ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭବାନୀପାଟଣା-କେସିଙ୍ଗା ରେଳ ପ୍ରକଳ୍ପ ପାଇଁ RET ସର୍ଭେ ବଜେଟ୍ ବ୍ୟୟବରାଦ ଦାବି

ଭବାନୀପାଟଣା-କେସିଙ୍ଗା ରେଳ ପ୍ରକଳ୍ପ ପାଇଁ RET ସର୍ଭେ ବଜେଟ୍ ବ୍ୟୟବରାଦ ଦାବି

ଭବାନୀପାଟଣା: ଭବାନୀପାଟଣା-କେସିଙ୍ଗା (ଭାୟା ଉତ୍କେଲା) ପ୍ରସ୍ତାବିତ ରେଳ ପ୍ରକଳ୍ପର ଆର.ଇ.ଟି. (Reconnaissance Engineering-cum-Traffic) ସର୍ଭେ ପାଇଁ ଆସନ୍ତା ବଜେଟ୍‌ରେ ଆବଶ୍ୟକୀୟ ଅର୍ଥ ବ୍ୟୟବରାଦ କରିବା ଦାବିରେ କଳାହାଣ୍ଡି ରେଳ ଯାତ୍ରୀ ସଂଘ, ଭବାନୀପାଟଣା ପକ୍ଷରୁ ଆଜି ସମ୍ବଲପୁର ମଣ୍ଡଳ ରେଳ ପ୍ରବନ୍ଧକ (DRM)ଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି।

ସଂଘ ପକ୍ଷରୁ ରେଳ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ମଧ୍ୟ ଏହି ଦାବି ଜଣାଇ ଆସନ୍ତା କେନ୍ଦ୍ରୀୟ ବଜେଟ୍‌ରେ ପ୍ରକଳ୍ପର ସର୍ଭେ କାର୍ଯ୍ୟ ପାଇଁ ସ୍ୱତନ୍ତ୍ର ଅର୍ଥ ବ୍ୟୟବରାଦ କରିବାକୁ ଅନୁରୋଧ କରାଯାଇଛି।

ସଂଘ ପକ୍ଷରୁ କୁହାଯାଇଛି ଯେ, ଭବାନୀପାଟଣା-କେସିଙ୍ଗା ରେଳ ସଂଯୋଗ ଏକ ଶତାବ୍ଦୀ ପୁରୁଣା ଦାବି। ୧୯୨୩ ମସିହାରୁ ପ୍ରସ୍ତାବିତ ଏହି ପ୍ରକଳ୍ପର ଆର.ଇ.ଟି. ସର୍ଭେ ପୂର୍ବରୁ ଅନୁମୋଦିତ ହୋଇଥିବାରୁ ଏବେ ସର୍ଭେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ଆବଶ୍ୟକ। ପ୍ରାୟ ୩୫ କିଲୋମିଟର ଲମ୍ବା ଏହି ରେଳପଥ ନିର୍ମାଣ ହେଲେ କଳାହାଣ୍ଡି ସମେତ ପଶ୍ଚିମ ଓଡ଼ିଶାର ରେଳ ଯୋଗାଯୋଗରେ ଏକ ନୂଆ ଅଧ୍ୟାୟ ସୃଷ୍ଟି ହେବ।

ଏହି ରେଳ ସଂଯୋଗ ଦ୍ୱାରା ଟିଟିଲାଗଡ଼ -କେସିଙ୍ଗା-ଭବାନୀପାଟଣା-ରାୟଗଡ଼-ବିଶାଖାପାଟଣା ଏବଂ ଟିଟିଲାଗଡ଼ -କେସିଙ୍ଗା-ଭବାନୀପାଟଣା-ଜୁନାଗଡ଼-ନବରଙ୍ଗପୁର-ଜୟପୁର ମଧ୍ୟରେ ରେଳ ଯୋଗାଯୋଗର ଏକ ଗୁରୁତ୍ୱପୂର୍ଣ୍ଣ ଶୂନ୍ୟସ୍ଥାନ ପୂରଣ ହୋଇପାରିବ। ଏହା ସହିତ ଭବାନୀପାଟଣା ଓ କେସିଙ୍ଗା ମଧ୍ୟରେ ଯାତ୍ରା ଦୂରତା ଓ ସମୟ ହ୍ରାସ ପାଇବା ସହ ଲାଞ୍ଜିଗଡ଼ ରୋଡ୍‌ ଜଙ୍କସନ୍‌ରେ ଇଞ୍ଜିନ୍‌ ପରିବର୍ତ୍ତନ ଭଳି ସମସ୍ୟା ମଧ୍ୟ ହ୍ରାସ ପାଇବ।

