ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି/ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଦାବି କଲା ମାସା ସଂଗଠନ

ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଦାବି/ଛାତ୍ରାବାସରେ ଅବ୍ୟବସ୍ଥା ଅଭିଯୋଗ: ତଦନ୍ତ ଦାବି କଲା ମାସା ସଂଗଠନ

ରାଇରଙ୍ଗପୁର, ୩/୧୦…: ବିଶୋଇ ବ୍ଲକ ଅନ୍ତର୍ଗତ ବଡ଼ାଯୋଡ଼ିସ୍ଥିତ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ୨୦୦ ଶଯ୍ୟା ବିଶିଷ୍ଟ ଆଦିବାସୀ ଓ ହରିଜନ ଛାତ୍ରାବାସରେ ଅବ୍ୟବସ୍ଥା, ଛାତ୍ରମାନଙ୍କ ସୁରକ୍ଷା ପ୍ରତି ଅବହେଳା ଓ ପରିଚାଳନାରେ ଅନିୟମିତତା ନେଇ ଅଭିଯୋଗ ଉଠିଛି। ଏନେଇ ମୟୂରଭଞ୍ଜ ଆଦିବାସୀ ଛାତ୍ର ସଂଗଠନ (ମାସା) ପକ୍ଷରୁ ବାମନଘାଟି ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ଦାଖଲ କରାଯାଇ ନିରପେକ୍ଷ ତଦନ୍ତ ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।

ମାସାର ଅଭିଯୋଗ ଅନୁଯାୟୀ, କେତେକ ଛାତ୍ର ବିନା ଅନୁମତିରେ ଛାତ୍ରାବାସରୁ ବାହାରକୁ ଯାଉଥିବା, ଦିନ ଓ ରାତିରେ ବାହାରେ ରହୁଥିବା ଏବଂ କେତେକ କ୍ଷେତ୍ରରେ ଦୁଇରୁ ତିନି ଦିନ ପର୍ଯ୍ୟନ୍ତ ହୋଷ୍ଟେଲ ବାହାରେ ରହୁଥିବା ଘଟଣା ଘଟୁଛି। କେତେକ ଛାତ୍ର ନିଶାଦ୍ରବ୍ୟ ସେବନ କରୁଥିବା ଓ ମୋବାଇଲ ଫୋନର ଅନୁଚିତ ବ୍ୟବହାର ଯୋଗୁଁ ପାଠପଢ଼ାରେ ଅବହେଳା କରୁଥିବା ନେଇ ମଧ୍ୟ ସଂଗଠନ ଅଭିଯୋଗ କରିଛି।

ଅଭିଯୋଗରେ ୨୮ ସେପ୍ଟେମ୍ବର ୨୦୨୬ର ଏକ ଘଟଣାକୁ ଗୁରୁତ୍ୱ ଦିଆଯାଇଛି। ସଂଗଠନର ଦାବି ଅନୁସାରେ, ସେଦିନ ୬ ଜଣ ଛାତ୍ର ହୋଷ୍ଟେଲରୁ ବାହାରି ଟାଟାନଗର ଯାଇଥିଲେ। ଫେରିବା ସମୟରେ ସେମାନଙ୍କ ମଧ୍ୟରୁ ୩ ଜଣ ଚୋରି ମାମଲା ସମ୍ପର୍କିତ ଘଟଣାରେ ବହଳଦା ଥାନାରେ ଅଟକ ଥିବା ଏବଂ ଅନ୍ୟ ୩ ଜଣ ରାତିସାରା ବାହାରେ ରହିଥିବା ଅଭିଯୋଗ ହୋଇଛି। ପରଦିନ ସକାଳେ ସେମାନେ ଛାତ୍ରାବାସକୁ ଫେରିଥିବା ସଂଗଠନ ପକ୍ଷରୁ କୁହାଯାଇଛି।

