ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଓଡିଶା ଗଡ଼ଜାତ ଇତିହାସରେ ଢେଙ୍କାନାଳ ଗଡ଼ଜାତ ସ୍ଥାପନ ତଥ୍ୟ ,୨- ବାବା ବୁଦ୍ଧେଶ୍ୱର,ପଶ୍ଚିମେଶ୍ବର,ସିଦ୍ଧ ଶମ୍ଭୁ,ସିଦ୍ଧ ଶମ୍ଭୁନାଥ,ଆକାଶ ଲିଙ୍ଗ,ପାତାଳ ଲିଙ୍ଗ ଓ ଉତ୍ତରେଶ୍ୱର ମହାଦେବ ମନ୍ଦିର, ୩- ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଅଭିଯୋଗ, ୪ – ଅଗଷ୍ଟ ୧୫ ପାଇଁ ମଶାଲ ଶୋଭାଯାତ୍ରା, ୫- ତୁମୁସିଙ୍ଗା ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର

ଓଡିଶା ଗଡ଼ଜାତ ଇତିହାସରେ ଢେଙ୍କାନାଳ ଗଡ଼ଜାତ ସ୍ଥାପନ ତଥ୍ୟ

ଢେ଼ଙ୍କାନାଳ – ଢେଙ୍କା ବୀରଙ୍କ ହତ୍ୟା ତଥା ତାଙ୍କରି ନାମ ଅନୁସାରେ ଗଡ଼ର ନାମକରଣ। ଗଡ଼ର ବୀର ପ୍ରତାପୀ ରାଜା ତ୍ରିଲୋଚନ ମହେନ୍ଦ୍ର ବହାଦୁରଙ୍କ ବର୍ଗି ମାନଙ୍କ ସହ ଯୁଦ୍ଧ ତଥା ଯତନନଗର ରାଜ ପ୍ରସାଦ ନିର୍ମାଣ ଏବଂ ଢେଙ୍କାନାଳ ପ୍ରଜାମେଳିର ଆରମ୍ଭ ସମ୍ପର୍କରେ ସଂକ୍ଷିପ୍ତ ଆଲୋଚନା।

ଢେଙ୍କାନାଳ ଗଡ଼ଜାତଟି ଆମ ରାଜ୍ୟର ମଧ୍ୟଭାଗରେ ଅବସ୍ଥିତ ଜାହା ଆମ ରାଜଧାନୀ ଭୁବନେଶ୍ୱର ଠାରୁ ମାତ୍ର ୫୦ ରୁ ୬୦ କି.ମି ଦୂରରେ ଅବସ୍ଥିତ। ପୂର୍ବେ ଉକ୍ତ ଗଡ଼ଟିର ନାମ ଢେଙ୍କାନାଳ ନାମିତ ପୂର୍ବରୁ ଏହି ଅଞ୍ଚଳ ଆଜିର ଅନୁଗୁଳ,ହିନ୍ଦୋଳ,ତାଳଚେର ପର୍ଯ୍ୟନ୍ତ ବିସ୍ତାର ଥିଲା। ଯାହାଙ୍କୁ ଓଡିଶାର ପୂର୍ବାଞ୍ଚଳ ବୋଲି କୁହାଯାଉଥିଲା। ଉକ୍ତ ଅଞ୍ଚଳ ଗୁଡ଼ିକରୁ ମିଳୁଥିବା ତାମ୍ରପତ୍ର ତଥା ଶିଳାଲେଖା ମାନଙ୍କର ତଥ୍ୟ ଅନୁସାରେ ଏହାର ସୀମା ଏକ ସମୟରେ ବ୍ରହ୍ମଦେଶ ପଯ୍ୟନ୍ତ ବିସ୍ତାର ଥିଲା। ଢେଙ୍କାନାଳ ବ୍ୟତୀତ ପୂର୍ବେ ଏହା ଅନେକ ନାମରେ ପ୍ରସିଦ୍ଧ ଥିଲା ଯଥା-ଦଶାର୍ଣ୍ଣ ପ୍ରଦେଶ,କରମୂଳ ମଣ୍ଡଳ,ଝାଡଖଣ୍ଡ,କୋଦାଦଳ ମଣ୍ଡଳ,ଯମଗର୍ଭ ମଣ୍ଡଳ,ଭୀମନଗରୀ ଦଣ୍ଡପାଟ,ଓଡ୍ରବିଷୟ। ଏହା ଆମ ରାଜ୍ୟର ପୁରାଣ ପ୍ରସିଦ୍ଧ ବ୍ରାହ୍ମଣି ନଦୀ କୁଲରେ ଅବସ୍ଥିତ। ଏହାର ଇତିହାସ ବହୁତ ପୁରୁଣା। ପ୍ରକୃତରେ ଏହା କେବେ ଏବଂ କାହା ଦ୍ୱାରା ସ୍ଥାପନ କରାଯାଇଥିଲା ତାହା ଆଜିଯାଏ କୌଣସି ଐତିହାସିକ ସଠିକ ଉପସ୍ଥାପନା କରି ପାରି ନାହାନ୍ତି।

ଓଡିଶା ଇତିହାସକାର ଡକ୍ଟର ହରେକୃଷ୍ଣ ମେହେତାବ,ଶ୍ରୀଯୁକ୍ତ କୃପାସିନ୍ଧୁ ମିଶ୍ର ତଥା ଢେଙ୍କାନାଳ ଇତିହାସ ଲେଖକ ପଣ୍ଡିତ ରାମଚନ୍ଦ୍ର ନନ୍ଦ ଏବଂ ପଣ୍ଡିତ ଅନ୍ତର୍ଯ୍ୟାମୀ ମିଶ୍ରଙ୍କ ତଥ୍ୟ ଏବଂ ଢେଙ୍କାନାଳ ରାଜ୍ୟର “ବଳରାମ ବୋଲି’ ଅନୁସାରେ,ଉକ୍ତ ପୂର୍ବାଞ୍ଚଳଟି ଓଡିଶା ରାଜ୍ୟର ତତ୍କାଳୀନ ଶାସକ ଭୋମ୍ୟକର,କେଶରୀ,ଗଙ୍ଗ,ସୂର୍ଯ୍ୟ ବଂଶ ଆଦିର ଶାସକ ମାନଙ୍କ ଦ୍ୱାରା ପ୍ରତକ୍ଷ୍ୟ ଶାସନ ଦ୍ୱାରା ସାଶୀତ ହେଉଥିଲା। ଏହା ବ୍ୟତୀତ,ନାଗ,ଶୁଳ୍କୀ(ସ୍ତମ୍ଭ), ଭଞ୍ଜ ଆଦି ବଂଶର ରାଜା ମାନଙ୍କ ଦ୍ୱାରା ଏହାର କିଛି ଅଞ୍ଚଳ ଶାସିତ ହେଉଥିଲା।ଦେଖିବାକୁ ଗଲେ ଉକ୍ତ ଗଡା଼ଜାତଟି ସମ୍ପୂର୍ଣ୍ଣ ପାହାଡ଼ିଆ ଜଙ୍ଗଲମୟ ଅଞ୍ଚଳ ହୋଇଥିବାରୁ ଏହାର ପ୍ରାୟ ଅଞ୍ଚଳ ଶବର,କନ୍ଧ,ଗଣ୍ଡ ଆଦି ଜାତିର ରାଜା ମାନଙ୍କ ଦ୍ୱାରା ଶାସିତ ହେଉଥିଲା। ୟେ ସମସ୍ତ ରାଜା ମାନଙ୍କ ଶାସନ ସମୟରେ ଢେଙ୍କାନାଳ ଗଡ଼ଜାତରେ ଅନେକ ଅକ୍ଷୟ କୀର୍ତ୍ତି ସ୍ଥାପନ କରାଯାଇଥିଲା। ତନ୍ମମଧ୍ୟରୁ ଓଡିଶାର ଗଙ୍ଗ ବଂଶ ମହାରାଜା ପ୍ରଥମ ନରସିଂହ ଦେବଙ୍କ ଦ୍ୱାରା ନିର୍ମିତ୍ତ କପିଳାସ ଗିରି ବିଜେ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବଙ୍କ ମନ୍ଦିର। ତୃତୀୟ ଅନଙ୍ଗ ଭୀମ ଦେବଙ୍କ ଦ୍ୱାରା ସ୍ଥାପିତ ତଥା ଶ୍ରୀଧର ଭଞ୍ଜଙ୍କ ଦ୍ୱାରା ପୁନଃ ଉଦ୍ଧାର କରାଯାଇଥିବା ଶ୍ରୀ ଶ୍ରୀ ବଳଦେବ ଜୀଉ ଦେବ ଏବଂ ଭୀମନଗରୀ,ଭୋମ୍ୟକର ବଂଶର ରାଣୀ ଭୁବନ ଭୋମ୍ୟଦେବୀଙ୍କ ଦ୍ୱାରା ସ୍ଥାପିତ” ଭୁବନ’ ଭଳି ପ୍ରସିଦ୍ଧ ଗ୍ରାମ,ସନ୍ଥ କବି ଭୀମଭୋଇଙ୍କ ପବିତ୍ର ଯୋରନ୍ଦା ପୀଠ ହେଉଛି ଅନ୍ୟତମ। ଏହା ବ୍ୟତୀତ ଢେଙ୍କାନାଳ ମା ଗଜଲକ୍ଷ୍ମୀ ପୂଜା ହେଉଛି ଓଡିଶା ପ୍ରସିଦ୍ଧ । 

।। ବୀର ସହିଦ ବାଜିରାଉତ ।।

ଓଡିଶା ସ୍ୱାଧୀନତା ସଂଗ୍ରାମର ପ୍ରଥମ ସ୍ୱଳ୍ପ ବୟସ ସହିଦ ବୀର ଶ୍ରୀ ବାଜି ରାଉତଙ୍କ ଆବିର୍ଭାବ ୧୯୨୬ ମସିହା ଅକ୍ଟୋବର ୫ ତାରିଖରେ ଏହି ପବିତ୍ର ଭୂମିରେ ହୋଇଥିଲା। ଯାହାଙ୍କ ବଳିଦାନ ପାଇଁ ଆଜି ଆମେ ସାରା ଓଡିଶା ବାସି ଗର୍ବିତ। ଜିଏ ତତ୍କାଳୀନ ବିଶ୍ଵ ବିଜେତା ଇଂରେଜ ସରକାରଙ୍କ ଆଧୁନିକ ଅସ୍ତ୍ରଶସ୍ତ୍ର ସଜିତ ସିପାହୀ ମାନଙ୍କୁ ତିଳେ ମାତ୍ର ଭୟ କରିନଥିଲେ | ନିଜ ମାତୃଭୂମିର ସ୍ୱାଧୀନତା ନିମନ୍ତେ ତା୧୧/୧୦/୧୯୩୮ ମସିହା ମାତ୍ର ୧୨ ବର୍ଷ ବୟସରେ ସେ ଆତ୍ମ ବଳିଦାନ ଦେଇ ଓଡିଶା ଇତିହାସରେ ସବୁଦିନ ପାଇଁ ଅମର ହୋଇ ରହିଯାଇଛନ୍ତି। 

ଢେଙ୍କାନାଳ ରାଜ୍ୟରେ ଆଦିବାସୀ ଶବର ମାନଙ୍କ ରାଜତ୍ୱ ଏବଂ ଢେଙ୍କା ବୀରଙ୍କ ହତ୍ୟା ତଥା ତାଙ୍କରି ନାମନୁସାରେ ଆଜିର ଢେଙ୍କାନାଳ ରାଜ୍ୟ ନାମ କରଣ । ଢେଙ୍କାନାଳ ଇତିହାସ ଅନୁସାରେ ଉକ୍ତ ଅଞ୍ଚଳ ପୂର୍ବେ ଏକ ଅଧିବାସୀ,କନ୍ଧ,ଶବର ଅଧୁଷିତ ଅଞ୍ଚଳ ଥିଲା ଯେଉଁଠାରେ ବନବାସୀମାନେ ଦଳଦଳ ହୋଇ ବସଵାସ କରୁଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଦଳପତି ଭାବେ ସ୍ୱୀକୃତି ଦେଇ ତାଙ୍କ ଅଧୀନରେ ସେମାନେ ଶାସିତ ହେଉଥିଲେ। ପରେ କ୍ଷତ୍ରୀୟ/ ଖଣ୍ଡାୟତ ମାନଙ୍କ ଆଗମନରେ ରାଜ୍ୟର ରୂପରେଖ ତଥା ଶାସନ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଥିଲା। ଭୁ ତତ୍ୱବିତ ମାନଙ୍କ ମତରେ ଏଠାକାର ମୂଳ ଆଦିବାସୀ ମାନଙ୍କ ମଧ୍ୟରେ ଯୁଆଙ୍ଗ,ପାତୁଆ,କୋଲ୍ଲ,ମଲାଈ,ଭୂମିଜ,ସାନ୍ତାଳ,ଗଣ୍ଡ,ଆଦି ପ୍ରମୁଖ ଥିଲେ। ସେମାନଙ୍କ ମଧ୍ୟରେ ଗଣ୍ଡ ମାନେ ନିଜକୁ ରାଜା ବୋଲାଇ ତଥା ନିଜକୁ କ୍ଷତ୍ରିୟ ପରିଚୟ ଦେଇ ଶାସନ କରୁଥିଲେ। ଗଣ୍ଡ ମାନେ କ୍ଷତ୍ରୀୟ ରାଜା ମାନଙ୍କ ଭଳି ସିଂହ ସଂଜ୍ଞା ଧାରଣ କରି ରାଜାଭିଷେକ ହେବା ସହ ପଇତା ବ୍ୟବହାର କରୁଥିଲେ। ଏମାନେ ମୁଖ୍ୟତଃ ବ୍ରାହ୍ମଣି ନଦୀର ଉତ୍ତର ପାର୍ଶ୍ୱରେ ଵାସ କରୁଥିଲେ। ପରେ ଶୁଳ୍କୀ ବଂଶର ସ୍ତମ୍ଭ ରାଜା ଜୟ ସିଂହ ଏମାନେଙ୍କୁ ଯୁଦ୍ଧରେ ପରାସ୍ତ ତଥା ନିହତ କରି ନିଜକୁ”ସକଳ ଗୋନ୍ଦମାଧିପତି”ରୂପେ ଘୋଷଣା କରିଥିଲେ। ଉକ୍ତ ଗଣ୍ଡ ଜାତିର ଶାସକ ମାନେ ଏଠାରେ କାଇଁ କେଉଁ ପ୍ରାଚୀନ କାଳରୁ ପ୍ରାୟ ସପ୍ତମ,ଅଷ୍ଟମ ସତାଦ୍ଧି ପର୍ଯ୍ୟନ୍ତ ନିରବଛିନ୍ନ ଭାବେ ଶାସନ କରିଥିଲେ। ସେହିପରି ବ୍ରାହ୍ମଣି ନଦୀର ଦକ୍ଷିଣ ଭାଗକୁ ଦୁଇଭାଗରେ ବିଭକ୍ତ କରାଗଲେ ପୂର୍ବ ଦକ୍ଷିଣ ଭାଗରେ ଡମ ରାଜା ମାନଙ୍କର ଆଧିପତ୍ୟ ଥିଲା। ଯାହାର ପ୍ରମାଣ ସ୍ୱରୂପ ବର୍ତମାନର ଗଦିଆ ନିକଟରେ ଥିବା ଜଙ୍ଗଲ ମଧ୍ୟର “ଡମରାଜ କଟକ” ଆଜି ଭି ବିଦ୍ୟମାନ ।ଇତିହାସକାର ମାନଙ୍କ ମତରେ ଏହି ସ୍ଥାନ ସେ ସମୟର ଡମ ରାଜା ମାନଙ୍କର ରାଜଧାନୀ ହୋଇ ଥାଇପାରେ। ଏବଂ ଦକ୍ଷିଣାଞ୍ଚଳରେ ଶବର ଜାତିର ପ୍ରଜା ମାନଙ୍କ ଅଧୀନରେ ଥିଲା। ଇତିହାସ କୁହେ ଉକ୍ତ ଶବର ଜାତିର ଳୋକ ମାନେ ଅତୀବ ସାହସୀ ତଥା ବଳଶାଳୀ ଏବଂ ଦୁର୍ଦଶ ଥିଲେ। ଏମାନେ ନିଜ ଦଳପତି ତଥା ମୁଖିଆଙ୍କୁ ନିଜର ଈଶ୍ଵର ମାନୁଥିଲେ। ଯାହାଙ୍କୁ ସମୁଖ ଯୁଦ୍ଧରେ ପରାସ୍ତ ଅସମ୍ଭବ ଥିଲେ। ଏକ ସମୟରେ ଏହି ଦଳର ମୁଖିଆ ବା ରାଜା ଥାନ୍ତି “ଢେଙ୍କା “ନାମକ ଏକ ବୀର ଶବର ଏବଂ ଏହାଙ୍କ କନିଷ୍ଠ ଭ୍ରାତା ଥାନ୍ତି ଵିଲଙ୍କା ନାମକ ଅନ୍ୟ ଏକ ବୀର ଶବର। କନିଷ୍ଠ ଵିଲଙ୍କା ଶବର,ଭଗବାନ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ବିରାଜିତ କପିଳାସ ପର୍ବତର ପୂର୍ବ ଦିଗରରେ “ଵିଲଙ୍କାଗଡ଼”ନାମରେ ଏକ ଗଡ଼ ବସାଇ ସେଠାରୁ ନିଜ ପ୍ରଜାଙ୍କୁ ଶାସନ କରୁଥିଲେ। ଯାହାର ପ୍ରମାଣ ସ୍ୱରୂପ ଆଜିଭି ଉକ୍ତ ସ୍ଥାନରେ ଥିବା ତାଙ୍କ ଭଗ୍ନ ଦୁର୍ଗ ଏବଂ ନିର୍ଜଳ ଗଡ଼ଖାଇ ରହିଅଛି । ଢେଙ୍କାନାଳ ଇତିହାସ କୁହେ ୟେ ଶବର ବଂଶର ରାଜାମାନେ ଢେଙ୍କାନାଳ ଅଞ୍ଚଳରେ ପ୍ରାଚୀନ କାଳରୁ ପ୍ରାୟ ଅଷ୍ଟମ ଶତାଦ୍ଧି ପର୍ଯ୍ୟନ୍ତ ନିରବଛୀନ୍ନ ଭାବରେ ଶାସନ କରିଥିଲେ। ଯେଉଁମାନଙ୍କ ମଧ୍ୟରେ ଢେଙ୍କା ଶବର ଥିଲେ ଶ୍ରେଷ୍ଠ ଶବର ରାଜା। ପ୍ରଥମ ମତ :- ବିଶିଷ୍ଟ ଐତିହାସିକ ତଥା ଲେଖକ ପଣ୍ଡିତ ବିନାୟକ ମିଶ୍ରଙ୍କ ଦ୍ୱାରା ଲିଖିତ ପୁସ୍ତକ “Dynasties Of Medival Orissa “ଜାହା District Gazzetteer, Dhenkanal ” ଦ୍ୱାରା ସମର୍ଥିତ ତଥା ସ୍ୱୀକୃତି ପ୍ରାପ୍ତ । ଉକ୍ତ ପୁସ୍ତକର ୩୨ ପୃଷ୍ଠାରେ ମହାଶୟ ଢେଙ୍କାନାଳ ସ୍ଥାପନ ପଛର ତଥ୍ୟ ସୂଚିତ କରିଛନ୍ତି ତାଙ୍କ ମତ ଅନୁସାରେ,–“ଆଜିର ଢେଙ୍କାନାଳର କୋଦାଦଳ ( ତତ୍କାଳୀନ ରାଜାଙ୍କ ରାଜଧାନୀ ଥିଲା ) ଠାରେ ଅଷ୍ଟମ ଶତାଦ୍ଧିରରେ ଶାସନ କରୁଥିବା ଶୁକ୍ଲୀ ବଂଶର ରାଜା କାଞ୍ଚନ ସ୍ତମ୍ଭଙ୍କର ପୁତ୍ର ପ୍ରଥମ କୁଳସ୍ତମ୍ବ ” ଢେଙ୍କା “ନାମକ ଶବରଙ୍କୁ ପରାସ୍ତ ଏବଂ ନିହତ କରି ନିଜକୁ” ବିକ୍ରମାଦିତ୍ୟ ” ପଦଵୀରେ ଭୂଷିତ କରି ନିଜକୁ ଗର୍ବ ଅନୁଭୂତି କଲେ “। ଏହା ସହ ଉକ୍ତ ଅଞ୍ଚଳରେ ଶବର ଶାସନର ଅନ୍ତ ଘଟାଇ ତାହାକୁ ନିଜ ରାଜ୍ୟ ସୀମା ସହ ମିସାଇଲେ। କିମ୍ବଦନ୍ତୀ କହେ ରାଜା ଉକ୍ତ ଶବର ରାଜାଙ୍କ ଶେଷ ଇଛାକୁ ସନ୍ନମାନ ଦେଇ ତାଙ୍କ କଟିତ ମୁଣ୍ଡକୁ ସେଠାରେ ସ୍ଥାପନ କରିଥିଲେ ଏବଂ ଏହାର ନାମ ଢେଙ୍କାପିଢ଼ ରଖିଥିଲେ। ସ୍ଥାନୀୟ ଳୋକଙ୍କ ଆଜି ଭି ବିଶ୍ୱାସ ରହି ଆସିଛି,ଉକ୍ତ ସ୍ଥାନ ନିକଟରେ ଥିବା ବୃହତ ପ୍ରସ୍ତର ଖଣ୍ଡଟି ହେଉଛି ସେଇ ଶବର ରାଜା ଢେଙ୍କା ବୀରଙ୍କ ମସ୍ତକ। 

