ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚୋରମାଲଦାରେ ଥମୁନି ଦନ୍ତା ହାତୀ ଆତଙ୍କ ରାତିରେ ଘରେ ପଶି ଭାଙ୍ଗିଲା ଘର, ଗ୍ରାମବାସୀ ଭୟଭୀତ

ଚୋରମାଲଦାରେ ଥମୁନି ଦନ୍ତା ହାତୀ ଆତଙ୍କ

ରାତିରେ ଘରେ ପଶି ଭାଙ୍ଗିଲା ଘର, ଗ୍ରାମବାସୀ ଭୟଭୀତ
ଦୁଇ ମାସରେ ଏକାଧିକ ଘର କ୍ଷତିଗ୍ରସ୍ତ; ମଣିଷ-ହାତୀ ସଂଘାତକୁ ନେଇ ଚିନ୍ତା

ଭଦ୍ରାସାହି, ୨୩ା୮ (ନି.ପ୍ର.) : କେନ୍ଦୁଝର ଜିଲ୍ଲା ବଡ଼ବିଲ ରେଞ୍ଜ ଅଧୀନ ରୁଗୁଡ଼ି ଫରେଷ୍ଟ ସେକ୍ସନର ଚୋରମାଲଦା ଗ୍ରାମରେ ଥମୁନି ଦନ୍ତା ହାତୀର ଉପଦ୍ରବ। ଗୋଠଛଡ଼ା ଏକ ଦନ୍ତା ହାତୀ ଲଗାତାର ଭାବେ ଜନବସତି ମୁହାଁ ହେଉଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କର ବାତାବରଣ ଲାଗିରହିଛି।

ଶନିବାର ବିଳମ୍ବିତ ରାତି ପ୍ରାୟ ୨ଟା ସମୟରେ ଅରବିନ୍ଦ ମୁଣ୍ଡା ପରିବାର ସହ ଘରେ ଶୋଇଥିବା ବେଳେ ହଠାତ୍ ଦନ୍ତା ହାତୀଟି ଘର ଭିତରକୁ ପଶିଆସିଥିଲା। ହାତୀର ଉପସ୍ଥିତି ଜାଣି ପରିବାର ଲୋକେ ଭୟଭୀତ ହୋଇ ଜୀବନ ବଞ୍ଚାଇବାକୁ ଘରୁ ବାହାରି ନ ପାରିଥିଲେ ସ୍ବଭାଗ୍ୟ ବସତ କାହାର କିଛି କ୍ଷତି ହୋଇ ନ ଥିଲା।ପରେ ହାତୀଟି ଅରବିନ୍ଦଙ୍କ ଘର ଭାଙ୍ଗିବା ସହ ଗାଁର ବିଭିନ୍ନ ସ୍ଥାନରେ ଉପଦ୍ରବ କରିଥିଲା।

ଘଟଣା ସମ୍ପର୍କରେ ଖବର ପାଇ ବନ ବିଭାଗର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ବନ କର୍ମଚାରୀମାନେ ସ୍ଥାନୀୟ ଲୋକଙ୍କ ସହଯୋଗରେ ହାତୀଟିକୁ ଗ୍ରାମ ଅଞ୍ଚଳରୁ ଘଉଡ଼ାଇବାରେ ସଫଳ ହୋଇଥିଲେ। ତେବେ ହାତୀ ଉପଦ୍ରବରେ ମାଲଦା ଗ୍ରାମର ଦୁଇଜଣଙ୍କ ଘର ଭାଙ୍ଗିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଲଘୁଚାପଜନିତ ବର୍ଷା ଜାରି ରହିଥିବାରୁ ହାତୀ ଦ୍ୱାରା କ୍ଷତିଗ୍ରସ୍ତ ଘରେ ଗଣେଶ୍ୱରଙ୍କ ପରିବାର ଅତ୍ୟନ୍ତ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ବର୍ଷା ମଧ୍ୟରେ ଭଙ୍ଗା ଘରେ ରହିବାକୁ ପଡ଼ୁଥିବାରୁ ପରିବାରର ଦୁର୍ଦ୍ଦଶା ଆହୁରି ବଢ଼ିଛି। ବନ ବିଭାଗ ପକ୍ଷରୁ ଘରର କ୍ଷୟକ୍ଷତି ଆକଳନ କରାଯାଇ ନିୟମାନୁସାରେ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ବନ ବିଭାଗ ଅଧିକାରୀ ବିଭୂତି କୁମାର ସେଠୀ କହିଛନ୍ତି।

