ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

ମା’ ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା ପାଇଁ ମାନବ ଅଧିକାର ସୁରକ୍ଷା ମଞ୍ଚର ଦାବି

ଏକ ମାସ ମଧ୍ୟରେ ସମାଧାନ ହେବ ବୋଲି ଅଧିକ୍ଷକଙ୍କ ପ୍ରତିଶ୍ରୁତି 

ବ୍ରହ୍ମପୁର, ତା. ୩.୨.୨୦୨୬: — ବ୍ରହ୍ମପୁର ଏମ୍.କେ.ସି.ଜି. ମେଡିକାଲ କଲେଜ ଓ ହସ୍ପିଟାଲର ଶିଶୁ ବିଭାଗରେ ନବଜାତ ଶିଶୁଙ୍କ ଚିକିତ୍ସା ସମୟରେ ମା’ ଠାରୁ ତାଙ୍କୁ ଅଲଗା କରି ରଖାଯାଉଥିବାରୁ ଶିଶୁଟି ମାତୃସ୍ନେହରୁ ବଞ୍ଚିତ ହେଉଛି ବୋଲି ଅଭିଯୋଗ କରିଛି ସ୍ୱାସ୍ଥ୍ୟ ଅଧିକାର ପାଇଁ ଲଢ଼େଇ କରୁଥିବା ସମାଜବାଦୀ ଅନୁଷ୍ଠାନ ମାନବ ଅଧିକାର ସୁରକ୍ଷା ମଞ୍ଚ। ଏହିପରି ଅମାନବୀୟ ପରିସ୍ଥିତି ଏମ୍.କେ.ସି.ଜି. ମେଡିକାଲ କଲେଜ ହସ୍ପିଟାଲରେ ପ୍ରାୟ ଦୈନନ୍ଦିନ ଭାବେ ଦେଖାଯାଉଛି ବୋଲି ସଂଗଠନ କହିଛି l ପ୍ରକାଶଯୋଗ୍ୟ ଯେ, ସର୍ଜରୀ ମାଧ୍ୟମରେ ଜନ୍ମ ନେଇଥିବା ଜଣେ ନବଜାତ ଶିଶୁର ଚିକିତ୍ସା ସମୟରେ ଗୁରୁତର ଅବସ୍ଥାରେ ଥିବା ମା’ଙ୍କୁ ଏମ୍.କେ.ସି.ଜି. ମେଡିକାଲରେ ବେଡ୍ ମିଳିନଥିବା ଘଟଣା ଗଭୀର ଚିନ୍ତାର ବିଷୟ। ସୁପର ସ୍ପେସିଆଲିଟି ହସ୍ପିଟାଲ ଭାବେ ପରିଚିତ ଏହି ଚିକିତ୍ସା କେନ୍ଦ୍ରରେ ଗୁରୁତର ରୋଗୀଙ୍କୁ ବେଡ୍ ଉପଲବ୍ଧ ନ ହେବା ଏକ ଲଜ୍ଜାଜନକ ଓ ଦୁଃଖଦ ଘଟଣା ବୋଲି ମଞ୍ଚ ମତ ପ୍ରକାଶ କରିଛି। ଏହି ପରିସ୍ଥିତିରେ ତୁରନ୍ତ ଯଥୋଚିତ ପଦକ୍ଷେପ ନେଇ ମା ଓ ନବଜାତ ଶିଶୁଙ୍କୁ ଏକତ୍ର ରଖି ଚିକିତ୍ସା ବ୍ୟବସ୍ଥା କରାଯିବା ସହ ମାତୃ–ଶିଶୁ ସୁରକ୍ଷାକୁ ପ୍ରାଥମିକତା ଦେବାକୁ ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ ଦାବି କରାଯାଇଛି। ରୁମିଂ ଇନ୍ ବ୍ୟବସ୍ଥା କରିବା, ପ୍ରସବ ପରେ ମା’ ଓ ଶିଶୁ ପାଇଁ ୨୪ ଘଣ୍ଟା ସମନ୍ୱିତ ଚିକିତ୍ସା ସୁନିଶ୍ଚିତ କରାଯାଉ l ତୁରନ୍ତ ସ୍ତନ୍ୟପାନ ସହାୟତା, ପୋଷଣ ପରାମର୍ଶ ଓ ସଂକ୍ରମଣ ନିୟନ୍ତ୍ରଣ ପାଇଁ ପ୍ରଶିକ୍ଷିତ କର୍ମଚାରୀ ନିଯୁକ୍ତି କରାଯିବା, ଜରୁରୀ ସ୍ଥିତିରେ ଏସଏନସିୟୁ ଓ ଏନ୍ଆଇସିୟୁ ସହ ସଂଯୋଗ ବ୍ୟବସ୍ଥା କରିବା, ଜନନୀ ସ୍ବାସ୍ଥ୍ୟ ଯୋଜନା, ଜନନୀ ଶିଶୁ ସ୍ୱାସ୍ଥ୍ୟ କାର୍ଯକ୍ରମ ଓ ଲକ୍ଷ୍ୟ ଯୋଜନା କୁ ଅଧିକ କ୍ରିୟାଶୀଳ କରି ମା’ ଓ ଶିଶୁଙ୍କୁ ମାଗଣା ଓ ଗୁଣମାନ ସମ୍ପନ୍ନ ସେବା ଯୋଗାଇବା ଆଦି ଦାବି ନେଇ ଦୀର୍ଘ ସମୟ ଧରି ମେଡ଼ିକାଲ୍ ଅଧିକ୍ଷକ ଡ଼ା. ଦୁର୍ଗା ମାଧବ ଶତପଥୀଙ୍କ ସହ ମଞ୍ଚ କର୍ମକର୍ତ୍ତା ମାନେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରିଥିଲେ l ଏକ ମାସ ମଧ୍ୟରେ ଉକ୍ତ ଦାବି ସମାଧାନ କରାଯିବ ବୋଲି ଅଧୀକ୍ଷକ ଡ଼ା.ଶତପଥୀ ପ୍ରତିଶ୍ରୁତି ଦେଲେ l ଏଥିରେ ମଞ୍ଚ ଆବାହକ ଆଇନଜୀବୀ ଅବନୀ ଗୟା,ସମାଜସେବୀ ମନୋଜ କୁମାର ତରାଇ,ସଭାପତି ଗଗନ ଚନ୍ଦ୍ର ମଲ୍ଲିକ, ଗଗନ ଚାନ୍ଦ ପ୍ରଧାନ,କୁନି କୁମାରୀ ଦେବୀ,ଆର୍. ସତ୍ୟ ନାରାୟଣ ରାଓ, ବିଜୟ କୁମାର ପାଢ଼ୀ, ଜୟକୃଷ୍ଣ ନାୟକ, କେ. ନନ୍ଦେଶୁ ସେନାପତି, କିଶୋର ସ୍ବାଇଁ, ଅଶୋକ ଦଳାଇ, ସାଧୁଚରଣ ବେହେରା,ଶ୍ୟାମ ସୁନ୍ଦର ଖାଡ଼ାଙ୍ଗା, ବୃନ୍ଦାବନ ଖଟେଇ ପ୍ରମୁଖ ଦାବି ପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ l

Related posts

ଓଡ଼ିଶା ସରକାରଙ୍କ ସମବାୟ ବିଭାଗ ଢେଙ୍କାନାଳ ଜିଲ୍ଲା ପକ୍ଷରୁ ପ୍ରବନ୍ଧ ଓ ବକ୍ତୃତା ପ୍ରତିଯୋଗିତା-୨୦୨୪ ଅନୁଷ୍ଠିତ 

masiha

୪୨ ମୌଜାରେ ସମାଜସେବୀ ନିର୍ମଳ ଚନ୍ଦ୍ର ଦାସଙ୍କ ସ୍ମୃତି ଚାରଣ ସଭା 

masiha

ବିଶ୍ବହିନ୍ଦୁ ପରିଷଦ ର ପ୍ରଖଣ୍ଡ ସ୍ତରୀୟ ପ୍ରତିଷ୍ଠା ଦିବସ 

masiha

Leave a Comment

error: Content is protected !!