୪୧ ତମ ଜାତୀୟ ଚକ୍ଷୁଦାନ ପକ୍ଷ ପାଳିତ
ରାଉରକେଲା: ଓଡିଶା ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପ୍ରାୟୋଜିତ ତଥା ରାଉରକେଲା ସରକାରୀ ଡାକ୍ତରଖାନା ର ଚକ୍ଷୁ ବିଭାଗ ଓ ଇସ୍ପାତ ଜେନେରାଲ ହସ୍ପିଟାଲର ଚକ୍ଷୁ ବିଭାଗର ମିଳିତ ଆନୁକୂଲ୍ୟରେ ୪୧ ତମ ଜାତୀୟ ଚକ୍ଷୁଦାନ ପକ୍ଷ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଵନ୍ଦରେ ଚକ୍ଷୁ ଦାନ କରନ୍ତୁ, ମୃତ୍ୟୁ ପରେ ମଧ୍ୟ ଆପଣଙ୍କ ଚକ୍ଷୁ ଦୁନିଆକୁ ଦେଖୁଥିବ ଥିମ୍ କୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ସ୍ବତନ୍ତ୍ର ଅତିଥି ଭାବେ ଆରଜିଏଚ ର ଡେପୁଟି ସୁପରିଟେଣ୍ଡେଣ୍ଟ ଡାକ୍ତର ପଣ୍ଡିତ ସାହୁ,ଆଇଜିଏଚ ର ଭାରପ୍ରାପ୍ତ ନିର୍ଦ୍ଦେଶକ ଡାକ୍ତର ଜୟନ୍ତ ଆଚାର୍ଯ୍ୟ,ଆଇଏମଏ ର ସଭାପତି ଡାକ୍ତର ଅମିତ ମହାପାତ୍ର,ଆରଜିଏଚ ଚକ୍ଷୁ ବିଭାଗର ମୁଖ୍ୟ ଡାକ୍ତର ସମୀର ପାତ୍ର ଓ ଆଇଜିଏଚ ର ଚକ୍ଷୁ ବିଭାଗର ମୁଖ୍ୟ ଡାକ୍ତର ଅନିମା ଟିଗା ପ୍ରମୁଖ ଯୋଗଦେଇ ଚକ୍ଷୁ ସମ୍ବନ୍ଧୀୟ ବକ୍ତବ୍ୟ ରଖିଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଏହି ଅବସରରେ କହିଲେ ଯେ ସେ ଜିଲ୍ଲାର ବହୁ ଉପାନ୍ତ ଅଞ୍ଚଳ ବୁଲି ସେଠାରେ ଚକ୍ଷୁ ଶିବିର କରିଛନ୍ତି। ଯେତେବେଳେ ଶିବିରରେ ଜଣେ ବ୍ୟକ୍ତି କୁ ଚଷମା ଟେ ଦିଆଯାଏ ସେତେବେଳେ ସେମାନଙ୍କ ଖୁସି ଦେଖି ମନରେ ଆତ୍ମସନ୍ତୋଷ ମିଳିଥାଏ। ତେବେ ସେ ଏଥିପାଇଁ ସଚେତନତା ଉପରେ ଗୁରୁତ୍ୱାରୋପ କରିଥିଲେ। ସ୍ବତନ୍ତ୍ର ଅତିଥି ଡାକ୍ତର ସାହୁ ତାଙ୍କ ବକ୍ତବ୍ୟରେ କହିଲେ ଯେ ଆରଜିଏଚ ରେ ୩୭ ଜଣଙ୍କର କର୍ଣ୍ଣିଆ ପ୍ରତ୍ୟାରୋପଣ କରାଯାଇଛି। ସେଥି ମଧ୍ୟରୁ ଜଣଙ୍କର ଅସଫଳ ହୋଇଛି। ତେବେ ସରକାର ଅନ୍ଧତ୍ବ ଦୂର କରିବା ପାଇଁ ବହୁ ଯୋଜନା କରିଛନ୍ତି। ଅନ୍ୟତମ ଅତିଥି ଡାକ୍ତର ଆଚାର୍ଯ୍ୟ ତାଙ୍କ ବକ୍ତବ୍ୟରେ କହିଲେ ଯେ ଚକ୍ଷୁ ଦାନ ଏକ ସମ୍ବେଦନଶୀଳ ନିଷ୍ପତ୍ତି। ଜଣେ ଚକ୍ଷୁଦାନ କଲେ ଦୁଇଜଣ ଦୁନିଆକୁ ଦେଖିପାରିବେ। ଅତିଥି ଡାକ୍ତର ମହାପାତ୍ର ତାଙ୍କ ବକ୍ତବ୍ୟରେ ଛାତ୍ର ଛାତ୍ରୀ ମାନଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବା ଏକ ଭଲ ପଦକ୍ଷେପ। ସେମାନଙ୍କ ମାଧ୍ୟମରେ ଏ ସମ୍ପର୍କରେ ସଚେତନତା ବାର୍ତ୍ତା ସମାଜରେ ପହଞ୍ଚି ପାରିବ ବୋଲି ମତ ରଖିଥିଲେ। ଆରଜିଏଚ ର ଡାକ୍ତର ପାତ୍ର ନିଜର ଅଭିଜ୍ଞତା ସହ ଆରଜିଏଚ ରେ ମିଳୁଥିବା ସୁବିଧା ଓ କେବେଠାରୁ ଆରମ୍ଭ ହେଲା ସେ ସମ୍ପର୍କରେ ତଥ୍ୟ ପ୍ରଦାନ କରିଥିଲେ। ଆଇଜିଏଚ ର ଡାକ୍ତର ଟିଗା ଚକ୍ଷୁ ଦାନ ସମ୍ପର୍କରେ ତଥ୍ୟ ଭିତ୍ତିକ ଆଲୋଚନା କରିଥିଲେ। ଏହି ଅବସରରେ ବିଭିନ୍ନ ସ୍କୁଲ ର ଛାତ୍ର ଛାତ୍ରୀ ମାନେ ଚକ୍ଷୁ ଦାନ ସମ୍ପର୍କରେ ବତ୍କୃତା ପ୍ରଦାନ କରିଥିବାବେଳେ କର୍ଣ୍ଣିଆ ପ୍ରତ୍ୟାରୋପଣ ଏବଂ ଚକ୍ଷୁ ସଂଗ୍ରହ ନେଇ ପ୍ରମୁଖ ଭୂମିକା ନିର୍ବାହ କରିଥିବା ଆରଜିଏଚ ଓ ଆଇଜିଏଚ ର ଚକ୍ଷୁ ବିଭାଗର ପାରା ମେଡିକାଲ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା। ଡାକ୍ତର ଆନନ୍ଦିତା ଦେବତା ମଞ୍ଚ ସଂଯୋଜନା କରିଥିବାବେଳେ ବିଭିନ୍ନ ମେଡିକାଲ ର ତଥା ବହୁ ଚକ୍ଷୁ ବିଶେଷଜ୍ଞ ମାନେ ଉପସ୍ଥିତ ଥିଲେ। ପ୍ରାରମ୍ଭରେ ନର୍ସିଂ ଛାତ୍ରୀ ମାନେ ସ୍ବାଗତ ସଂଗୀତ ଗାନ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

