ଶାଗୁଆନ ଜଙ୍ଗଲରେ ପତ୍ରଝଡ଼: ଅଜଣା ରୋଗ ନା କୀଟ ଆକ୍ରମଣ? ବଢୁଛି ଚିନ୍ତା
ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା ଶାଗୁଆନ ଜଙ୍ଗଲରେ ଏବେ ଏକ ଅସ୍ୱାଭାବିକ ପରିସ୍ଥିତି ଦେଖାଦେଇଛି। ଶାଗୁଆନ ଗଛର ପତ୍ର ପ୍ରଥମେ ଶୁଖିଯିବା ପରେ ଝଡ଼ିପଡ଼ୁଥିବାରୁ ଅନେକ ସ୍ଥାନରେ ଗଛଗୁଡ଼ିକ ପତ୍ରଶୂନ୍ୟ ହୋଇପଡ଼ିଛି। ଏହାକୁ ନେଇ ପରିବେଶପ୍ରେମୀ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଚିନ୍ତା ବଢ଼ିଛି।
ରାୟଗଡ଼ା ବନାଞ୍ଚଳର ଗୁମ୍ମା ସଂରକ୍ଷିତ ଜଙ୍ଗଲ ସମେତ କାଶୀପୁର ବନାଞ୍ଚଳ, ସିଙ୍ଗପୁର ବ୍ଲକ୍ ଏବଂ ତଳଗୁମ୍ମା ସଦର ପଞ୍ଚାୟତର ବିଭିନ୍ନ ଅଞ୍ଚଳରେ ଶାଗୁଆନ ଗଛର ଏଭଳି ଅବସ୍ଥା ଦେଖିବାକୁ ମିଳିଛି। ରାୟଗଡ଼ା ବନଖଣ୍ଡର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ଏହି ସମସ୍ୟା ବ୍ୟାପକ ଭାବେ ଦେଖାଦେଇଥିବା ଜଣାପଡ଼ିଛି।
ଶାଗୁଆନ ଗଛର ପତ୍ରରେ ପ୍ରଥମେ ଶୁଖିଲାପଣ ଦେଖାଦେଉଛି। ପରେ ପତ୍ରଗୁଡ଼ିକ ଝଡ଼ିଯାଉଛି। ଫଳରେ କେତେକ ସ୍ଥାନରେ ବଡ଼ ବଡ଼ ଶାଗୁଆନ ଗଛ ମଧ୍ୟ ପତ୍ରଶୂନ୍ୟ ଦେଖାଯାଉଛି। ଲଗାଣ ବର୍ଷା ଯୋଗୁ ବିଭିନ୍ନ ଫସଲ ନଷ୍ଟ ହୋଇ ଚାଷୀ ଚିନ୍ତାରେ ଥିବାବେଳେ ଜଙ୍ଗଲରେ ଶାଗୁଆନ ଗଛର ଏଭଳି ଅବସ୍ଥା ପରିବେଶପ୍ରେମୀଙ୍କ ଚିନ୍ତାକୁ ଆହୁରି ବଢ଼ାଇଛି।
ଶାଗୁଆନ ପତ୍ର ଶୁଖି ଝଡ଼ିଯିବାର କାରଣ ନେଇ ବନ ବିଭାଗ ପକ୍ଷରୁ ପ୍ରାଥମିକ ଭାବେ ଅନୁଧ୍ୟାନ କରାଯାଇଥିବା ଜଣାପଡ଼ିଛି। ଏନେଇ ରାୟଗଡ଼ା ଡିଏଫ୍ଓଙ୍କ ସହ ଯୋଗାଯୋଗ କରି ତଥ୍ୟ ଜାଣିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସନ୍ତୋଷଜନକ ଉତ୍ତର ମିଳିନଥିବା ଅଭିଯୋଗ ହୋଇଛି। ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବନ ସମ୍ପଦ ସମସ୍ୟା ପ୍ରତି ବନ ବିଭାଗ ଅଧିକ ଗମ୍ଭୀରତାର ସହ ଦୃଷ୍ଟି ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ଅନ୍ୟପକ୍ଷରେ, କିଛି ପରିବେଶବିତଙ୍କ ମତରେ ଶାଗୁଆନ ଗଛରେ ‘ଟିକ୍ ଡିଫୋଲିଏଟର’ (Teak Defoliator) ବା ପତ୍ରଖୁଆ କୀଟର ଆକ୍ରମଣ ଯୋଗୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଇପାରେ। ଏହି କୀଟ ଶାଗୁଆନ ପତ୍ର ଖାଇ ଗଛକୁ ପତ୍ରଶୂନ୍ୟ କରିପାରେ। ତେବେ ବର୍ତ୍ତମାନର ପରିସ୍ଥିତିର ପ୍ରକୃତ କାରଣ କେବଳ ଅନୁମାନ ଉପରେ ନିର୍ଭର କରି କହିହେବ ନାହିଁ।
ଏହା ପାଣିପାଗରେ ଅସ୍ୱାଭାବିକ ପରିବର୍ତ୍ତନର ପ୍ରଭାବ, କୀଟପତଙ୍ଗ ଆକ୍ରମଣ ନା ଫଙ୍ଗସ୍ଜନିତ ସମସ୍ୟା—ତାହା ଜାଣିବା ପାଇଁ ପ୍ରଭାବିତ ଅଞ୍ଚଳରୁ ଶାଗୁଆନ ଗଛର ପତ୍ର, ଡାଳ ଓ ଅନ୍ୟାନ୍ୟ ନମୁନା ସଂଗ୍ରହ କରି ବିଶେଷଜ୍ଞଙ୍କ ଦ୍ୱାରା ବୈଜ୍ଞାନିକ ପରୀକ୍ଷା କରାଯିବା ଆବଶ୍ୟକ। ତେବେ ହିଁ ଏହାର ପ୍ରକୃତ କାରଣ ସ୍ପଷ୍ଟ ହେବ ଏବଂ ଆବଶ୍ୟକ ପ୍ରତିକାରମୂଳକ ପଦକ୍ଷେପ ନିଆଯାଇପାରିବ।
ଶାଗୁଆନ ରାୟଗଡ଼ାର ଏକ ଗୁରୁତ୍ୱପୂର୍ଣ୍ଣ ବନ ସମ୍ପଦ ହୋଇଥିବାରୁ ଏହି ସମସ୍ୟା ଅଧିକ ଅଞ୍ଚଳକୁ ବ୍ୟାପିବା ପୂର୍ବରୁ ବନ ବିଭାଗ ପକ୍ଷରୁ ତୁରନ୍ତ ବିଶେଷଜ୍ଞ ଦଳ ମାଧ୍ୟମରେ ଯାଞ୍ଚ କରାଯାଇ ଆବଶ୍ୟକ ପଦକ୍ଷେପ ନିଆଯିବା ଦାବି ହୋଇଛି।
ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍

