ପ୍ରଶାସନ ଶୁଣିଲାନି, ଗାଁ ଲୋକେ ନିଜେ ନଳକୂପ ମରାମତି କଲେ
କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ବାରୁଆଁ (ବି) ପଞ୍ଚାୟତ ର ମଠଖୋକସା ଗ୍ରାମରେ ଦୀର୍ଘଦିନ ହେଲା ନଳକୂପ ଅଚଳ ହୋଇ ପଡ଼ିଥିଲା । ଫଳରେ ଲୋକମାନେ ଅସୁବିଧା ଭୋଗୁଥିଲେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ତ୍ୱେ ଅଚଳ ନଳକୂପ କୁ ସଚଳ କରାଯାଇ ନଥିଲା । ଫଳରେ ଗାଁ ଲୋକେ ନିଜେ ସଜାଡିବାର ଦାୟିତ୍ୱ ନେଇଥିଲେ । ଆଇ ଟି ଆଇ ଫିଟର ରାଜ କିଶୋର ସାହୁ ଙ୍କ ସମେତ ରାଜେଶ ନାୟକ ଓ ଶ୍ରୀକାନ୍ତ ମିଶ୍ର ଙ୍କ ସହଯୋଗରେ ନଳକୂପ ସଚଳ ହୋଇଥିଲା । ଏଥିପାଇଁ ଗ୍ରାମବାସୀ ମାନେ ଉପରୋକ୍ତ ଯୁବକ ମାନଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଛନ୍ତି।
ତାଳଚେର ଉପକାରାଗାରରେ ପାଳିତ ହେବ ରକ୍ଷା ବନ୍ଧନ,
ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ପ୍ରସ୍ତୁତି ବୈଠକ ଅନୁଷ୍ଠିତ
ତାଳଚେର- ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ୍ (TWJA) ପକ୍ଷରୁ ଚଳିତ ବର୍ଷ ପବିତ୍ର ରକ୍ଷା ବନ୍ଧନ ଉତ୍ସବକୁ ତାଳଚେର ଉପକାରାଗାରରେ ପାଳନ କରାଯିବା ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଆସୋସିଏସନର ସଭାପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉପକାରାଗାରର ଅନ୍ତେବାସୀଙ୍କ ସହ ରକ୍ଷା ବନ୍ଧନ ପାଳନ ପାଇଁ ବିସ୍ତୃତ ଆଲୋଚନା କରାଯାଇଥିଲା। ସମାଜର ମୁଖ୍ୟ ସ୍ରୋତରୁ ଦୂରେଇ ରହିଥିବା ଅନ୍ତେବାସୀମାନଙ୍କୁ ସ୍ନେହ, ଶ୍ରଦ୍ଧା ଏବଂ ସମ୍ପର୍କର ଏହି ପବିତ୍ର ପର୍ବରେ ସାମିଲ କରିବା ପାଇଁ ଆସୋସିଏସନ୍ ପକ୍ଷରୁ ଏହି ଅଭିନବ ପ୍ରୟାସ କରାଯାଇଛି।
ବୈଠକର ମୁଖ୍ୟ ନିଷ୍ପତ୍ତି:
ସ୍ୱତନ୍ତ୍ର କାର୍ଯ୍ୟକ୍ରମ: ଉପକାରାଗାର ପରିସରରେ ରକ୍ଷା ବନ୍ଧନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯିବ। ସାମ୍ବାଦିକ ବନ୍ଧୁମାନେ ଉପସ୍ଥିତ ରହି ଅନ୍ତେବାସୀମାନଙ୍କ ସହ ଏହି ପର୍ବ ପାଳନ କରିବେ।
ମିଷ୍ଟାନ୍ନ ଓ ରାକ୍ଷୀ ବଣ୍ଟନ: ଅନ୍ତେବାସୀମାନଙ୍କୁ ରାକ୍ଷୀ ପିନ୍ଧାଇବା ସହ ମିଷ୍ଟାନ୍ନ ବଣ୍ଟନ କରାଯିବାର ବ୍ୟବସ୍ଥା କରାଯାଇଛି।ସାମାଜିକ ବାର୍ତ୍ତା: ଏହି କାର୍ଯ୍ୟକ୍ରମ ମାଧ୍ୟମରେ ସମାଜରେ ଭାଇଚାରା ଏବଂ ସଦ୍ଭାବନାର ବାର୍ତ୍ତା ପ୍ରସାର କରାଯିବ। ସମସ୍ତେ ସମାଜର ଏକ ଅବିଚ୍ଛେଦ୍ୟ ଅଙ୍ଗ, ଏହା ପ୍ରମାଣିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆନୁସଙ୍ଗିକ ବ୍ୟବସ୍ଥା: ଉପକାରାଗାର କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମର ସୁପରିଚାଳନା ପାଇଁ ଆବଶ୍ୟକୀୟ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ।
ଏହି ବୈଠକରେ ଆସୋସିଏସନର ସମସ୍ତ କର୍ମକର୍ତ୍ତା ଏବଂ ସଦସ୍ୟମାନେ ଉପସ୍ଥିତ ଥିଲେ। ଏହି ନିଷ୍ପତ୍ତିକୁ ସମସ୍ତ ସଦସ୍ୟ ସ୍ୱାଗତ କରିବା ସହ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସହଯୋଗ କାମନା କରିଥିଲେ। ତାଳଚେର ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଏଭଳି ସାମାଜିକ ଦାୟିତ୍ୱବୋଧ ଏବଂ ସମ୍ବେଦନଶୀଳ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। ଏହା କେବଳ ଏକ ଉତ୍ସବ ନୁହେଁ, ବରଂ ମାନବିକତାର ଏକ ନିଦର୍ଶନ ହେବ ବୋଲି ଆଶା କରାଯାଉଛି।
ସରସ୍ବତୀଙ୍କର ପାଞ୍ଚମାସ ହେଲା ଭତ୍ତାନାହିଁ ଅନାହାରରେ ବିତୁଛିଦିନ
ଢେଙ୍କାନାଳ – ଓଡିଶା ସରକାର ଯୋଜନା ପରେ ଯୋଜନା ପ୍ରଣୟନ କରୁଛନ୍ତି ହେଲେ ତାହା ରଙ୍ଗ ମାରିବା ସଦୃଶ ।ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଏନଏସି ୱାର୍ଡ ନଂ ୧୬ ଖରମୂଳ ଗ୍ରାମରେ। ଗ୍ରାମର ନିଃସହାୟ ଦଳିତ ଆଦିବାସୀ ମହିଳା ସରସ୍ବତୀ ପ୍ରଧାନ ବୟସ ୬୩ ପରିବାର କହିଲେ ସରସ୍ବତୀ ଓ ଅସହାୟ ସ୍ୱାମୀ।ପୂର୍ବରୁ ମଜୁରୀ କରି ଗୁଜୁରାଣ ମେଣ୍ଟାଉ ଥିବା ବେଳେ ନୟସ ର ଅପାରହ୍ନ ରେ ଆଉ ମଜୁରୀ କରିବା ପାଇଁ ବଳ ନାହିଁ ସରସ୍ବତୀର, ଏବେ ସରକାର ଙ୍କ ଦ୍ୱାରା ମିଳୁଥିବା ଗଣ୍ଡିଏ ଚାଉଳ ଓ ମାସିକ ଏକ ହଜାର ଟଙ୍କା ଭତା, ସେଇ ଟଙ୍କାରୁ ତାର ତେଲ ଲୁଣର ସଂସାର, ହେଲେ ନିଃସହାୟ ସରସ୍ବତୀ କୁ ୫ ମାସ ହେବ ମିଳିନି ଭତା ଟଙ୍କା ଭତା ଟଙ୍କା ପାଇବା ପାଇଁ ହିନ୍ଦୋଳ ଏନଏସି କାର୍ଯ୍ୟାଳୟ ଦୌଡ଼ି ଦୌଡ଼ି ନୟାନ୍ତ ହେଲାଣି ସେ ହେଲେ କେବଳ ପ୍ରତିଶୁତି ମିଳୁଛି ଆସନ୍ତା ମାସରେ ଭତା ଟଙ୍କା ମିଳିବ, ଏବେ ରୋଗଗ୍ରସ୍ତ ସରସ୍ବତୀ ଚଳିବ କେମିତ, ନିଜ ଗ୍ରାମରେ ମାଗିଯାଚି