ଉପଖଣ୍ଡ ସ୍ତରୀୟ ରଥଯାତ୍ରା ସମନ୍ୱୟ ବୈଠକ
ବ୍ରହ୍ମପୁର,୦୪/୦୭ ଶାନ୍ତି ଶୃଙ୍ଖଳାର ସହ ରଥଯାତ୍ରା ଆୟୋଜନ ଉପରେ ଗୁରୁତ୍ବାରୋପ କରାଯାଇଛି l ଏଥି ନିମନ୍ତେ ବ୍ରହ୍ମପୁର ଉପ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମନ୍ବୟ ବୈଠକ ଉପ ଜିଲ୍ଲାପାଳ ଅବିନାଶ କୁମାର ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଆମନ୍ତ୍ରିତ ସମସ୍ତ ମନ୍ଦିର କମିଟିର ସଭାପତି ଓ ସଂପାଦକ ଏବଂ ବିଭାଗୀୟ ଅଧିକାରୀଗଣ ବୈଠକରେ ଉପସ୍ଥିତ ଥିଲେ l ବିଭାଗୀୟ ଅଧିକାରୀ ଏବଂ ମନ୍ଦିର କମିଟି ମଧ୍ୟରେ ସମନ୍ବୟ ରକ୍ଷା ସହ ରଥଯାତ୍ରାର ସୁପରିଚାଳନା ନିମନ୍ତେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା l ନବଦିନାତ୍ମକ ରଥଯାତ୍ରା ସମୟରେ ରଥଯାତ୍ରାଠାରୁ ଆରମ୍ଭ କରି ନିଳାଦ୍ରୀ ବିଜେ ପର୍ଯ୍ୟନ୍ତ ଦିନ ଗୁଡିକର ବିଶେଷତ୍ଵ ଅନୁଯାୟୀ ବିଭାଗୀୟ ପ୍ରସ୍ତୁତି ତଥା ଆୟୋଜନ ଉପରେ ଉପ ଜିଲ୍ଲାପାଳ ପର୍ଯ୍ୟାୟ କ୍ରମେ ଆଲୋଚନା କରିଥିଲେ l ମନ୍ଦିର କମିଟିର ବିଭିନ୍ନ ଆପତ୍ତି ଅଭିଯୋଗ ଉପରେ ଦାୟିତ୍ୱରେ ଥିବା ଅଧିକାରୀ କିପରି ଏହାର ନିରାକରଣ କରିପାରିବେ, ଏ ଦିଗରେ ପରାମର୍ଶ ଦେଇଥିଲେ l ଜିଲ୍ଲା ମାଜିଷ୍ଟ୍ରେଟ୍ ଙ୍କ ତତ୍ତ୍ବାବଧାନରେ ଆରକ୍ଷୀ ବାହିନୀଙ୍କ ଦ୍ୱାରା ଆଇନଶୃଙ୍ଖଳା ରକ୍ଷା, ରଥଯାତ୍ରା ପରିଚାଳନାରେ ତହସିଲଦାରଙ୍କ ଦାୟିତ୍ୱ, ଟ୍ରାଫିକ୍ ପରିଚାଳନା, ଇଣ୍ଟେଲିଜେନ୍ସ ବ୍ୟୁରୋ ସହାୟତା, ସି.ସି. ଟିଭି ନିରୀକ୍ଷଣ, ପରିମଳ ବ୍ୟବସ୍ଥା, ସମ୍ଭାବିତ ଅଧିକ ଜନସମାବେଶ ତଥା ସମ୍ବେଦନଶୀଳ ସ୍ଥାନ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା, ପରିଚୟ ପତ୍ର ସହ ସ୍ୱୟଂସେବକ ମୁତୟନ, ପାର୍କିଙ୍ଗ୍ ବ୍ୟବସ୍ଥା, ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ଼ ନିର୍ମାଣ, ଅଗ୍ନି ନିରାପତ୍ତା, ସର୍ବୋପରି ସନ୍ଧ୍ୟା ପରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ଉପରେ ବିଶେଷ ଧ୍ୟାନ ଦେବାକୁ ସେ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥି ସହ ଉପସ୍ଥିତ ପୂଜା କମିଟିର ସଭାପତି ଓ ସଂପାଦକ ଏବଂ ବିଭାଗୀୟ ଅଧିକାରୀଙ୍କ ଠାରୁ ରଥନିର୍ମାଣ ଫିଟନେସ୍, ରଥଯାତ୍ରାକାଳୀନ ସତର୍କତା, ରଥ ପଥରେ ଥିବା ଅବ୍ୟବସ୍ଥିତ ବିଦ୍ୟୁତ୍ ଅବା ଅନ୍ୟାନ୍ୟ ତାର ଗୁଡିକର ସାମୟିକ ଅପସାରଣ ପୂର୍ବକ ରଥଯାତ୍ରା ଏବଂ ବାହୁଡ଼ା ଯାତ୍ରାର ସୁସମାପନ ନିମନ୍ତେ ଆବଶ୍ୟକତାର ପରିପୂରଣ ଉପରେ ସେ ଜୋର୍ ଦେଇଥିଲେ l ରଥଯାତ୍ରା ଆୟୋଜନ କମିଟିର ସମସ୍ତ ସଭାପତି ଏବଂ ସଂପାଦକଙ୍କ ସମେତ ମହାନଗର ନିଗମର ଡେପୁଟି କମିଶନର, ଟାଉନ୍, ସଦର, ଚିକିଟି ଏବଂ ଟ୍ରାଫିକ୍ ଏସ୍.ଡ଼ି.ପି.ଓ, ବ୍ରହ୍ମପୁର, ପାତ୍ରପୁର ଏବଂ ଚିକିଟି ତହସିଲଦାର, ବୈଦ୍ୟନାଥପୁର, କେ. ନୂଆଗାଁ, ଜରଡ଼ା, ଟ୍ରାଫିକ୍ ଆଇ.ଆଇ.ସି, ରେଳବାଇ ଓ ଟିପିଏସ୍ଓଡିଏଲ୍ ର ଏସ୍.ଇ., ଆସିଷ୍ଟାଣ୍ଟ ଫାୟାର୍ ଅଫିସର୍, ସି.ଡ଼ି.ଏମ୍ ଏବଂ ପିଏଚ୍ଓ ର ଏ.ଡ଼ି.ପି.ଏଚ୍.ଓ ବୈଠକରେ ଯୋଗଦେଇଥିଲେ l

