ଗାନ୍ଧୀ ଜୟନ୍ତୀ ଅବସରରେ ନବରଙ୍ଗପୁର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ
ଗ୍ରାମୀଣ ବିକାଶ, ସୁଶାସନ, ସ୍ୱଚ୍ଛତା ଓ ଜନସହଭାଗିତାକୁ ଗୁରୁତ୍ୱ
ନବରଙ୍ଗପୁର:(ତା. ୦୨/୧୦/୨୦୨୬)(ରବି ନାରାୟଣ ମହାନ୍ତି)ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଆଜି ନବରଙ୍ଗପୁର ଜିଲ୍ଲାର ସମସ୍ତ ଗ୍ରାମ ପଞ୍ଚାୟତରେ ଗ୍ରାମସଭା ଅନୁଷ୍ଠିତ ହୋଇଛି। ଗ୍ରାମାଞ୍ଚଳରେ ସ୍ୱଚ୍ଛତା, ସୁଶାସନ, ଜନସହଭାଗିତା ଓ ସମାବେଶୀ ବିକାଶକୁ ଆହୁରି ସୁଦୃଢ଼ କରିବା ଏହି ଗ୍ରାମସଭାର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଗ୍ରାମବାସୀଙ୍କ ସକ୍ରିୟ ଅଂଶଗ୍ରହଣ ସହ ଗ୍ରାମର ବିକାଶ ଆବଶ୍ୟକତା, ଉପଲବ୍ଧ ସରକାରୀ ଯୋଜନା, ଚାଲୁଥିବା ବିକାଶମୂଳକ କାର୍ଯ୍ୟ ଓ ଭବିଷ୍ୟତ ବିକାଶ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ସ୍ଥାନୀୟ ଆବଶ୍ୟକତାକୁ ପ୍ରାଥମିକତା ଦେଇ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା ପ୍ରସ୍ତୁତି ଓକାର୍ଯ୍ୟାନ୍ୱୟନରେ ଗ୍ରାମବାସୀଙ୍କ ମତାମତକୁ ଗୁରୁତ୍ୱ ଦିଆଯାଇଥିଲା।ଗ୍ରାମସଭାରେ ଗ୍ରାମ ପଞ୍ଚାୟତ ବିକାଶ ଯୋଜନା (GPDP) ଓ e-GramSwaraj ମାଧ୍ୟମରେ ଗ୍ରାମର ବିକାଶମୂଳକ ପ୍ରାଥମିକତା ଚିହ୍ନଟ ଏବଂ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା। ଏଥିସହ ରାଷ୍ଟ୍ରୀୟ ଗ୍ରାମ ସ୍ୱରାଜ ଅଭିଯାନ (RGSA) ଅଧୀନରେ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା, ପଞ୍ଚାୟତସ୍ତରୀୟ ପ୍ରତିନିଧି ଓ କର୍ମଚାରୀଙ୍କ ଦକ୍ଷତା ବିକାଶ ଏବଂ ସ୍ଥାନୀୟ ଶାସନରେ ଜନସହଭାଗିତା ବୃଦ୍ଧି ଉପରେ ଗୁରୁତ୍ୱ ଦିଆଯାଇଥିଲା।
SVAMITVA ଯୋଜନା ଅଧୀନରେ ଗ୍ରାମୀଣ ଅଞ୍ଚଳରେ ସମ୍ପତ୍ତିର ଅଧିକାର ଓ ରେକର୍ଡ ସମ୍ପର୍କିତ ସଚେତନତା, DAY-NRLM ମାଧ୍ୟମରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀଙ୍କ ସଶକ୍ତିକରଣ ଓ ଜୀବିକା ସୃଷ୍ଟି, ଏବଂ VB-G RAM G ଅଧୀନରେ ଗ୍ରାମୀଣ ଅଞ୍ଚଳରେ ରୋଜଗାର ସୃଷ୍ଟି ସମ୍ପର୍କରେ ମଧ୍ୟ ଆଲୋଚନା କରାଯାଇଥିଲା।ଗାନ୍ଧୀଜୀଙ୍କ ସ୍ୱଚ୍ଛ ଓ ସୁସ୍ଥ ଭାରତର ସ୍ୱପ୍ନକୁ ସାକାର କରିବା ଲକ୍ଷ୍ୟରେ ସ୍ୱଚ୍ଛ ଭାରତ ମିଶନ (ଗ୍ରାମୀଣ) ଅଧୀନରେ ODFରୁ ODF Plus ଦିଗରେ ଅଗ୍ରସର ହେବା, ଘରୋଇ ଓ ସାମୂହିକ ପରିମଳ ବ୍ୟବସ୍ଥା, ଆବର୍ଜନା ପରିଚାଳନା ଓ ସ୍ୱଚ୍ଛ ପରିବେଶ ରକ୍ଷା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଯାଇଥିଲା।ଏଥିସହ ଜଳ ଜୀବନ ମିଶନ ଅଧୀନରେ ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ସୁରକ୍ଷିତ ପାନୀୟଜଳ ଯୋଗାଣ, ଜଳସ୍ରୋତର ସୁରକ୍ଷା ଓ ଜଳର ସୁବିନିଯୋଗ ସମ୍ପର୍କରେ ମଧ୍ୟ ଆଲୋଚନା ହୋଇଥିଲା।
ଗ୍ରାମସଭାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ) ଅଧୀନରେ ଯୋଗ୍ୟ ପରିବାରଙ୍କୁ ଆବାସ ସୁବିଧା ପ୍ରଦାନ, ଆବାସ ନିର୍ମାଣର ପ୍ରଗତି ଏବଂ ଯୋଜନାର ସ୍ୱଚ୍ଛ ଓ ନିୟମାନୁସାରୀ କାର୍ଯ୍ୟାନ୍ୱୟନ ଉପରେ ଆଲୋଚନା ହୋଇଥିଲା। ଗ୍ରାମରେ ଆବଶ୍ୟକ ମୌଳିକ ଭିତ୍ତିଭୂମି ଓ ଜନସେବାମୂଳକ କାର୍ଯ୍ୟକୁ GPDPରେ ପ୍ରାଥମିକତା ଦେବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା।ଜନସହଭାଗିତା ମାଧ୍ୟମରେ ସଶକ୍ତ ଗ୍ରାମସଭା l ଏହା ହେଉଛି ତୃଣମୂଳସ୍ତରରେ ଲୋକଙ୍କ ସିଧାସଳଖ ଅଂଶଗ୍ରହଣର ଏକ ପ୍ରମୁଖ ମଞ୍ଚ। ଏହି ମଞ୍ଚରେ ଗ୍ରାମବାସୀ ନିଜ ଅଞ୍ଚଳର ସମସ୍ୟା, ଆବଶ୍ୟକତା ଓ ବିକାଶ ସମ୍ପର୍କିତ ପ୍ରସ୍ତାବ ଉପସ୍ଥାପନ କରିବା ସହ ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ପର୍କରେ ମତାମତ ପ୍ରଦାନ କରିଥିଲେ। ଏହି ଅବସରରେ ଗ୍ରାମର ବିକାଶ ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଯୋଜନାର ସଫଳ କାର୍ଯ୍ୟାନ୍ୱୟନ ପର୍ଯ୍ୟନ୍ତ ଗ୍ରାମବାସୀଙ୍କ ସକ୍ରିୟ ସହଯୋଗ ଓ ଅଂଶଗ୍ରହଣ ହିଁ ସ୍ଥାୟୀ ଓ ସମାବେଶୀ ବିକାଶର ମୁଖ୍ୟ ଆଧାର ବୋଲି ଗୁରୁତ୍ୱାରୋପ କରାଯାଇଥିଲା।ନବରଙ୍ଗପୁର ଜିଲ୍ଲାରେ ଗ୍ରାମସଭା ମାଧ୍ୟମରେ ତୃଣମୂଳସ୍ତରରେ ସୁଶାସନ, ପାରଦର୍ଶିତା, ଉତ୍ତରଦାୟିତ୍ୱ ଓ ଜନସହଭାଗିତାକୁ ଆହୁରି ସୁଦୃଢ଼ କରି ଗ୍ରାମୀଣ ବିକାଶର ଗତିକୁ ତ୍ୱରାନ୍ୱିତ କରିବା ଦିଗରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିରନ୍ତର ପଦକ୍ଷେପ ନିଆଯାଉଛି।ମୁଖ୍ୟ ଉନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରୱାନ ଙ୍କ ସମେତ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ପଞ୍ଚାୟତ ନିର୍ବାହୀ ଅଧକାରୀ ଅଂଶଗ୍ରହଣ କରି ଗ୍ରାମସଭା ଗୁଡିକୁ ସଫଳ କରିଥିଲେ
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

