ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସୁଧାର ପାଇଁ ବିଜୁ ଯୁବ ଜନତା ଦଳ ପକ୍ଷରୁ ରେଣ୍ଡୋମାଝି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସ୍ମାରକ ପତ୍ର ପ୍ରଦାନ
ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବାର ଉଦବେଗ ଓ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସୁଧାର ପାଇଁ ଆଜି କଳାହାଣ୍ଡି ଶହୀଦ୍ ରେଣ୍ଡୋମାଝି ମେଡିକାଲ କଲେଜ ଓ ହସ୍ପିଟାଲର ସୁପରିଟେଣ୍ଡେଣ୍ଟ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ସାକ୍ଷାତ କରି ବିଜୁ ଯୁବ ଜନତା ଦଳ ପକ୍ଷରୁ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରାଯାଇଛି । ଗତ ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତ୍ରରେ ICU ରେ ଭର୍ତ୍ତି ହୋଇଥିବା ରଶ୍ମିରଞ୍ଜନ ଦାସ ମିଶ୍ରଙ୍କ ଚିକିତ୍ସା ଅବହେଳା ଅଭିଯୋଗ ଏବଂ ତାଙ୍କ ମୃତ୍ୟୁ ପରେ ମଧ୍ୟ ଡାକ୍ତର ୨ ଘଣ୍ଟା ବିଳମ୍ବରେ ICUକୁ ଆସି ମୃତ ଘୋଷଣା କରିବା ଘଟଣାରେ ନିରପେକ୍ଷ ତଦନ୍ତ ଦାବି କରାଯାଇଛି। ଆଗାମୀ ଦିନରେ ସ୍ବାସ୍ଥ୍ୟ ସେବାରେ ବ୍ୟାପକ ସୁଧାର ନହେଲେ ଆନ୍ଦୋଳନ କରାଯିବ ବୋଲି ଯୁବ ବିଜେଡି ପକ୍ଷରୁ ଶହୀଦ ରେଣ୍ଡୋମାଝି ମେଡିକାଲ କଲେଜର ସୁପରିଟେଣ୍ଡେଣ୍ଟଙ୍କୁ ଚେତାବନୀ ଦିଆଯାଇଛି । ସାଧାରଣ ଲୋକଙ୍କୁ ଗୁଣାତ୍ମକ ଓ ସମୟୋପଯୋଗୀ ସ୍ୱାସ୍ଥ୍ୟ ସେବା ଯେପରି ସଠିକ୍ ଭାବରେ ମିଳିପାରିବ, ସେଥିପାଇଁ ତୁରନ୍ତ କତୃପକ୍ଷ ଆବଶ୍ୟକ ପଦକ୍ଷେପ ନେବାକୁ ଅନୁରୋଧ କରାଯାଇଛି। ସେହିପରି, ଶହୀଦ ରେଣ୍ଡୋ ମାଝୀ ମେଡିକାଲ କଲେଜ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମଧ୍ୟରେ ରହିଥିବା ସମନ୍ୱୟର ଅଭାବ ଓ ପ୍ରଶାସନିକ ତାରତମ୍ୟକୁ ଦୂର କରି, ଉଭୟ ସଂସ୍ଥା ମଧ୍ୟରେ ଉତ୍ତମ ଯୋଗାଯୋଗ ଓ ସମନ୍ୱୟ ସ୍ଥାପନ କରାଗଲେ ଆଗାମୀ ଦିନରେ ରୋଗୀମାନଙ୍କୁ ଅଧିକ ସୁବ୍ୟବସ୍ଥିତ, ତ୍ୱରିତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇ ଦିଆଯାଇପାରିବ। ଏଥିସହିତ, ଜରୁରୀକାଳୀନ ସ୍ଥିତିରେ ରୋଗୀଙ୍କ ଚିକିତ୍ସା, ରେଫରାଲ୍ ଓ ଆବଶ୍ୟକ ଚିକିତ୍ସାଗତ ସହାୟତା ପ୍ରଦାନରେ ଉଭୟ ସଂସ୍ଥା ମଧ୍ୟରେ ସ୍ପଷ୍ଟ ଦାୟିତ୍ୱ ନିର୍ଦ୍ଧାରଣ ଓ ଦ୍ରୁତ ଯୋଗାଯୋଗ ବ୍ୟବସ୍ଥା ରହିବା ଅତ୍ୟନ୍ତ ଆବଶ୍ୟକ ବୋଲି ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର କହିଛନ୍ତି। ସ୍ୱାସ୍ଥ୍ୟ ସେବା ହେଉଛି ଲୋକଙ୍କର ମୌଳିକ ଅଧିକାର। ଏଥିରେ ଅବହେଳା ହେଲେ ଯୁବ ବିଜେଡି ସରକାରଙ୍କୁ ଘେରିବ ବୋଲି ସେ ପ୍ରକାଶ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବରିଷ୍ଠ ବିଜେଡି ନେତା ପ୍ରଶାନ୍ତ ନାଏକ, ଜିଲ୍ଲା ଯୁବ ବିଜେଡି ସଭାପତି ଅବିନାଶ ଠାକୁର, ରାଜ୍ୟ ବରିଷ୍ଠ ଉପସଭାପତି ମଣ୍ଟୁ ନାଏକ, ରାଜ୍ୟ ଯୁବ ଉପସଭାପତି ମନିନ୍ଦ୍ର ମହାନ୍ତି, ଜିଲ୍ଲା ଛାତ୍ର ସଭାପତି ଅଜିତ ସାହୁ, ଯୁବ ନେତା ପିତବାସ ବେହେରା, ନବୀନ ନାୟକ, ଭୋଳାନାଥ ନାଗ ପ୍ରମୁଖ ଉପସ୍ଥିତ ଥିଲେ।