ଯେନତେନ କଷ୍ଟ ରେ ଚାଲୁଛି ସେ ହେଲେ ଟଙ୍କା ଅଭାବ ରୁ ଦୈନ ଦିନ ଖାଇବା ଗଣ୍ଡିଏ ପାଇଁ ବାର ଦୁଆର ହେଉଛି ବୋଲି କୋହ ଭରା କଣ୍ଠ ରେ କହିଛି ସରସ୍ବତୀ। ପୂର୍ବରୁ ପ୍ରତି ମାସରେ ଭତା ଟଙ୍କା ପାଇଆସୁଥିବା ବେଳେ ୫ ମାସ ହେବ ପାଉନି ସେ ଭତା ଟଙ୍କା, ପ୍ରଶାସନ ଏଥିପ୍ରତି ଦୃଷ୍ଠି ଦେଇ ନିଃସହାୟ ସରସ୍ବତୀ କିପରି ତାର ଭତା ଟଙ୍କା ପାଇପାରିବ ଏଥିପ୍ରତି ଦୃଷ୍ଟି ଦେବାକୁ ଅଞ୍ଚଳ ବାସି ଙ୍କ ପକ୍ଷରୁ ଦାବି ହେଉଛି।ଏ ସମ୍ପର୍କ ରେ ହିନ୍ଦୋଳ ଏନଏସି ଅଧିକାରୀଙ୍କୁ ଯୋଗାଯୋଗ କରିବାରେ ସେ କୁହନ୍ତି ସରସ୍ବତୀ ନାୟକ ୫ ମାସ ହେଲା ଭତା ପାଇନଥିବା କଥା ଆମେ ଅବଗତ ଅଛୁ କିନ୍ତୁ ଉପରୁ ଅସୁବିଧା ଥିବାରୁ ଏନଏସି ର ବହୁ ବିଧବା ମହିଳା ୫ ମାସ ହେଲା ଭତା ଟଙ୍କା ପାଇପରୁନାହାନ୍ତି, ଏ ସମ୍ପର୍କ ରେ ଆମେ ଉପରିସ୍ଥ ଅଧିକାରୀ ଙ୍କୁ ମଧ୍ୟ ଅବଗତ କରାଇଛୁ।ତେବେ ସରଳ ନିରୀହ ଲୋକଙ୍କ ଠାରୁ ଭୋଟ ନେଇ ସାରିବାପରେ ତଥାକଥିତ ସରକାର, ଜନପ୍ରତିନିଧି ମାନଙ୍କ ଅସଲ ଚେହେରା ସରସ୍ବତୀ ଭଳି ନିରୀହ ଭୋଟର ଜାଣି ସାରିବାପରେ ଭାଗ୍ୟକୁ ଆଦରି ଥିବାବେଳେ ନିଃସହାୟ ସରସ୍ବତୀର ଦୁଃଖ କେବେ ଶୁଣୁଛନ୍ତି ସରକାର ଓ ହିନ୍ଦୋଳ ପ୍ରଶାସନ, ନିର୍ବାଚିତ ଜନପ୍ରତିନିଧି ଦେଖିବାକୁ ବାକି ରହିଲା।
ଜିରାଳ ଗାଁରେ ଜଣ୍ଡିସ ଆତଙ୍କ, ୯ ଛାତ୍ରଛାତ୍ରୀ ଆକ୍ରାନ୍ତ
କାମାକ୍ଷାନଗର – ଢେଙ୍କାନାଳ ଜିଲ୍ଲା ଜିରାଳ ଗାଁର ତଳସାହିରେ ଜଣ୍ଡିସ ଆତଙ୍କ। ଜଣ୍ଡିସରେ ୯ ଜଣ ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ବେଳେ ୪୨ ଜଣଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇଛି lଘଟଣାସ୍ଥଳରେ ମଠକରଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତରୀ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଆକ୍ରାନ୍ତ ସମସ୍ତେ ବିଦ୍ୟାଳୟର ଛାତ୍ରଛାତ୍ରୀ ବୋଲି ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ମିଳିଛି।ଦୂଷିତ ଜଳ ଯୋଗୁଁ ଜଣ୍ଡିସ ବ୍ୟାପିଥିବା ପ୍ରାଥମିକ ଭାବେ ଆଶଙ୍କା କରାଯାଉଛି। ଗାଁର ପରିମଳ ବ୍ୟବସ୍ଥା ସ୍ୱଚ୍ଛ ରଖିବା ସହ ବିଶୁଦ୍ଧ ପାଣି ପିଇବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ସଚେତନ କରାଯାଇଛି।