ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାରୀ ଶକ୍ତି ବନ୍ଦନ ଅଧିନିୟମ : ଏକ ନୂତନ ଯୁଗର ଆରମ୍ଭ

ନାରୀ ଶକ୍ତି ବନ୍ଦନ ଅଧିନିୟମ : ଏକ ନୂତନ ଯୁଗର ଆରମ୍ଭ

ରାଉରକେଲା ୧୩/୪, ଭାରତର ଗଣତାନ୍ତ୍ରିକ ଇତିହାସରେ ନାରୀ ଶକ୍ତି ବନ୍ଦନ ଅଧିନିୟମ, ୨୦୨୩ ଏକ ଯୁଗାନ୍ତକାରୀ ପଦକ୍ଷେପ ଭାବରେ ଉଭା ହୋଇଛି। ଏହି ବିଷୟକୁ ନେଇ ଆଜି ରାଉରକେଲା ଜିଲ୍ଲା ବିଜେପି ପକ୍ଷରୁ ସେକ୍ଟର-୩ କାର୍ଯ୍ଯାଳୟରେ ନାରୀ ଶକ୍ତି ବନ୍ଦନ ପରିପ୍ରେକ୍ଷୀରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ଲତିକା ପଟ୍ଟନାୟକ, ଜିଲ୍ଲା ସଭାନେତ୍ରୀ ରାଜ୍ୟ ମହିଳା ଶିଶୁ କଲ୍ୟାଣ ଆୟୋଗ ସଦସ୍ୟା କଳ୍ପନା ଲେଙ୍କା, ବରିଷ୍ଠ ନାରୀ ନେତ୍ରୀ ପ୍ରମିଳା ଦାଶ, ବିଜେପି ଜିଲ୍ଲା ମୁଖପାତ୍ର ଗଂଗାଧର ଦାଶ ପ୍ରମୁଖ ଉପସ୍ଥିତ ରହି ସାମ୍ବାଦିକଙ୍କୁ ସୂଚନା ଦେଇ କହିଲେ ଯେ ଲୋକସଭା ସମେତ ରାଜ୍ୟ ବିଧାନସଭା ଗୁଡ଼ିକରେ ମହିଳାମାନଙ୍କ ପାଇଁ ଏକ-ତୃତୀୟାଂଶ ସଂରକ୍ଷଣର ବ୍ୟବସ୍ଥା କେବଳ ପ୍ରତିନିଧିତ୍ଵ ବୃଦ୍ଧି ମଧ୍ୟରେ ସୀମିତ ନୁହେଁ, ବରଂ ନୀତି ନିର୍ମାଣକୁ ଅଧିକ ସମାବେଶୀ, ସମ୍ବେଦନଶୀଳ ଏବଂ ପ୍ରଭାବଶାଳୀ କରିବା ଦିଗରେ ଏକ ଦୃଢ଼ ପ୍ରୟାସ।ଏହାର ଶୀଘ୍ର ଏବଂ ପ୍ରଭାବଶାଳୀ କାର୍ଯ୍ୟକାରିତା ମହିଳାମାନଙ୍କୁ ନୀତିର ହିତାଧିକାରୀରୁ “ନୀତିର ନିର୍ମାତା” ହେବାର ପଥ ପ୍ରଶସ୍ତ କରିବ ଏବଂ ଏହା ହିଁ ବିକଶିତ ଭାରତ ଗଠନର ଆଧାରଶିଳା ପାଲଟିବ। 

