ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହର ଘର ତିରଙ୍ଗା’ ଅଭିଯାନ ଅନ୍ତର୍ଗତ ଖରିଆର ରୋଡ୍‌ରେ ବିଶାଳ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

‘ହର ଘର ତିରଙ୍ଗା’ ଅଭିଯାନ ଅନ୍ତର୍ଗତ ଖରିଆର ରୋଡ୍‌ରେ ବିଶାଳ ତିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ 

ନୂଆପଡ଼ା,୧୧.୦୮. ‘ହର ଘର ତିରଙ୍ଗା’ ଅଭିଯାନ ଅବସରରେ ଖରିଆର ରୋଡ୍ ଏନ୍‌ଏସି ପକ୍ଷରୁ ଏକ ବିଶାଳ ତିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି। ଦେଶପ୍ରେମ, ଜାତୀୟ ଏକତା ଓ ଜାତୀୟ ପତାକା ପ୍ରତି ସମ୍ମାନର ବାର୍ତ୍ତା ନେଇ ଆୟୋଜିତ ଏହି ଶୋଭାଯାତ୍ରାରେ ଶହ ଶହ ନାଗରିକଙ୍କ ଉତ୍ସାହପୂର୍ଣ୍ଣ ଅଂଶଗ୍ରହଣ ଖରିଆର ରୋଡ୍ ସହରକୁ ଦେଶପ୍ରେମର ଉତ୍ସାହରେ ଭରିଦେଇଥିଲା।ଏନ୍‌ଏସି କାର୍ଯ୍ୟାଳୟ ପରିସରରୁ ଆରମ୍ଭ ହୋଇଥିବା ଏହି ଶୋଭାଯାତ୍ରାରେ ଏନ୍‌ଏସି ଅଧ୍ୟକ୍ଷା ଡ. ସୋନିଆ ଜୈନ, ଉପାଧ୍ୟକ୍ଷ ନିଶାନ୍ତ ଡାଗା ଓ କାର୍ଯ୍ୟନିର୍ବାହୀ ଅଧିକାରୀ କୁରୁକ୍ଷେତ୍ର ନାଏକଙ୍କ ସମେତ ସମସ୍ତ କାଉନସିଲର, ଏନ୍‌ଏସି କର୍ମଚାରୀ, ସାଂସଦଙ୍କ ପ୍ରତିନିଧି, ସିଆର୍‌ପିଏଫ୍‌ CN-216 ବାଟାଲିୟନର ଯବାନ, ପୁଲିସ କର୍ମଚାରୀ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା, ଅଙ୍ଗନୱାଡି କର୍ମୀ, ସ୍ୱଚ୍ଛ ସାଥୀ, ଜଳ ସାଥୀ, ଗୁରୁକୁଳ ଆଶ୍ରମ ଆମସେନାର ଛାତ୍ରଛାତ୍ରୀ, ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସମେତ ବହୁ ସଂଖ୍ୟକ ସହରବାସୀ ଯୋଗଦେଇଥିଲେ।ଏହି ଅବସରରେ ନୂଆପଡ଼ା ବିଧାୟକ ଜୟ ଢୋଲକିଆ, ଏସ୍‌ଡିସି ଅଧ୍ୟକ୍ଷ ହୋମସିଂହ ମାଝୀ, ବିଜେପି କାର୍ଯ୍ୟକାରିଣୀ ସଦସ୍ୟ ଅଭିନନ୍ଦନ ପଣ୍ଡା ଓ ପ୍ରସନ୍ନ ପାଢ଼ୀ ମଧ୍ୟ ଶୋଭାଯାତ୍ରାରେ ସାମିଲ ହୋଇଥିଲେ।ହାତରେ ତ୍ରିରଙ୍ଗା ଧରି ଦେଶପ୍ରେମର ସ୍ଲୋଗାନ ଦେଇ ଅଂଶଗ୍ରହଣକାରୀମାନେ ଏନ୍‌ଏସି କାର୍ଯ୍ୟାଳୟରୁ ସହରର ବିଭିନ୍ନ ରାସ୍ତା ଦେଇ ଖରିଆର ରୋଡ୍ ରେଳ ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିଥିଲେ। ଦେଶଭକ୍ତିମୂଳକ ସଙ୍ଗୀତ, ‘ଭାରତ ମାତା କି ଜୟ’ ଧ୍ୱନି ଓ ତ୍ରିରଙ୍ଗାର ଶୋଭାରେ ସମଗ୍ର ସହର ଉତ୍ସବମୁଖର ହୋଇଉଠିଥିଲା।

ହର ଘର ତିରଙ୍ଗା’ ଅଭିଯାନ ମାଧ୍ୟମରେ ଜାତୀୟ ପତାକା ପ୍ରତି ପ୍ରତ୍ୟେକ ନାଗରିକଙ୍କ ଭାବନାତ୍ମକ ସମ୍ପର୍କକୁ ଦୃଢ଼ କରିବା, ଦେଶପ୍ରେମର ଭାବନାକୁ ଜାଗ୍ରତ କରିବା ଏବଂ ଜାତୀୟ ଏକତା ଓ ରାଷ୍ଟ୍ର ନିର୍ମାଣ ପ୍ରତି ସାମୂହିକ ପ୍ରତିବଦ୍ଧତାକୁ ସୁଦୃଢ଼ କରିବାର ବାର୍ତ୍ତା ଦିଆଯାଇଥିଲା। ଖରିଆର ରୋଡ୍‌ରେ ଆୟୋଜିତ ଏହି ବିଶାଳ ତିରଙ୍ଗା ଶୋଭାଯାତ୍ରା ଦେଶପ୍ରେମ ଓ ଜାତୀୟ ଏକତାର ଭାବନାକୁ ଆହୁରି ଉଜ୍ଜୀବିତ କରିଥିଲା।

Related posts

କାମାକ୍ଷାନଗର ରେ ବିଶ୍ୱ ବରା ଦିବସ

Sunil Chandra Nayak

ପାପଡାହାଣ୍ଡି ବ୍ଳକରେ ମହା ଦୁର୍ନୀତିର ପର୍ଦ୍ଦାଫାଶ କଲେ ସୁକାନ୍ତ ନାଗ:ଭିଜିଲାନ୍ସ ତଦନ୍ତ ପାଇଁ କଲେ ଅବଗତ

Sunil Chandra Nayak

ସୁନ୍ଦରଗଡ ଲେଖକ ସାମୁଖ୍ଯର ମାସିକ ସାହିତ୍ଯ ଆସର

Sunil Chandra Nayak

Leave a Comment

error: Content is protected !!