା 

Sunil Chandra Nayak

ଜିଲ୍ଲାର ପାଞ୍ଚ ହଜାର ବାଳୁତଙ୍କ ପୃଷ୍ଟି ସାଧନ ପାଇଁ ଆଠ ଗୋଟି ବ୍ଲକରେ ୨୩୯ କ୍ରେଚ୍ କେନ୍ଦ୍ର କାର୍ଯ୍ୟକ୍ଷମ

masiha

SHOWERS OF JOY…. 

Sunil Chandra Nayak

Leave a Comment

error: Content is protected !!