ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

ନୂଆପଡ଼ାରେ ବିଶ୍ୱ ସିକିଲ ସେଲ ଦିବସ ପାଳିତ : ସଚେତନତା, ସ୍କ୍ରିନିଂ ଓ ଚିକିତ୍ସା ସେବା ଉପରେ ଗୁରୁତ୍ୱ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ ) ବିଶ୍ୱ ସିକିଲ ସେଲ ଦିବସ-୨୦୨୬ ଅବସରରେ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଏକ ସଚେତନତା ସଭା ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। 

ସିକିଲ ସେଲ ରୋଗ ସମ୍ପର୍କରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି, ଶୀଘ୍ର ଚିହ୍ନଟ, ନିୟମିତ ରକ୍ତ ପରୀକ୍ଷା ଏବଂ ଉପଯୁକ୍ତ ଚିକିତ୍ସା ସେବା ପ୍ରଦାନ ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଇଥିଲା।

ଜିଲ୍ଲାପାଳ ଶ୍ରୀ ଦାଶ ବିବାହ ପୂର୍ବରୁ ସିକିଲ ସେଲ ପରୀକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ ‘ଉପକାର, ଉପଚାର, ଉପଶମ ଓ ଉପଲବ୍ଧି’ ଏହି ଚାରିଟି ଦିଗ ମାଧ୍ୟମରେ ସିକିଲ ସେଲ ନିୟନ୍ତ୍ରଣ ଓ ସଚେତନତା ବୃଦ୍ଧିର ଆବଶ୍ୟକତା ଉଲ୍ଲେଖ କରିଥିଲେ। ସିକିଲ ସେଲ ରୋଗର ଲକ୍ଷଣ, ବଂଶଗତ ପ୍ରଭାବ, ପ୍ରତିରୋଧ ଏବଂ ସମୟୋପଯୋଗୀ ଚିକିତ୍ସାର ଗୁରୁତ୍ୱ ସମ୍ପର୍କରେ ମଧ୍ୟ ଅଂଶଗ୍ରହଣକାରୀଙ୍କୁ ଅବଗତ କରାଯାଇଥିଲା।ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଶେଷକରି ଜନଜାତି ଓ ସଂବେଦନଶୀଳ ଅଞ୍ଚଳଗୁଡ଼ିକରେ ନିୟମିତ ସ୍କ୍ରିନିଂ, ରକ୍ତ ପରୀକ୍ଷା, ପରାମର୍ଶ ଏବଂ ଚିକିତ୍ସା ସେବା ଉପରେ ଗୁରୁତ୍ୱ ଦିଆଯାଉଥିବା ସୂଚନା ଦିଆଯାଇଥିଲା।

ଏହି ଅବସରରେ ସିକିଲ ସେଲ ନିୟନ୍ତ୍ରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଆଶା କର୍ମୀ, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ମହିଳା ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଦିବସ ଉପଲକ୍ଷେ ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟ ଅନୁଷ୍ଠାନରେ ସଚେତନତା ସଭା, ରୋଗୀ ପରାମର୍ଶ କାର୍ଯ୍ୟକ୍ରମ, ସ୍କ୍ରିନିଂ ଶିବିର ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା।ସଭାରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ଦିଲୀପ କୁମାର ଦାସ, ଭାରପ୍ରାପ୍ତ ଜିଲ୍ଲା ଚିକିତ୍ସାଳୟ ଅଧିକ୍ଷକ ଡାକ୍ତର ମନୋଜ କୁମାର ସାହୁ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ମଞ୍ଜୁରାଣୀ ସିଂହ, ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ (କୁଷ୍ଠ) ଡାକ୍ତର ତନ୍ମୟ ତ୍ରିପାଠୀ, ଜିଲ୍ଲା ପ୍ରକଳ୍ପ ପରିଚାଳକ ସତ୍ୟନାରାୟଣ ତ୍ରିପାଠୀଙ୍କ ସମେତ ସ୍ୱାସ୍ଥ୍ୟ ବିଭାଗର ବିଭିନ୍ନ ଅଧିକାରୀ, ଆଶା, ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ, ସ୍ୱାସ୍ଥ୍ୟ କର୍ମୀ ଏବଂ ସିକିଲ ସେଲ ରୋଗୀମାନେ ଉପସ୍ଥିତ ଥିଲେ।

Related posts

ସହାୟତା ଅପେକ୍ଷାରେ ପରିବା ଚାଷୀ 

Sunil Chandra Nayak

Rourkela Vibrant celibrate Teacher’s day 

Sunil Chandra Nayak

ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ପାପଡାହାଣ୍ଡି ବ୍ଲକର ଅତିରିକ୍ତ ଦାୟିତ୍ବ ଗ୍ରହଣ

Leave a Comment

error: Content is protected !!