କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର
ଢେ଼ଙ୍କାନାଳ କାମାକ୍ଷାନଗର : ଦୂରଦୂରାନ୍ତକୁ ଯାତାୟାତ କରୁଥିବା ଯତ୍ରୀଙ୍କ ସୁବିଧା ନିମନ୍ତେ ସରକାରଙ୍କ ପକ୍ଷରୁ ରାସ୍ତା ପାର୍ଶ୍ଵରେ ନିର୍ମାଣ ହୋଇଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର।
ନଷ୍ଟ ହେବାକୁ ବସିଲାଣି ଆସବାପତ୍ର। ପରିଚାଳନାଗତ ତ୍ରୁଟିରୁ ବନ୍ଦ ହୋଇ ପଡ଼ିଛି। ମାତ୍ର ପରିଚାଳନଗତ ତ୍ରୁଟି କାରଣରୁ ଗୃହ ବନ୍ଦ ହୋଇପଡ଼ିଛି। କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନି। ଅନ୍ୟପଟେ ଦୀର୍ଘଦିନ ଧରି ବନ୍ଦପଡ଼ିଥିବା କେନ୍ଦ୍ର ଭୂତକୋଠି ପାଲଟିଛି। ମୂଲ୍ୟବାନ ଆସବାବପତ୍ର ନଷ୍ଟ ହେବାକୁ ବସିଲାଣି। କେନ୍ଦ୍ରର ଉଦ୍ୟାନ ଉଜୁଡ଼ି ଗଲାଣି। ଅନ୍ୟପଟେ ଦୂରଦୂରାନ୍ତ ଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀ ହନ୍ତସନ୍ତ ହେଉଛନ୍ତି। କାମାକ୍ଷାନଗର ବ୍ଳକ୍ ମହୁଲପାଳ ନିକଟରେ ରହିଥିବା ପଥପ୍ରାପ୍ତ ସୁବିଧା କେନ୍ଦ୍ରର ଏଭଳି ଅବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି। ମହୁଲପାଳଠାରେ ୨୦୨୦ ମସିହାରେ ପୂର୍ତ୍ତ ବିଭାଗ ତରଫରୁ ପଥସାର ସୁବିଧା କେନ୍ଦ୍ର Way Side Amenity Centre , ପଥପ୍ରାନ୍ତ ସୁବିଧା କେନ୍ଦ୍ର ନିର୍ମାଣ ହୋଇଥିଲା। ୨.୧୮ ଏକର ଜାଗାରେ ନିର୍ମିତ ଏହି ସୁବିଧା କେନ୍ଦ୍ର ନିମନ୍ତେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଛି। ଏଠାରେ ଯାତ୍ରୀଙ୍କ ବିଶ୍ରାମ,ସ୍ନାନ,ଶୌଚାଦି,ଖାଦ୍ୟପେୟ ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି। ୨୦୨୨ ମସିହାରେ ଏହା କାର୍ଯ୍ୟକ୍ଷମ ହୋଇଥିବା ବେଳେ ପୂର୍ତ୍ତ ବିଭାଗ ଅଧୀନରେ ସ୍ୱୟଂ ସହାୟକ ଗୋଷ୍ଠୀ ଏହାକୁ ପରିଚାଳନା କରୁଥିଲେ। ଯାତ୍ରୀମାନେ ଏଠାରେ ଥକ୍କା ମେଣ୍ଟାଇବା ସହ ବେଶ୍ ସୁବିଧା ପାଇପାରୁଥିଲେ। ପରେ ପର୍ଯ୍ୟଟନ ବିଭାଗ ଏହାକୁ ନିଜ ଅଧୀନକୁ ନେଇଥିଲା। ପରିଚାଳନାଗତ ତ୍ରୁଟି କାରଣରୁ କିଛି ମାସ ପରେ ତାହା ବନ୍ଦ ହୋଇଯାଇଥିଲା। ପଥପ୍ରାନ୍ତ ସୁବିଧା କେନ୍ଦ୍ରରେ ଦୀର୍ଘଦିନ ତାଲା ଝୁଲୁଥିବା ବେଳେ ଭିତରେ ରହିଥିବା ଆସବାପତ୍ର ନଷ୍ଟ ହେବାକୁ ବସିଲାଣି। ଏହା କାର୍ଯ୍ୟକ୍ଷମ ହେଉନଥିବା ବେଳେ ରକ୍ଷଣାବେକ୍ଷଣ ମଧ୍ୟ କରାଯାଉନି। ସମ୍ମୁଖରେ ରହିଥିବା ଉଦ୍ୟାନ ଉଜୁଡ଼ି ଗଲାଣି। ପିଣ୍ଡି ଗୁଡ଼ିକ ଲଟିବୁଦା ଓ ଅରମାବଣ ମଧ୍ୟରେ ଲୁଚି ଗଲାଣି। ଅନ୍ୟପଟେ ସୁବିଧା କେନ୍ଦ୍ର ଦେଖା ଯାତ୍ରୀମାନେ ବିଶ୍ରାମ ନେବାକୁ ଗାଡ଼ି ଅଟକାଉ ଥିବା ବେଳେ ଏହା ବନ୍ଦ ପଡ଼ିଥିବା ଦେଖି ନିରାଶ ହୋଇ ଫେରୁଛନ୍ତି । କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ପ୍ରକଳ୍ପ ଲୋକଙ୍କ କାମରେ ଆସିପାରୁନି। ପ୍ରଶାସନ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେଇ ପଦକ୍ଷେପ ନେବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଦାଵୀ ହୋଇଛିl
ତାପସ ଦାସ ଙ୍କ ରିପୋର୍ଟ୍

