ଜିଲ୍ଲାପାଳଙ୍କ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ
ବିଭିନ୍ନ ୱାର୍ଡ ବୁଲିବା ସହ ସ୍ୱାସ୍ଥ୍ୟସେବାର ସମୀକ୍ଷା
ନୂଆପଡ଼ା,ସୁଜିତ କୁମାର ପ୍ରଧାନ )ନୂଆପଡ଼ା ଜିଲ୍ଲାପାଳ ମଧୁସୂଦନ ଦାଶ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (ଡିଏଚ୍ଏଚ୍) ପରିଦର୍ଶନ କରି ବିଭିନ୍ନ ୱାର୍ଡ ବୁଲି ରୋଗୀସେବା, ଚିକିତ୍ସାଳୟର ପରିବେଶ, ସ୍ୱଚ୍ଛତା ଓ ଅନ୍ୟାନ୍ୟ ବ୍ୟବସ୍ଥାର ସମୀକ୍ଷା କରିଥିଲେ।ଜିଲ୍ଲାପାଳ ଅସ୍ଥିଶଲ୍ୟ, ସର୍ଜରୀ ଓ ମେଡିସିନ୍ ସମେତ ବିଭିନ୍ନ ୱାର୍ଡକୁ ଯାଇ ଭର୍ତ୍ତି ରୋଗୀମାନଙ୍କ ସହ ସିଧାସଳଖ ଆଲୋଚନା କରିଥିଲେ। ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଚିକିତ୍ସା ବ୍ୟବସ୍ଥା, ଆବଶ୍ୟକ ଔଷଧ ଓ ଅନ୍ୟାନ୍ୟ ସୁବିଧା ଠିକ୍ ଭାବେ ମିଳୁଛି କି ନାହିଁ, ସେ ସମ୍ପର୍କରେ ପଚାରି ବୁଝିଥିଲେ।
ଚିକିତ୍ସାଳୟର ସ୍ୱଚ୍ଛତା ଓ ପରିମଳ ବ୍ୟବସ୍ଥା ଉପରେ ଜିଲ୍ଲାପାଳ ବିଶେଷ ଗୁରୁତ୍ୱ ଦେଇଥିଲେ। ଚିକିତ୍ସା ପାଇଁ ଆସୁଥିବା ରୋଗୀମାନଙ୍କୁ ସ୍ୱଚ୍ଛ, ସୁରକ୍ଷିତ ଓ ସୁସ୍ଥ ପରିବେଶ ଯୋଗାଇଦେବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ କହିଥିଲେ।
ଜିଲ୍ଲାପାଳ ଡାକ୍ତରମାନଙ୍କ ସହ ଆଲୋଚନା କରି ରୋଗୀସେବାକୁ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ପରାମର୍ଶ ଦେଇଥିଲେ। ରୋଗୀଙ୍କ ପ୍ରତି ସମ୍ବେଦନଶୀଳ ଓ ଦାୟିତ୍ୱବାନ ଆଚରଣ, ସମୟୋଚିତ ଚିକିତ୍ସା, ଆବଶ୍ୟକ ପରାମର୍ଶ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ସୁନିଶ୍ଚିତ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ଏହାସହ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ (ସିଙ୍ଗଲ୍ ୟୁଜ୍ ପ୍ଲାଷ୍ଟିକ୍-SUP) ମୁକ୍ତ ଚିକିତ୍ସାଳୟ ପରିବେଶ ଗଠନ ଉପରେ ଜିଲ୍ଲାପାଳ ଗୁରୁତ୍ୱାରୋପ କରିଥିଲେ। ଚିକିତ୍ସାଳୟ ପରିସରରେ ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ୍ ବ୍ୟବହାର ନକରିବା, ପ୍ଲାଷ୍ଟିକ୍ ଆବର୍ଜନା ଏଣେତେଣେ ନପକାଇବା ଏବଂ ଆବର୍ଜନାର ଉପଯୁକ୍ତ ପରିଚାଳନା ସୁନିଶ୍ଚିତ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ।
ପରିଦର୍ଶନ ସମୟରେ ରୋଗୀଙ୍କ ରକ୍ତଚାପ (BP) ସମେତ ଅନ୍ୟାନ୍ୟ ପରୀକ୍ଷା କେବଳ ନିର୍ଦ୍ଧାରିତ ଡାକ୍ତର ଓ ଷ୍ଟାଫ୍ ନର୍ସଙ୍କ ଦ୍ୱାରା କରାଯିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥାର ସଠିକ୍ ନିରୀକ୍ଷଣ ଓ ସୁରକ୍ଷା ପାଇଁ ଏହି ବ୍ୟବସ୍ଥାର କଡ଼ାକଡ଼ି ପାଳନ କରିବାକୁ ସେ କହିଥିଲେ।
ଏହା ବ୍ୟତୀତ, ବର୍ତ୍ତମାନର ଡାଇରିଆ ୱାର୍ଡକୁ ଆବଶ୍ୟକତା ଅନୁଯାୟୀ ଏକ ସ୍ୱତନ୍ତ୍ର ଆଇସୋଲେସନ୍ ୱାର୍ଡ ଭାବେ ବିକଶିତ କରିବା ପାଇଁ ଉପଯୁକ୍ତ ସ୍ଥାନ ଚିହ୍ନଟ କରିବା ଉପରେ ଜିଲ୍ଲାପାଳ ଗୁରୁତ୍ୱ ଦେଇଥିଲେ। ଆବଶ୍ୟକ ସମୟରେ ରୋଗୀଙ୍କୁ ପୃଥକୀକରଣ, ସଂକ୍ରମଣ ନିରୋଧ ଓ ଚିକିତ୍ସା ପରିଚାଳନାକୁ ଅଧିକ ସୁଦୃଢ଼ କରିବା ଏହାର ଉଦ୍ଦେଶ୍ୟ।
ପରିଦର୍ଶନ ସମୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDM&PHO) ଡା. ଇଶାନୀ ମିତ୍ର ଓ ଡିପିଏମ ସତ୍ୟନାରାୟଣ ତ୍ରିପାଠୀଙ୍କ ସମେତ ଚିକିତ୍ସାଳୟର ଡ଼କ୍ଟର ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।