      ଏହି ଅଧିନିୟମ ଲାଗୁ ହେବାର ସବୁଠାରୁ ବଡ଼ ଲାଭ ହେବ ଯେ ଶାସନର ପ୍ରାଥମିକତା ଗୁଡ଼ିକରେ ବ୍ୟାପକ ପରିବର୍ତ୍ତନ ଦେଖିବାକୁ ମିଳିବ। ଯେତେବେଳେ ନିଷ୍ପତି ଗ୍ରହଣ ପ୍ରକ୍ରିୟାରେ ମହିଳାଙ୍କ ଅଂଶଗ୍ରହଣ ବୃଦ୍ଧି ପାଏ, ସେତେବେଳେ ଶିକ୍ଷା, ସ୍ବାସ୍ଥ୍ୟ, ପୁଷ୍ଟିସାଧନ, ସୁରକ୍ଷା, ଜଳ ଏବଂ ସ୍ବଚ୍ଛତା ଭଳି ପ୍ରସଙ୍ଗ‌ଗୁଡ଼ିକ ଅଧିକ ପ୍ରାଥମିକତା ଲାଭ କରିବ I ସ୍ଥାନୀୟ ସଂସ୍ଥାଗୁଡ଼ିକରେ ମହିଳାଙ୍କ ସଂରକ୍ଷଣର ଅନୁଭବ ପୂର୍ବରୁ ହିଁ ଦର୍ଶାଇସାରିଛି ଯେ ମହିଳା ପ୍ରତିନିଧିତ୍ବ ଦ୍ବାରା ନୀତିଗୁଡ଼ିକ ଅଧ‌ିକ ଜନ-କୈନ୍ଦ୍ରିକ ଏବଂ ପ୍ରଭାବଶାଳୀ ହୋଇଥାଏ । ବର୍ତ୍ତମାନ ଏହି ପ୍ରଭାବ ସଂସଦ ଏବଂ ବିଧାନସଭା ସ୍ତରରେ ଦେଖାଯିବ, ଯାହା ଫଳରେ ବିକାଶର ଦିଗ ଅଧ‌ିକ ସନ୍ତୁଳିତ ଏବଂ ସମାବେଶୀ ହୋଇପାରିବ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି। ଗତ ଏକ ଦଶନ୍ଧି ମଧ୍ୟରେ ପରିବର୍ତ୍ତନର ଏହି ପୃଷ୍ଠଭୂମି ପ୍ରସ୍ତୁତ କରାଯାଇଛି I ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ମହିଳା ସଶସ୍ତୀକରଣକୁ ଏକ ବ୍ୟାପକ ଏବଂ ଜୀବନ-ଚକ୍ର ଆଧାରିତ ଦୃଷ୍ଟିକୋଣରୁ ବିଚାର କରାଯାଇଛି I ବେଟି ବଚାଓ, ବେଟି ପଢ଼ାଓ ଅଭିଯାନ ସାମାଜିକ ଚିନ୍ତାଧାରାରେ ସକାରାତ୍ମକ ପରିବର୍ତ୍ତନ ଆଣିଛି ଏବଂ ମାଧ୍ଯମିକ ସ୍ତରରେ ଝିଅମାନଙ୍କ ନାମଲେଖା ହାର ୮୦.୨ ପ୍ରତିଶତରେ ପହଞ୍ଚିଛି। ସୁକନ୍ୟା ସମୃଦ୍ଧି ଯୋଜନା ଅଧୀନରେ ୪.୬ କୋଟିରୁ ଅଧିକ ଆକାଉଣ୍ଟ ଖୋଲାଯାଇଛି, ଯାହା କନ୍ୟାମାନଙ୍କ ଭବିଷ୍ୟତକୁ ଆର୍ଥିକ ସୁରକ୍ଷା ପ୍ରଦାନ କରୁଛି I ଉଚ୍ଚଶିକ୍ଷା ଏବଂ ବୈଷୟିକ କ୍ଷେତ୍ରରେ ମହିଳାମାନଙ୍କ ଅଂଶଗ୍ରହଣରେ କ୍ରମାଗତ ବୃଦ୍ଧି ଏହି ପରିବର୍ତ୍ତନର ସ୍ପଷ୍ଟ ଚିତ୍ର ଉପସ୍ଥାପନ କରୁଛି। ସ୍ବାସ୍ଥ୍ୟ ଏବଂ ପୁଷ୍ଟି ସାଧନ କ୍ଷେତ୍ରରେ ମଧ୍ୟ ଉଲ୍ଲେଖନୀୟ ପ୍ରଗତି ହୋଇଛି। ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ମାଧ୍ଯମରେ ୪.୨୭ କୋଟିରୁ ଅଧିକ ମହିଳାଙ୍କୁ ପୁଷ୍ଟିକର ସହାୟତା ମିଳିଛି I ପୋଷଣ ୨.୦ ଅନ୍ତର୍ଗତ ୧୪ ଲକ୍ଷରୁ ଅଧିକ ଅଙ୍ଗନବାଡ଼ି କେନ୍ଦ୍ର ମାଧ୍ଯମରେ ୮.୯୭ କୋଟି ହିତାଧିକାରୀଙ୍କ ନିକଟରେ ସେବା ପହଞ୍ଚୁଛି। ଏହି ପ୍ରୟାସ ଗୁଡ଼ିକର ଫଳସ୍ବରୂପ ମାତୃ ମୃତ୍ୟୁ ଅନୁପାତରେ ଉଲ୍ଲେଖନୀୟ ହ୍ରାସ ଘଟିଛି, ଯାହା ମହିଳା ସ୍ବାସ୍ଥ୍ୟ କ୍ଷେତ୍ରରେ ସକାରତ୍ମକ ପରିବର୍ତ୍ତନକୁ ଦର୍ଶାଉଛି ବୋଲି ମହିଳା ବିଜେପି ପକ୍ଷରୁ କୁହାଯାଇଛି। ଆର୍ଥିକ ସଶକ୍ତାକରଣରେ ଏହି ପରିବର୍ତ୍ତନ ଏକ ଗୁରୁତ୍ବପୂର୍ଣ୍ଣ ଆଧାର ପାଲଟିଛି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଅଧୀନରେ ୩୨.୨୯ କୋଟି ମହିଳା ବ୍ୟାଙ୍କିଙ୍ଗ୍‌ ବ୍ୟବସ୍ଥା ସହିତ ଯୋଡ଼ିହୋଇଛନ୍ତି। ଯାହାଦ୍ବାରା ଆର୍ଥିକ ଅନ୍ତର୍ଭୁକ୍ତିକରଣକୁ ଏକ ନୂଆ ଗତି ମିଳିଛି। ମୁଦ୍ରା ଯୋଜନାର ୬୮ ପ୍ରତିଶତ ଋଣ ମହିଳାମାନେ ପାଇଛନ୍ତି, ଯେତେବେଳେ କି ୧୦ କୋଟିରୁ ଅଧିକ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ଯମରେ ସଂଗଠିତ ହୋଇ ଆତ୍ମନିର୍ଭରଶୀଳତା ଦିଗରେ ଆଗେଇ ଆସୁଛନ୍ତି। ଲକ୍ଷପତି ଦିଦି ଏବଂ ନମୋ ଡ୍ରୋନ୍ ଦିଦି ଭଳି ପଦକ୍ଷେପ ମହିଳାମାନଙ୍କୁ ପାରମ୍ପରିକ ଭୂମିକାରୁ ବାହାର କରି ବୈଷୟିକ ଏବଂ ଉଦ୍ୟୋଗ କ୍ଷେତ୍ରରେ ସଶକ୍ତ କରିଛି। ମହିଳାମାନଙ୍କ ଜୀବନରେ ମର୍ଯ୍ୟାଦା ଏବଂ ସୁବିଧା ସୁନିଶ୍ଚିତ କରିବା ପାଇଁ ମଧ୍ୟ ବ୍ୟାପକ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅଧୀନରେ ମହିଳାମାନଙ୍କୁ ଘରର ମାଲିକାନା ମିଳିଛି, ଉଜ୍ଜ୍ବଳା ଯୋଜନା ସ୍ବଚ୍ଛ ଇନ୍ଧନ ଯୋଗାଇ ଦେଇଛି, ସ୍ବଚ୍ଛ ଭାରତ ମିଶନ ଏବଂ ଜଳ ଜୀବନ ମିଶନ ଦୈନନ୍ଦିନ ଜୀବନର ଅସୁବିଧାକୁ କମ କରିଛି I ଏହି ପଦକ୍ଷେପଗୁଡ଼ିକ ମହିଳାମାନଙ୍କୁ ସମୟ, ସ୍ବାସ୍ଥ୍ୟ ଏବଂ ସମ୍ମାନ ଏହି ତିନୋଟି ସ୍ତରରେ ସଶକ୍ତ କରିଛି।