ଏହି ଘଟଣା ସମୟରେ ହୋଷ୍ଟେଲ ପରିଚାଳକଙ୍କୁ ଛାତ୍ରମାନଙ୍କ ବାହାରକୁ ଯିବା ସମ୍ପର୍କରେ ଜଣାନଥିବା ଏବଂ ହାଜିରା ଖାତାରେ ସମ୍ପୃକ୍ତ ଛାତ୍ରମାନଙ୍କ ଉପସ୍ଥାନ ଦର୍ଶାଯାଇଥିବା ନେଇ ମାସା ପକ୍ଷରୁ ପ୍ରଶ୍ନ ଉଠାଯାଇଛି। ଏଥିସହ ଛାତ୍ରମାନଙ୍କ ନାମରେ ଦିଆଯାଇଥିବା କେତେକ ଦରଖାସ୍ତର ସତ୍ୟତା ଓ ଉତ୍ସ ମଧ୍ୟ ଯାଞ୍ଚ କରିବାକୁ ଦାବି ହୋଇଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ଏହି ଘଟଣାଗୁଡ଼ିକୁ କେବଳ ଛାତ୍ରମାନଙ୍କ ଦୁଷ୍ଟାମି ଭାବେ ଏଡ଼ାଇ ନଦେଇ ଛାତ୍ରାବାସର ନିରୀକ୍ଷଣ ବ୍ୟବସ୍ଥା, ହାଜିରା ରେକର୍ଡ ଓ ପରିଚାଳନା ଦାୟିତ୍ୱ ସମ୍ପର୍କରେ ମଧ୍ୟ ତଦନ୍ତ ହେବା ଆବଶ୍ୟକ।

ମାସା ପକ୍ଷରୁ ଛାତ୍ରାବାସର ସମସ୍ତ ରେକର୍ଡ, ହାଜିରା ଖାତା ଓ ଛାତ୍ରମାନଙ୍କ ଦରଖାସ୍ତ ଯାଞ୍ଚ କରି ନିରପେକ୍ଷ ତଦନ୍ତ କରିବାକୁ ଦାବି କରାଯାଇଛି। ତଦନ୍ତରେ ଦାୟିତ୍ୱରେ ଅବହେଳା ପ୍ରମାଣିତ ହେଲେ ସମ୍ପୃକ୍ତ ହୋଷ୍ଟେଲ ପରିଚାଳକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଏବଂ ଆବଶ୍ୟକ ହେଲେ ତାଙ୍କୁ ଦାୟିତ୍ୱରୁ ହଟାଇ ଅନ୍ୟ ଜଣେ ଦାୟିତ୍ୱବାନ ଶିକ୍ଷକଙ୍କୁ ହୋଷ୍ଟେଲ ପରିଚାଳନା ଦାୟିତ୍ୱ ଦେବାକୁ ସଂଗଠନ ଦାବି କରିଛି।

ଏହାସହ ସମ୍ପୃକ୍ତ ପ୍ରଧାନଶିକ୍ଷକଙ୍କୁ ୭ ଦିନ ମଧ୍ୟରେ ଅନ୍ୟତ୍ର ବଦଳି କରିବା ସହ ଭବିଷ୍ୟତରେ ଏଭଳି ଘଟଣା ରୋକିବା ପାଇଁ ଛାତ୍ରାବାସରେ ନିୟମିତ ନିରୀକ୍ଷଣ ଓ ଶୃଙ୍ଖଳା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ମାସା ଦାବି କରିଛି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ୭ ଦିନ ମଧ୍ୟରେ ଦାବିଗୁଡ଼ିକ ଉପରେ ଦୃଢ଼ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ।

ଦାବିପତ୍ର ପ୍ରଦାନ ସମୟରେ ମାସା ସଂଗଠନ ର ଜିଲ୍ଲା ସଭାପତି ରାମ ମୁର୍ମୁ, ଜିଲ୍ଲା ସହ-ସମ୍ପାଦକ ଲକ୍ଷ୍ମଣ ମାଝୀ, ବାମନଘାଟି ସମ୍ପାଦକ ମାସାଂ ହେମ୍ବ୍ରମ, କାନ୍ଦ୍ରା ମୁର୍ମୁ, ଟାକୁର ଦାସ ଟୁଡୁ, ଅନାଦି ଶିଙ୍କୁ, ସନାତନ ହାଁସଦା, ବଳରାମ ହାଁସଦା ଓ କିସୁନ ମାରାଣ୍ଡିଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ୱାଳ 

Related posts

ସାମାଜିକ କାର୍ଯ୍ୟରେ ଉଲ୍ଲେଖନୀୟ ଅବଦାନ ପାଇଁ କୁଲୁଘୁଟୁ ପଞ୍ଚାୟତ ପୁରସ୍କୃତ

Sunil Chandra Nayak

ବିଶ୍ୱନାଥପୁର ଧାନ ମଣ୍ଡିରେ ଅବ୍ୟବସ୍ଥା  ପେକ୍ସ କର୍ମଚାରୀ ସାଜିଛନ୍ତି ମିଲର୍ସ ଦଲାଲ  ଚାଷୀ ପାଉନି ପରିଶ୍ରମର ଫଳ 

masiha

ଓଡ଼ିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ଦିବସ ପାଳନ

masiha

Leave a Comment

error: Content is protected !!