ପ୍ରଭୁ ଶ୍ରୀଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ଢେଙ୍କା ଶବର – ଯାହାଙ୍କର ନାମାନୁସାରେ ଆଧୁନିକ ଢେଙ୍କାନାଳ ସହର ଓ ଜିଲ୍ଲାର ନାମକରଣ ହୋଇଛି। କୁହାଯାଏ ସପ୍ତନାଳୀ ବା ସାତ ଗୋଟି ପଲ୍ଲୀର ଶାସକ ଥିଲେ ଢେଙ୍କା ଶବର। ପ୍ରାଚୀନ ସମୟରେ ଏହି ଢେଙ୍କାନାଳ ଅଞ୍ଚଳରେ ଶବର ରାଜା ରୂପେ ସେ ଶାସନ କରୁଥିଲେ। ଅବଶ୍ୟ ତାଙ୍କ ବିଷୟରେ ବିଶେଷ କିଛି ତଥ୍ୟ ଇତିହାସରୁ ମିଳେନାହିଁ ମାତ୍ର ଜଣେ ଶବର ରାଜାଙ୍କ ନାମାନୁସାରେ ଗୋଟେ ଅଞ୍ଚଳର ନାମ କରଣ ହେବା କିଛି ଗୋଟେ ଛୋଟିଆ କଥା ନୁହେଁ। ଏହି ସହର ଆରମ୍ଭରେ ରହିଛି ବଳରାମ ମନ୍ଦିର। ଢେଙ୍କାନାଳ ରାଜବାଟୀ ନିକଟରେ ରହିଛି ପ୍ରସିଦ୍ଧ ସିଦ୍ଧବଳରାମ ଜୀଉଙ୍କ ମନ୍ଦିର। ଏହି ମନ୍ଦିରଟି ଅତି ପ୍ରାଚୀନ ନ ହେଲେ ବି ଷୋଡଶ ଶତାବ୍ଦୀରେ ନିର୍ମିତ ହୋଇଥିବା ଏକ ଭବ୍ୟ ଓ ସୁ ଉଚ୍ଚ ମନ୍ଦିର। ମନ୍ଦିର ଗର୍ଭଗୃହରେ ପାରମ୍ପରିକ ରୂପେ ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କ ପ୍ରତିମା ବଦଳରେ ଦ୍ୱାପର ଯୁଗର କୃଷ୍ଣ ବଳରାମ କଥା ଅନୁଯାୟୀ ବଳରାମ,ଶ୍ରୀକୃଷ୍ଣ,ସୁଭଦ୍ରା,ରୁକ୍ମଣୀ ଓ ସୁଦର୍ଶନ ପୂଜା ପାଉଛନ୍ତି। ଏଥି ସହିତ ମଦନମୋହନ,ଭୂଦେବୀ ଓ ଶ୍ରୀଦେବୀ ମଧ୍ୟ ପୂଜା ହେଉଛନ୍ତି। ଯଦୁବଂଶୀ ରାଜପୁରୁଷ ରୂପେ ଏଠାରେ ବଳରାମ ଓ ଶ୍ରୀକୃଷ୍ଣଙ୍କ ମୁଖ ମଣ୍ଡଳରେ କ୍ଷତ୍ରୀୟ ସୁଲଭ ନିଶ ଦାଢୀ ରହିଛି ଯାହାକି ଅନ୍ୟତ୍ର କେଉଁଠି ଦେଖିବା ବିରଳ। ବଳରାମଙ୍କ ବିଗ୍ରହଟି ପାଷାଣ ମଣି ବିଗ୍ରହ ହୋଇଥିବା ବେଳେ ତାଙ୍କ ମସ୍ତକରେ ସପ୍ତ ଫେଣୀ ଅନନ୍ତନାଗ ରହିଛନ୍ତି। ଇତିହାସରୁ ଯାହା ଜଣାଯାଏ,ଗଙ୍ଗବଂଶୀ ସମ୍ରାଟ ଅନଙ୍ଗଭୀମ ଦେବ ତୃତୀୟ ବଳରାମଙ୍କ ଏହି ମଣି ବିଗ୍ରହକୁ ପ୍ରାଚୀନ ଢେଙ୍କାନାଳର ନାଧରା ନିକଟ ତଳମୂଳଗଡ଼ ଅଞ୍ଚଳରୁ ଭୀମ ନଗରୀଗଡ଼କୁ ଆଣିଥିଲେ। ଦ୍ୱାଦଶ ଶତାବ୍ଦୀ ବେଳକୁ ଏହି ଭୀମ ନଗରୀଗଡ଼ରେ ସେ ଶାସକ ଥିଲେ। ସପ୍ତଫେଣୀ ଅନନ୍ତ ଅବତାର ଶ୍ରୀ ବିଷ୍ଣୁଙ୍କ ବଳଭଦ୍ର ରୂପୀ ଏହି ପ୍ରତିମାକୁ ପୁରୀ ନେବା ବାଟରେ ଅନଙ୍ଗଭୀମ ଦେବ,ହିନ୍ଦୋଳର ଚିତ୍ତଳପୁରଗ୍ରାମରେ ଦଶଖମ୍ବ ମଣ୍ଡପରେ ସ୍ଥାପନ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ବିଧର୍ମୀଙ୍କ ଆକ୍ରମଣକୁ ଦୃଷ୍ଟିରେ ରଖି ସେହି ବିଗ୍ରହଙ୍କୁ କରଡ଼ବିନ୍ଧା ଗ୍ରାମକୁ ସ୍ଥାନାନ୍ତର କରାଯାଇ ପାତାଳି କରାଯାଇଥିଲା। ଷୋଡଶ ଶତାବ୍ଦୀ ବେଳକୁ ବେଶାଳିଆଗଡ଼ର ଶାସକ ଶ୍ରୀଧର ଭଞ୍ଜଙ୍କ ଶାସନ ସମୟରେ କିଛି ଶବରଙ୍କ ଦ୍ୱାରା ମାଟି ଖୋଳା ଯିବା ସମୟରେ ମାଟିତଳୁ ବଳରାମଙ୍କ ବିଗ୍ରହ ଉଦ୍ଧାର କରାଯାଇଥିଲା। ପରବର୍ତ୍ତୀ ସମୟରେ ଶାସକ ହରି ସିଂହ ଶ୍ରୀଧର ଭଞ୍ଜଙ୍କୁ ପରାସ୍ତ କରି ବଳରାମଙ୍କ ଦିବ୍ୟ ପ୍ରତିମାକୁ ଢେଙ୍କାନାଳ ଆଣିଥିଲେ। ଷୋଡଶ ଶତାବ୍ଦୀର ଶେଷାର୍ଦ୍ଧରେ ଏହି ସିଦ୍ଧ ବଳରାମ ମନ୍ଦିର ନିର୍ମାଣ କରି ଠାକୁରଙ୍କୁ ସ୍ଥାପନ କରିଥିଲେ। ରାଜା ନରସିଂହ ଭ୍ରମରବର ଓ ତାଙ୍କ ପୁତ୍ର କୁଞ୍ଜବିହାରୀ ଭ୍ରମରବରଙ୍କ ସମୟରେ ମନ୍ଦିର ମୁଖଶାଳା,ଜଗମୋହନ ଓ ମେଘନାଦ ପ୍ରାଚୀର ଆଦି ନିର୍ମାଣ ହୋଇଥିଲା। ପ୍ରାୟ ନବେ ଫୁଟ ଉଚ୍ଚ ଏହି ମନ୍ଦିରଟି ପଞ୍ଚରଥ ଶୈଳୀରେ ନିର୍ମିତ ଏକ ରେଖ ଶୈଳୀର ମନ୍ଦିର। ଗର୍ଭଗୃହର ଦକ୍ଷିଣ ପାର୍ଶ୍ୱରେ ବାମନ,ପଶ୍ଚିମରେ ନୃସିଂହ ଓ ଉତ୍ତରରେ ବରାହଙ୍କ ପ୍ରତିମା ପୂଜା ପାଉଛନ୍ତି । ଏତଦ ବ୍ୟତୀତ ମନ୍ଦିର ପରିସରରେ ବକୁଳେଶ୍ୱର,ମହାଦେବ,ହନୁମାନ,ଲକ୍ଷ୍ମୀ ଓ ମଙ୍ଗଳାଙ୍କ ମନ୍ଦିର ରହିଛି। ଅବଶ୍ୟ ରାଜା ସୁର ପ୍ରତାପ ଦେବଙ୍କ ଦ୍ୱାରା ପରବର୍ତ୍ତୀ ସମୟରେ ସ୍ୱତନ୍ତ୍ର ଜଗନ୍ନାଥ ମନ୍ଦିର ସେହି ପରିସରରେ ନିର୍ମାଣ କରାଯାଇଛି। ଏହି ସିଦ୍ଧ ବଳରାମ ମନ୍ଦିରଟି ଢେଙ୍କାନାଳ ସହର ପାଇଁ ଗର୍ବ ଓ ଗୌରବ ତଥା ଢେଙ୍କାନାଳ ଜିଲ୍ଲାର ଏକ ପ୍ରମୁଖ ଜଗନ୍ନାଥ ମନ୍ଦିର ରୂପେ ପରିଚିତ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