       ଏହି ସମସ୍ତ ପ୍ରୟାସ ମିଳିତ ହୋଇ ଏପରି ଏକ ମଜବୁତ ଆଧାର ପ୍ରସ୍ତୁତ କରାଯାଇଛି ଯେ, ଯାହା ଉପରେ ନାରୀ ଶକ୍ତି ବନ୍ଦନ ଅଧିନିୟମର ପ୍ରଭାବଶାଳୀ କାର୍ଯ୍ୟକାରିତା ଅଧିକ ଫଳପ୍ରଦ ପ୍ରମାଣିତ ହେବ। ଯେତେବେଳେ ସଂସଦ ଓ ବିଧାନସଭାଗୁଡ଼ିକରେ ମହିଳାମାନଙ୍କ ସଂଖ୍ୟା ବୃଦ୍ଧି ପାଇବ, ସେତେବେଳେ ସେମାନେ ଏହି ଯୋଜନାଗୁଡ଼ିକୁ ଅଧିକ ପ୍ରଭାବଶାଳୀ କରିବା ସହିତ ନୂତନ ନୀତି ଗଠନରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିବେ । ଏହାଦ୍ବାରା ଶାସନ ଅଧିକ ଉତ୍ତରଦାୟୀ, ସ୍ବଚ୍ଛ ଏବଂ ସମ୍ବେଦନଶୀଳ ହେବ। ଏହି ଅଧିନିୟମ କେବଳ ଏକ ସାମ୍ବିଧାନିକ ବ୍ୟବସ୍ଥା ନୁହେଁ, ବରଂ ବିକଶିତ ଭାରତ-୨୦୪୭ର ସଂକଳ୍ପକୁ ତ୍ବରାନ୍ବିତ କରୁଥିବା ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି। ଯେତେବେଳେ ମହିଳାମାନେ ନେତୃତ୍ବ ଭୂମିକାରେ ଆଗେଇ ଆସିବେ, ସେତେବେଳେ ବିକାଶ ପ୍ରକ୍ରିୟା ଅଧିକ ସମାବେଶୀ, ସନ୍ତୁଳିତ ଏବଂ ସ୍ଥାୟୀ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସ୍ପଷ୍ଟ ଦୃଷ୍ଟିକୋଣ ରହିଛି ଯେ ମହିଳା ନେତୃତ୍ୱାଧୀନ ବିକାଶ ହିଁ ଭାରତକୁ ନୂଆ ଶିଖରରେ ପହ‌ଞ୍ଚାଇ ପାରିବ ନାରୀ ଶକ୍ତି ବନ୍ଦନ ଅଧିନିୟମର କାର୍ଯ୍ୟକାରିତା ସେହି ଦୃଷ୍ଟିକୋଣକୁ ସାକାର କରିବା ଦିଗରେ ଏକ ଐତିହାସିକ ପ୍ରୟାସ, ଯାହା ଆଗାମୀ ସମୟରେ ଭାରତୀୟ ଗଣତନ୍ତ୍ର ଏବଂ ବିକାଶ ମଡେଲକୁ ଆହୁରି ସଶକ୍ତ କରିବ ବୋଲି ଏହି ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରାଯାଇଛି।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାରିପଦା ଠାରେ 77ତମ ସ୍ୱାଧୀନତା ଦିବସ -2023 ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

ସ୍କୁଲ କୋଠା ନିର୍ମାଣ ଦାବୀରେ ଛାତ୍ରଛାତ୍ରୀ, ଅଭିଭାବକ ସମୂହ ଙ୍କ  ସ୍କୁଲ ସାମ୍ନାରେ ଧାରଣା

masiha

ଵଡଡାଳିମା ପାର୍ବତୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସରରେ ତିରିଂ ଥାନା ପକ୍ଷରୁ ସାଇବର କ୍ରାଇମ ସଚେତନତା ଶିଵିର

Sunil Chandra Nayak

Leave a Comment

error: Content is protected !!