ଦ୍ୱିତୀୟ ମତ :- ଢେଙ୍କାନାଳ ଇତିହାସ ତଥା ସେଠାକାର ଜନଶ୍ରୁତି କୁହେ ଖ୍ରୀ: ଅ ୧୫୬୮ ମସିହାର କଥା,ଉକ୍ତ ଅଞ୍ଚଳରେ ” ଢେଙ୍କା “ନାମକ ଜଣେ ଶବର ରାଜା ଶାସନ କରୁଥିଲେ। ଯାହାଙ୍କ ବିରୋତ୍ୱରେ ସେ ପାଖାପାଖି ଗଡ଼ର ରାଜା ମାନେ ଭୟରେ ଥିଲେ। ଏକଦା ଉକ୍ତ ଅଞ୍ଚଳ ପାଖରେ ଥିବା ବେଶାଳିଆ ଗଡ଼ର ରାଜା ଥାନ୍ତି ବୀର ଶ୍ରୀଧର ଭଞ୍ଜ। ସେ ଭି ଥିଲେ ପ୍ରବଳ ପ୍ରତାପୀ ତଥା ଯୁଦ୍ଧ ପ୍ରିୟ । ଢେଙ୍କାଙ୍କୁ ସମୁଖ ଯୁଦ୍ଧରେ ପରାସ୍ତ ଅସମ୍ଭବ ଥିବାରୁ ସେ ଏକ ଉପାୟ ପାଞ୍ଚିଲେ। ପାହାଡ଼ ଉପରେ ଥିବା ପିଢ଼ ଉପରେ ଢେଙ୍କା ବିଶ୍ରାମ ନେଉଥାନ୍ତି। ଶୁଣାଯାଏ ସେ ସମୟରେ ବୀର ନିରସ୍ତ୍ର ତଥା ବିଶ୍ରାମରେ ରହିଥାନ୍ତି। ରାଜା ଏହା ନିଶ୍ଚୟ ହେବା ପାଇଁ ସ୍ଥାନୀୟ ଏକ ଗଉଡ଼ୁଣୀକୁ ହାତେଇଲେ। ରାଜାଙ୍କ ଉପାୟ ମୁତାବକ ଗଉଡ଼ୁଣୀ ଢେଙ୍କାପିଢ଼କୁ ଜାଇ ବିରଙ୍କୁ ଦହି ଯାଚିବ। ଜଦି ସେ ନିରସ୍ତ୍ର ଥିବ ତେବେ ଦହି ଅଛି ଡାକିବ ନଚେତ ଦହି ନାହିଁ ବୋଲି କହିବ । ଦୁର୍ଭାଗ୍ୟକୁ ସେତେବେଳେ ବୀର ନିରସ୍ତ୍ର ଥିଲେ ଏବଂ ଯୋଜନା ମୁତାବକ ଗଉଡ଼ୁଣୀ ଠୁ ୟେ ସୂଚନା ପାଇଁ ରାଜା ଶ୍ରୀଧର ଭଞ୍ଜ ନିଜ ସୈନ୍ୟ ବଳ ସହ ପିଢ଼କୁ ଆକ୍ରମଣ କରି ଢେଙ୍କାଙ୍କୁ ବନ୍ଦୀ କଲେ ଏବଂ ପରେ ତାହାଙ୍କ ଶିର ଛେଦ କରି ହତ୍ୟା କଲେ। ଶେଷ ସମୟରେ ଢେଙ୍କା ବୀର ଏକ କଥା ରାଜାଙ୍କୁ କହିଥିଲେ,ଏହା ଯେ,-ମୋ ମୃତ ମୁଣ୍ଡକୁ ଏଠାରେ ପୋତି ପୂଜା କରିବା ସହ ମୋ ନାମରେ ଏହି ରାଜ୍ୟର ନାମ ରଖିବ, ନଚେତ ମୋ ଅଭିଶାପରେ ତୁମେ ୟେ ରାଜ୍ୟ ଭୋଗ କରି ପାରିବ ନାହିଁ। କିନ୍ତୁ ରାଜା ଏ ସବୁଙ୍କୁ ମାନି ନଥିଲେ। ବୋଧ ହୁଏ ସେହି କାରଣରୁ ସେ ବେଶିଦିନ ଏଠାରେ ଶାସନ କରି ପାରି ନଥିଲେ। ମୁସଲମାନ ଶାସକ ମାନଙ୍କ ଆକ୍ରମଣ ଭୟରୁ ପଶ୍ଚିମ ଏବଂ ଉତ୍ତର ଭାରତରୁ କ୍ଷତ୍ରୀୟ ରାଜପୁତ ମାନଙ୍କ ଅନ୍ୟ ରାଜ୍ୟକୁ ପଳାୟନ ତଥା ଓଡିଶାର ଗଜପତି ମହାରାଜଙ୍କ ଶରଣ ଜାଇ ସେମାନଙ୍କୁ ମହାରାଜ”ଭୋଇ “ପଦରେ ନିଯୁକ୍ତି ତଥ୍ୟ :- ଏହି ସମୟର ଟିକେ ପୂର୍ବ ସମୟର କଥା,ସେ ସମୟରେ ଓଡିଶାର ମହାରାଜ ଥାନ୍ତି ଗଜପତି ପ୍ରତାପରୁଦ୍ରଦେବ। ସେହି ସମୟରେ ଜଣେ ଉଦ୍ୟମାନ କ୍ଷତ୍ରିୟ ରାଜକୁମାରଙ୍କ ଦ୍ୱାରା ଆଜିର ଢେଙ୍କାନାଳ ଗଡ଼ଜାତ ଟି ସ୍ଥାପନ ହୋଇଥିଲା। ଜାହାଙ୍କ ବଂଶ ନିରବଛିନ୍ନ ଭାବେ ଭାରତ ସ୍ୱାଧୀନ ପର୍ଯନ୍ତ ଉକ୍ତ ଗଡ଼ରେ ଶାସନ କରିଆସିଥିଲେ।

ଓଡିଶା ଇତିହାସ କୁହେ ଭାରତର ଉତ୍ତର ଏବଂ ପଶ୍ଚିମ ପ୍ରଦେଶ ଗୁଡିକରେ ଯେତେବେଳେ ମ୍ଳେଛ ବିଦେଶୀ ପଠାଣ ଶାସକ ମାନଙ୍କ ଦ୍ୱାରାତ୍ମା ବୃଦ୍ଧି ହେବାରେ ଲାଗିଲା। ମ୍ଳେଛ ମାନଙ୍କ ଦ୍ୱାରା ପବିତ୍ର ଦେବଭୂମିର ଅଗଣିତ ଦେବାଳୟ ଧ୍ବଂସ ହେବାରେ ଲାଗିଲା। ସେମାନଙ୍କର ନୃଶଂସତା ବର୍ବରତା ହେତୁ ସେଠାକାର କିଛି ପ୍ରଜା ତଥା ରାଜା ମାନେ ନିଜ ଜନ୍ମମାଟି ଛାଡି ଭାରତର ପୂର୍ବ,ଦକ୍ଷିଣ ଦିଗକୁ ମୁହାହିଁ ଯାତ୍ରା କରିଥିଲେ। ସେ ସମୟରେ ଆମ ରାଜ୍ୟ କଳିଙ୍ଗ,ବୀର ସୂର୍ଯ୍ୟବଂଶୀ ରାଜା ମାନଙ୍କ ଦ୍ୱାରା ପଠାଣ ବିହୀନ ଏକ ବିରାଟ ସାମ୍ରାଜ୍ୟ ତଥା ଏକ ସ୍ୱାଧୀନ ରାଜ୍ୟ ଥିଲା। ଗଜପତି ପ୍ରତାପରୁଦ୍ର ଦେବଙ୍କ ସମୟରେ ପଠାଣ ଶାସକ ମାନଙ୍କ ଭୟରେ ଆଜିର ରାଜସ୍ଥାନର ତିନି ରାଜପୁତ ଭାଇ ଦେଶାନ୍ତର ହୋଇ ଏଠାରେ ପହଂଚି ଗଜପତିଙ୍କ ଶରଣ ଜାଇଥିଲେ। ସେମାନଙ୍କ ବ୍ୟବହାର ତଥା କାର୍ଯ୍ୟ ଶୈଳୀରେ ଓଡିଶା ରାଜ୍ୟର ମଉଡମଣୀ ଗଜପତି ମହାରାଜ ସନ୍ତୁଷ୍ଟ ହୋଇ ପ୍ରଥମେ ସେମାନଙ୍କୁ ଭୋଇ (ଆଜିର ତହସିଲଦାର ) ପ୍ରଶାସନିକ ପଦରେ ନିଯୁକ୍ତି ଦେଇଥିଲେ। ପରେ ଏମାନେ ଗଜପତିଙ୍କ ବିଶ୍ୱାସ ଭାର୍ଜନ ହୋଇ ମହାରାଜଙ୍କ ଠାରୁ ବିଦ୍ୟାଧର ମହାପାତ୍ର ସନନ୍ଦ ପାଇଥିଲେ ଏବଂ ଉକ୍ତ ତିନି ଭାଇ ଯଥାକ୍ରମେ ଜ୍ୟେଷ୍ଠ ଗୋବିନ୍ଦ ବିଦ୍ୟାଧରଙ୍କୁ ପ୍ରଧାନ ସଚିବ,ମଧ୍ୟମ ଦନେଇ ବିଦ୍ୟାଧରଙ୍କୁ ଅର୍ଥ ସଚିବ ଏବଂ କନିଷ୍ଠ ହରି ବିଦ୍ୟାଧରଙ୍କୁ ଯୁଦ୍ଧ ସଚିବ ରୂପେ ଗଜପତି ନିଯୁକ୍ତି ଦେଇଥିଲେ। କିନ୍ତୁ ଗଜପତି ମହାରାଜଙ୍କ ମୁଖ୍ୟ ଯୁଦ୍ଧ ସେନାପତି ଥିଲେ ମୁକୁନ୍ଦ ଦେବ ହରିଚନ୍ଦନ। ଯେଉଁ ତିନି ଜଣ ବାହାରି ରାଜପୁତ ପଠାଣ ଭୟରେ ଦିନେ ଜୀବନ ବଞ୍ଚାଇ ଆମ ଗଜପତିଙ୍କ ସରଣାଗତ ହୋଇଥିଲେ। ସେହି ଭାଇ ମାନେ ପରବର୍ତ୍ତୀ ସମୟରେ ଓଡିଶା ରାଜାଗାଦି ହାତେଇବା ଲୋଭରେ ଆମ ରାଜ୍ୟର ଶେଷ ଖଣ୍ଡାୟତ ବୀର ତଥା ଦେଶୀୟ ରାଜା ପ୍ରତାପରୁଦ୍ର ଦେବ ଏବଂ ମୁକୁନ୍ଦଦେବଙ୍କ ମୃତ୍ୟୁର କାରଣ ହୋଇଥିଲେ। ପରେ ମହାରାଜଙ୍କ ଠାରୁ ପାଇଥିବା ପ୍ରଥମ ସନନ୍ଦ”ଭୋଇ”ନାମକୁ ବହନ କରି ନିଜକୁ ଭୋଇ ବଂଶର ରାଜା ରୂପେ ପରିଚୟ ଦେଇ ଓଡିଶାରେ ଶାସନ କରିଥିଲେ। ଉକ୍ତ ତିନିଭାଇ ନିଜକୁ ରାଜସ୍ଥାନର ଉଚ୍ଚ ଜାତିର କ୍ଷତ୍ରୀୟ ଚନ୍ଦ୍ର ବଂଶୀୟ ବୋଲି ମଧ୍ୟ ଦାବି କରିଥିଲେ। ଯେଉଁ ବଂଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଆବିର୍ଭାବ ହୋଇଥିଲା। ସେମାନେ ନିଜକୁ ଭଗବାନ ଶ୍ରୀକୃଷ୍ଣଙ୍କ ପୁତ୍ର ପ୍ରଦ୍ୟୁମ୍ନଙ୍କ ବଂଶଧର ବୋଲି ଦାବି କରନ୍ତି। ଓଡିଶା ମହାରାଜ ଗଜପତି ପ୍ରତାପରୁଦ୍ର ଦେବଙ୍କ ସେନା ନାୟକଙ୍କ ଦ୍ୱାରା ଆଜିର ଢେଙ୍କାନାଳ ଗଡ଼ଜାତ ରାଜ୍ୟ ସ୍ଥାପନ ତଥ୍ୟ :- କନିଷ୍ଠ ହରି ବିଦ୍ୟାଧର ଦକ୍ଷିଣପ୍ରଦେଶ ଗୁଡିକୁ ଜୟ କରି ଅନେକ ଧନରତ୍ନ ଆଣି ଗଜପତିଙ୍କ ପ୍ରିୟ ହୋଇପାରିଥିଲେ ଅତେବ ମହାରାଜଙ୍କ ପ୍ରଧାନ ଗସ୍ତ ଗୁଡିକରେ ଗଜପତିଙ୍କ ପ୍ରଧାନ ଅଙ୍ଗରଖି ଭାବେ ତାଙ୍କ ସହ ଯିବାର ଅଧିକାର ପାଇଥିଲେ। 

ଖ୍ରୀ : ୧୫୩୧ ମସିହାର କଥା,ଏକଦା ଭୁଲ ବଶତଃ ଗଜପତି ପ୍ରତାପରୁଦ୍ର ଦେବ କପିଳା ନାମକ ଏକ ଷଣ୍ଢର ମୃତ୍ୟୁର କାରଣ ହୋଇଥିଲେ। ମନକୁ ପାପ ଛୁଇଁବାରୁ ମହାରାଜ ରାଜଗୁରୁଙ୍କ ପରାମର୍ଶ ନେଇ ପାପ ମୋଚନ ହେତୁ କପିଳାସ ଗିରି ବାସୀ ମହାପ୍ରଭୁ ଶ୍ରୀ ଶ୍ରୀ ଚନ୍ଦ୍ରଶେଖରଙ୍କ ନିକଟକୁ ଆସି ସେଠାରେ ଏକ ସ୍ୱତନ୍ତ୍ର ପୂଜା କରି ଠାକୁରଙ୍କ ଶରଣ ଜାଇଥିଲେ। ସେ ସମୟରେ ତାଙ୍କ ସାଥିରେ ଥିଲେ ବୀର ହରି ବିଦ୍ୟାଧର ସିଂହ । ମହାରାଜ ପୂଜାରେ ବ୍ୟସ୍ତ ଥିବା ବେଳେ ସେ ଦୂତ ଠାରୁ ଜାଣିବାକୁ ପାଇଲେ ସେହି ଢେଙ୍କାନାଳର ପୂର୍ବ ରାଜଧାନୀ କରମୁଳର ତତ୍କାଳୀନ ରାଜାଙ୍କ ଅକସ୍ମାତ ମୃତ୍ୟୁ ଘଟିଛି। ପୂର୍ବରୁ ୟେ ସବୁ ଅଞ୍ଚଳ ଓଡିଶା ରାଜାଙ୍କ ଅଧୀନରେ ଥାଇ ଅନେକ ଖୁଦ୍ର ଖୁଦ୍ର ଗଡ଼ରେ ବିଭକ୍ତ ହୋଇ ସାମନ୍ତ ରାଜା ମାନଙ୍କ ଦ୍ୱାରା ସାଶୀତ ହେଉଥିଲା। ଏ ଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ୟେ ବିସ୍ତିର୍ଣ୍ଣ ଭୁ ଖଣ୍ଡ ପାଇଁ ଏକ ସାହସୀ ତଥା ଚତୁର ରାଜାଙ୍କ ଆବଶ୍ୟକ ଥିଲା। ମହାରାଜ ବୀର ହରିବିଦ୍ୟାଧରଙ୍କୁ ୟେ ପଦ ପାଇଁ ଉଚିତ ମଣି ତତକ୍ଷଣ ହରି ବିଦ୍ୟାଧରଙ୍କୁ ଉକ୍ତ ଅଞ୍ଚଳର ରାଜା ରୂପେ ଘୋଷଣା କରିଥିଲେ ଏବଂ ମହାରାଜ ନିଜେ ହରି ବିଦ୍ୟାଧରଙ୍କୁ ସେଠାରେ ରାଜଭିଶେଖ କରି କଟକ ବାହୁଡ଼ିଥିଲେ। ହରି ବିଦ୍ୟାଧର ରାଜା ହେବା କ୍ଷଣି ନିଜ ରାଜ୍ୟ ସୀମା ସୁରକ୍ଷା ତଥା ରାଜ୍ୟ ସୀମା ବିସ୍ତାର ନିମିତ୍ତ ଯୁଦ୍ଧ ଯାତ୍ରା ଆରମ୍ଭ କରିଥିଲେ। ସେ କରମୂଳ ପାଖାପାଖି ଗଡ଼ର ମୁଖିଆ ଡମ ଏବଂ ଗଣ୍ଡ ତଥା ଅନେକ ସାମନ୍ତ ରାଜାଙ୍କୁ ନିଜ ବିଚକ୍ଷଣ ଯୁଦ୍ଧ ନୀତିରେ ପରାସ୍ତ ଏବଂ ନିହତ କରିଥିଲେ। ୟେ ସମସ୍ତ ଅଞ୍ଚଳକୁ ଜୟ କରିବା ପରେ ସେ ସବୁକୁ ନିଜ ରାଜ୍ୟ ସହ ମିଶାଇ ସମୁଦାୟ କରମୂଳ ଇଲାକାକୁ ୯ ଗୋଟି ପ୍ରଗଣା ଯଥା ନୂଆଗଡ,କରମୂଳ,ବାଣିଆପଡା,ଆତିଆ,ଅପାଙ୍ଗା,ଗୋରଡ଼ିଆ,ପାରିମାଳ,କୁଳକାଶିଆ ଏବଂ ଉପରଦେଶ ଆଦିରେ ବିଭକ୍ତ କରି ନିଜ ଶାସନ କାର୍ଯ୍ୟ ଆରମ୍ଭ କରିଥିଲେ। ରାଜା ହରି ବିଦ୍ୟାଧର ସିଂହ(୧୫୩୧-୧୫୯୪ )ଙ୍କ ଦ୍ୱାରା ଆଜିର ଢେଙ୍କାନାଳ ଗଡ଼ ନାମକରଣ ତଥ୍ୟ :- ସେ ସମୟରେ ଢେଙ୍କାନାଳ ଅଞ୍ଚଳରେ ବେଶାଳିଆ ନାମକ ଅନ୍ୟ ଏକ ଗଡ଼ ଥିଲା ଯାହାର ରାଜାଥିଲେ ଶ୍ରୀଧର ଭଞ୍ଜ । ଉକ୍ତ ଗଡ଼କୁ ନିଜ ରାଇଜରେ ଅନ୍ତର୍ଭୁକ୍ତ କରିବାର ଲାଳସା ତଥା ରାଜ୍ୟ ସୀମା ବିସ୍ତାର ହେତୁ ଶ୍ରୀଧର ଭଞ୍ଜଙ୍କ ଶାସିତ ବେଶାଳିଆ ଗଡ଼କୁ ଜୟ ପାଇଁ ହରି ବିଦ୍ୟାଧର ମନ ବଳାଇଲେ। ନିଜ ଚତୁର ବୁଦ୍ଧି ଦ୍ୱାରା ବେଶାଳିଆ ଗଡ଼ର ପଡୋଶୀ ଗଡ଼ ହଦଗଡ଼ର ସାମନ୍ତଙ୍କୁ ହାତେଇ ଏକତ୍ର ହୋଇ ୧୫୮୧ ପବିତ୍ର ଶ୍ରୀଗୁଣ୍ଡିଚା ତିଥିରେ ବେଶାଳିଆ ଗଡ଼କୁ ଆକ୍ରମଣ କରିଥିଲେ। ସେ ସମୟରେ ଗଡ଼ର ଇଷ୍ଟ ଦେବତା ତୃତୀୟ ଅନଙ୍ଗଭୀମ ଦେବଙ୍କ ଦ୍ୱାରା ସ୍ଥାପିତ ଶ୍ରୀ ବଳଦେବ ଜୀଉଙ୍କ ରଥ ସେବାରେ ରାଜା ବ୍ୟସ୍ତ ଥିଲେ। ଯୁଦ୍ଧ ଡାକରା ଶୁଣି ରାଜା ଯୁଦ୍ଧଭୂମିରେ ଉପସ୍ଥିତ ହେଲେ। ଗୋଟିଏ ପକ୍ଷେ ନିଜ ପଡୋଶୀ ସାମନ୍ତଙ୍କ ବିଶ୍ୱାସଘାତକତା ତତସହ ଓଡିଶା ରାଜାଙ୍କ ବିରାଟ ଗଜପତି ବାହିନୀ ସହିତ କରମୂଳ ସୈନିକ ଏବଂ ଅନ୍ୟ ପକ୍ଷେ ସେ ଏକୁଟିଆ ତାଙ୍କ ଗଡ଼ର ସୈନ୍ୟ ମାନଙ୍କ ସହ। ଯୁଦ୍ଧ ଘମାଘୋଟ ହେଲା ଶେଷରେ ଭଞ୍ଜ ରାଜା ପରାସ୍ତ ଏବଂ ନିହତ ହୋଇଥିଲେ। ଭଞ୍ଜ ରାଜାଙ୍କ ମୃତ୍ୟୁ ସମୟରେ ଢେଙ୍କାର ସେଇ ପୁରୁଣା କଥା ସେ ହରି ବିଦ୍ୟାଧରଙ୍କୁ ପୁନଃ କହିଥିଲେ। ସେ ଏହାକୁ ନ ମାନିବାରୁ ତାଙ୍କର ଆଜି ୟେ ଦଶା ହେଲା। ହରି ବିଦ୍ୟାଧରଙ୍କୁ ଏହା ମାନିବା ପାଇଁ ଅନୁରୋଧ କରିଥିଲେ।କରମୂଳ ରାଜା,ଭଞ୍ଜ ରାଜାଙ୍କ ଶେଷ ଇଛାକୁ ସନ୍ନମାନ ଦେଇଥିଲେ। ରାଜା ହରି ବିଦ୍ୟାଧର ଶ୍ରୀ ବଳଦେବଙ୍କ କୃପାରୁ ୟେ ଯୁଦ୍ଧ ଜିତିଥିବାରୁ ପ୍ରଥମେ ଠାକୁରଙ୍କ ଦର୍ଶନ ସାରିଥିଲେ ଏବଂ ସେହିଠାରେ ହିଁ ରାଜା ନିଜ ରାଜ୍ୟର ଇଷ୍ଟ ରୂପେ ଠାକୁରଙ୍କୁ ଘୋଷଣା କରିଥିଲେ। ଏହାପରେ ରାଜା ଏକ ବିରାଟ ପ୍ରସ୍ତରକୁ ଢେଙ୍କା ଵୀରର ମୁଣ୍ଡ ରୂପେ ସେଠାରେ ସ୍ଥାପନ କରି ପୂଜା ଆରମ୍ଭ କରାଇଲେ। ଢେଙ୍କା ଶବର ଦ୍ୱାରା ଖୋଦିତ ଗୋଡି ପୁଷ୍କରିଣୀ ନିକଟରେ ଥିବା ତାହାଙ୍କ ଆରାଧ୍ୟ ଦେବୀ ମା ଜେନାଦେଇଙ୍କ ନିକଟେ ପୂଜା ଅର୍ଚନା କରିଥିଲେ। ପ୍ରତେକ ବର୍ଷ ପବିତ୍ର ଅଶୋକଷ୍ଟମୀ ଦିନ ଏହି ଢେଙ୍କାପିଢ଼ର ଢେଙ୍କା ବୀରଙ୍କ ମୁଣ୍ଡ ଠାରେ ବିଶେଷ ପୂଜା ଅର୍ଚନା କରିବାର ପରମ୍ପରା ଆରମ୍ଭ କରାଇଲେ। ଏବଂ ଉକ୍ତ ଯୁଦ୍ଧ ସ୍ଥାନ ଟିକୁ “ଗୁଣ୍ଡିଚାପଡ଼ା “ନାମରେ ନାମିତ କରିଥିଲେ। ଏହାର କିଛି ଦିନ ପରେ ରାଜା ହରି ବିଦ୍ୟାଧର ଉକ୍ତ ଢେଙ୍କାପିଢ଼ ନିକଟସ୍ଥ ସ୍ଥାନରେ ଏକାକୀ ଭ୍ରମଣ କରୁଥିବା ସମୟରେ ରାଜା ଏକ ଆଶ୍ଚର୍ଯ୍ୟ ଘଟଣା ଲକ୍ଷ କରିଥିଲେ। ସେ ଦେଖିଲେ,ଏକ ଛଞ୍ଚାଣ ଗୋଟିଏ କପୋତକୁ ମାରି ପକାଉଛି,କପୋତଟି ପ୍ରାଣ ବିକଳରେ ସେଠାରୁ ଚାଲିଯାଇ ଏକ ଗୁମ୍ଫା ନିକଟେ ପ୍ରବେଶ କଲା,ଉକ୍ତ ଗୁମ୍ଫା ରେ ସେ ପହଂଚିବା କ୍ଷଣି ତାର ବଳ,ବୃଦ୍ଧି ହୋଇଥିଲା ଏବଂ ସେ ତତକ୍ଷଣ ଛଞ୍ଚାଣ ଟିକୁ ପ୍ରତି ଆକ୍ରମଣ କରି ମାରି ପକାଇଲା। ରାଜା ଏହା ଦେଖି ସ୍ଥାନଟିକୁ ବୀରଭୂମି ଚିନ୍ତାକରି,କରମୂଳ ଠାରୁ ନିଜ ରାଜଧାନୀ ଉଠାଇ ଆଣିଲେ ଏବଂ ଏହିଠାରେ ବୀର ଢେଙ୍କାର ନାମରେ ରାଜ୍ୟର ନାମ ଢେଙ୍କାନାଳ ଦେଇ ନିଜର ନୂତନ ରାଜପ୍ରସାଦ ତୋଳାଇଲେ। ସେହି ଦିନଠାରୁ ଓଡିଶା ଗଡା଼ଜାତ ଇତିହାସରେ ଢେଙ୍କାନାଳ ନାମକ ଆଉ ଏକ ନୂତନ ଗଡ଼ଜାତର ଇତିହାସ ଆରମ୍ଭ ହୋଇଥିଲା। ଉକ୍ତ ସ୍ଥାନରେ ରାଜା ହରି ବିଦ୍ୟାଧରଙ୍କ ଠାରୁ ଆରମ୍ଭ କରି ଦେଶ ସ୍ୱାଧୀନତା ପର୍ଯ୍ୟନ୍ତ ୧୮ଜଣ ରାଜା ଶାସନକାର୍ଯ୍ୟ ଚଳାଇ ଆସୁଥିଲେ। ପରବର୍ତ୍ତୀ ସମୟରେ ଉକ୍ତ ରାଜାଙ୍କ ଦାୟାଦ ରାଜା ଲାକନାଥ ସିଂହଙ୍କ ବିରୋତ୍ୱରେ ପ୍ରସନ୍ନ ହୋଇ ଓଡିଶାର ତତ୍କାଳୀନ ଶାସକ ଗଜପତି ମହାରାଜ “ଭ୍ରମରବର ରାୟ” ସନନ୍ଦ ପ୍ରଦାନ କରିଥିଲେ। ଢେଙ୍କାନାଳ ରାଜ୍ୟର ନବମ ରାଜା ତ୍ରିଲୋଚନ ସିଂହ ମହିନ୍ଦ୍ର ବହାଦୁର (ଖ୍ରୀ: ୧୭୪୩ – ୧୭୮୫)ଙ୍କ ବିରୋତ୍ୱର କାହାଣୀ ଢେଙ୍କାନାଳ ରାଜ୍ୟର ଚନ୍ଦ୍ର ବଂଶୀ କ୍ଷତ୍ରିୟ ରାଜା ହରି ବିଦ୍ୟାଧର ସିଂହଙ୍କ ଶାସନ ତଥା ତାଙ୍କ ଉତ୍ତରାଧିକାରୀ ମାନଙ୍କ ଶାସନ ସମୟରେ ଢେଙ୍କାନାଳ ଗଡ଼ର ଧାର୍ମିକ,ସାମାଜିକ ତଥା ସମରିକ କ୍ଷେତ୍ରରେ ଅନେକ ଉର୍ନ୍ନତ ହୋଇଥିଲା। ଉକ୍ତ ରାଜବଂଶର ରାଜା ମାନଙ୍କ ଦ୍ୱାରା ରାଜ୍ୟରେ ଅନେକ ପ୍ରସିଦ୍ଧ ଶୈବ ପୀଠ,ଶକ୍ତି ପୀଠ ଏବଂ ବିଷ୍ଣୁ ମନ୍ଦିରର ନିର୍ମାଣ ତଥା ଅନେକ ପୁରୁଣା କୀର୍ତ୍ତିର ପୁନରୁଦ୍ଧାର କରାଯାଇଥିଲା। ଯେଉଁ ମାନଙ୍କ ମଧ୍ୟରେ ଗଡ଼ର ଅଷ୍ଟଶମ୍ଭୁ, ଶ୍ରୀ କୁଞ୍ଜବିହାରୀ, ମା ରାମଚଣ୍ଡୀ ଦେବୀ ଆଦି ପ୍ରସିଦ୍ଧ ଥିଲେ |ଶତ୍ରୁ ମାନଙ୍କ ଆକ୍ରମଣରୁ ରାଜ୍ୟ ତଥା ପ୍ରଜା ମାନଙ୍କ ସୁରକ୍ଷା ହେତୁ ଅନେକ ନୂତନ ଦୁର୍ଗ ନିର୍ମାଣ କରିବା ସହ ଗଡ଼ର ସୈନିକ ମାନଙ୍କୁ ବନ୍ଧୁକ,ତୋପ ଆଦି ଆଧୁନିକ ଅସ୍ତ୍ରଶସ୍ତ୍ର ଦ୍ୱାରା ସଜ୍ଜିତ କରି ଇନ୍ନତ ଧରଣର ଯୁଦ୍ଧ କୌଶଳର ଶିକ୍ଷା ଦିଆଯାଇଥିଲା। ଏଠାରେ ଅଷ୍ଟାଦଶ ଖ୍ରୀଷ୍ଟାଦ୍ଧ ସମୟରେ ଏପରି ଏକ ରାଜାଙ୍କ ଆବିର୍ଭାବ ହୋଇଥିଲା ଯାହାଙ୍କ ବିରୋତ୍ୱ ପାଇଁ ଆଜି ଭି ସାରା ଢେଙ୍କାନାଳ ବାସୀ ଗର୍ବ ଅନୁଭୂତି କରନ୍ତି। ସେ ହେଉଛନ୍ତି ଗଡ଼ର ନବମ ରାଜା ତ୍ରିଲୋଚନ ସିଂହ । ଯାହାଙ୍କ ଶାସନ ସମୟରେ ଯେତେବେଳେକି ସାରା ଭାରତରେ ମରହଟ୍ଟା(ଲୁଣ୍ଠନକାରି,ବର୍ଗି ) ମାନଙ୍କ ଶାସନ ଥିଲା।ସେତେବେଳେ ଢେଙ୍କାନାଳ ଥିଲା ଏକ ସ୍ୱାଧୀନ ଗଡଜାତ। ଜିଏ କୌଣସି ମତରେ ନାଗପୁର ମରହଟ୍ଟା ସାମ୍ରାଜ୍ୟର ଅଧୀନତା ଶିକ୍ୱାର କରିବକୁ ପ୍ରସ୍ତୁତ ନଥିଲେ। ୧୭୮୧ ମସିହା ଅକ୍ଟୋବର ମାସରେ,ଢେଙ୍କାନାଳର ତତ୍କାଳୀନ ରାଜା ତ୍ରିଲୋଚନ ସିଂହ ନିଜ ମାତୃଭୂମିର ସ୍ୱାଭିମାନ ପାଇଁ ସେ ସମୟର ନାଗପୁରର ମହାରାଜଙ୍କ ସେନାପତି ଚି଼ମନାଜୀଙ୍କ ୪୦ ହଜାର ବିଶିଷ୍ଟ ବିରାଟ ମରହଟ୍ଟା ସୈନ୍ୟ ବାହିନୀଙ୍କ ସହ ଯୁଦ୍ଧରେ ଏକାକୀ ସମ୍ମୁଖୀନ ହୋଇଥିଲେ। ସେତେବେଳେ ଢେଙ୍କାନାଳ ରାଜ୍ୟର ସେନାବାହିନୀରେ ୧୩ହଜାର ପଦାତିକ,୫ ହଜାର ଅଶ୍ୱାରୋହି,୧ ହଜାର ଗଜାରୋହି,ତଥା ୧ ହଜାର ବନ୍ଧୁକ ଧାରୀ ଥିଲେ। ଏହା ବ୍ୟତୀତ ରାଜା ତ୍ରିଲୋଚନ ନିଜ ସେନାବାହିନୀରେ “ଢ଼ଙ୍କଣ ‘ନାମକ ଏକ ତୀକ୍ଷ୍ଣ ଅସ୍ତ୍ର ଚାଳନାରେ ଧୁରନ୍ଦର ୧୦୦୦ ତେଲେଙ୍ଗା ଏବଂ ନାଗା ବୀର ଙ୍କୁ ନିଯୁକ୍ତି ଦେଇଥିଲେ। ଏବଂ ସମସ୍ତ ସୈନ୍ୟଙ୍କୁ ଗରିଲା ଯୁଦ୍ଧର ତାଲିମ ମଧ୍ୟ ଦେଇଥିଲେ। ରାଜା ଏ ସମସ୍ତଙ୍କୁ ନେଇ ନିଜ ଅସୀମ ବିରୋତ୍ୱର ପରିଚୟ ଦେଇ ଶତ୍ରୁ ସୈନ୍ୟର ମୁକାବିଲା କରିଥିଲେ। ଢେଙ୍କାନାଳ ରାଜା ସାହେବଙ୍କ ଚତୁର ଯୁଦ୍ଧ କୌଶଳ ତଥା ପ୍ରଚଣ୍ଡ ଆକ୍ରମଣରେ ମରହଟ୍ଟା ସୈନ୍ୟ ଛତ୍ରଭଙ୍ଗ ଦେଇଥିଲେ। ଶେଷରେ ନାଗପୁରର ମହାରାଜା ଭୋଶଲେଙ୍କ ପ୍ରତିନିଧି ଚି଼ମନାଜୀ ଢେଙ୍କାନାଳ ଛାମୁଙ୍କ ସହ ସନ୍ଧି କରିବାକୁ ବାଧ୍ୟ ହୋଇଥିଲେ। ଢେଙ୍କାନାଳ ଅଧିଶ୍ୱେରଙ୍କ ବିରୋତ୍ୱରେ ମରହଟ୍ଟା ଶାସକ ମୁଗ୍ଧ ହୋଇ ରାଜାଙ୍କୁ”ମହିନ୍ଦ୍ର ବହାଦୁର”ଉପାଧି ପ୍ରଦାନ କରିଥିଲେ,ଯାହାଙ୍କୁ ତତ୍କାଳୀନ ଓଡିଶାର ଗଜପତି ମହାରାଜ ବୀରକିଶ୍ବର ଦେବ ଅନୁମୋଦନ କରି ରାଜାଙ୍କୁ ପ୍ରଦାନ କରିଥିଲେ। ଉକ୍ତ ଉପାଧିକୁ ଗଡ଼ର ପରବର୍ତ୍ତୀ ରାଜା ମାନେ ନିଜ ନାମ ସହ ଧାରଣ କରି ରାଜଭିଷେକ ହେଉଥିଲେ। ଢେଙ୍କାନାଳ ରାଜାଙ୍କ କନିଷ୍ଠ ଭ୍ରାତାଙ୍କ ଦ୍ୱାରା ଯତନ ନଗର ରାଜପ୍ରସାଦ ନିର୍ମାଣ ତଥ୍ୟ :- ବ୍ରିଟିଶ ଶାସନର ଶେଷ ସମୟର କଥା। ରାଜା ଶଙ୍କର ପ୍ରତାପ ମହିନ୍ଦ୍ର ବହାଦୁର ଥିଲେ ଢେଙ୍କାନାଳର ଅଧିପତି। ରାଜା ଖ୍ରୀ: ୧୯୨୪ମସିହାରେ ସଢ଼େଇକଳାର ରାଜ ନନ୍ଦିନୀ ରତ୍ନପ୍ରଭାଙ୍କ ସହ ବିବାହ ଏକ ବର୍ଷ ପରେ ଗଡ଼ର ରାଜା ରୂପେ ଅଭିଷେକ ହୋଇଥିଲେ। ରାଜା ଜଣେ ଶୁ ଶାସକ ତଥା ପ୍ରଜା ବଚ୍ଛଳ ଶାସକ ଥିଲେ କିନ୍ତୁ ବ୍ରିଟିଶ ସରକାରଙ୍କ dived & Rule ଭଳି କୂଟନୀତି ହେତୁ ରାଜାଙ୍କ କିଛି ଜନ ହିତକର କାର୍ଯ୍ୟ ପ୍ରଜାଙ୍କ ପାଖରେ ପହଂଚି ପାରୁନଥାଏ। ୧୯୩୭ ମସିହା କଥା ସାହେବ,ରାଣିଙ୍କ ସହ ଢେଙ୍କାନାଳ ସ୍କାଉଡ଼ ଦଳକୁ ନେଇ ହଲାଣ୍ଡ ଯାତ୍ରା କରିଥିଲେ। ସେଠାରେ ସେମାନେ ବିଜୟୀ ହୋଇ ଲର୍ଡ଼ ବେଡ଼ନଙ୍କ ଦ୍ୱରା ସନ୍ନମାନୀତ ହୋଇଥିଲେ। ଏହାପରେ ରାଜା ରାଣୀଙ୍କୁ ଛାଡି ସ୍କାଉଡ଼ର ସମସ୍ତ ସଦସ୍ୟ ସ୍ଵ ଦେଶ ପ୍ରତ୍ୟାବର୍ତବ କରିଥିଲେ। କିନ୍ତୁ ରାଜା ରାଣୀ କେତକ ବିଶ୍ଵସ୍ତ କର୍ମଚାରୀଙ୍କ ସହନଇଉରୋପ, ଆମେରିକା ପରିଭ୍ରମଣରେ ବାହାରି ଜାଇଥିଲେ। ସେ ସମୟରେ ରାଜା ନିଜ ସାନ ଭାଇ ପଟ୍ଟାୟତ ନୃସିଂହ ପ୍ରତାପ ସିଂହ ଦେଓଙ୍କୁ ରାଜ୍ୟର ମୁଖ୍ୟ,ପ୍ରଧାନମନ୍ତ୍ରୀ ରୂପେ ନିଯୁକ୍ତି ଦେଇଥିବାର ଢେଙ୍କାନାଳ ଇତିହାସ ଲେଖକ ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ମିଶ୍ର ନିଜ ପୁସ୍ତକରେ ଦର୍ଶାଇଥିବା ବେଳେ,ତତ୍କାଳୀନ କିଛି ରାଜ କର୍ମଚାରୀଙ୍କ ବର୍ତମାନର ବଂଶଜ ତଥା ଅନ୍ୟ କିଛି ପୁରୁଖା ଳୋକ ଏହାକୁ ଅଶିକ୍ୱାର କରନ୍ତି। ସେମାନଙ୍କ ମତରେ ସେ କେବଳ ପଟ୍ଟାୟତ ଥିଲେ,ପ୍ରଧାନମନ୍ତ୍ରୀ ଅନ୍ୟ ଜଣେ ଥିଲେ। ସେ ଯାହାଭି ହେଉ ରାଜା ତାଙ୍କ ସାନ ଭାଇଙ୍କୁ ଅଧିକ ବିଶ୍ୱାସ କରୁଥିବାରୁ ରାଜ୍ୟର ସମସ୍ତ ଭାର ତାଙ୍କରି ଉପରେ ନ୍ୟସ୍ତ କରି ସାହେବ,ରାଣୀଙ୍କ ସହ ବିଦେଶ ଭ୍ରମଣରେ ଚାଲି ଯାଇଥିଲେ ରାଜା ତାଙ୍କ କନିଷ୍ଠ ଭାଇଙ୍କର ଭିତରେ ଥିବା ନୃଶଂସ,କ୍ରୁର ତଥା ବ୍ରିଟିଶ ଚାଟୁକାର ପ୍ରକୃତି ସମ୍ବଦ୍ଧରେ ସମ୍ପୂର୍ଣ୍ଣ ଅଂଜ୍ଞ ଥିଲେ। ଯେଉଁ କାରଣରୁ ରାଜା ପରବର୍ତ୍ତୀ ସମୟରେ ପ୍ରଜା ମାନଙ୍କ ରୋଷର ଶିକାର ହେବା ସହ ରାଜ୍ୟରେ ପ୍ରଜାମେଳି ଆନ୍ଦୋଳନର ନିଜେ କାରଣ ପାଲଟି ଜାଇଥିଲେ।ରାଜାଙ୍କ ଅନୁପସସ୍ଥି ହେତୁ ପଟ୍ଟାୟତ ହୋଇଗଲେ ରାଜ୍ୟର ସର୍ବୋଚ୍ଚ ଶାସନକର୍ତ୍ତା। ବ୍ରିଟିଶ ବାବୁ ମାନଙ୍କ ସହ ମିଶି ପ୍ରଜା ମାନଙ୍କ ଉପରେ ବିଭିନ୍ନ ପ୍ରକାର କର ପକାଇ ଶୋଷଣ କରିବାରେ ଲାଗିଲେ। ସେ ସମୟର ବେଠିପ୍ରଥା ଅନୁଜାଈ ପ୍ରଜା ମାନଙ୍କୁ ମନ୍ତ୍ରୀ ନିଜ ବ୍ୟକ୍ତିଗତ କାର୍ଯ୍ୟରେ ବେଠି ଲଗାଇ କାର୍ଯ୍ୟ ହାସଲ କରିବାରେ ଲାଗିଲେ। ଢେଙ୍କାନାଳ ଇତିହାସ କୁହେ ପଟ୍ଟାୟତ ନିଜ ଭୋଗବିଳାସ ତଥା କାମୁକ ରସର ଚିରତାର୍ଥ ନିମନ୍ତେ ଗଡ଼ର ଉତ୍ତର ପାର୍ଶ୍ୱରେ ଅବସ୍ଥିତ ଏକ ପାହାଡ଼ ଉପରେ ଏକ ଭବ୍ୟ ରାଜପ୍ରସାଦ ନିର୍ମାଣ ପାଇଁ ମନସ୍ଥତ୍ୱ କରିଥିଲେ। ଜାହା ତାଙ୍କ ପତ୍ନୀ ପଟାଯାତୁଣି ଯତନ କୁମାରୀ ଦେବୀଙ୍କ ନାମ ଅନୁସାରେ”ଯତନ ଭବନ”ରଖାଇଥିଲେ। ଉଦେଶ୍ୟ ଥିଲା ଉକ୍ତ ୯୯ କୋଠରୀ ବିଶିଷ୍ଟ ରାଜ ପ୍ରସାଦରେ ମନ୍ତୀ ନିଜ ରାଣୀ,ପୁତ୍ର,କନ୍ୟା ତଥା ପରିବାର ବର୍ଗଙ୍କ ସହ ଭୋଗ ବିଳାସରେ ଜୀବନ କଟିବେ। ଏଥିପାଇଁ ବ୍ରିଟିଶ ବାବୁ ମାନଙ୍କ ସହ ବସି ବ୍ୟୟ ଅଟକଳ କରାଗଲା। ଉକ୍ତ ପ୍ରସାଦଟି ଏକ ପାହାଡ଼ ଉପରେ ବନାଇବାର ଥିବାରୁ,ଏଥି ନିମନ୍ତେ ଅଂସଖ୍ୟ ହାତୀ,ଘୋଡା ଏବଂ ବହୁ ସଂଖ୍ୟକ ବେଠିଆ ପ୍ରଜାଙ୍କ ଆବଶ୍ୟକ ରହିଲା। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଧେଶରେ ଜଙ୍ଗଲରୁ ହୁଷ୍ଟପୃଷ୍ଟ ହାତୀମାନ ଧରାଯାଇ,ମାହୁନ୍ତ ମାନଙ୍କୁ ସେମାନଙ୍କୁ ଉପଯୁକ୍ତ ଶିକ୍ଷା ଦିଆଯାଇ କାର୍ଯ୍ୟରେ ଶୀଘ୍ର ନିଯୁକ୍ତି ପାଇଁ ହୁକମୁ ଆସିଲା।ରାଜ କର୍ମଚାରୀ ତଥା ପାଇକ ମାନଙ୍କ ଦ୍ୱାରା ଗ୍ରାମ ଗ୍ରାମ ବୁଲି ଭଲ ଭଲ ବେଠିଆ ପ୍ରଜାଙ୍କୁ ଚିନ୍ନଟ କରଜାଇ ଉକ୍ତ ସ୍ଥାନକୁ ନିଆଗଲା। ନୀତି ନିର୍ଘଣ୍ଟ ଅନୁସାରେ ଭବନ କାର୍ଯ୍ୟ ଅନୁକୂଳ କରାଗଲା। ବେଠି ପ୍ରଜା ମାନେ ନିଜ ଘରୁ ଆଣୁଥିବା କିଛି ଚୁଡା ଗୁଡ଼ ଖାଇ,କାମରେ ଲାଗି ପଡୁଥିଲେ କିନ୍ତୁ ରାଜକୋଷ ତରଫରୁ ନା ଥିଲା ସେମାନଙ୍କ ବିଶ୍ରାମ ପାଇଁ କିଛି ବ୍ୟବସ୍ତା ନା ଖାଦ୍ୟ ବ୍ୟବସ୍ଥା। ଜଦି କିଏ ଖାଦ୍ୟ ପାଇଁ ଅବା ବିଶ୍ରାମ ପାଇଁ ସିପାହୀ ମାନଙ୍କୁ କିଛି ଅନୁରୋଧ କରୁଥିଲେ ତେବେ ମନ୍ତ୍ରୀଙ୍କ ନିର୍ଦେଶରେ ମିଳୁଥିଲା ଚାବୁକ ପ୍ରହାର ଏବଂ ବାବୁ ମାନଙ୍କ ଚମଡା ଜୋତାର ଗୋଇଠା ପ୍ରହାର। ଏହା ଦ୍ୱାରା ଜଦି କିଏ କ୍ଷତ ବା ଖଣ୍ଡିଆ ଖବରା ହେଇଯାଉଥିଲେ, ଚିକିତ୍ସା ଦୂରର କଥା ସେମାନଂକୁ ଟେକି ନେଇ ଏକ ଗୃହରେ ଫିଙ୍ଗି ଦିଆଯାଉଥିଲା। ସେଠାରେ ସେମାନେ ଆହୁରି କଷ୍ଟ ପାଇ ଅତି ଦୈନ୍ୟଦିନ ଅବସ୍ଥାରେ ମୃତ୍ୟୁ ବରଣ କରିଥିଲେ। ଏହା ପରେ ମଧ୍ୟ ସିପାହୀ ତଥା ମନ୍ତ୍ରୀଙ୍କ ମନ ବୁନୁନଥିଲା। ସେମାନେ ଉକ୍ତ ମୃତ୍ୟୁଦେହ ଗୁଡିକ ତାଙ୍କ ପରିବାରକୁ ହସ୍ତାନ୍ତର ଅବା ଅନ୍ତିମ ସଂସ୍କାର କରିବା ପରିବର୍ତ୍ତେ ନିକଟସ୍ଥ ଜଙ୍ଗଲ ମଧ୍ୟରେ ଫିଙ୍ଗି ଦେଉଥିଲେ,ଜାହା ଜଙ୍ଗଲୀ ଜନ୍ତୁଙ୍କ ଆହାର ହେଉଥିଲା। ଯେଉଁଠି ମଣିଷଙ୍କ ଅବସ୍ଥା ଏମିତି ଥିଲା ପଶୁଙ୍କ ଅବସ୍ଥା କଣ ଥିବ ତାହା କଳ୍ପନା ବାହାରେ ପ୍ରସାଦ ନିର୍ମାଣରେ ନିୟୋଜିତ ହାତୀ,ଘୋଡା ମାନଙ୍କୁ ବେଠିଆ ପ୍ରଜାଙ୍କ ଭଳି ଅନୁରୂପ ଯନ୍ତ୍ରଣା ଦିଆ ଯାଉଥିଲା। ବିରାଟ ବିରାଟ ପ୍ରସ୍ତର ତଥା ଲୁହା ଦଣ୍ଡ ସେମାନଙ୍କ ଉପରେ ଲଦି ପାହାଡ଼ ଉପରକୁ ନିଆ ଯାଉଥିଲା। ବିଶ୍ରାମ ଦୂରର କଥା ନିରୀହ ଜନ୍ତୁ ଟିକୁ ତୃଷ୍ନା ନିବାରଣ ହେତୁ ଟିକେ ପାଣି ମଧ୍ୟ ଦିଆ ଯାଉନଥିଲା | ଯେଉଁ କାରଣରୁ ଅନେକ ହାତୀ,ଘୋଡା ମାନଙ୍କର ମଧ୍ୟ୍ୟ ମୃତ୍ୟୁ ହୋଇଥିଲା। ସେ ସବୁ ମୃତ୍ୟୁ ହାତୀଙ୍କୁ ଦୂର ଜଙ୍ଗଲକୁ ବୋହି ନେଇ ଫିଙ୍ଗାଜାଇ, ଜଙ୍ଗଲରୁ ନୂଆ ହାତୀ ଧରାଯାଇ ପୁନଃ କାର୍ଯ୍ୟରେ ନିଯୁକ୍ତି ଦିଆଯାଉଥିଲା। ଏ ଭଳି ନୃଶଂସ ତଥା କ୍ରୁର ଶାସକଙ୍କ କାହାଣୀ ଶୁଣିଲେ ଆଜିଭି ଆତ୍ମା କାନ୍ଦି ଉଠେ । ଉକ୍ତ ଅନମାନବିକତା ଅତ୍ୟାଚାର ବିଷୟ ଆସ୍ତେ ଆସ୍ତେ ଗଡ଼ ତଥା ଗଡ଼ ବାହାରେ ପ୍ରଚାର ହେବାରେ ଲାଗିଲା। ଏହା ବିରୁଦ୍ଧରେ ପ୍ରଜା ମାନଙ୍କ ମଧ୍ୟରେ ବିଦ୍ରୋହ ସୃଷ୍ଟି ହେଲା। ସେ ସମୟରେ ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ସାରା ଦେଶରେ ଆରମ୍ଭ ହୋଇସାରିଥିଲା ସ୍ୱାଧୀନତା ସଂଗ୍ରାମ,ଯେଉଁଥିରେ ଓଡିଶାର ବିଭିନ୍ନ ଗଡ଼ଜାତର ଦେଶପ୍ରେମୀ ଯୁବକମାନେ ଭାଗ ନେଇ ସଂଗ୍ରାମକୁ ଆହୁରି ଅଧିକ କ୍ରିୟାଶିଳ କରିଥିଲେ। ପଟ୍ଟାୟତଙ୍କ ମନ ମୁଖି ଶାସନ ତଥା ୟେ ବର୍ବରତା କାର୍ଯ୍ୟ ହେତୁ ଢେଙ୍କାନାଳରେ ୧୯୩୮ ମସିହାରେ ଆରମ୍ଭ ହୋଇଥିଲା ପ୍ରଥମ ପ୍ରଜାମେଳି ଆନ୍ଦୋଳନ ଯାହାର ନେତୃତ୍ୱ ନେଇଥିଲେ ଗଡ଼ର ପ୍ରମୁଖ ବୈଜ୍ଞାନିକ ସାରଙ୍ଗ ଧର ଦାସ ଏବଂ ବିଶିଷ୍ଟ ଓକିଲ ହରମୋହନ ପଟ୍ଟନାୟକ ଏବଂ ପୂର୍ଣ୍ଣଚନ୍ଦ୍ର ମହାପାତ୍ର। ଏମାନଙ୍କ ନେତୃତ୍ୱରେ ହଜାର ହଜାର ପ୍ରଜା ଏକତ୍ରିତ ହୋଉ ରାଜା ତଥା ବ୍ରିଟିଶ ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇ ନଗର ମଧ୍ୟକୁ ପ୍ରବେଶ କଲେ। ନାରା ରହିଲା ରାଜ୍ୟରୁ ସବୁ ଦିନ ପାଇଁ ରାଜତନ୍ତ୍ରର ବିଲୋପ ଏବଂ ବିଦେଶୀ ଗୋରା ସରକାର ତୁରନ୍ତ ଦେଶ ଛାଡ । ରାଜା ଏହା ଖବର ପାଇଁ ତୁରନ୍ତ ରାଜ୍ୟକୁ ଫେରି ପରିସ୍ଥିତିକୁ ଅନୁଧ୍ୟାନ କରିଥିଲେ କିନ୍ତୁ ବିଦ୍ରୋହକୁ ଦମନ କରିବାରେ ସେ ବିଫଳ ହେଲେ। ରାଜପ୍ରସାଦ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେବା ସହ ଭ୍ରାତା ନୃସିଂହ ପଟ୍ଟାୟତଙ୍କୁ ତୁରନ୍ତ ପ୍ରଧାନମନ୍ତ୍ରୀ ମନ୍ତୀ ତରଫରୁ ହଟାଇଦେଲେ। ରାଜା କନିଷ୍ଠଙ୍କୁ ଦେଶାନ୍ତର ହେବାକୁ କଡା ନିର୍ଦେଶ ଦେଲେ। ପ୍ରଜା ମାନଙ୍କୁ ରାଜା ସ୍ୱୟଂ ଏଥିପାଇଁ କ୍ଷମା ମଧ୍ୟ ମାଗିଥିଲେ କିନ୍ତୁ ପ୍ରଜା ମାନେ ଏଥିରେ ସନ୍ତୁଷ୍ଟ ନଥିଲେ। ଚତୁର ପଟ୍ଟାୟତ ୟେ ଘଟଣା ପରେ ଭି ସୁଧୁରି ନଥିଲେ। ଜନଶ୍ରୁତି କୁହେ ଉକ୍ତ ଜତନ ନଗରର ପ୍ରସାଦ ଥିଲା : ଯାତନା ନଗର ।

