ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩ ଜଣ ଏମବିବିଏସ ଡାକ୍ତରଙ୍କ ଭରସାରେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି 

୩ ଜଣ ଏମବିବିଏସ ଡାକ୍ତରଙ୍କ ଭରସାରେ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର,

ଘଣ୍ଟା ଘଣ୍ଟା ଧରି ଅପେକ୍ଷାରେ ରୋଗୀ; ଅଧିକ ଡାକ୍ତର ନିଯୁକ୍ତି ଦାବି 

ହିଞ୍ଜିଳିକାଟୁ, ୨୯/୭: ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ବ୍ଲକ୍‌ ଅନ୍ତର୍ଗତ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସେବା ଗୁରୁତର ଭାବେ ପ୍ରଭାବିତ ହେଉଥିବା ଅଭିଯୋଗ ହୋଇଛି। ବୁଧବାର ପୂର୍ବାହ୍ନ ପ୍ରାୟ ୧୧ଟା ସମୟରେ ଚିକିତ୍ସାରେ ବିଳମ୍ବକୁ ନେଇ ରୋଗୀ ଓ ସେମାନଙ୍କ ପରିବାରବର୍ଗଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । 

ଦୂରଦୂରାନ୍ତରୁ ଚିକିତ୍ସା ପାଇଁ ଆସିଥିବା ଅନେକ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଅପେକ୍ଷା କରିବା ସତ୍ତ୍ୱେ ଠିକ୍ ସମୟରେ ଡାକ୍ତରଙ୍କୁ ଦେଖାଇ ପାରିନଥିବାରୁ କ୍ଷୋଭ ପ୍ରକାଶ କରିଥିଲେ। ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବେଲଗାଁ ସମେତ ଆଖପାଖର ବହୁ ପଞ୍ଚାୟତର ହଜାର ହଜାର ଲୋକ ନିର୍ଭରଶୀଳ। ପ୍ରତିଦିନ ଶତାଧିକ ରୋଗୀ ଏଠାକୁ ଚିକିତ୍ସା ପାଇଁ ଆସୁ ଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନଥିବାରୁ ସକାଳୁ ପଞ୍ଜୀକରଣ କରିବା ପରେ ମଧ୍ୟ ସେମାନଙ୍କୁ ଦୀର୍ଘ ସମୟ ଧରି ଅପେକ୍ଷା କରିବାକୁ ପଡ଼ୁଛି। ବିଶେଷକରି ବୃଦ୍ଧ, ଗର୍ଭବତୀ ମହିଳା, ଶିଶୁ ଓ ଗୁରୁତର ରୋଗୀମାନେ ଏହାର ସବୁଠାରୁ ଅଧିକ ପ୍ରଭାବିତ ହେଉଛନ୍ତି। କେତେକ କ୍ଷେତ୍ରରେ ଦୀର୍ଘ ସମୟ ଅପେକ୍ଷା ପରେ ମଧ୍ୟ ଚିକିତ୍ସା ନପାଇ ନିରାଶ ହୋଇ ଘରକୁ ଫେରିଯାଉଥିବା ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନଙ୍କ କହିବା ଅନୁସାରେ, ସମୟୋପଯୋଗୀ ଚିକିତ୍ସା ନମିଳିବା ଯୋଗୁଁ ସାଧାରଣ ଲୋକ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ହସ୍ତକ୍ଷେପ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପକ୍ଷରେ, ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକାଲ ଅଧିକାରୀ କହିଛନ୍ତି ଯେ, କେନ୍ଦ୍ରରେ ବର୍ତ୍ତମାନ ମାତ୍ର ୩ ଜଣ ଏମବିବିଏସ ଡାକ୍ତର କାର୍ଯ୍ୟରତ ଅଛନ୍ତି। ପ୍ରତିଦିନ ବହୁ ସଂଖ୍ୟକ ରୋଗୀଙ୍କ ଚିକିତ୍ସା ସହ ଜରୁରୀକାଳୀନ ଓ ଅତ୍ୟାବଶ୍ୟକ ସେବାକୁ ପ୍ରଥମେ ପ୍ରାଥମିକତା ଦେବାକୁ ପଡ଼ୁଛି। ସୀମିତ ସଂଖ୍ୟକ ଡାକ୍ତରଙ୍କ ଉପରେ ଅତ୍ୟଧିକ କାର୍ଯ୍ୟଭାର ପଡ଼ୁଥିବାରୁ ସାଧାରଣ ବିଭାଗରେ ଚିକିତ୍ସା ସେବାରେ ବିଳମ୍ବ ଘଟୁଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

ଏପରି ପରିସ୍ଥିତିରେ ସ୍ଥାନୀୟ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ଅଞ୍ଚଳବାସୀ ବେଲଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ତୁରନ୍ତ ଅଧିକ MBBS ଡାକ୍ତର ଓ ଆବଶ୍ୟକ ସ୍ୱାସ୍ଥ୍ୟକର୍ମୀ ନିଯୁକ୍ତି କରିବାକୁ ଦାବି କରିଛନ୍ତି। ଡାକ୍ତର ଅଭାବ ଦୂର ନହେଲେ ଆଗାମୀ ଦିନରେ ଚିକିତ୍ସା ସେବା ଆହୁରି ବ୍ୟାହତ ହେବା ସହ ହଜାର ହଜାର ଲୋକଙ୍କ ଦୁର୍ଭୋଗ ବଢ଼ିବ ବୋଲି ସେମାନେ ଆଶଙ୍କା ପ୍ରକାଶ କରିଛନ୍ତି।

Related posts

ମହିଳା ସରପଞ୍ଚ ଚାମେଲୀ ଓଝାଙ୍କୁ ନ୍ୟାୟ ମିଳିବା ପାଇଁ ଓଡିଶା ମାନବ ଅଧିକାର ଆୟୋଗ ଙ୍କ ନିକଟରେ ଏକ ମାମଲା ଦାଏର କଲା ଜାତୀୟ ମାନବ ଅଧିକାର ସାମ୍ମୁଖ୍ୟ ସଂଗଠନ 

Sunil Chandra Nayak

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ଯାଳୟ ଏବଂ ମଡେଲ ଡିଗ୍ରୀ କଲେଜ ଠାରେ ଆଇସେକ୍ଟ୍ ଦ୍ୱାରା କୌଶଳ ବିକାଶ ଯାତ୍ରା ଆୟୋଜିତ 

masiha

ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ” ନିଶାମୁକ୍ତ ଓଡିଶା ଅଭିଯାନ” ପାଳିତ 

Sunil Chandra Nayak

Leave a Comment

error: Content is protected !!