ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସ୍‌ଆଇଆର୍‌-୨୦୨୬ର ଅଗ୍ରଗତି ସମୀକ୍ଷା ଓ କ୍ଷେତ୍ରସ୍ତରୀୟ ଯାଞ୍ଚ ରାୟଗଡ଼ ଜିଲ୍ଲାରେ ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକଙ୍କ ଦ୍ୱିତୀୟ ଜିଲ୍ଲା ଗସ୍ତ

ଏସ୍‌ଆଇଆର୍‌-୨୦୨୬ର ଅଗ୍ରଗତି ସମୀକ୍ଷା ଓ କ୍ଷେତ୍ରସ୍ତରୀୟ ଯାଞ୍ଚ

ରାୟଗଡ଼ ଜିଲ୍ଲାରେ ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକଙ୍କ ଦ୍ୱିତୀୟ ଜିଲ୍ଲା ଗସ୍ତ

ରାୟଗଡ଼, ୨ ସେପ୍ଟେମ୍ବର ୨୦୨୬: ଏସ୍‌ଆଇଆର୍‌-୨୦୨୬ (Special Intensive Revision) ଅନ୍ତର୍ଗତ ଚାଲୁଥିବା ମତଦାତା ତାଲିକାର ପୁନଃସମୀକ୍ଷା, ଯାଞ୍ଚ ଓ ସୁପର୍‌-ଚେକିଂ ପ୍ରକ୍ରିୟାର ଅଗ୍ରଗତି ଅନୁଧ୍ୟାନ ନିମନ୍ତେ IDCOର ପରିଚାଳନା ନିର୍ଦ୍ଦେଶକ ତଥା ନିର୍ବାଚକ ତାଲିକା ପର୍ଯ୍ୟବେକ୍ଷକ ଶ୍ରୀ ଡି. ପ୍ରଶାନ୍ତ କୁମାର ରେଡ୍ଡୀ, IAS ଆଜି ରାୟଗଡ଼ ଜିଲ୍ଲାରେ ତାଙ୍କର ଦ୍ୱିତୀୟ ଜିଲ୍ଲା ଗସ୍ତ କରି ବିଭିନ୍ନ ବ୍ଲକ୍‌ରେ ଚାଲୁଥିବା ଏସ୍‌ଆଇଆର୍‌ କାର୍ଯ୍ୟକ୍ରମର କ୍ଷେତ୍ରସ୍ତରୀୟ ତଦାରଖ କରିଥିଲେ।

ଗସ୍ତର ପ୍ରଥମ ପର୍ଯ୍ୟାୟରେ ଶ୍ରୀ ରେଡ୍ଡୀ ଗୁଣପୁର ବ୍ଲକ୍‌ ଅନ୍ତର୍ଗତ ନ୍ୟୁ କଲୋନୀ ପରିଦର୍ଶନ କରି ସୁପର୍‌-ଚେକିଂ ପାଇଁ ଚିହ୍ନଟ ହୋଇଥିବା ଏକ ଫର୍ମ-୭ ମାମଲାର ସ୍ଥଳୀୟ ଯାଞ୍ଚ କରିଥିଲେ। ସେ ସମ୍ପୃକ୍ତ ବୁଥ୍‌ ଲେଭେଲ୍‌ ଅଫିସର୍‌ (BLO)ମାନଙ୍କ ସହ ଆଲୋଚନା କରି ମାମଲାର ଯାଞ୍ଚ ପ୍ରକ୍ରିୟା, ଆବଶ୍ୟକ ଦସ୍ତାବିଜ ଏବଂ ସୁପର୍‌-ଚେକିଂର ପ୍ରଗତି ସମ୍ପର୍କରେ ସବିଶେଷ ତଥ୍ୟ ନେଇଥିଲେ।

