ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ନିରୋଧ, ଡିଜିଟାଲ୍ ସୁରକ୍ଷା ଓ ସାଇବର ସଚେତନତାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ , ୨- ଲାଞ୍ଚ ମାମଲାରେ ପୂର୍ବତନ ଜିଆରଏସ ଦଣ୍ଡିତ ,୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା

ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ନିରୋଧ, ଡିଜିଟାଲ୍ ସୁରକ୍ଷା ଓ ସାଇବର ସଚେତନତାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ

ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (OSCPCR)ର ୧୬ତମ ପ୍ରତିଷ୍ଠା ଦିବସ ଅବସରରେ କଳାହାଣ୍ଡି ଜିଲ୍ଲାର ଗୋଲାମୁଣ୍ଡା ବ୍ଲକ୍ ଅନ୍ତର୍ଗତ ଚିଚିଆ ଗ୍ରାମର ଅଦ୍ୱିକା କିଶୋରୀ ନେତ୍ରୀ ସୁମି ସତନାମୀଙ୍କୁ ଅନଲାଇନ୍ ଅପରାଧ ନିରୋଧ, ଡିଜିଟାଲ୍ ସୁରକ୍ଷା ଓ ସାଇବର ସଚେତନତାର ପ୍ରସାର କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ସମ୍ମାନିତ କରାଯାଇଥିଲା। ସୁମିଙ୍କ ଏହି ଅସାଧାରଣ ସଫଳତା ଓ ଜିଲ୍ଲା ପାଇଁ ଗୌରବ ଆଣିଥିବାରୁ ଜିଲ୍ଲାପାଳ, କଳାହାଣ୍ଡି ତାଙ୍କୁ ରେଡକ୍ରସ୍ ପାଣ୍ଠିରୁ ୫୧,୦୦୦/- ଟଙ୍କାର ପ୍ରୋତ୍ସାହନମୂଳକ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ସୁମିଙ୍କ ବର୍ତ୍ତମାନର ଶିକ୍ଷାଗତ ସ୍ଥିତି, ପାଠପଢ଼ା ଓ ଭବିଷ୍ୟତ ଲକ୍ଷ୍ୟ ସମ୍ପର୍କରେ ଆନ୍ତରିକତାର ସହ ପଚାରି ବୁଝିଥିଲେ। ଏଥିସହ ଭବିଷ୍ୟତରେ ମଧ୍ୟ ଏଭଳି ଉଦାହରଣୀୟ କାର୍ଯ୍ୟ ଜାରି ରଖିବା ସହ ନିଜ ଭଳି ଅନ୍ୟ କିଶୋରୀମାନଙ୍କୁ ସଚେତନ, ସଶକ୍ତ ଓ ସମାଜ ପରିବର୍ତ୍ତନର ଅଗ୍ରଦୂତ ଭାବେ ଗଢ଼ି ତୋଳିବାକୁ ପ୍ରେରଣା ଦେଇଥିଲେ। ଏହି ସଫଳତା ପଛରେ ଅଦ୍ୱିକା କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରି କିଶୋରୀମାନଙ୍କ ମଧ୍ୟରେ ନେତୃତ୍ୱ, ସଚେତନତା ଓ ସାମାଜିକ ଦାୟିତ୍ୱବୋଧ ବିକାଶ ଦିଗରେ ଉଦାହରଣୀୟ କାର୍ଯ୍ୟ ସମ୍ପାଦନ କରିଥିବାରୁ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ଜିଲ୍ଲା ଓ ବ୍ଲକ ସଂଯୋଜଙ୍କୁ ମଧ୍ୟ ଜିଲ୍ଲାପାଳ ଉଚ୍ଚ ପ୍ରଶଂସା କରିଥିଲେ। ସେହିପରି, ଆରକ୍ଷୀ ଅଧୀକ୍ଷକ, କଳାହାଣ୍ଡି ସୁମି ସତନାମୀଙ୍କୁ ସମ୍ମାନିତ କରିବା ସହ ସାଇବର ଅପରାଧ ନିରୋଧ, ବାଲ୍ୟବିବାହ ପ୍ରତିରୋଧ ଓ ଶିଶୁ ଶ୍ରମିକ ପ୍ରଥା ଉଚ୍ଛେଦ ଦିଗରେ ତାଙ୍କର ବ୍ୟକ୍ତିଗତ ଉଦ୍ୟମ ଏବଂ ଅଦ୍ୱିକା ଗୋଷ୍ଠୀର ସାମୂହିକ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ। ସୁମିଙ୍କ ନିଷ୍ଠା, ସାହସ ଓ ସାମାଜିକ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ତାଙ୍କୁ ୧୭,୫୦୦/- ଟଙ୍କାର ନଗଦ ପ୍ରୋତ୍ସାହନ ରାଶି ପ୍ରଦାନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ, କଳାହାଣ୍ଡି ମଧ୍ୟ ସୁମିଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ସାମାଜିକ ଅବଦାନକୁ ଉଚ୍ଚ ପ୍ରଶଂସା କରିଥିଲେ। କିଶୋରୀ ବାଳିକାମାନଙ୍କ ପାଇଁ ଏକ ଉଜ୍ଜ୍ୱଳ, ସୁରକ୍ଷିତ ଓ ସମ୍ମାନଜନକ ଭବିଷ୍ୟତ ଗଠନ ନିମନ୍ତେ ଏଭଳି ଦୃଷ୍ଟାନ୍ତମୂଳକ କାର୍ଯ୍ୟ ନିରନ୍ତର ଜାରି ରଖିବାକୁ ସେ ସୁମିଙ୍କୁ ପ୍ରୋତ୍ସାହିତ କରିଥିଲେ। ଏଥିସହ ଏଭଳି ଅଭିନବ ଓ ପ୍ରଭାବଶାଳୀ କାର୍ଯ୍ୟକ୍ରମକୁ ଜିଲ୍ଲାର ଅନ୍ୟ ବ୍ଲକଗୁଡ଼ିକରେ ମଧ୍ୟ ସମ୍ପ୍ରସାରଣ କରିବା ନିମନ୍ତେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ ସୁମି ସତନାମୀଙ୍କ ସମେତ ଏଡ୍ ଏଟ୍ ଆକ୍ସନର ବ୍ଲକ ସଂଯୋଜିକା ଓ ଜିଲ୍ଲା ସଂଯୋଜକଙ୍କୁ ଅଭିନନ୍ଦନ ଜଣାଇଥିଲେ। ଅଦ୍ୱିକା କାର୍ଯ୍ୟକ୍ରମ ମାଧ୍ୟମରେ କିଶୋରୀ ବାଳିକାମାନଙ୍କ ସଶକ୍ତିକରଣ, ନେତୃତ୍ୱ ବିକାଶ, ଅଧିକାର ସଚେତନତା ଓ ସାମାଜିକ ପରିବର୍ତ୍ତନ ଦିଗରେ ଏଡ୍ ଏଟ୍ ଆକ୍ସନ ଓ ୟୁନିସେଫ୍ ଓଡ଼ିଶାର ସହଯୋଗରେ ଚାଲିଥିବା ପ୍ରୟାସକୁ ସେ ଉଚ୍ଚ ପ୍ରଶଂସା କରିଥିଲେ। ଏହି ସମସ୍ତ ସମ୍ମାନ ଓ ପ୍ରୋତ୍ସାହନମୂଳକ କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ କଲ୍ୟାଣ ଅଧିକାରିଣୀ, ଜିଲ୍ଲା ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷା ଓ ସଦସ୍ୟବୃନ୍ଦ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ମିଶନ ଶକ୍ତି ସଂଯୋଜକ, ଏଡ୍ ଏଟ୍ ଆକ୍ସନର ଜିଲ୍ଲା ସଂଯୋଜକ ଓ ବ୍ଲକ ସଂଯୋଜିକାଙ୍କ ସମେତ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ।

