ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁ ବର୍ଷ ପରେ କିରାପଲ୍ଲୀ ବାସୀ ଦେଖିବେ ପକ୍କା ରାସ୍ତା: ବିଜୟଲକ୍ଷ୍ମୀ ଶରଣ ପୁର-କିରାପଲ୍ଲୀ-କେଳାପଙ୍କାଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ 

ବହୁ ବର୍ଷ ପରେ କିରାପଲ୍ଲୀ ବାସୀ ଦେଖିବେ ପକ୍କା ରାସ୍ତା: ବିଜୟଲକ୍ଷ୍ମୀ ଶରଣ ପୁର-କିରାପଲ୍ଲୀ-କେଳାପଙ୍କାଳ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କଲେ ବିଧାୟକ 

ବେଲଗୁଣ୍ଠା-୧/୭: ବହୁ ପ୍ରତୀକ୍ଷିତ ବିଜୟଲକ୍ଷ୍ମୀ ଶରଣ ପୁର-କିରାପଲ୍ଲୀ-କେଳାପଙ୍କାଳ ରାସ୍ତା ନିର୍ମାଣ ପାଇଁ ଶେଷରେ ପ୍ରଶାସନିକ ମୋହର ବାଜିଛି। ଏହି ରାସ୍ତାଟି ଦୀର୍ଘ ଦିନ ହେବ ଅତ୍ୟନ୍ତ ଶୋଚନୀୟ ଅବସ୍ଥାରେ ପଡ଼ି ରହିଥିବା ବେଳେ ବିଶେଷ କରି ବର୍ଷା ଦିନେ ଗ୍ରାମବାସୀମାନେ ଯାତାୟାତରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ଏକ ପକ୍କା ରାସ୍ତା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ଗତ ୨୦୨୩ ମସିହାରେ ଗ୍ରାମବାସୀଙ୍କ ଦ୍ୱାରା ଏକ ବଡ଼ ଧରଣର ରାସ୍ତା ରୋକ୍ ଆନ୍ଦୋଳନ ମଧ୍ୟ ହୋଇଥିଲା। ତଥାପି, ତତ୍କାଳୀନ ପ୍ରଶାସନିକ ତଥା ଜନପ୍ରତିନିଧି ସ୍ତରରେ କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇ ନଥିବାରୁ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା।

ରାଜ୍ୟରେ ସରକାର ବଦଳିବା ପରେ ସୋରଡ଼ା ବିଧାୟକ ଶ୍ରୀ ବିଷୋୟୀ ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ। ତାଙ୍କରି ବଳିଷ୍ଠ ପ୍ରଚେଷ୍ଟା ଓ ନିର୍ଦ୍ଦେଶକ୍ରମେ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ଏହି ରାସ୍ତା ନିର୍ମାଣ ପାଇଁ ସରକାରୀ ମଞ୍ଜୁରୀ ମିଳିଛି। ଆଜି ପୂର୍ବାହ୍ନ ପ୍ରାୟ ୧୧.୩୦ ମିନିଟ୍ ସମୟରେ ବିଧାୟକ ଶ୍ରୀ ବିଷୋୟୀ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ କିରାପଲ୍ଲୀ ନିକଟରେ ପହଞ୍ଚିବା ପରେ ସେଠାରେ ଉପସ୍ଥିତ ଶତାଧିକ ଜନସାଧାରଣ ଓ ଦଳୀୟ କର୍ମୀ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜଣାଇ ଆନନ୍ଦର ସହ ପାଛୋଟି ନେଇଥିଲେ। ବହୁ ବର୍ଷର ଦାବି ପୂରଣ ହେଉଥିବାରୁ ଗ୍ରାମବାସୀମାନେ ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ବିଧାୟକଙ୍କ ଏଭଳି ଜନହିତକର କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି।

ଭିତ୍ତିପ୍ରସ୍ତର ସ୍ଥାପନ ପରେ ମାଁ କୁମାର ଶୁଣୀ ପାହାଡ଼ ପାଦଦେଶରେ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ବଙ୍କା ସରପଞ୍ଚ ପ୍ରତିନିଧି ଲକ୍ଷ୍ମଣ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ନିର୍ବାଚନ ମଣ୍ଡଳୀ ଯୁବ ସଙ୍ଗଠକ ତଥା ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, ଉପାଧ୍ୟକ୍ଷା ପ୍ରମିଳା ପ୍ରଧାନ, ପୁର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ସମିତି ସଭ୍ୟ ପ୍ରଫୁଲ୍ଲ ଗୌଡ଼, ଗ୍ରାମ୍ୟ ଉନ୍ନୟନ ସହକାରୀ ନିର୍ବାହୀ ଯନ୍ତ୍ରୀ କୃତି ଦିପନ କର, ଅବସରପ୍ରାପ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁଶାନ୍ତ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ଦୁର୍ଗା ପ୍ରସାଦ ମାଝୀ,ତନରଡା ମଣ୍ଡଳ ସଭାପତି ସଞ୍ଜୟ କୁମାର ଜେନା, ଇଙ୍ଗିନାଠୀ ସରପଞ୍ଚ ଶୁକଦେବ ସ୍ୱାଇଁ, ଏନ୍ଏସି ସାଂସଦ ପ୍ରତିନିଧି ନାରାୟଣ ସାହୁ,ବେଲଗୁଣ୍ଠା ମଣ୍ଡଳ ସାଧାରଣ ସମ୍ପାଦକ ସୁର୍ଯ୍ୟ ନାରାୟଣ ତ୍ରିପାଠୀ, ସମିତି ସଭ୍ୟ ଶ୍ୟାମସୁନ୍ଦର ନାୟକ, ପୁର୍ବତନ ସମିତି ସଭ୍ୟ ପ୍ରଦ୍ୟୁମ୍ନ ପାତ୍ର, ପୁର୍ବତନ ସରପଞ୍ଚ ସଞ୍ଜୟ ପ୍ରଧାନ ଓ ପ୍ରମୋଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

 ଏହି ଅବସରରେ ବିଧାୟକ ନିଜ ବକ୍ତବ୍ୟରେ କହିଥିଲେ ଯେ, ନିଜ ନିର୍ବାଚନ ମଣ୍ଡଳୀରେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ ଓ ପାନୀୟ ଜଳ ଯୋଗାଣ ଭଳି ମୌଳିକ ସେବାକୁ ପ୍ରାଥମିକତା ଦେଇ ବିକାଶମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗତ ଦୁଇ ବର୍ଷ ମଧ୍ୟରେ ଅଞ୍ଚଳରେ ଅନେକ ଜନହିତକର କାର୍ଯ୍ୟ କରାଯାଇଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ବିକାଶ ଧାରା ଜାରି ରହିବ ବୋଲି ପ୍ରତିଶ୍ରୁତି ଦେଇ ସେ ଗ୍ରାମବାସୀ ଓ କର୍ମୀଙ୍କ ସହଯୋଗ ଲୋଡ଼ିଥିଲେ। ଏହି କାର୍ଯ୍ୟକ୍ରମରେ ଅତିଥି ମାନଙ୍କ ସମେତ ବହୁ ପଞ୍ଚାୟତ ସ୍ତରୀୟ କର୍ମୀ, ଜନପ୍ରତିନିଧି, ଗ୍ରାମବାସୀ ଓ ମହିଳା ଉପସ୍ଥିତ ଥିଲେ ।

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

Sunil Chandra Nayak

ଅମର୍ଦାରୋଡ ସମବାୟ ସମିତିର ସାଧାରଣ ସଭା

masiha

ସଂସ୍କୃତି ଓ ପ୍ରଗତିର ଅନନ୍ୟ ମାଟି ହେଉଛି କଳାହାଣ୍ଡି  ଉଦଘାଟିତ ହେଲା କଳା, ସଂସ୍କୃତିର ମହାକୁମ୍ଭ 27 ତମ,କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫

masiha

Leave a Comment

error: Content is protected !!