ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କର ସାଧାରଣ ସଭା
ଆସିକା, 24/09/26 (ଶିବ ଶଙ୍କର ମିଶ୍ର ) ଗଞ୍ଜାମ ଜିଲ୍ଲାର ସମବାୟ ଓ କୃଷି ଋଣ ବ୍ୟବସ୍ଥାରେ ଦୀର୍ଘଦିନ ଧରି ଗୁରୁତ୍ବପୂର୍ଣ ଭୂମିକା ନିଭାଇ ଆସୁଥିବା ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ଲିଂର ୧୦୧ ତମ ବାର୍ଷିକ ସାଧାରଣ ସଭା ସାବିତ୍ରୀ କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଛି। ବ୍ୟାଙ୍କ ସଭାପତି ମଙ୍ଗୁଳୁଧର ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ କୃଷକଙ୍କୁ ରଣ ସହାୟତା, ସମବାୟ ସମିତିର ଆର୍ଥିକ ସ୍ୱଚ୍ଛଳତା ଓ ବ୍ୟାଙ୍କିଙ୍ଗ ସେବାର ଅଧୁନିକୀକରଣ ଉପରେ ଗୁରୁତ୍ବ ଦିଆଯାଇଛି । ସଭାରେ ବ୍ୟାଙ୍କ ସେକ୍ରେଟାରୀ ଭରତ ଚନ୍ଦ୍ର ସାହୁ, ଆସିକା ଏଆର୍ସିଏସ୍ ବିଜୟ କୁମାର ସାହୁ, ବ୍ୟଙ୍କ ଉପସଭାପତି ଜ୍ୟୋତି ପ୍ରଭା ବାରିକ, ଆସିକା ଏସିଏମ୍ପିସିଏସ୍ ସଭାପତି କାର୍ତ୍ତିକେଶ୍ଵର ପରିଡ଼ାଙ୍କ ସମେତ ପରିଚାଳନା ପରିଷଦର ନିର୍ଦ୍ଦେଶକ ଓ ବ୍ୟାଙ୍କ ଅଧିକାରୀମାନେ ଯୋଗଦେଇଥିଲେ । ଭବାନୀ ଶଙ୍କର ଷଡ଼ଙ୍ଗୀ କାର୍ଯ୍ୟକ୍ରମ ପରିଚIଳନ କରିଥିବା ବେଳେ ସେକ୍ରେଟାରୀ ଭରତ ଚନ୍ଦ୍ର ସାହୁ ପୂର୍ବବର୍ଷର ବିବରଣୀ ପାଠ କରିଥିଲେ । ୧୯୧୮ ମସିହାରୁ ସ୍ଥାପିତ ଏହି ବ୍ୟାଙ୍କ ଗଞ୍ଜାମ ଜିଲ୍ଲାର ସମବାୟ କ୍ଷେତ୍ରରେ କୃଷକଙ୍କୁ ଋଣ ସହାୟତା ସହ ବିଭିନ୍ନ ଆର୍ଥକ -ସେବା ଯୋଗାଇ ଆସୁଛି | ଚଳିତବର୍ଷ ଗଞ୍ଜାମ ଜିଲ୍ଲାରେ ଖରିଫ ଓ ରବି ଫସଲ ପାଇଁ ମୋଟ ୬୩୦ କୋଟି ଟଙ୍କାର ସ୍ଵକାଳୀନ କୃଷିରଣ ଲଗାଣର ଲକ୍ଷ୍ୟ ରଖାଯାଇଥିବା ସଭାରେ ସୂଚନା ଦିଆଯାଇଥିଲା । କୃଷି ଋଣ ବ୍ୟତୀତ କୃଷକଙ୍କ ଆୟ ବୃଦ୍ଧି ଓ ଜୀବିକାର ବିବିଧୀକରଣ ପାଇଁ ମିଆଦୀ ଋଣ ପ୍ରଦାନ ଉପରେ ମଧ୍ୟ ଅଧିକ ଗୁରୁତ୍ଵ ଦେବାକୁ ସଭାରେ ଆଲୋଚନା ହୋଇଥିଲା । ସରକାରୀ ବ୍ୟବସ୍ଥା ଅନୁଯାୟୀ କୃଷକଙ୍କୁ ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ,ବଳରାମ ଯୋଜନାରେ ଭାଗଚାଷୀଙ୍କୁ ଋଣ ଏବଂ ବଳିଆ ଯୋଜନା ମାଧମରେ ବୁଣାକାରଙ୍କୁ ଋଣ ସହାୟତା ଦିଆଯାଉଥିବା ନେଇ ସୂଚନା ଦିଆଯାଇଥିଲା । ମହିଳାଙ୍କୁ ରୋଜଗାରକ୍ଷମ ଓ ଆତ୍ମନିର୍ଭର କରିବା ଲକ୍ଷ୍ୟରେ ମିଶନ ଶକ୍ତି ଜରିଆରେ ଗଠିତ ସ୍ଵୟଂ ସହାୟକ ଗୋଷ୍ଠୀଗୁଡ଼ିକୁ ବ୍ୟାଙ୍କ ଓ ସମବାୟ ସମିତି ମାଧ୍ୟମରେ ଋଣ ସହାୟତା ଯୋଗାଇ ଦିଆଯାଉଛି। ଏହା ଗ୍ରାମୀଣ ଅଞ୍ଚଳରେ ମହିଳାଙ୍କ ଆର୍ଥିକ ସଶକ୍ତକରଣ ସହ ଛୋଟ ବ୍ୟବସାୟ ଓ ଜୀବିକା ସୃଷ୍ଟିରେ ସହାୟକ ହେଉଥିବା ବ୍ୟାଙ୍କ ପକ୍ଷରୁ କୁହାଯାଇଛି । ଡିଜିଟାଲ ସେବାରେ ଗୁରୁତ୍ଵ ସମୟ ସହ ତାଳ ଦେଇ ବ୍ୟାଙ୍କିଙ୍ଗ ସେବାକୁ ଅଧିକ ସହଜ କରିବା ଉପରେ ମଧ୍ୟ ବ୍ୟାଙ୍କ ପକ୍ଷରୁ ପଦକ୍ଷେପ ନିଆଯାଇଛି । କୋର ବ୍ୟାଙ୍କିଙ୍ଗ, ଏଟିଏମ୍,ଏଇପିଏସ୍ ଓ ଇ-କେୱାଇସି ଭଳି ସୁବିଧା ଗ୍ରାହକଙ୍କୁ ଯୋଗାଇ ଦିଆଯାଉଛି । ବ୍ୟାଙ୍କ ଅଧୀନରେ ଥିବା ୧୯୮ଟି ସମବାୟ ସମିତିରେ ମାଇକ୍ରୋ ଏଟିଏମ୍ ସୁବିଧା ଉପଲବ୍ଧ ଥିବା ବେଳେ ମୁଖ୍ୟ ଶାଖାରେ ସିଟି ଏସ୍ ମାଧ୍ୟମରେ ଚେକ୍ କ୍ଲିୟରିଂ ବ୍ୟବସ୍ତୁ ରହିଛି । ବ୍ୟାଙ୍କର ସମସ୍ତ ଜମାକାରୀଙ୍କ ଜମାରାଶିକୁ ଡିଆଇସିଜିସି ଅଧୀନରେ ବୀମାଭୁକ୍ତ କରାଯାଇଥିବା ଏବଂ କିଷାନ କ୍ରେ ଡିଟକାର୍ଡ ଋଣୀଙ୍କୁ ପିଏଆଇଏସ୍ଏସ୍ ଯୋଜନାରେ ବୀମା ସୁରକ୍ଷା ଦିଆଯାଇଥିବା ସଭାରେ ସୂଚନା ଦିଆଯାଇଥିଲା । ଗତ ୫ ବର୍ଷଧରି ଅଡିଟ୍ ରିପୋର୍ଟ ଆଧାରରେ ଆସିକା ସମବାୟ କେନ୍ଦ୍ର ବ୍ୟାଙ୍କ ‘କ’ ଶ୍ରେଣୀଭୁକ୍ତ ହୋଇଆସୁଥିବା ବ୍ୟାଙ୍କ ଅଧୀକାରୀମାନେ କହିଥିଲେ। ଏହି ସଫଳତା ପଛରେ ଗ୍ରାହକଙ୍କ ସହଯୋଗ, ପରି ଚାଳନା ପରିଷଦର ସକ୍ରିୟ ଭୂମିକା ଏବଂ ଅଧିକାରୀ ଓ କର୍ମଚାରୀଙ୍କ ନିଷ୍ଠାପର ଉଦ୍ୟମ ରହିଥିବା ସେମାନେ ପ୍ରକାଶ କରିଥିଲେ। ସଭାରେ ଏଜିଏମ୍ ଗୀତାଞ୍ଜଳୀ ବେହେରା, ଏଜିଏମ୍ ମମତା ପରିଡା଼, ମ୍ୟାନେଜର ଶ୍ରୀକାନ୍ତ ଚରଣ ସ୍ଵାଇଁ, ଚାନ୍ଦିନୀ ସ୍ୱାଇଁ, ଯୋଗେଶ ଚନ୍ଦ୍ର ସାମନ୍ତରା ସିଷ୍ଟମ ମ୍ୟାନେଜର ଅଭିନାଶ ଓ ବିଶ୍ଵଜିତଙ୍କ ସମେତ ବ୍ୟାଙ୍କର ଅଧିକାରୀ ଓ କର୍ମଚାରୀମାନେ ଯୋଗଦେଇଥିବା ଜଣା ପଡିଛି ।

