ରାୟଗଡ଼ା ରେଳ ମଣ୍ଡଳର ପଣ୍ୟ ପରିବହନରେ ରେକର୍ଡ ସଫଳତା
ଜୁଲାଇରେ ପଣ୍ୟ ବୋଝେଇ ୧୩.୪୫% ଓ ରେକ୍ ଲୋଡିଂ ୧୧.୩୨% ବୃଦ୍ଧି; ଭିତ୍ତିଭୂମି ବିକାଶରେ ମଧ୍ୟ ବଡ଼ ସଫଳତା
ରାୟଗଡ଼ା, ୦୩ ଅଗଷ୍ଟ: ପୂର୍ବତଟ ରେଳପଥର ରାୟଗଡ଼ା ରେଳ ମଣ୍ଡଳ ୨୦୨୬ ଜୁଲାଇ ମାସରେ ପଣ୍ୟ ପରିବହନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଗତ ବର୍ଷର ସମାନ ଅବଧି ତୁଳନାରେ ପଣ୍ୟ ବୋଝେଇ ଓ ରେକ୍ ଲୋଡିଂ ଉଭୟ କ୍ଷେତ୍ରରେ ଦୁଇ ଅଙ୍କ ବିଶିଷ୍ଟ ଅଭିବୃଦ୍ଧି ରେକର୍ଡ କରି ମଣ୍ଡଳ ନିଜର କାର୍ଯ୍ୟଦକ୍ଷତାର ନୂଆ ମାନଦଣ୍ଡ ସ୍ଥାପନ କରିଛି।
ଜୁଲାଇ ୨୦୨୬ରେ ରାୟଗଡ଼ା ରେଳ ମଣ୍ଡଳ ପକ୍ଷରୁ ମୋଟ ୭୮୭ଟି ରେକ୍ ଲୋଡିଂ କରାଯାଇଥିବା ବେଳେ, ୨୦୨୫ ଜୁଲାଇରେ ଏହି ସଂଖ୍ୟା ୭୦୭ଟି ଥିଲା। ଅର୍ଥାତ୍ ୮୦ଟି ଅଧିକ ରେକ୍ ଲୋଡିଂ ସହ ୧୧.୩୨ ପ୍ରତିଶତ ଅଭିବୃଦ୍ଧି ହାସଲ କରାଯାଇଛି।
ସେହିପରି ପଣ୍ୟ ବୋଝେଇ ୨.୭୫ ନିୟୁତ ଟନ୍ (MT) ରୁ ବୃଦ୍ଧି ପାଇ ୩.୧୨ ନିୟୁତ ଟନ୍ରେ ପହଞ୍ଚିଛି। ଏହା ୦.୩୭ ନିୟୁତ ଟନ୍ ଅର୍ଥାତ୍ ୧୩.୪୫ ପ୍ରତିଶତ ବୃଦ୍ଧିକୁ ପ୍ରତିଫଳିତ କରୁଛି।
ରେଳ ମଣ୍ଡଳର ପ୍ରମୁଖ ପଣ୍ୟ ଭାବେ ଲୌହପଥର ପରିବହନ ସର୍ବାଧିକ ଅବଦାନ ରଖିଛି। ଜୁଲାଇ ୨୦୨୬ରେ ଲୌହପଥର ବୋଝେଇ ୨.୨୮ ନିୟୁତ ଟନ୍ରେ ପହଞ୍ଚିଥିବା ବେଳେ, ଗତ ବର୍ଷ ତୁଳନାରେ ୦.୪୦ ନିୟୁତ ଟନ୍ ଅର୍ଥାତ୍ ୨୧.୩ ପ୍ରତିଶତ ବୃଦ୍ଧି ହୋଇଛି। ସେହିଭଳି ବକ୍ସାଇଟ୍ ଲୋଡିଂ ୦.୧୭ ନିୟୁତ ଟନ୍ରୁ ବୃଦ୍ଧି ପାଇ ୦.୧୯ ନିୟୁତ ଟନ୍ରେ ପହଞ୍ଚି ୧୧.୮ ପ୍ରତିଶତ ଅଭିବୃଦ୍ଧି ରେକର୍ଡ କରିଛି।