ସୂଚନା ଅନୁଯାୟୀ, ଏହି ଗୋଠଛଡ଼ା ଦନ୍ତା ହାତୀ ଦୁଇ ଦିନ ପୂର୍ବରୁ କଲହଁ ରୋଡ଼କଳା ଗ୍ରାମରେ ପ୍ରବେଶ କରି ଆଶା ମୁଣ୍ଡା, ଟିପୁ ମୁଣ୍ଡା ଓ ଗମ୍ହା ମୁଣ୍ଡାଙ୍କ ଘର ଭାଙ୍ଗିଥିଲା। ଏହା ପୂର୍ବରୁ ପ୍ରାୟ ଦୁଇ ମାସ ତଳେ ଚୋରମାଲଦା ଗ୍ରାମରେ ମଧ୍ୟ ଏହି ଦନ୍ତା ହାତୀ ପାଞ୍ଚଜଣଙ୍କ ଘର ଭାଙ୍ଗିଥିବା ସୂଚନା ରହିଛି।ଫଳରେ ଏହି ଦନ୍ତା ହାତୀ କୁ ନେଇ ଅଞ୍ଚଳବାସୀ ଙ୍କ ମଧ୍ୟରେ ଆହୁରି ଆତଙ୍କ ଘନୀଭୂତ ହୋଇଛି।

ଅଞ୍ଚଳରେ ଦିନକୁ ଦିନ ଖଣି ଖନନ ଓ ଶିଳ୍ପାୟନ ବୃଦ୍ଧି ପାଇବା ସହ ଜଙ୍ଗଲ ଅଞ୍ଚଳ ସଙ୍କୁଚିତ ହେଉଥିବାରୁ ହାତୀଙ୍କ ପାରମ୍ପରିକ ଚଳାଚଳ ପଥ ଓ ବାସସ୍ଥାନ ପ୍ରଭାବିତ ହେଉଛି। ଫଳରେ ଖାଦ୍ୟ ଓ ଆଶ୍ରୟ ସନ୍ଧାନରେ ହାତୀମାନେ ବାରମ୍ବାର ଜନବସତି ମୁହାଁ ହେଉଥିବା ନେଇ ସ୍ଥାନୀୟ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ନିକଟ ଅତୀତରେ ମଧ୍ୟ ଏହି ଅଞ୍ଚଳରେ ହାତୀ ଆକ୍ରମଣରେ ଜଣେ ୫ ବର୍ଷୀୟ ଶିଶୁର ମୃତ୍ୟୁ ଘଟିଥିବାରୁ ପରିସ୍ଥିତିର ଗମ୍ଭୀରତା ଆହୁରି ବଢ଼ିଛି।

ବାରମ୍ବାର ହାତୀ ଗ୍ରାମ ମଧ୍ୟକୁ ପ୍ରବେଶ କରି ଘର ଭାଙ୍ଗିବା ଘଟଣା ଗ୍ରାମବାସୀଙ୍କ ନିରାପତ୍ତାକୁ ନେଇ ପ୍ରଶ୍ନ ଉଠାଇଛି। ହାତୀର ଗତିବିଧି ଉପରେ ନିରନ୍ତର ନଜର ରଖିବା, ଗ୍ରାମବାସୀଙ୍କୁ ସମୟୋପଯୋଗୀ ସତର୍କ ସୂଚନା ଦେବା ଏବଂ ମଣିଷ-ହାତୀ ସଂଘାତ ରୋକିବା ଦିଗରେ ବନ ବିଭାଗ ଦୀର୍ଘମିଆଦୀ ପଦକ୍ଷେପ ଗ୍ରହଣ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

ଉର୍ମିଳା ପଣ୍ଡା ଙ୍କ ରିପୋର୍ଟ୍ 

Related posts

ଡିୱାଇଏଫଆଇ ର ଜିଲ୍ଲା ସମ୍ମିଳନୀ ଆସନ୍ତା ୧୦ ଓ ରାଜ୍ୟ ସମ୍ମିଳନୀ ଆସନ୍ତା ୩୦ ରେ …

Sunil Chandra Nayak

ରଙ୍ଗର ପର୍ବର ହୋଲି: ଗାଁଠୁ ସହର ସବୁଠି ଆନନ୍ଦ ଉଲ୍ଲାସ

masiha

ଉଦାହରଣ ଟିମ୍ ର ପ୍ରସ୍ତୁତି ବୈଠକ 

masiha

Leave a Comment

error: Content is protected !!