ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆସନ୍ତା ୨୩ରେ….
ରାଉରକେଲା: ଭଗବାନ ଶ୍ରୀ ସତ୍ୟସାଇ ବାବାଙ୍କର ଜନ୍ମ ଶତ ବାର୍ଷିକୀ ଅବସରରେ ସମଗ୍ର ବିଶ୍ୱରେ ଅନେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଶ୍ରୀ ସତ୍ୟ ସାଇ ସେବା ସଂଗଠନ, ଓଡ଼ିଶା ଏବଂ ଶ୍ରୀ ସତ୍ୟ ସାଇ ସେବା ସମିତି ରାଉରକେଲା ଆନୁକୁଲ୍ୟରେ ଆସନ୍ତା ନଭେମ୍ବର ୨୩ ତାରିଖ ରବିବାର ଦିନ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କର ୧୦୦ ତମ ଜନ୍ମ ମହୋତ୍ସବ ମହାଆଡମ୍ବରରେ ପାଳନ କରାଯିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ସୂଚନା ଅନୁଯାୟୀ ସେହିଦିନ ସକାଳ ୫ ଘଟିକାରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇ ରାତି ୮.୩୦ ପର୍ଯ୍ୟନ୍ତ କାର୍ଯ୍ୟକ୍ରମ ଜାରି ରହିବ। ମଧ୍ୟାହ୍ନରେ ଏବଂ ରାତିରେ ପ୍ରାୟ ୫୦୦୦ ରୁ ଉର୍ଦ୍ଧ୍ବ ଲୋକଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଛି। ସୂଚନା ଥାଉ କି ଗତ ୧୯.୧୧.୨୦୨୫ ଦିନ ରାଉରକେଲା ସହରରେ ଥିବା ବିଭିନ୍ନ କୁଷ୍ଠ ଆଶ୍ରମ ରେ ପ୍ରସାଦ ବିତରଣ ହେବା ସହିତ ବସ୍ତ୍ର ଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆସନ୍ତା ୨୧.୧୧.୨୦୨୫ ଦିନ ତୁମକେଲା ବିଦ୍ୟାଳୟ ନିକଟରେ ଏକ ଆରଓ ପ୍ଲାଣ୍ଟ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ। ଆସନ୍ତା ୨୨.୧୧.୨୦୨୫ ଦିନ ୯.୦୦ ଟାରୁ ୧.୦୦ ଟାଏ ଯାଏଁ ଆପୋଲୋ ହସ୍ପିଟାଲ୍ ରାଉରକେଲା ସହଭାଗିତାରେ ଏକ ବିଶାଳ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଶିବିରର ଆୟୋଜନ ଉଦିତନଗର, ଓରାମ ପଡ଼ା ସ୍ଥିତ ସତ୍ୟ ସାଇ ମନ୍ଦିର ପ୍ରାଙ୍ଗଣରେ କରାଯିବ ଯେଉଁଥିରେ ଔଷଧ, ସ୍ନାୟୁ, ଚକ୍ଷୁ,ନାକ,କାନ, ଦାନ୍ତ ବିଭାଗର ବିଶେଷଜ୍ଞ ଡାକ୍ତର ମାନେ ଯୋଗ ଦେବେ ଏବଂ ବିଭିନ୍ନ ରକ୍ତ ପରୀକ୍ଷା ମଧ୍ୟ କରାଯିବ। ଆସନ୍ତା ୨୩.୧୧.୨୦୨୫ ସନ୍ଧ୍ୟା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ସରକାରଙ୍କର ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ତଥା ସୂଚନା ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶ୍ରୀଜଗନ୍ନାଥ ସଂସ୍କୃତି ଚେତନା ଗବେଷକ, ପ୍ରଚାରକ ଆଦିତ୍ୟ ବାହିନୀ ପୁରୀ ଗୋବର୍ଦ୍ଧନ ମଠର ସଭାପତି