ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜଳେଶ୍ୱରରେ ଅଭାବନୀୟ ଘଟଣା:ପକ୍ଷାଘାତ ପୀଡ଼ିତ ବୃଦ୍ଧ ମା’ଙ୍କୁ ପୁଅ- ବୋହୁଙ୍କ ନିର୍ଯ୍ୟାତନା, ସମ୍ପତ୍ତି ହଡ଼ପ ପାଇଁ ଘରୁ ବାହାର କଲେ ପୁଅ-ବୋହୂ, ଥାନାରେ ଅଭିଯୋଗ।ଉକ୍ତ ଅଭିଯୋଗକୁ ଦୁଇ ପୁଅଙ୍କ ଖଣ୍ଡନ

ଜଳେଶ୍ୱରରେ ଅଭାବନୀୟ ଘଟଣା:ପକ୍ଷାଘାତ ପୀଡ଼ିତ ବୃଦ୍ଧ ମା’ଙ୍କୁ ପୁଅ- ବୋହୁଙ୍କ ନିର୍ଯ୍ୟାତନା, ସମ୍ପତ୍ତି ହଡ଼ପ ପାଇଁ ଘରୁ ବାହାର କଲେ ପୁଅ-ବୋହୂ, ଥାନାରେ ଅଭିଯୋଗ।ଉକ୍ତ ଅଭିଯୋଗକୁ ଦୁଇ ପୁଅଙ୍କ ଖଣ୍ଡନ

