ବଦଳି ପରେ ବି ଗାଦି ଛାଡ଼ୁନାହାନ୍ତି ବନ ଅଧିକାରୀ! ସରକାରୀ ନିର୍ଦ୍ଦେଶକୁ ନେଇ ଉଠିଲା ପ୍ରଶ୍ନ
ରାୟଗଡ଼ା: ରାୟଗଡ଼ା ବନଖଣ୍ଡରେ ବଦଳି ଆଦେଶ ଜାରି ହେବା ପରେ ମଧ୍ୟ କିଛି ବନ ଅଧିକାରୀ ନୂତନ କାର୍ଯ୍ୟସ୍ଥଳରେ ଯୋଗ ନଦେଇ ପୂର୍ବ କାର୍ଯ୍ୟସ୍ଥଳରେ ରହୁଥିବା ଅଭିଯୋଗ ସାମ୍ନାକୁ ଆସିଛି। ଏହାକୁ ନେଇ ବନ ବିଭାଗରେ ବିଭିନ୍ନ ମହଳରେ ଚର୍ଚ୍ଚା ଓ ଅସନ୍ତୋଷ ପ୍ରକାଶ ପାଉଛି।
ଉପଲବ୍ଧ ସରକାରୀ ରେକର୍ଡ ଅନୁଯାୟୀ, ସହକାରୀ ବନ ସଂରକ୍ଷକ (ACF) ଶ୍ରୀ ସନ୍ଦୀପ ପୃଷ୍ଟି ୯ ଅକ୍ଟୋବର ୨୦୧୯ରୁ ୨୮ ଜୁନ ୨୦୨୩ ପର୍ଯ୍ୟନ୍ତ କାଶୀପୁର ବନାଞ୍ଚଳରେ କାର୍ଯ୍ୟରତ ଥିଲେ। ପରେ ସେ ୨୦୨୩ ମସିହାରୁ ରାୟଗଡ଼ା ବନଖଣ୍ଡରେ ଏସିଏଫ୍ ଭାବେ କାର୍ଯ୍ୟ କରୁଛନ୍ତି। ଅର୍ଥାତ୍ ରାୟଗଡ଼ା ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳ ସାତ ବର୍ଷରୁ ଅଧିକ ହୋଇଛି।
ବନ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଚିଠି ସଂଖ୍ୟା FE-FE2-FE-0037-2019-13343, ତାରିଖ ୧୫ ଜୁନ ୨୦୨୬ ଅନୁସାରେ ତାଙ୍କୁ ନବରଙ୍ଗପୁର କେନ୍ଦୁପତ୍ର ବନଖଣ୍ଡକୁ ବଦଳି କରାଯାଇଥିବା ଜଣାପଡ଼ିଛି। କିନ୍ତୁ ବଦଳି ଆଦେଶ ଜାରି ହେବା ପରେ ମଧ୍ୟ ସେ ଏପର୍ଯ୍ୟନ୍ତ ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇନଥିବା ଏବଂ ବିଭିନ୍ନ ବାହାନା ଦେଖାଉଥିବା ଅଭିଯୋଗ ହେଉଛି।
ଏହି ଘଟଣା କେବଳ ଜଣେ ଅଧିକାରୀଙ୍କ ମଧ୍ୟରେ ସୀମିତ ନୁହେଁ ବୋଲି ବିଭାଗୀୟ ମହଳରେ ଚର୍ଚ୍ଚା ହେଉଛି। ସୂଚନା ଅନୁସାରେ, ଗୁଡାରି ବନାଞ୍ଚଳରେ ଡେପୁଟି ରେଞ୍ଜର ଭାବେ କାର୍ଯ୍ୟରତ ଥିବା ଜଣେ ଅଧିକାରୀ ଦୀର୍ଘ ସମୟ ଧରି ଗୁଣୁପୁର ବନାଞ୍ଚଳର ଭାରପ୍ରାପ୍ତ ରେଞ୍ଜର ଭାବେ ମଧ୍ୟ ଦାୟିତ୍ୱ ସମ୍ଭାଳୁଥିଲେ। ପରେ ସେ ଡେପୁଟି ରେଞ୍ଜରରୁ ରେଞ୍ଜର ପଦକୁ ପଦୋନ୍ନତି ପାଇବା ପରେ ତାଙ୍କୁ ଭବାନୀପାଟଣା ସିଲ୍ଭିକଲଚର ଡିଭିଜନକୁ ବଦଳି କରାଯାଇଥିଲା। ତେବେ ବଦଳି ଆଦେଶ ଜାରି ହୋଇସାରିଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ପୂର୍ବ କାର୍ଯ୍ୟସ୍ଥଳର ଦାୟିତ୍ୱ ଛାଡ଼ି ନୂତନ କାର୍ଯ୍ୟସ୍ଥଳରେ ଯୋଗ ଦେଇନଥିବା ଅଭିଯୋଗ ହେଉଛି।
ଏହାକୁ ନେଇ ପ୍ରଶ୍ନ ଉଠୁଛି, ଯଦି ଜଣେ ଅଧିକାରୀଙ୍କ ବଦଳି ଆଦେଶ ଜାରି ହୋଇସାରିଛି, ତେବେ ସେ କେଉଁ ଆଧାରରେ ପୂର୍ବ ପଦବୀରେ କାର୍ଯ୍ୟ ଜାରି ରଖିଛନ୍ତି? ସରକାରୀ ଆଦେଶର କାର୍ଯ୍ୟକାରିତାକୁ ବିଳମ୍ବ କରିବା ପଛରେ କୌଣସି ପ୍ରଶାସନିକ କାରଣ ରହିଛି କି, ନା ଅନ୍ୟ କୌଣସି ପ୍ରଭାବ କାମ କରୁଛି? ଗୁଡାରିର “ଗାଦି” କାହାର ପ୍ରଶ୍ରୟରେ ଛାଡ଼ୁନାହାନ୍ତି ବୋଲି ମଧ୍ୟ ବିଭାଗୀୟ ମହଳରେ ପ୍ରଶ୍ନ ଉଠୁଛି। ଏହି ସମସ୍ତ ଘଟଣାର ସ୍ପଷ୍ଟୀକରଣ ଦେବାକୁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଦାବି କରାଯାଉଛି।
ବଦଳି ନୀତି କ’ଣ କହୁଛି?
