ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବର୍ଷାରେ ଭିଜିଲା ପ୍ରବାସୀ ଶ୍ରମିକ ସଚେତନତା ଶିବିର ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଖାମଖିଆଲିକୁ ନେଇ ଅସନ୍ତୋଷ

ବର୍ଷାରେ ଭିଜିଲା ପ୍ରବାସୀ ଶ୍ରମିକ ସଚେତନତା ଶିବିର

ସରପଞ୍ଚ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଖାମଖିଆଲିକୁ ନେଇ ଅସନ୍ତୋଷ
ଚିନ୍ଦାଗୁଡ଼ାରେ ପ୍ରଶାସନିକ ସଚେତନତା କାର୍ଯ୍ୟକ୍ରମ ଫସର ଫାଟିଲା, ଛତା ଓ ଚେୟାର ଧରି ବର୍ଷାରୁ ବଞ୍ଚିବାକୁ ଲୋକଙ୍କ ଉଦ୍ୟମ

ଖଡ଼ିଆଳ,୨୪.୦୮.(ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର ପରେ ପଞ୍ଚାୟତ ସ୍ତରରେ ଆୟୋଜିତ ହେଉଥିବା ପ୍ରବାସୀ ଶ୍ରମିକ ସଚେତନତା ଶିବିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ପ୍ରବାସୀ ଶ୍ରମିକଙ୍କ ସୁରକ୍ଷା, ସରକାରୀ ଯୋଜନା ଓ ଶ୍ରମିକଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। କିନ୍ତୁ ଆୟୋଜକ ଦାଇତ୍ୱ ରେ ଥିବା ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ଙ୍କ ଦୂରଦୃଷ୍ଟିର ଅଭାବ ଯୋଗୁଁ ଚିନ୍ଦାଗୁଡ଼ା ଗ୍ରାମ ପଞ୍ଚାୟତରେ ଆୟୋଜିତ ଶିବିର ଅବ୍ୟବସ୍ଥାର ଚିତ୍ର ଦେଖାଇଛି।ଚିନ୍ଦାଗୁଡ଼ା ପଞ୍ଚାୟତ ଅଧୀନରେ ଆୟୋଜିତ ଏହି ଶିବିରକୁ ବହୁ ସଂଖ୍ୟକ ମହିଳା, ପୁରୁଷ ଓ ଯୁବକ-ଯୁବତୀ ଯୋଗଦେଇଥିଲେ। ଏଥିସହ ଜିଲ୍ଲାପାଳ ଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ମଧ୍ୟ ଯୋଗଦେଇଥିଲେ। ଲୋକଙ୍କ ସମସ୍ୟା ଶୁଣିବା ସହ ପ୍ରବାସୀ ଶ୍ରମିକଙ୍କୁ ସଚେତନ କରିବା ନେଇ ଏହି ଶିବିରକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଆଶା ରହିଥିଲା।ହେଲେ ବିଡ଼ମ୍ବନାର ବିଷୟ, ବର୍ଷା ଋତୁ ଏବଂ ପାଣିପାଗ ବିଭାଗ ପକ୍ଷରୁ ବର୍ଷା ନେଇ ସତର୍କତା ଥିବା ସତ୍ତ୍ୱେ କାର୍ଯ୍ୟକ୍ରମ ପାଇଁ ଉପଯୁକ୍ତ ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ ହୋଇଛି। କେବଳ ଏକ ଟେଣ୍ଟ ଭରସାରେ ଏତେ ବଡ଼ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ବେଳେ ବର୍ଷା ଆରମ୍ଭ ହେବା ପରେ ସମଗ୍ର ବ୍ୟବସ୍ଥା ବିଗିଡ଼ି ଯାଇଥିଲା। କାର୍ଯ୍ୟକ୍ରମ ଆରମ୍ଭ ହେଉଣୁ ବର୍ଷା ଆରମ୍ଭ ହୋଇଯିବାରୁ ଲୋକେ ବର୍ଷାରୁ ବଞ୍ଚିବା ପାଇଁ ଛତା ଧରି ଠିଆ ହୋଇଥିଲେ। ଆଉ କିଛି ଲୋକ ଚେୟାର ଧରି ଆଶ୍ରୟ ନେବାକୁ ଚେଷ୍ଟା କରିଥିଲେ। ଅନେକ ଲୋକ ବର୍ଷାରେ ଭିଜିବା ଅପେକ୍ଷା କାର୍ଯ୍ୟକ୍ରମ ଛାଡ଼ି ଘରକୁ ଫେରିଯିବାକୁ ଉଚିତ ମଣିଥିଲେ।ଏଭଳି ପରିସ୍ଥିତିରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀଙ୍କୁ ଶୁଣିବା ଏବଂ ନିଜ ସମସ୍ୟା ଜଣାଇବା ପାଇଁ ଆସିଥିବା ସାଧାରଣ ଲୋକ ନିରାଶ ହୋଇଥିବା ଦେଖାଯାଇଥିଲା।

ପ୍ରଶ୍ନ ଉଠୁଛି—ପାଣିପାଗ ବିଭାଗର ବର୍ଷା ସତର୍କତା ଥିବା ସତ୍ତ୍ୱେ ଏତେ ବଡ଼ ସରକାରୀ କାର୍ଯ୍ୟକ୍ରମ ପାଇଁ କାହିଁକି ବିକଳ୍ପ ବ୍ୟବସ୍ଥା କରାଗଲା ନାହିଁ? ୱାଟରପ୍ରୁଫ୍ ଟେଣ୍ଟ କିମ୍ବା ଅନ୍ୟ କୌଣସି ସୁରକ୍ଷିତ ସ୍ଥାନରେ କାର୍ଯ୍ୟକ୍ରମ କରାଯାଇପାରିଥାନ୍ତା। ଏଭଳି ଅବ୍ୟବସ୍ଥା ପାଇଁ ଦାୟୀ କିଏ—ତାହା ନେଇ ମଧ୍ୟ ଅଞ୍ଚଳବାସୀଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।

ପ୍ରଶାସନିକ ସ୍ତରରେ କାର୍ଯ୍ୟକ୍ରମକୁ ସଫଳ ବୋଲି କୁହାଯାଇପାରେ, କିନ୍ତୁ ମାଟିସ୍ତରର ବାସ୍ତବତା ଭିନ୍ନ କଥା କହୁଛି। ଆୟୋଜକଙ୍କ ଦୂରଦୃଷ୍ଟିର ଅଭାବ ଓ ଖାମଖିଆଲି ଆୟୋଜନ ଯୋଗୁଁ ଲୋକଙ୍କ ହିତରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ସଚେତନତା ଶିବିରର ଉଦ୍ଦେଶ୍ୟ ମାଟି ହୋଇଯାଇଥିବା ନେଇ ଅସନ୍ତୋଷ ପ୍ରକାଶ ପାଇଛି।

ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଜନ ଶୁଣାଣୀ ଶିବିର:ମନରେଗା ଓ ସି ଏଫ୍ ସି ଯୋଜନା ସମୀକ୍ଷା

masiha

ଧର୍ମଗଡ଼ ଠାରେ ଜାତୀୟ ପଞ୍ଚାୟତ ରାଜ ଦିବସ ପାଳିତ

Sunil Chandra Nayak

ଭାରତ ବିକାଶ ପରିଷଦ,ଶହୀଦ ବାଜିରାଉତ ଶାଖା, ଢେଙ୍କାନାଳ ପକ୍ଷରୁ ଓଡ଼ିଶା ଦିବସ -୨୦୨୬ ପାଳିତ,ନିର୍ବାଚନ ଓ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!