ଜଳେଶ୍ୱର,୩/୭-(ମନିସ): ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ଅନ୍ତର୍ଗତ ଗୋବରଘାଟା ଗ୍ରାମରେ ଏକ ହୃଦୟ ବିଦାରକ ତଥା ଅଭାବନୀୟ ଘଟଣା ସାମ୍ନାକୁ ଆସିଛି।ଜମିଜମା ଏବଂ ବ୍ୟାଙ୍କ ଟଙ୍କା ଆତ୍ମସାତ କରିବା ଆଶାରେ ନିଜ ଜନ୍ମକଲା ପୁଅ,ବୋହୂ ଓ ଦେଓର ମିଶି ଜଣେ ଅସହାୟ ପକ୍ଷାଘାତ ରୋଗୀ ଏବଂ ତାଙ୍କ ବୃଦ୍ଧା ସ୍ତ୍ରୀଙ୍କୁ ଅକଥନୀୟ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ ହୋଇଛି।ଏ ନେଇ ପୀଡ଼ିତା ବୃଦ୍ଧା ମୁଖ୍ୟମନ୍ତ୍ରୀ, ବାଲେଶ୍ୱର ଜିଲ୍ଲାପାଳ, ଏସପି ଏବଂ ଜଳେଶ୍ୱର ଥାନା ଅଧିକାରୀଙ୍କ ନିକଟରେ ଲିଖିତ ଅଭିଯୋଗ କରି ନ୍ୟାୟ ଭିକ୍ଷା କରିଛନ୍ତି।ଗୋବରଘାଟା ଗ୍ରାମର ଗଙ୍ଗାରାମ ପାଳ (୬୫) ଦୀର୍ଘ ଦିନ ହେବ ପକ୍ଷାଘାତ ରୋଗରେ ପୀଡ଼ିତ ହୋଇ ଶଯ୍ୟାଶାୟୀ ଅଛନ୍ତି।ଶାରୀରିକ ଓ ମାନସିକ ସ୍ଥିତି ଠିକ୍ ନ ଥିବାରୁ ସେ ନିଜର ସମ୍ପତ୍ତି ଓ ବ୍ୟାଙ୍କ ଖାତା ବୁଝାସୁଝା କରିବାକୁ ସମ୍ପୂର୍ଣ୍ଣ ଅକ୍ଷମ।ତାଙ୍କର ଏହି ଅସହାୟତାର ସୁଯୋଗ ନେଇ ପରିବାର ଲୋକେ ଚକ୍ରାନ୍ତ ଆରମ୍ଭ କରିଥିଲେ।ବୃଦ୍ଧା ସ୍ତ୍ରୀ ପୂର୍ଣ୍ଣିମା ପାଳ (୬୦)ଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କର ଦୁଇ ପୁତ୍ର ସୁଧାଂଶୁ ଶେଖର ପାଳ ଓ ହିମାଂଶୁ ଶେଖର ପାଳ ଏବଂ ଦୁଇ ବୋହୂ ରୁନୀ ପାଳ ଓ ପିଙ୍କି ପାଳ ସେମାନଙ୍କୁ ପେଟପୁରା ଖାଇବାକୁ ଦେଉ ନାହାନ୍ତି।ଅସୁସ୍ଥ ପିତାଙ୍କ ଚିକିତ୍ସା କରିବା ଦୂରର କଥା, ଓଲଟା ସମ୍ପତ୍ତି ନିଜ ନାମରେ କରିବାକୁ ବିଭିନ୍ନ ସମୟରେ ଧମକ ଚମକ ଦେଉଛନ୍ତି।ଗଙ୍ଗାରାମଙ୍କ ଦୁଇ ସାନଭାଇ ଶାନ୍ତରାମ ପାଳ ଓ ହରେରାମ ପାଳ ମଧ୍ୟ ଭାଇଙ୍କ ସମ୍ପତ୍ତି ମାରିନେବା ଉଦ୍ଦେଶ୍ୟ ରଖି ପୁଅ-ବୋହୂଙ୍କୁ ସହଯୋଗ କରୁଥିବା ଅଭିଯୋଗ ହୋଇଛି।ଗତ ୫.୬.୨୦୨୬ ରିଖ ରାତିରେ ଏହି ବେଆଇନ କାର୍ଯ୍ୟକୁ ବିରୋଧ କରିବାରୁ ଅଭିଯୁକ୍ତମାନେ ପୂର୍ଣ୍ଣିମା ପାଳଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଗଳା ଚାପି ଶ୍ୱାସରୁଦ୍ଧ କରିବାକୁ ଚେଷ୍ଟା କରିଥିଲେ ଏବଂ ମାଡ଼ ମାରି ଘରୁ ବାହାର କରି ଦେଇଥିଲେ।ନିର୍ଯ୍ୟାତିତ ହେବା ପରେ ବୃଦ୍ଧା ଜଣକ ବର୍ତ୍ତମାନ ନିଜ ପିତ୍ରାଳୟରେ ଆଶ୍ରୟ ନେଇଛନ୍ତି।ତାଙ୍କ ଅନୁପସ୍ଥିତିରେ ଅସହାୟ ବୃଦ୍ଧ ସ୍ୱାମୀଙ୍କର କୌଣସି ସେବାଶୁଶ୍ରୂଷା କରାଯାଉ ନାହିଁ କିମ୍ବା ତାଙ୍କୁ ସ୍ୱାମୀଙ୍କ ପାଖକୁ ଯିବାକୁ ଦିଆଯାଉ ନାହିଁ।ବୃଦ୍ଧଙ୍କ ଅକ୍ଷମତାର ସୁଯୋଗ ନେଇ ବଳପୂର୍ବକ ଟିପଚିହ୍ନ ବା ସ୍ୱାକ୍ଷର ନେଇ ବ୍ୟାଙ୍କରୁ ଟଙ୍କା ଉଠାଇବା ଏବଂ ଜମି ହସ୍ତାନ୍ତର କରିବାର ବଡ଼ ଆଶଙ୍କା ରହିଛି।

ସୂଚନାଯୋଗ୍ୟ ଯେ, ପୂର୍ବରୁ ମଧ୍ୟ ଏହିଭଳି ମାରପିଟ ଯୋଗୁଁ ଅସହ୍ୟ ହୋଇ ପୂର୍ଣ୍ଣିମା ପାଳ ଜଳେଶ୍ୱର ଥାନାରେ ଅଭିଯୋଗ କରିଥିଲେ। ଗତ ତା-୨୫.୨.୨୦୨୩ ରିଖରେ ଜଳେଶ୍ୱର ଥାନା କେସ୍ ନଂ-୮୮ ଅନୁଯାୟୀ ସୁଧାଂଶୁ ପାଳ ଓ ତାଙ୍କ ସ୍ତ୍ରୀଙ୍କ ବିରୁଦ୍ଧରେ ଏକ ମୋକଦ୍ଦମା ରୁଜୁ ହୋଇ ବର୍ତ୍ତମାନ ତାହା ଅଦାଲତରେ ବିଚାରଧୀନ ରହିଛି।ଏଭଳି ପରିସ୍ଥିତିରେ ଜୀବନ ବିକଳରେ ଥିବା ବୃଦ୍ଧ ଦମ୍ପତିଙ୍କୁ ସୁରକ୍ଷା ପ୍ରଦାନ କରିବା ସହ ଅଭିଯୁକ୍ତମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ସମ୍ପତ୍ତିକୁ ଜବରଦସ୍ତ ହସ୍ତାନ୍ତର ପ୍ରକ୍ରିୟାରୁ ରୋକିବାକୁ ପୀଡ଼ିତା ପ୍ରଶାସନ ନିକଟରେ ଆକୁଳ ନିବେଦନ କରିଛନ୍ତି।ତେବେ ଏହି ଘଟଣା ସମ୍ପର୍କରେ ବଡ ପୁଅ ସୁଧାଂଶୁ ଶେଖର ପାଳ ଓ ସାନ ପୁଅ ହିମାଂଶୁ ଶେଖର ପାଳଙ୍କ ସହ ଯୋଗାଯୋଗ କରିବାରୁ ସେମାନେ କହିଛନ୍ତି ମା’ଙ୍କ ଅଭିଯୋଗ ସଂପୂର୍ଣ୍ଣ ମିଥ୍ୟା ଓ ଭିତ୍ତିହୀନ ।ଜେଜେବାପାଙ୍କ ନାମରେ ଥିବା ସମ୍ପତ୍ତି ବାପା ବିକ୍ରି କରିଛନ୍ତି।ସେହି ଜମି ବିକ୍ରି ଟଙ୍କାକୁ ହାତେଇବା ପାଇଁ ଆମର ଦୁଇ ଜଣ ନିର୍ଦ୍ଦିଷ୍ଟ ସମ୍ପର୍କୀୟ ଆମ ଦୁଇ ଭାଇ ବିରୋଧରେ ମା’ଙ୍କୁ ମତାଉଛନ୍ତି। ବାପା-ମା’ଙ୍କ ସେବା ଶୁଶ୍ରୁଷା ଆମ ଦାୟିତ୍ଵ।ଅନ୍ୟପକ୍ଷରେ ଏହି ମାମଲାଟି ଅଧିକ ସମ୍ବେଦନଶୀଳ ହୋଇ ଥିବାରୁ ଜଳେଶ୍ଵର ଥାନାରେ ଉଭୟ ପକ୍ଷକୁ ନେଇ ଏକ ବୈଠକ ମଧ୍ୟ ଅନୁଷ୍ଠିତ ହୋଇଛି।ଖବର ଲେଖା ହେବା ଯାଏଁ କୌଣସି ନିଷ୍କର୍ଷ ବାହାରି ପାରିନାହିଁ।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ବଡାମତଳିଆ ଓଡ଼ିଶା ବ୍ୟାଙ୍କ ମେନେଜରଙ୍କ କାର୍ଯ୍ଯରେ ଅତିଷ୍ଠ ହୋଇ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା 

masiha

ଉତ୍କଳ ସାଂସ୍କୃତିକ ପରିଷଦର ୩୪ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ

masiha

ଗଣିତ ଓ ବିଜ୍ଞାନ ଶିକ୍ଷକଙ୍କ ପଦୋନ୍ନତି ବଦଳିରେ ସିନିୟର ଏସ୍ ଇ ଏସ୍ ପ୍ରଧାନଶିକ୍ଷକ ପଦବୀରେ ଯୋଗଦାନ:ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଆନନ୍ଦିତ 

Leave a Comment

error: Content is protected !!