ପଣ୍ୟ ପରିବହନରେ ସଫଳତା ସହିତ ମଣ୍ଡଳ ଜୁଲାଇ ମାସରେ ୨୦ଟି ଟ୍ରେନ୍-ଅନ୍-ଡିମାଣ୍ଡ (TOD) ସ୍ୱତନ୍ତ୍ର କୋଚିଂ ଟ୍ରେନ୍ ସଫଳତାର ସହ ପରିଚାଳନା କରିଛି। ଏହା ଯାତ୍ରୀ ସୁବିଧା ବୃଦ୍ଧି ସହ ପରିଚାଳନା ଦକ୍ଷତାକୁ ଆହୁରି ସୁଦୃଢ଼ କରିଛି।
ଭିତ୍ତିଭୂମି ବିକାଶ କ୍ଷେତ୍ରରେ ମଧ୍ୟ ମଣ୍ଡଳ ଗୁରୁତ୍ୱପୂର୍ଣ୍ଣ ସଫଳତା ହାସଲ କରିଛି। କାମଲୁର (KMLR)–ଭାନ୍ସି (BHNS) ମଧ୍ୟରେ ୧୨.୪୨୮ କି.ମି. ଏବଂ ବାଇଗୁଡ଼ା (BGUA)–କାକିରିଗୁମା (KKGM) ମଧ୍ୟରେ ୧୨.୩୮୫ କି.ମି. ରେଳ ସେକ୍ସନରେ ଗୁରୁତ୍ୱପୂର୍ଣ୍ଣ ନନ୍-ଇଣ୍ଟରଲକିଂ (NI) କାର୍ଯ୍ୟ ସଫଳତାର ସହ ସମ୍ପନ୍ନ ହୋଇଛି। ଏହା ରେଳ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ସହ ଭବିଷ୍ୟତରେ ପରିବହନ କ୍ଷମତା ବୃଦ୍ଧି ପାଇଁ ମାର୍ଗ ପ୍ରଶସ୍ତ କରିଛି।
ରେଳ ମଣ୍ଡଳର ଏହି ସଫଳତା ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପୂର୍ଣ୍ଣ ପ୍ରୟାସ, ପଣ୍ୟ ପରିବହନ ଗ୍ରାହକଙ୍କ ସହ ସଫଳ ସମନ୍ୱୟ ଏବଂ କାର୍ଯ୍ୟ ପରିଚାଳନାରେ ନିରନ୍ତର ଉତ୍କର୍ଷତାର ପ୍ରତିଫଳନ ବୋଲି ମତ ପ୍ରକାଶ ପାଇଛି।
ରାୟଗଡ଼ା ରେଳ ମଣ୍ଡଳ ପ୍ରବନ୍ଧକ ଶ୍ରୀ ଅମିତାଭ ସିଂଘଲ ଏହି ଉଲ୍ଲେଖନୀୟ ସଫଳତା ପାଇଁ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ ପଣ୍ୟ ପରିବହନ କ୍ଷେତ୍ରରେ ଉନ୍ନତ ପ୍ରଦର୍ଶନ ପାଇଁ ସେମାନଙ୍କର ନିଷ୍ଠା ଓ କଠିନ ପରିଶ୍ରମର ପ୍ରଶଂସା କରିବା ସହ ଆଗାମୀ ଦିନରେ ମଧ୍ୟ ଏହି ଅଭିବୃଦ୍ଧିର ଧାରାକୁ ବଜାୟ ରଖି ମଣ୍ଡଳର କାର୍ଯ୍ୟ ପରିଚାଳନା ଦକ୍ଷତା ଏବଂ ଗ୍ରାହକ ସେବାକୁ ଆହୁରି ସୁଦୃଢ଼ କରିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