ଗତ ୨୦ ତାରିଖରେ କିଛି ଛାତ୍ରଛାତ୍ରୀଙ୍କ ଆଖି ହଳଦିଆ ଦେଖାଯିବା ପରେ ସେମାନଙ୍କୁ ଢେଙ୍କାନାଳ ନେଇ ପରୀକ୍ଷା କରାଯାଇଥିଲା। ପରୀକ୍ଷା ପରେ ଜଣ୍ଡିସ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଥିଲା l ଯାହାକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଁରେ ବ୍ଲିଚିଂ ପକାଯିବା ସହ ଜଣ୍ଡିସରୁ ସୁରକ୍ଷିତ ରହିବା ପାଇଁ ବିଭିନ୍ନ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି।
କାଦୁଅ ରାସ୍ତାରେ ହନ୍ତସନ୍ତ କରଡସିଂହ କନ୍ଧସାହି ବାସନ୍ଦା
ଢେଙ୍କାନାଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଓଡ଼ାପଡ଼ା ବ୍ଳକ କଳାଙ୍ଗ ଗ୍ରାମପଞ୍ଚାୟତର କରଡସିଂହ କନ୍ଧସାହିର ରାସ୍ତା ଅବସ୍ଥା। ରାସ୍ତାଟି ସମ୍ପୂର୍ଣ୍ଣ କାଦୁଅ ପାଲଟିଛି। ଉକ୍ତ ରାସ୍ତାଦେଇ ପ୍ରତ୍ୟେକ ଦିନ ଯିବାଆସିବା ଠାରୁ ଅତି ଆବଶ୍ୟକ ଦ୍ରବ୍ୟ ନେବା ଆଣିବା ପ୍ରସବ କଲେ ଡୋଳାରେ ବୋହିକି ନେବା ୧୦୮ ଆମ୍ବୁଲାନ୍ସ ସେହି ରାସ୍ତାଦେଇ କାଦୁଅରେ ନ ଆସିବା ପିଇବା ପାଣି ସମସ୍ୟା ହାତୀ ସାହିରେ ପଶି କ୍ଷୟକ୍ଷତି କରିବା ସାହି ବାସିନ୍ଦାମାନେ ଘୋର ସମସ୍ୟାଦେଇ ଗତି କରୁଛନ୍ତି। ଏହି କନ୍ଧସାହିରେ ପ୍ରାୟ ୬୦ ପରିବାର ବସବାସ କରୁଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। କନ୍ଧ ସାହିବାସିନ୍ଦା ଘରୁ ବାହାରକୁ ଚଳାଚଳ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଚଳିତ ବର୍ଷ ଲଗାଣ ବର୍ଷା ଯୋଗୁଁ ସାହି ରାସ୍ତାଟି ସମ୍ପୂର୍ଣ ଭାବେ କାଦୁଅ ସରସର ହୋଇ ରହିଛି। ତା ସହିତ ହାତୀ ଆକ୍ରମଣରରୁ ରକ୍ଷା ପାଇବା ପାଇଁ ସୋଲାର ତାରବାଡ ପାଇବାରୁ ବଞ୍ଚିତ ହୋଇଛନ୍ତି। ଏହି କନ୍ଧସାହି ବାସିନ୍ଦାମାନେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ଆମ୍ଭ ମାନଙ୍କର ଅଭିଯୋଗକୁ କେହି ଶୁଣୁ ନାହାନ୍ତି ବୋଲି ସେମାନେ କହିଛନ୍ତି। ଏଣୁ ଏଥି ପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବା ପାଇଁ କନ୍ଧସାହି ବାସିନ୍ଦାମାନେ ନିବେଦନ କରିଛନ୍ତି।
ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ
କାମାକ୍ଷାନଗର – ଢେ଼ଙ୍କାନାଳ ଜିଲ୍ଲା ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ସମ୍ମୁଖରେ ଅବସ୍ଥିତ ହାର୍ଟ ଡିସ୍କଭରି ନର୍ସିଂ କଲେଜରେ ଭୁବନର ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ନର୍ସିଂ ପାଠ୍ୟକ୍ରମ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜ ଅଧ୍ୟକ୍ଷ ଟଙ୍କଧର ମହାପାତ୍ର ଏହି ସଚେତନତା କାର୍ଯ୍ୟକ୍ରମରେ ସଭାପତିତ୍ୱ କରି ନର୍ସିଂ ପାଠ୍ୟକ୍ରମ ଜି ଏନ୍ ଏମ କୋର୍ସ ନିମନ୍ତେ ଶିକ୍ଷାଗତ ଯୋଗ୍ୟତା ଯୁକ୍ତ ଦୁଇ କଳା,ବାଣିଜ୍ୟ ଓ ବିଜ୍ଞାନ , ଅବଧି ତିନି ବର୍ଷ ଏବଂ ପାସ ଆଉଟ୍ ହେବା ପରେ ସରକାରୀ,ବେସରକାରୀ ହସ୍ପିଟାଲ ରେ ନିଶ୍ଚିତ କର୍ମ ସଂସ୍ଥାନ ପାଇ ପାରିବେ ଏବଂ ନର୍ସିଂ କୋର୍ସ ରେ ଶତ ପ୍ରତିଶତ ନିଯୁକ୍ତି ସୁଯୋଗ ( ଗ୍ୟାରେଣ୍ଟି) ରହିଛି ବୋଲି ସୂଚନା ଦେଇଥିଲେ । ନଗରପାଳ ଶୁଭେନ୍ଦୁ କୁମାର ସାହୁ ଅତିଥି ଭାବେ ଯୋଗଦେଇ କହିଥିଲେଯେ ,ଆମ ଅଞ୍ଚଳରେ ଏକ ନର୍ସିଂ କଲେଜ ଖୋଲିବା ଆମ ପାଇଁ ଗର୍ବ ଓ ଗୌରବର ବିଷୟ। ନର୍ସିଂ ପାଠ ପଢ଼ିବା ପାଇଁ ଆମ ଅଞ୍ଚଳର ଝିଅ ମାନଙ୍କୁ ପୂର୍ବରୁ କଟକ,ଭୁବନେଶ୍ୱର ଯିବାକୁ ପଡୁଥିଲା । ଏବେ ଘର ପାଖରେ ସୁବିଧାରେ ପାଠ ପଢ଼ି ପାରିବେ ଓ ଆମ ଅଞ୍ଚଳରେ ନୂତନ କର୍ମ ନିଯୁକ୍ତି ସୃଷ୍ଟି ହେବା ସହିତ ବେକାରୀ ସମସ୍ୟା ଦୂର କରିବାରେ ନିଶ୍ଚିତ ସହାୟକ ହେବ । ଅନ୍ୟ ମାନଙ୍କ ମଧ୍ୟରେ କାଉନସିଲର ଗିରିଧାରୀ ସାହୁ,ଅବସରପ୍ରାପ୍ତ ପୋଲିସ ଅଫିସର ଶ୍ରୀଧର ବେହେରା ,ଭାରତୀୟ ଷ୍ଟେଟ ବ୍ୟାଙ୍କ ର ଅବସରପ୍ରାପ୍ତ ପ୍ରବନ୍ଧକ ଗଦାଧର ଦାସ,ଆଇନଜୀବୀ କୁଞ୍ଜ ବିହାରୀ ଚିନରା, ଶିକ୍ଷାବିତ୍ ଦୀନବନ୍ଧୁ ବେହେରା,କାଉନସିଲର ପପୁ କୁମାର ସାହୁ, ମନ ମୋହନ ସାହୁ,ସମାଜସେବୀ ନରେନ୍ଦ୍ର କୁମାର ସାହୁ,ସୁରେନ୍ଦ୍ର କୁମାର ପୃଷ୍ଟି,ଶ୍ରୀକାନ୍ତ କୁମାର ସାହୁ,ଅବସର ପ୍ରାପ୍ତ ସ୍ୱାସ୍ଥ୍ୟକର୍ମୀ ରଥ ସେଠୀ ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। କଲେଜର ମୁଖ୍ୟ ପ୍ରବନ୍ଧକ ଓଁ ଶୁଭମ୍ ସଙ୍କେତ ନର୍ସିଂ ଛାତ୍ରୀ ମାନଙ୍କ ନିମନ୍ତେ ସରକାରଙ୍କ ବିଭିନ୍ନ ବୃତ୍ତି ରାଶି ଓ ଆର୍ଥିକ ସହାୟତା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ ।
ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍

