ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

“ଯେଉଁଠି ରହିବେ, ଉତ୍କର୍ଷ ହାସଲ କରନ୍ତୁ; ନିଜେ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ”: ଜିଲ୍ଲାପାଳ ମଧୁସୂଦନ ଦାଶ

ଡିଆଇଇଟି, ନୂଆପଡ଼ାରେ ଜିଲ୍ଲାପାଳଙ୍କ ପ୍ରେରଣାଦାୟୀ ଅଭିଭାଷଣ ଓ ଛାତ୍ରଛାତ୍ରୀଙ୍କ ସହ ପ୍ରଶ୍ନୋତ୍ତର ଅଧିବେଶନ

ନୂଆପଡ଼ା,(ସୁଜିତ କୁମାର ପ୍ରଧାନ )“କେବଳ ପାଠ୍ୟପୁସ୍ତକ ପଢ଼ିବାରେ ସୀମିତ ନରହି ସୃଜନଶୀଳ ଚିନ୍ତାଧାରାର ବିକାଶ କରନ୍ତୁ। ନିଜ ଦକ୍ଷତାକୁ ଚିହ୍ନଟ କରି ତାହାର ବିକାଶ ପାଇଁ ନିରନ୍ତର ପ୍ରୟାସ କରନ୍ତୁ। ଜୀବନରେ ଯେଉଁଠି ରହିବେ, ସେଠାରେ ଉତ୍କର୍ଷ ହାସଲ କରିବା ସହ ନିଜେ ଏକ ରୋଲ୍‌ ମଡେଲ୍‌ ହୋଇ ଅନ୍ୟଙ୍କ ପାଇଁ ପ୍ରେରଣା ପାଲଟନ୍ତୁ।” ଡିଆଇଇଟି, ନୂଆପଡ଼ାର ଛାତ୍ରଛାତ୍ରୀଙ୍କୁ ଏଭଳି ପ୍ରେରଣା ଦେଇଥିଲେ ଜିଲ୍ଲାପାଳ ମଧୁସୂଦନ ଦାଶ।

ଡିଆଇଇଟି, ନୂଆପଡ଼ାରେ ଆୟୋଜିତ ପ୍ରେରଣାଦାୟୀ ଅଭିଭାଷଣ ଓ ପ୍ରଶ୍ନୋତ୍ତର ଅଧିବେଶନରେ ଯୋଗଦେଇ ଜିଲ୍ଲାପାଳ ଶିକ୍ଷାକୁ କେବଳ ପରୀକ୍ଷାରେ ଭଲ ଫଳାଫଳ ପାଇବାର ମାଧ୍ୟମ ଭାବେ ନଦେଖି ଜୀବନକୁ ବୁଝିବା, ନିଜ ବ୍ୟକ୍ତିତ୍ୱ ଗଢ଼ିବା ଏବଂ ସମାଜ ପାଇଁ ସକାରାତ୍ମକ ଅବଦାନ ରଖିବାର ମାଧ୍ୟମ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ପାଠପଢ଼ା ସହ ସୃଜନଶୀଳତା,ଶୃଙ୍ଖଳା ଓ ନେତୃତ୍ୱ ଗୁଣର ବିକାଶ ଉପରେ ସେ ଗୁରୁତ୍ୱାରୋପ କରିଥିଲେ।

ଶିକ୍ଷାଦାନ ଏକ ଗରିମାମୟ କାର୍ଯ୍ୟ’—ଏହି ଭାବନାକୁ ଆତ୍ମସାତ୍‌ କରି ଭବିଷ୍ୟତର ଶିକ୍ଷକ ଭାବେ ନିଜ ଦାୟିତ୍ୱକୁ ନିଷ୍ଠା, ସମର୍ପଣ ଓ ଗର୍ବର ସହ ନିର୍ବାହ କରିବାକୁ ସେ ଆହ୍ୱାନ ଦେଇଥିଲେ। ଜଣେ ଶିକ୍ଷକ କେବଳ ଜ୍ଞାନ ପ୍ରଦାନ କରନ୍ତି ନାହିଁ, ଛାତ୍ରଛାତ୍ରୀଙ୍କ ଚରିତ୍ର, ଚିନ୍ତାଧାରା ଓ ଭବିଷ୍ୟତ ଗଢ଼ିବାରେ ମଧ୍ୟ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ ବୋଲି ଜିଲ୍ଲାପାଳ କହିଥିଲେ।