ଓଡ଼ିଶା ସରକାରଙ୍କ ପ୍ରଚଳିତ ବଦଳି ନୀତି ଅନୁଯାୟୀ, କୌଣସି ଅଧିକାରୀ କିମ୍ବା କର୍ମଚାରୀ ଗୋଟିଏ କାର୍ଯ୍ୟସ୍ଥଳରେ ସାଧାରଣତଃ ୩ ବର୍ଷରୁ ଅଧିକ ସମୟ ରହିପାରିବେ ନାହିଁ। ସେହିପରି ଗ୍ରୁପ୍–’ଏ’ ଓ ଗ୍ରୁପ୍–’ବି’ ଅଧିକାରୀମାନଙ୍କ ପାଇଁ ଗୋଟିଏ ଜିଲ୍ଲାରେ ସର୍ବାଧିକ ୬ ବର୍ଷ ଏବଂ ଗ୍ରୁପ୍–’ସି’ କର୍ମଚାରୀଙ୍କ ପାଇଁ ଗୋଟିଏ ବ୍ଲକ୍ କିମ୍ବା ତହସିଲରେ ସର୍ବାଧିକ ୬ ବର୍ଷ କାର୍ଯ୍ୟକାଳର ବ୍ୟବସ୍ଥା ରହିଛି।
ଏହାସହ ବଦଳି ଆଦେଶ ଜାରି ହେବା ପରେ ସମ୍ପୃକ୍ତ ଅଧିକାରୀଙ୍କୁ ତୁରନ୍ତ ରିଲିଭ୍ କରାଯିବା ଏବଂ ଓଡ଼ିଶା ସର୍ଭିସ କୋଡ୍ରେ ଉଲ୍ଲେଖିତ ନିର୍ଦ୍ଧାରିତ Joining Time ମଧ୍ୟରେ ନୂତନ କାର୍ଯ୍ୟସ୍ଥଳରେ ଯୋଗଦେବା ଆବଶ୍ୟକ ବୋଲି ସରକାରୀ ନିୟମରେ ସ୍ପଷ୍ଟ ଉଲ୍ଲେଖ ରହିଛି।
ଏଭଳି ପରିସ୍ଥିତିରେ ଜଣେ ଗ୍ରୁପ୍–’ଏ’ ଅଧିକାରୀ ସାତ ବର୍ଷରୁ ଅଧିକ ସମୟ ଧରି ଏକେ ଜିଲ୍ଲାରେ କାର୍ଯ୍ୟରତ ରହିବା ଏବଂ ବଦଳି ଆଦେଶ ଜାରି ହେବା ପରେ ମଧ୍ୟ ନୂତନ କାର୍ଯ୍ୟସ୍ଥଳରେ ଯୋଗ ନଦେବା ସହିତ ଅନ୍ୟ ଜଣେ ପଦୋନ୍ନତିପ୍ରାପ୍ତ ରେଞ୍ଜର ମଧ୍ୟ ବଦଳି ପରେ ପୂର୍ବ କାର୍ଯ୍ୟସ୍ଥଳ ଛାଡ଼ି ନଥିବା ଅଭିଯୋଗ ପ୍ରଶାସନିକ ମହଳରେ ବିଭିନ୍ନ ପ୍ରଶ୍ନ ସୃଷ୍ଟି କରିଛି। ବଦଳି ନୀତି ଓ ସରକାରୀ ନିର୍ଦ୍ଦେଶର ସଠିକ୍ ପାଳନ ହେଉଛି କି ନାହିଁ, ସେନେଇ ସମ୍ପୃକ୍ତ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଆବଶ୍ୟକ ବୋଲି ମତ ପ୍ରକାଶ ପାଉଛି।
ତେବେ, ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ଉଭୟ ଅଧିକାରୀଙ୍କ ପକ୍ଷ କିମ୍ବା ବିଭାଗୀୟ ସ୍ପଷ୍ଟୀକରଣ ମିଳିପାରିନାହିଁ। ସେମାନଙ୍କ ପ୍ରତିକ୍ରିୟା ମିଳିଲେ ତାହାକୁ ମଧ୍ୟ ଗୁରୁତ୍ୱ ସହକାରେ ପ୍ରକାଶ କରାଯିବ।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