ବାବା ବୁଦ୍ଧେଶ୍ୱର,ପଶ୍ଚିମେଶ୍ବର,ସିଦ୍ଧ ଶମ୍ଭୁ,ସିଦ୍ଧ ଶମ୍ଭୁନାଥ,ଆକାଶ ଲିଙ୍ଗ,ପାତାଳ ଲିଙ୍ଗ ଓ ଉତ୍ତରେଶ୍ୱର ମହାଦେବ ମନ୍ଦିର

ଢେ଼ଙ୍କାନାଳ – ଭାପୁର ଛଦେଶ ଅଞ୍ଚଳର ଗଙ୍ଗାଧର ପ୍ରସାଦର ସାପୁଆ ନଈ କୂଳରେ ଉକ୍ତ ମନ୍ଦିରଟି ୧୬ଶ ଖ୍ରୀ.ଅ.ର ଅଟେ। ଏହି ମନ୍ଦିରର ପୂର୍ବନାମ ଚଉମୁହାଁ ଦେଉଳ । ଜଣେ କୁଷ୍ଠରୋଗୀ ଗୀତ ଗୋବିନ୍ଦ ପ୍ରତ୍ୟହ ବୋଲୁଥିଲେ। ଏହି ଗୀତକୁ ପ୍ରଭୁ ପ୍ରତ୍ୟହ ଶୁଣୁଥିଲେ। ଗୀତରସ୍ବର ପଶ୍ଚିମ ଦିଗରୁ ଶୁଭୁଥିଲା। ପ୍ରଭୁ ଗୀତ ଶୁଣିବାକୁ ଗାଉଥିବା ବ୍ୟକ୍ତିକୁ ପାଖକୁ ଡାକିଲେ ମାତ୍ର କୁଷ୍ଠ ରୋଗୀ କହିଲେ ଯାହାର ଗୀତ ଶୁଣିବାକୁ ଇଚ୍ଛା ସେ ମୋ ପାଖକୁ ଆସୁ ମୁଁ ଯାଇ ପାରିବି ନାହିଁ। ବାବାଙ୍କ ମନ୍ଦିର ପୂର୍ବ ମୁହାଁ ମୁଖଦ୍ବାର ଥିଲା। ଏହି କଥା ବାବା ଶୁଣିବା ପରେ ଦେଉଳ ଘୁରିଯାଇ ପଶ୍ଚିମ ଦିଗକୁ ମୁଖ୍ୟଦ୍ବାର ହୋଇ ଯାଇଥିଲା। ସେହି ଦିନଠାରୁ ପଶ୍ଚିମେଶ୍ବର ନାମରେ ଠାକୁର ପୂଜିତ ହେଲେ। ଏହି ଠାକୁର ଫୁଟାଲିଙ୍ଗ ଏବଂ ପ୍ରତ୍ୟେକ୍ଷ ଅଟନ୍ତି। ଢେଙ୍କାନାଳର ରାଜା ଦିନବନ୍ଧୁ ମହେନ୍ଦ୍ର ବାହାଦୁର ଏହାର ପୁନରୁଦ୍ଧାର କରିଥିଲେ। ମନ୍ଦିରର ଉଚ୍ଚତା ୪୦ ଫୁଟ । ଏହା ଦେବୋତ୍ତର ବିଭାଗ ଦ୍ବାରା ପରିଚାଳିତ ଜମିଖଞ୍ଜା ଅଛି। ତାଙ୍କ ପାଖକୁ ବୁଦ୍ଧେଶ୍ବର ବୁଢା ମହାଦେବ ମନ୍ଦିର ଅଛି। ଏହି ମନ୍ଦିରଟି ପଶ୍ଚିମେଶ୍ବର ମହାଦେବ ମନ୍ଦିର ବେଢା ମଧ୍ୟରେ ଅବସ୍ଥିତ। ଏହା ପଶ୍ଚିମେଶ୍ବର ମନ୍ଦିରର ସମସାମୟିକ । ଏହାର ଉଚ୍ଚତା ପ୍ରାୟ ୫୦ଫୁଟ ଓ ଏହା ପରେ ସିଦ୍ଧସମ୍ଭୁ,ସିଦ୍ଧଶମ୍ଭୁନାଥ ମନ୍ଦିର। ଏହି ମନ୍ଦିରଟି ପଶ୍ଚିମେଶ୍ବର ମନ୍ଦିରର ପୂର୍ବ ଦିଗକୁ ପ୍ରାୟ ୧୦୦ ମିଟର ଦୂରରେ । ଏହି ଦେବତାଦ୍ବୟ ଆକାଶ ଲିଙ୍ଗକୁ ପାତାଳ ଲିଙ୍ଗ । ମନ୍ଦିରଟି ୧୧ଶ ଖ୍ରୀ.ଅ.ର ଅଟେ । ଏହା ଅର୍ଦ୍ଧଭଗ୍ନ ଅବସ୍ଥାରେ ମାଟିରେ ପୋତି ହୋଇ ରହିଥିଲା। ଏବେ ପ୍ରତ୍ନତତ୍ତ୍ବ ବିଭାଗ ଦ୍ବାରା ଖୋଳାଯାଇ ମରାମତି କରାଯାଇଛି। ଏଠାରେ ଅଷ୍ଟଗ୍ରହ ପୂଜା ପାଉଛନ୍ତି। ପଶ୍ଚିମେଶ୍ବର,ବୁଦ୍ଧେଶ୍ବର,ସିଦ୍ଧଶମ୍ଭୁ ଓ ସିଦ୍ଧ ଶମ୍ଭୁନାଥ (୪ ଦେବତା) ସମସ୍ତେ ଫୁଟାଲିଙ୍ଗ । ଦେବୋତ୍ତର ବିଭାଗଦ୍ବାରା ପରିଚାଳିତ ଜମି ଖଞ୍ଜ। ଅଛି। ଉକ୍ତଦେବତା ମାନଙ୍କର ପର୍ବପର୍ବାଣୀ ଗୁଡିକ ମଧ୍ୟରେ କାର୍ତ୍ତିକ ମାସସାରା ଓଷାବ୍ରତ,ଭାଗବତ ସପ୍ତାହ,ଜାଗର କାର୍ତ୍ତିକେଶ୍ବର ପୂଜା,ସାବିତ୍ରୀବ୍ରତ,ସପ୍ତପୁରୀ ଅମାବାସ୍ୟା,ମକର,ପଣା ସଂକ୍ରାନ୍ତି,ଚିତାଲାଗି,ଅଷ୍ଟପ୍ରହରୀ, ଯଜ୍ଞ,ପ୍ରଥମାଷ୍ଟମୀ,ପୁଷପୂର୍ଣ୍ଣିମା,ବକୁଳ ଅମାବାସ୍ୟା,ଦୋଳ ପୂର୍ଣ୍ଣିମା,ପ୍ରତ୍ୟେକ ମାସର କୃଷ୍ଣ ଚତୁର୍ଦ୍ଦଶୀରେ ବେଢା ପରିକ୍ରମା,ବୈଶାଖ ମାସସାରା ପଣାସଂକ୍ରାନ୍ତି ଗହ୍ମାପୂର୍ଣ୍ଣିମା ଏଠାରେ ଏକ କଲ୍ୟାଣ ମଣ୍ଡପ ଅଛି। ବର୍ଷ ସାରା ଏଠାରେ ବିବାହ,ବ୍ରତ,ରୁଦ୍ରାଭିଶେକ ଇତ୍ୟାଦି କରାଯାଏ। ଏକ କାଳୀନ ୫/୧୦ଟି ବିବାହବ୍ରତ ହୋଇ ପାରିବାଭଳି ବ୍ୟବସ୍ଥା ରହିଛି ଏହିଠାରେ । ଏହା ପରେ ଉତ୍ତରେଶ୍ବର ମହାଦେବଙ୍କ ଉକ୍ତ ମନ୍ଦିରଟିର ମୁଖ ଉତ୍ତରଦିଗକୁ ହୋଇ ଥିବାରୁ ଏହାର ନାମ ଉତ୍ତରେଶ୍ବର । ଏହା ମଧ୍ୟ ୧୬ ଖ୍ରୀ.ଅର ମନ୍ଦିର ଅଟେ । ପଶ୍ଚିମେଶ୍ବରଙ୍କ ମନ୍ଦିର ଠାରୁ ପୂର୍ବକୁ ମାତ୍ର ୫୦୦ ମିଟରେ ଆଗରେ ଏହି ମନ୍ଦିରଟି । ଠାକୁର ଫୁଟାଲିଙ୍ଗ ଅଟନ୍ତି। ମନ୍ଦିର ଉଚ୍ଚତା ୨୫ ଫୁଟ ।

ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ନିମ୍ନ ମାନର ନିର୍ମାଣ କାର୍ଯ୍ୟ ଅଭିଯୋଗ

ଢେଙ୍କାନାଳ –  ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ କୋଟିକୋଟି ଟଙ୍କା ବରୋଦରେ ଖର୍ଚ୍ଚ କରୁଥିବାବେଳେ ପରଜଙ୍ଗ ବ୍ଲକ ପିତିରି ପଞ୍ଚାୟତ ର ପିତିରି ଛକ ଠାରେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ରେ ତିନିଗୋଟି କାର୍ଯ୍ୟାଦେଶ ରହିଅଛି l ଗୋଟିଏ ୧୦,୦୦,୦୦୦ ଅନ୍ୟ ଗୋଟିଏ ୫,୦୦,୦୦୦ ଓ ୧୦,୦୦,୦୦୦ ମିଶି ସମୁଦାୟ ୨୫,୦୦,୦୦୦ ପରିମାଣ ରେ ନୂତନ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ହେଉଅଛି। ଏହି ନିର୍ମାଣ କାର୍ଯ୍ୟ ଅତି ନିମ୍ନମାନର ହେଉଥିବା ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି । ତେବେ ନିର୍ମାଣଧିନ ଦୋକାନ ଗୃହ ର ପ୍ଲିଁଥ ପର୍ଯ୍ୟନ୍ତ ସମ୍ପୂର୍ଣ ମାଟି ପକାଇ ନାମକୁ ମାତ୍ର ୨ ରୁ ୩ ଇଞ୍ଚ୍ ବାଲି ପକାଇ ଥିବା ଏବଂ ଇଟା ଯୋଡେଇ ରେ ସିମେଣ୍ଟ ଓ ବାଲି ମିଶ୍ରଣ ରେ ମାତ୍ରାଧିକ ବାଲି ଓ ତଳେ ୧୦ ଇଞ୍ଚ ଇଟାର ଯୋଡ଼େଇ ଦିଆଯାଉଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି। ବିଭାଗୀୟ କନିଷ୍ଠ ଯନ୍ତ୍ରୀ ନିର୍ମାଣଧିନ କାର୍ଯ୍ୟ ତଦାରଖ କରୁନଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଠିକାଦାର ଓ ଯନ୍ତ୍ରୀଙ୍କ ମଧ୍ୟରେ ଘନିଷ୍ଠ ମଧୂଚନ୍ଦ୍ରିକା ଥିବାରୁ ମନମୁଖୀ ନିର୍ମାଣ କାର୍ଯ୍ୟ ଚାଲିଥିବା ସ୍ଥାନୀୟ ଲୋକେ ପ୍ରକାଶ କରିଛନ୍ତି। ନୂତନ ଦୋକାନ ଗୃହ ନିର୍ମାଣ କାର୍ଯ୍ୟ ସ୍ଥଳରେ ଥିବା ଫଳକ ଗୁଡିକ ମାତ୍ର ୧୫ ଦିନ ନହେଉଣୁ ଭାଙ୍ଗି ତଳେ ପଡିଥିବା ଦେଖିବାକୁ ମିଳିଛି । ତେବେ ଏହା ନିମ୍ନମାନର ନିର୍ମାଣ କାର୍ଯ୍ୟ ହେଉଥିବାରୁ ଏପରି ଦୃଷ୍ଟାନ୍ତ। ଏନେଇ ସ୍ଥାନୀୟ ଗୋଷ୍ଠୀ ଉର୍ଣ୍ଣୟନ ବିଭାଗୀୟ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି।

ଅଗଷ୍ଟ ୧୫ ପାଇଁ ମଶାଲ ଶୋଭାଯାତ୍ରା

କାମାକ୍ଷାନଗର –  ସ୍ୱାଧୀନତା ଦିବସ ଅଗଷ୍ଟ ୧୫କୁ ଉତ୍ସାହ ଓ ଦେଶପ୍ରେମର ସହ ପାଳନ କରିବା ଉଦ୍ଦେଶ୍ୟରେ ଏକ ମଶାଲ ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ସ୍ଥାନୀୟ କୋର୍ଟ ପରିସର ରୁ ଠାରୁ ମଶାଲ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରି ପୁଣି କୋର୍ଟ ପରିସର ପର୍ଯ୍ୟନ୍ତ ପହଞ୍ଚିଥିଲା । ଏଥିରେ ବହୁ ସଂଖ୍ୟାରେ ଯୁବକ, ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକ ସାମିଲ ହୋଇଥିଲେ। ଦେଶାତ୍ମବୋଧକ ନାରା ଓ ଜାତୀୟ ପତାକା ସହ ଶୋଭାଯାତ୍ରା ପରିବେଶକୁ ଦେଶପ୍ରେମରେ ଭରି ଦେଇଥିଲା।ଏହି ଅବସରରେ ଉପଜିଲ୍ଲାପାଳ ବିକାଶ କୁମାର ମହାନ୍ତି, ସହକାରୀ ଜିଲ୍ଲପାଳ ଦୀପକ କୁମାର ମିଶ୍ର ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ଶେଷରେ ଦେଶର ଏକତା, ଅଖଣ୍ଡତା ଓ ସ୍ୱାଧୀନତାର ମୂଲ୍ୟବୋଧକୁ ଅକ୍ଷୁଣ୍ଣ ରଖିବା ପାଇଁ ସମସ୍ତେ ଶପଥ ନେଇଥିଲେ।

ତୁମୁସିଙ୍ଗା ଥାନା ଅଞ୍ଚଳରେ ମହିଳାଙ୍କ ମୃତଦେହ ଉଦ୍ଧାର 

କାମାକ୍ଷାନଗର -ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା କନ୍ତିଓପୁଟସାହିରୁ କାଟେଣୀ ଯିବା ରାସ୍ତାର ଶାଳବଣି ପୂର୍ବ ପଡ଼ିଆରୁ ଜଣେ ମହିଳାଙ୍କ ଉଲଗ୍ନ ମୃତଦେହ ଉଦ୍ଧାର ହୋଇଛି। ମୃତକା ପୁଟସାହିର ଗୁଣ୍ଠୁ ସାହୁଙ୍କ ପତ୍ନୀ ବୋଲି ସ୍ଥାନୀୟ ଅଞ୍ଚଳରେ ଆଲୋଚନା ହେଉଛି। ମହିଳାଙ୍କୁ ହତ୍ୟା କରାଯାଇଥିବା ନେଇ ସନ୍ଦେହ ପ୍ରକାଶ ପାଇଛି। କିଏ ଓ କେଉଁ କାରଣରୁ ଏଭଳି ଘଟଣା ଘଟାଇଛି,ତାହା ଜଣାପଡ଼ିନାହିଁ। ଘଟଣାସ୍ଥଳରେ ତୁମୁସିଙ୍ଗା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତଦନ୍ତ ପରେ ଘଟଣାର ପ୍ରକୃତ ତଥ୍ୟ ସ୍ପଷ୍ଟ ହେବ ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ୮୦ ତମ ସ୍ଵାଧୀନତା ଦିବସ ମହା ଆଡ଼ମ୍ବରରେ ପାଳିତ 

Sunil Chandra Nayak

ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ, ଖରିଡ଼ା ପଞ୍ଚାୟତରେ ବସିଲା ଶିବିର 

Sunil Chandra Nayak

ଫକୀରମୋହନ ସାହିତ୍ୟ ଗବେଷଣା ପ୍ରତିଷ୍ଠାନ ଓ ସୁବର୍ଣ୍ଣରେଖା ଆନୁକୁଲ୍ୟରେ ଆନ୍ତର୍ଜାତିକ ମହିଳା ଦିବସ ପାଳନ

masiha

Leave a Comment

error: Content is protected !!