ପଣ୍ଡିତ ମାତୃ ପ୍ରସାଦ ମିଶ୍ର, ମାନବ ସେବା ହିଁ ମାଧବ ସେବା ବିଷୟବସ୍ତୁ ଉପରେ ସତସଙ୍ଗ ର ମୁଖ୍ୟ ବକ୍ତା ଭାବେ ଯୋଗ ଦେବେ। ବିଶେଷ ଅତିଥି ଭାବରେ ବିଜେପି ଜାତୀୟ କାଉନସିଲ ସଭ୍ୟ ମହେଶ ଚନ୍ଦ୍ର ମହାନ୍ତି, ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ରଘୁନାଥପଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ, ଅତିରିକ୍ତ ଜିଲ୍ଲାପାଳ ସୁଶ୍ରୀ ଦିନାଃ ଦସ୍ତାଗୀର, ଆରକ୍ଷୀ ଅଧିକ୍ଷକ ନୀତେଶ ୱାଧ୍ୱୱ।ନି ଏବଂ ଅନେକ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି। ରାଉରକେଲାର ଅସଂଖ୍ୟ ଜନସାଧାରଣ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସବୁ ବର୍ଗର ଲୋକ ଉକ୍ତ କାର୍ଯ୍ୟକ୍ରମରେ ଯୋଗଦାନ କରିବା ପାଇଁ ସମିତିର ଆବାହକ ବିଜୟ କୁମାର ମହାପାତ୍ର ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସଂଗଠନ ର ରାଜ୍ୟ ଯୁବ ପରିଷଦ ସଦସ୍ୟ ପ୍ରସନଜୀତ ଦାସଙ୍କ ସୂଚନା ଅନୁଯାୟୀ ଆସନ୍ତା ଡିସେମ୍ବର ୨୧ ତାରିଖ ଦିନ ବିର୍ସା ମୁଣ୍ଡା ଆଥଲେଟିକ ଷ୍ଟାଡିୟମ ଠାରେ ଶ୍ରୀ ସତ୍ୟ ସାଇ ରନ୍ ଆଣ୍ଡ ରାଇଡ, ମେଗା ମାରାଥନ୍ କିମ୍ବା ସାଇକେଲ ଚାଳନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି ଯାହା ଭାରତ ର ୬୦ ଟି ସହରରେ ଆୟୋଜନ କରାଯାଉଛି ଏବଂ ଭାରତ ସରକାରଙ୍କ ସୁସ୍ଥ ଭାରତ କାର୍ଯ୍ୟକ୍ରମ ସହିତ ସହବନ୍ଧିତ ହୋଇଥିବା ସୂଚନା ଦେଇଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ଅନଲାଇନ ପଂଜୀକରଣ ଆରମ୍ଭ ହୋଇଯାଇଥିବା ବେଳେ ତାହା ନିଶୁଳ୍କ ଥିବା ସହିତ ଟି ସାର୍ଟ,ମେଡାଲ, ପ୍ରମାଣପତ୍ର ଦେବାର ବ୍ୟବସ୍ଥା ମଧ୍ୟ ରହିଛି ବୋଲି ସୂଚନା ଦେଇଛନ୍ତି। ଏହି ସମ୍ମିଳନୀରେ ରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯୁଗ୍ମ ଯୁବ ସଂଯୋଜକ ଚିନ୍ମୟାନନ୍ଦ ପାତ୍ର, ଜିଲ୍ଲା ଉପଦେଷ୍ଟା ଇଂ ଗୋପୀନାଥ ପଟ୍ଟନାୟକ, ସମିତି ଉପଦେଷ୍ଟା ପ୍ରଫେସର ହୃଷୀକେଶ ନାୟକ ଓ ଅନ୍ୟମାନେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିକାଶ ବାନାର୍ଜୀ, କରୁଣାକର ପଟେଲ, ଲିଲି ପଟେଲ,ବି ବି ପଟ୍ଟନାୟକ,ରଥ ହରିପାଲ,ଅନାଥ ଚରଣ ରାଉତ, ଅରବିନ୍ଦ ରାଉତ,ବି କେ ସାହୁ, ପ୍ରବୀର ଜେନା, ଅକ୍ଷୟ ଧଳ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