ଏହି ଅବସରରେ ଜିଲ୍ଲାପାଳ ନିଜ ଜୀବନଯାତ୍ରାର ବିଭିନ୍ନ ଅନୁଭୂତି ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଥିବା ତାଙ୍କ ଜୀବନଯାତ୍ରାରେ ଆର୍ଥିକ ପ୍ରତିବନ୍ଧକ ସତ୍ତ୍ୱେ ତାଙ୍କ ପରିବାର ଶିକ୍ଷା ପାଇଁ କିପରି ଦୃଢ଼ ସମର୍ଥନ ଦେଇଥିଲେ, ସେ ସମ୍ପର୍କରେ ସେ ଉଲ୍ଲେଖ କରିଥିଲେ। କଲେଜ ଜୀବନରେ ଛାତ୍ରନେତା ଭାବେ ଅନୁଭୂତି ସାଉଁଟିବାଠାରୁ ଆରମ୍ଭ କରି ଓଡ଼ିଶା ପ୍ରଶାସନିକ ସେବାରେ ପ୍ରବେଶ ଏବଂ ବିଭିନ୍ନ ଦାୟିତ୍ୱ ନିର୍ବାହ ପରେ ଜିଲ୍ଲାପାଳ ଭାବେ ଦାୟିତ୍ୱ ତୁଲାଇବା ପର୍ଯ୍ୟନ୍ତର ଅନୁଭବ ସେ ଛାତ୍ରଛାତ୍ରୀଙ୍କ ସହ ବାଣ୍ଟିଥିଲେ। ସଂଘର୍ଷ, ଧୈର୍ଯ୍ୟ, ପରିଶ୍ରମ ଓ ଦୃଢ଼ ଲକ୍ଷ୍ୟ ହିଁ ଜୀବନରେ ସଫଳତାର ମୁଖ୍ୟ ଆଧାର ବୋଲି ସେ କହିଥିଲେ।

ସାହିତ୍ୟ ପ୍ରତି ନିଜର ଅନୁରାଗ ସମ୍ପର୍କରେ ମଧ୍ୟ ଜିଲ୍ଲାପାଳ ଛାତ୍ରଛାତ୍ରୀଙ୍କ ସହ ଅନୁଭୂତି ବାଣ୍ଟିଥିଲେ। ନିୟମିତ ପଢ଼ାଲେଖା ମଣିଷର ଚିନ୍ତାଧାରାକୁ ସମୃଦ୍ଧ କରିବା ସହ ଦୃଷ୍ଟିକୋଣକୁ ବ୍ୟାପକ କରିଥାଏ ବୋଲି ସେ କହିଥିଲେ। ଏହି ଅବସରରେ ଡିଆଇଇଟିର ଛାତ୍ରଛାତ୍ରୀମାନେ ଜିଲ୍ଲାପାଳଙ୍କ ଜୀବନ, ବ୍ୟକ୍ତିତ୍ୱ ଓ କାର୍ଯ୍ୟଧାରାକୁ ନେଇ କବିତା ପାଠ କରିଥିଲେ।

ପରେ ଅନୁଷ୍ଠିତ ପ୍ରଶ୍ନୋତ୍ତର ଅଧିବେଶନରେ ଛାତ୍ରଛାତ୍ରୀମାନେ ବିଭିନ୍ନ ସମସାମୟିକ ଓ ପ୍ରଶାସନିକ ବିଷୟରେ ଜିଲ୍ଲାପାଳଙ୍କୁ ପ୍ରଶ୍ନ କରିଥିଲେ। ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ମୁକ୍ତ ଅଭିଯାନ, ନିର୍ବାଚନ ପରିଚାଳନା, କାର୍ଯ୍ୟ ଓ ବ୍ୟକ୍ତିଗତ ଜୀବନ ମଧ୍ୟରେ ସମନ୍ୱୟ, ଶାରୀରିକ ସୁସ୍ଥତା ଓ ଫିଟନେସ୍‌ ଆଦି ବିଷୟରେ ସେମାନଙ୍କ ପ୍ରଶ୍ନ ରହିଥିଲା। ଜିଲ୍ଲାପାଳ ସହଜ ଓ ସ୍ପଷ୍ଟ ଭାବେ ପ୍ରଶ୍ନଗୁଡ଼ିକର ଉତ୍ତର ଦେବା ସହ ନିଜ ଅନୁଭୂତି ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଥିଲେ।

କାର୍ଯ୍ୟକ୍ରମରେ ଡିଆଇଇଟିର ଅଧ୍ୟକ୍ଷ ନରୋତ୍ତମ ଭୋଇ, ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ। ଜିଲ୍ଲା ସମ୍ୱଳ ସଂଯୋଜକ ଅନିଲ କୁମାର ଲେଙ୍କା ମଞ୍ଚ ପରିଚାଳନା କରିଥିଲେ।

Related posts

କାହା ସ୍ବାର୍ଥ ରେ ମେଗା ଜଳ ଯୋଗାଣ ଓ ମେଗା ଜଳ ସେଚନ ପ୍ରକଳ୍ପ ?

masiha

ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ

Sunil Chandra Nayak

ଶିଶୁ ଯତ୍ନ ଅନୁଷ୍ଠାନ ର ପିଲାଙ୍କ ଗହଣରେ ନୁତନ ବର୍ଷ ପାଳନ କଲେ ଜିଲ୍ଲାପାଳ କଳାହାଣ୍ଡି

masiha

Leave a Comment

error: Content is protected !!