ଲାଞ୍ଚ ମାମଲାରେ ପୂର୍ବତନ ଜିଆରଏସ ଦଣ୍ଡିତ ,୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ ହଜାର ଜରିମାନା

କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅନ୍ତର୍ଗତ ବାଲସି ପଞ୍ଚାୟତର ପୂର୍ବତନ ଜିଆରଏସ (ଗ୍ରାମ ରୋଜଗାର ସେବକ) ସାନ୍ତନୁ ନାଗ ଏକ ଲାଞ୍ଚ ମାମଲାରେ ବୁଧବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ସ୍ଥିତ ଜିଲା ଭିଜିଲାନ୍ସ କୋର୍ଟର ସ୍ୱତନ୍ତ୍ର ବିଚାରପତି ବଦ୍ରି ନାରାୟଣ ନନ୍ଦ ଏହି ମାମଲାର ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ପୂର୍ବତନ ଜିଆରଏସ ନାଗଙ୍କୁ ୩ ବର୍ଷ ଜେଲ ଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି।

ସୂଚନା ଅନୁଯାୟୀ, କେସିଙ୍ଗା ବ୍ଲକ ବାଲ୍‌ସି ଗ୍ରାମର କୁରୁପତି ସାହୁ ତାଙ୍କ ପିତା ଖୁସିରାମ ସାହୁଙ୍କ ନାମରେ ଜମିର ଉନ୍ନତିକରଣ ପାଇଁ ସରକାରଙ୍କ ପକ୍ଷରୁ ମନରେଗା ଯୋଜନାରେ ୫୦ ହଜାର ଟଙ୍କା ମଞ୍ଜୁର ହୋଇଥିଲା। ଏହି କାର୍ଯ୍ୟରେ ଶ୍ରମିକମାନଙ୍କୁ ନିୟୋଜିତ କରାଯାଇ ପୂର୍ବରୁ ୩୫ ହଜାର ଟଙ୍କା ମିଳିସାରିଥିଲା। ତେବେ ବାକି ୧୫ ହଜାର ଟଙ୍କା ପାଇବା ପାଇଁ ମଷ୍ଟର ରୋଲ୍ ଦାଖଲ କରିବା ଆବଶ୍ୟକ ଥିଲା। ଏହି ମଷ୍ଟର ରୋଲ୍ ପ୍ରସ୍ତୁତ କରିଦେବା ପାଇଁ ଅଭିଯୁକ୍ତ ଜିଆରଏସ ନାଗ ଲାଞ୍ଚ ଦାବି କରିଥିଲେ। ଫଳରେ କୁରୁପତି ଗତ ୧୬.୮.୨୦୨୦ରେ ଭବାନୀପାଟଣା ଭିଜିଲାନ୍ସ କାର୍ଯ୍ୟାଳୟରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଭିଜିଲାନ୍ସ ପକ୍ଷରୁ ଜାଲ ବିଛାଯାଇଥିଲା। ଦିନକ ପରେ ଅର୍ଥାତ ୧୭.୮.୨୦୨୦ ରେ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ସମ୍ପୃକ୍ତ ଜିଆରଏସ୍‌ ନାଗଙ୍କୁ ଭିଜିଲାନ୍ସ ବିଭାଗ ରଙ୍ଗେହାତ ଧରିଥିଲା। ପରେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ଏପରିକି ଏହି ମାମଲା ଆଧାରରେ ପରବର୍ତ୍ତୀ ସମୟରେ ତାଙ୍କୁ ଚାକିରିରୁ ମଧ୍ୟ ବହିଷ୍କାର କରାଯାଇଥିଲା।ଏହି ମାମଲାକୁ ସରକାରଙ୍କ ପକ୍ଷରୁ ସ୍ପେଶାଲ ପିପି (ଭିଜିଲାନ୍ସ) ସୁଧୀର କୁମାର ପଣ୍ଡା ଓ ଇମ୍ରାନ ଖାଁ ପରିଚାଳନା କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ୍ 

Related posts

ବିଶ୍ଵ ଯୁବକେନ୍ଦ୍ର ଦ୍ଵାରା ବାଲ୍ୟ ବିବାହ ମୁକ୍ତ ଭାରତ ଅଭିଯାନ ଓ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

ଜମାକାରୀ ଶିକ୍ଷା ଓ ସଚେତନତା କର୍ମଶାଳା

masiha

ଢେଙ୍କାନାଳ ଜିଲ୍ଲା ଜନଗଣନା କାର୍ଯ୍ୟର ପରିଦର୍ଶନ କଲେ ଓଡ଼ିଶା ଜନଗଣନା ବିଭାଗର ନିର୍ଦ୍ଦେଶକ ନିଖିଳ ପବନ କଲ୍ୟାଣ

Sunil Chandra Nayak

Leave a Comment

error: Content is protected !!