ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 

ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ 

ମୁଖ୍ୟ ଅତିଥି ତହସିଲଦାର ତପନ କୁମାର ମହାପାତ୍ରଙ୍କ ଛାତ୍ରଛାତ୍ରୀଙ୍କୁ ଏକାଗ୍ରତା ସହ ଉଚ୍ଚଶିକ୍ଷା ହାସଲ କରିବାକୁ ପରାମର୍ଶ 

ହିଞ୍ଜିଳିକାଟୁ, ୨୨/୮: ହିଞ୍ଜିଳି ବ୍ଲକ୍‌ ଅନ୍ତର୍ଗତ ଭାବନ୍ଧସ୍ଥିତ ଗାନ୍ଧୀ ସ୍କୁଲ ଅଫ୍ ଇଞ୍ଜିନିୟରିଂ କଲେଜ ପରିସରରେ ନୂତନ ଛାତ୍ରଛାତ୍ରୀଙ୍କୁ ନେଇ ୧୯ତମ ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ଆୟୋଜିତ ହୋଇଯାଇଛି । ୨୦୨୬-୨୭ ଶିକ୍ଷାବର୍ଷରେ ନୂତନ ଭାବେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଅନୁଷ୍ଠାନ ପକ୍ଷରୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବା ସହ ଏକ ସଫଳ ଶିକ୍ଷାଜୀବନ ପାଇଁ ଶୁଭକାମନା ଜଣାଯାଇଥିଲା। କଲେଜର ସେମିନାର ହଲ୍‌ରେ ଆୟୋଜିତ ଏହି ଉତ୍ସବରେ ନୂତନ ଛାତ୍ରଛାତ୍ରୀଙ୍କ ସମେତ ଅଭିଭାବକ,ଅଧ୍ୟାପକ-ଅଧ୍ୟାପିକା, ବିଭିନ୍ନ ବିଭାଗର ମୁଖ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ହିଞ୍ଜିଳିକାଟୁ ତହସିଲଦାର ଶ୍ରୀ ତପନ କୁମାର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ନୂତନ ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ପ୍ରତି ଏକାଗ୍ରତା ଓ ନିଷ୍ଠାର ସହ ଆଗେଇ ଯିବାକୁ ପରାମର୍ଶ ଦେଇଥିଲେ। ଶିକ୍ଷା କେବଳ ଡିଗ୍ରୀ ହାସଲରେ ସୀମିତ ନ ରହି ଏହା ଜ୍ଞାନ, ଦକ୍ଷତା ଓ ଉତ୍ତମ ଚରିତ୍ର ଗଠନର ମାଧ୍ୟମ ହେବା ଆବଶ୍ୟକ ବୋଲି ସେ ମତପ୍ରକାଶ କରିଥିଲେ। ଛାତ୍ରଜୀବନରେ ପରିଶ୍ରମ, ଶୃଙ୍ଖଳା ଓ ନିୟମିତତାକୁ ଆପଣାଇ ନିଜର ଲକ୍ଷ୍ୟ ହାସଲ ଦିଗରେ ଆଗେଇ ଯିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଅନୁଷ୍ଠାନର ଚେୟାରମ୍ୟାନ ଶ୍ରୀ ସଂଜୀବ କୁମାର ପୁରୋହିତ, ଭାଇସ୍‌ ଚେୟାରମ୍ୟାନ ଶ୍ରୀ ସଂଜୀବ କୁମାର ସାହୁ, ସେକ୍ରେଟାରୀ ଶ୍ରୀ ରାଜୀବ କୁମାର ପୁରୋହିତ, ପ୍ରିନ୍ସିପାଲ ପ୍ରଫେସର ଇଂ. ସମରେନ୍ଦ୍ର ଚୌଧୁରୀଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟ ଓ ଅନୁଷ୍ଠାନର କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଅତିଥିମାନେ ନୂତନ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ସହିତ ବୈଷୟିକ ଓ ବ୍ୟବହାରିକ ଜ୍ଞାନ ହାସଲ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ। ଶୃଙ୍ଖଳା, ପରିଶ୍ରମ, ନିୟମିତତା ଓ ସତ୍ୟନିଷ୍ଠାକୁ ଜୀବନର ମୂଳମନ୍ତ୍ର କରି ଭବିଷ୍ୟତରେ ଜଣେ ଦକ୍ଷ ଓ ଦାୟିତ୍ୱବାନ ଇଞ୍ଜିନିୟର ଭାବେ ନିଜକୁ ଗଢ଼ି ତୋଳିବାକୁ ସେମାନେ ପରାମର୍ଶ ଦେଇଥିଲେ। ନିଜର ସଫଳତା ମାଧ୍ୟମରେ ପିତାମାତାଙ୍କ ସମ୍ମାନ ବଢ଼ାଇବା ସହ ଅନୁଷ୍ଠାନର ଗୌରବ ବୃଦ୍ଧି କରିବାକୁ ମଧ୍ୟ ଛାତ୍ରଛାତ୍ରୀଙ୍କୁ ଆହ୍ୱାନ ଦିଆଯାଇଥିଲା। ଶିକ୍ଷା ସହିତ ଉତ୍ତମ ଚରିତ୍ର, ସାମାଜିକ ଦାୟିତ୍ୱବୋଧ ଓ ମାନବିକ ମୂଲ୍ୟବୋଧର ବିକାଶ ଉପରେ ମଧ୍ୟ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଜଣେ ଭଲ ଇଞ୍ଜିନିୟର ହେବା ସହ ଜଣେ ଦାୟିତ୍ୱବାନ ନାଗରିକ ଭାବେ ଦେଶର ପ୍ରଗତିରେ ଯୋଗଦାନ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ପ୍ରେରଣା ଦିଆଯାଇଥିଲା। ଶେଷରେ ମେକାନିକାଲ ବିଭାଗର ମୁଖ୍ୟ ଇଂ. ସୁନୀଲ କୁମାର ସାହୁ ଅନୁଷ୍ଠାନର ନିୟମାବଳୀ ଓ ଶିକ୍ଷାନୁଷ୍ଠାନରେ ପାଳନୀୟ ବିଭିନ୍ନ ନିୟମ ସମ୍ପର୍କରେ ନୂତନ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ଉତ୍ସବର ସମଗ୍ର ପରିବେଶ ନୂତନ ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ, ଆତ୍ମବିଶ୍ୱାସ ଓ ନୂତନ ସ୍ୱପ୍ନର ସଞ୍ଚାର କରିଥିଲା। ନୂତନ ଶିକ୍ଷାଜୀବନର ପ୍ରଥମ ପାଦକ୍ଷେପରେ ଅନୁଷ୍ଠାନର ଏହି ସ୍ୱାଗତ ସମ୍ବର୍ଦ୍ଧନା ସେମାନଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ହୋଇଥିଲା।

Related posts

ଟ୍ରକ ମାଲିକ ସଂଘ ଗୃହ ପ୍ରତିଷ୍ଠା ଦିବସ ଅନୁଷ୍ଠିତ

Sunil Chandra Nayak

ଜୟପାଟଣା ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣୀ ଶିବିର ଅନୁଷ୍ଠିତ 

masiha

ବିଶିଷ୍ଟ ମହିଳା ସମାଜସେବୀ ଗାନ୍ଧୀ ବାଦୀ ତଥା ସର୍ବୋଦୟ ଜିଲ୍ଲା ସଭାପତି ଓ ସ୍ଵାଧୀନତା ସଂଗ୍ରାମୀ ରବି ମାଝୀ ଙ୍କ ପୁତ୍ରବଧୂ ଶ୍ରୀମତୀ ନୟନା ମାଝୀ ଙ୍କ ଦେହ ଅସୁସ୍ଥ:ଭେଟିଲେ କଂଗ୍ରେସ ଜିଲ୍ଲା ସଭାପତି ଓ ମହିଳା ସାମାଜ ସେବୀ 

masiha

Leave a Comment

error: Content is protected !!