ବର୍ତ୍ତମାନ ଉତ୍କେଲା ବିମାନବନ୍ଦର କାର୍ଯ୍ୟକ୍ଷମ ଥିବା ପରିପ୍ରେକ୍ଷୀରେ ଏହି ରେଳପଥ ନିର୍ମାଣ ହେଲେ ଉତ୍କେଲା ଅଞ୍ଚଳରେ ଏକ ମଲ୍ଟି-ମୋଡାଲ୍ ପରିବହନ କେନ୍ଦ୍ରର ବିକାଶର ସମ୍ଭାବନା ବଢ଼ିବ। ଏହା ଦ୍ୱାରା କଳାହାଣ୍ଡିର ବାଣିଜ୍ୟ, ପର୍ଯ୍ୟଟନ, ଶିଳ୍ପ ଓ ସ୍ଥାନୀୟ ରୋଜଗାର କ୍ଷେତ୍ରରେ ମଧ୍ୟ ନୂଆ ସୁଯୋଗ ସୃଷ୍ଟି ହେବ ବୋଲି ସଂଘ ଆଶା ପ୍ରକାଶ କରିଛି।

ଏହା ବ୍ୟତୀତ ଆଜିର ଆଲୋଚନାରେ ଜନସାଧାରଣଙ୍କ ଦୀର୍ଘଦିନର ଦାବି ଆଧାରରେ ଭବାନୀପାଟଣା, ଜୁନାଗଡ଼, ରାମଚନ୍ଦ୍ରପୁର, ଦେପୁର, କୁତ୍ରୁଖମାର, ନର୍ଲା ରୋଡ୍‌ ଓ କେସିଙ୍ଗା ରେଳ ଷ୍ଟେସନ୍‌ ସମ୍ପର୍କିତ ବିଭିନ୍ନ ସମସ୍ୟା ଓ ଦାବି ନେଇ ମଧ୍ୟ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରାଯାଇଥିଲା।

କଳାହାଣ୍ଡି ରେଳ ଯାତ୍ରୀ ସଂଘର ଅଧ୍ୟକ୍ଷ ଡକ୍ଟର ଭବାନୀ ଶଙ୍କର ନିଆଲ ରେଳ ମନ୍ତ୍ରୀଙ୍କ ନିକଟରେ ଏହି ଐତିହାସିକ ପ୍ରକଳ୍ପ ପାଇଁ ତୁରନ୍ତ ବଜେଟ୍ ବ୍ୟୟବରାଦ କରି RET ସର୍ଭେକୁ ଆଗକୁ ବଢ଼ାଇବାକୁ ଦାବି କରିଛନ୍ତି। ସଂଘ ପକ୍ଷରୁ କୁହାଯାଇଛି ଯେ, ଏହି ପ୍ରକଳ୍ପ କେବଳ କଳାହାଣ୍ଡି ନୁହେଁ, ସମଗ୍ର ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଯୋଗାଯୋଗ ଓ ଅର୍ଥନୈତିକ ବିକାଶ ପାଇଁ ଏକ ରଣନୈତିକ ରେଳ ସଂଯୋଗ ଭାବେ ଗୁରୁତ୍ୱ ବହନ କରେ।

ରେଳ ମନ୍ତ୍ରାଳୟ ଏହି ଦାବିକୁ ଗୁରୁତ୍ୱ ଦେଇ ଆବଶ୍ୟକୀୟ ପଦକ୍ଷେପ ନେବ ବୋଲି କଳାହାଣ୍ଡି ରେଳ ଯାତ୍ରୀ ସଂଘ ଆଶା ପ୍ରକାଶ କରିଛି। ଏହି ବୈଠକରେ ବଣ୍ଟି ଅଗ୍ରୱାଲ, କେସିଙ୍ଗା ସଭାପତି ଉପସ୍ଥିତ ଥିଲେ।

Related posts

ସ୍ୱରାଜ ପକ୍ଷରୁ ଚାଷୀଙ୍କୁ ନେଇ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

masiha

41st ‘Surtarang’ Audition Concludes Successfully in Rourkela

Sunil Chandra Nayak

Leave a Comment

error: Content is protected !!