ଡକାୟତ ଯୋଜନା ପଣ୍ଡ; ୭ ଗିରଫ
ଭଞ୍ଜନଗର,୨୧/୯ ଆଗକୁ ଆସୁଛି ପାର୍ବଣ ଋତୁ। ଆଉ ଏହି ସମୟରେ ଆଇନ ଶୃଙ୍ଖଳା,ବେଆଇନ କାର୍ଯ୍ୟକଳାପରେ ରୋକ ଲଗାଇବା ପାଇଁ ଏବେଠାରୁ ପୁଲିସ ରଣନୀତି ଆପଣାଇଛି। ରାସ୍ତାରେ ମାରଣାସ୍ତ୍ର ଦେଖାଇ ଡକାୟତି କରିବା ପାଇଁ ଯୋଜନା କରୁଥିବା ଏକ ଗ୍ୟାଙ୍ଗକୁ କାବୁ କରିଛି ଭଞ୍ଜନଗର ପୁଲିସ। ଏଭଳି ଅପରାଧିକ ତତ୍ତ୍ୱ ବିରୋଧରେ ଶୂନ୍ୟ ସହନଶୀଳତା ନୀତି ପୁଲିସ ଆପଣାଇବ ବୋଲି ଏନେଇ ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଡ. ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି।ଭଞ୍ଜନଗର ଥାନା ଭେରେଡା ବସଷ୍ଟପ ନିକଟରେ ଡକାୟତି କରିବା ନିମନ୍ତେ ମାରଣାସ୍ତ୍ର ଧରି ଯୋଜନା କରୁଥିବା ଅଭିଯୋଗରେ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ଡ.ମିଶ୍ର ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ଗୋଟିଏ ଦେଶୀ ବନ୍ଧୁକ,ଗୋଟିଏ ଖେଳନା ବନ୍ଧୁକ,ଗୋଟିଏ ଲୁହା ଖଣ୍ଡା, ୩ ଗୋଟି ମଟରସାଇକଲ ଜବତ କରାଯାଇଛି। ଏସଂକ୍ରାନ୍ତରେ କେସ ନମ୍ବର ୧୦୦୦ ରେ ଏକ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଏସଆଇ ସମୀର କୁମାର ସେଠୀ ପାଟ୍ରୋଲିଂ କରୁଥିବା ସମୟରେ ଭେରେଡ଼ା ନିକଟରେ କିଛି ବ୍ୟକ୍ତି ମାରଣାସ୍ତ୍ର ଧରି ଡକାୟତ ଯୋଜନା କରୁଥିବା ଖବର ପାଇ ଚଢ଼ାଉ କରିଥିଲେ। ସେଠାରୁ ଡକାୟତି ଯୋଜନା କରୁଥିବା ଅଭିଯୋଗରେ ପ୍ରଥମେ ୬ ଜଣଙ୍କୁ କାବୁ କରିଥିବା ବେଳେ ପରବର୍ତ୍ତୀ ସମୟରେ ଆଉ ଜଣଙ୍କୁ ଗିରଫ କରିଥିଲେ। ଗିରଫ ଅଭିଯୁକ୍ତ ମାନେ ହେଲେ ଭଞ୍ଜନଗର ଥାନା ଇଲାକାର ଆଜାଦ୍ ନାୟକ,ସୁଶୀଲ ମିଶ୍ର,ବିଭୁ ଜେନା,ମନୋଜ ପାତ୍ର,ରାକେଶ ବିଷୋୟୀ,ସଙ୍କେତ ସନ ପଟ୍ଟନାୟକ ଓ ବେଲଗୁଣ୍ଠା ଥାନା ଅଞ୍ଚଳର ଶୁଭମ୍ କୁମାର ସେଠୀ। ସମସ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଥିବା ଡ. ମିଶ୍ର ସୂଚନା ଦେଇଛନ୍ତି। ଉକ୍ତ ସାମ୍ବାଦିକ ସମ୍ମିଳନୀରେ ଏସଆଇ ସମୀର କୁମାର ସେଠୀ,ସୁବ୍ରତ ଲେଙ୍କା,ଏସ.କେ ନାୟକ,ସାଗର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରିୟବ୍ରତ ପଣ୍ଡା ଙ୍କ ରିପୋର୍ଟ୍