ଏହାପରେ ସେ ପଦ୍ମପୁର ବ୍ଲକ୍‌ ଅନ୍ତର୍ଗତ ଅଖୁସିଂହ-୨ ଏବଂ ରାମନାଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ମୋସାରିଗୁଡ଼ା ପରିଦର୍ଶନ କରି ସୁପର୍‌-ଚେକିଂ ପାଇଁ ଚିହ୍ନଟ ହୋଇଥିବା ଫର୍ମ-୬ ମାମଲାଗୁଡ଼ିକର ସ୍ଥଳୀୟ ଯାଞ୍ଚ କରିଥିଲେ। ଯାଞ୍ଚ ସମୟରେ ସେ ସମ୍ପୃକ୍ତ ଅଧିକାରୀ ଓ BLOମାନଙ୍କୁ ଆବଶ୍ୟକ ଯାଞ୍ଚ ପ୍ରକ୍ରିୟା ନିର୍ଦ୍ଧାରିତ ନିୟମ ଓ ମାନଦଣ୍ଡ ଅନୁଯାୟୀ ସଠିକ୍‌ ଭାବେ ସମ୍ପାଦନ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଗସ୍ତ ଅବସରରେ ନିର୍ବାଚନୀ ରୋଲ୍‌ ପର୍ଯ୍ୟବେକ୍ଷକ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ମଧ୍ୟ ଆଲୋଚନା କରିଥିଲେ। ଆଲୋଚନା ସମୟରେ ଏସ୍‌ଆଇଆର୍‌-୨୦୨୬ର ବର୍ତ୍ତମାନ ପର୍ଯ୍ୟାୟ, ଜିଲ୍ଲାରେ ଚାଲୁଥିବା କାର୍ଯ୍ୟକ୍ରମର ପ୍ରଗତି, ଆପତ୍ତି ଦାଖଲ ଓ ଶୁଣାଣି ପର୍ଯ୍ୟାୟ ସମ୍ପର୍କରେ ବିସ୍ତୃତ ଭାବେ ମତବିନିମୟ ହୋଇଥିଲା। ଏଥିସହ ଏସ୍‌ଆଇଆର୍‌ କାର୍ଯ୍ୟକ୍ରମର ପ୍ରତ୍ୟେକ ପର୍ଯ୍ୟାୟକୁ ସ୍ୱଚ୍ଛ, ନିରପେକ୍ଷ ଓ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ସମ୍ପାଦନ କରିବା ନେଇ ଆଲୋଚନା ହୋଇଥିଲା।

ବର୍ତ୍ତମାନ ଏସ୍‌ଆଇଆର୍‌-୨୦୨୬ ପ୍ରକ୍ରିୟାରେ ଫର୍ମ-୬ ଓ ଫର୍ମ-୭ ମାମଲାଗୁଡ଼ିକର ଯାଞ୍ଚ ଏବଂ ସୁପର୍‌-ଚେକିଂ କାର୍ଯ୍ୟ ଜାରି ରହିଛି। ପରବର୍ତ୍ତୀ ପର୍ଯ୍ୟାୟରେ ଆପତ୍ତି ଓ ଶୁଣାଣି ପ୍ରକ୍ରିୟା ସମ୍ପନ୍ନ କରାଯାଇ ନିର୍ଦ୍ଧାରିତ ସମୟସୂଚୀ ଅନୁଯାୟୀ ୨୧ ସେପ୍ଟେମ୍ବର ୨୦୨୬ରେ ଚୂଡ଼ାନ୍ତ ମତଦାତା ତାଲିକା ପ୍ରକାଶ କରାଯିବ।

ଶ୍ରୀ ରେଡ୍ଡୀଙ୍କ ଏହି ଜିଲ୍ଲା ଗସ୍ତ ସମୟରେ ରାୟଗଡ଼ ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣି, IAS, ରାୟଗଡ଼ ଉପଜିଲ୍ଲାପାଳ ଶ୍ରୀ ରମେଶ କୁମାର ଜେନା, ଗୁଣପୁର ଉପଜିଲ୍ଲାପାଳ ଶ୍ରୀ ଦୁଧାଳ ଅଭିଷେକ ଦିଲ୍ଲୀପଙ୍କ ସମେତ ଜିଲ୍ଲା, ଉପଖଣ୍ଡସ୍ତରୀୟ ଓ ବ୍ଲକସ୍ତରୀୟ ଅଧିକାରୀ, ନିର୍ବାଚନୀ ଅଧିକାରୀ, ସମ୍ପୃକ୍ତ BLO ଏବଂ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ରହି ସମସ୍ତ କ୍ଷେତ୍ରସ୍ତରୀୟ ଯାଞ୍ଚ ଓ ସମୀକ୍ଷା କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ସହଯୋଗ କରିଥିଲେ। ଜିଲ୍ଲାରେ ଏସ୍‌ଆଇଆର୍‌-୨୦୨୬ର ସମସ୍ତ ପର୍ଯ୍ୟାୟକୁ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ, ନିର୍ଦ୍ଧାରିତ ମାନଦଣ୍ଡ ଓ ସମୟସୀମା ଅନୁଯାୟୀ ସଫଳତାର ସହ ସମ୍ପନ୍ନ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ନିୟମିତ ତଦାରଖ ଓ ଆବଶ୍ୟକ ପଦକ୍ଷେପ ଜାରି ରହିଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପିଏମ୍ ଜନମନ ପରିଯୋଜନା ଅନ୍ତର୍ଗତ ଦ୍ଵିତୀୟ ପର୍ଯ୍ୟାୟ ଜନ ସଚେତନତା ରଥ ପରିକ୍ରମା 

masiha

ଜୀବ ପ୍ରତି ନିଷ୍ଟୁର ନ ହୋଇ ଦୟା ଦେଖାଇବା ଦରକାର

Sunil Chandra Nayak

ଜାଗୁଗୁଡା ପଞ୍ଚାୟତ ସ୍ତରୀୟ ଅଭିଯୋଗ ଓ ଜନ ଶୁଣାଣି ଶିବିର ଅନୁଷ୍ଠିତ 

masiha

Leave a Comment

error: Content is protected !!