ସେବା ଜ୍ୟୋତି ଯାତ୍ରାରେ କିନ୍ନର ସଂଘର ଯୋଗଦାନ
(ସାମାଜିକ ସମାନତା ଓ ସମାବେଶୀ ଭାବନାର ବାର୍ତ୍ତା ଦେଲା ଜିଲ୍ଲା ପ୍ରଶାସନ)
ନବରଙ୍ଗପୁର:(୧୯|୧୦)(ରବି ନାରାୟଣ ମହାନ୍ତି) ନବରଙ୍ଗପୁର ଜିଲ୍ଲାର ଉମରକୋଟଠାରେ ସେବା ଜ୍ୟୋତି ଯାତ୍ରା ଓ ବିକଶିତ ସଂକଳ୍ପ ସଭା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ରାଲିରେ ଜିଲ୍ଲା କିନ୍ନର ସଂଘର ସଦସ୍ୟମାନେ ଯୋଗଦାନ କରିଥିଲେ। କିନ୍ନର ସମାଜକୁ ମୁଖ୍ୟସ୍ରୋତରେ ସାମିଲ କରିବା ଦିଗରେ ପ୍ରଶାସନର ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା କିନ୍ନର ସଂଘର ସଦସ୍ୟମାନଙ୍କୁ ସ୍ୱତନ୍ତ୍ର ଭାବେ ନିମନ୍ତ୍ରଣ କରାଯାଇଥିଲା। ସଂଘର ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନରଙ୍କ ସମେତ ଶ୍ରୁତି, ଇପ୍ସିତା, ବର୍ଷା, ରାଧା, ବଇଦୀ, ଶିବାନୀ, କବିତା, ଲିପ୍ସା, ମେହେନ୍ଦି, ଏଲିନା, ଅନିତା ଏବଂ ବିଭିନ୍ନ ବ୍ଲକରୁ ଆସିଥିବା ସଂଘର ସଦସ୍ୟମାନେ ଏଥିରେ ସାମିଲ ହୋଇଥିଲେ ।ସମାଜର ସମସ୍ତ ବର୍ଗର ଲୋକଙ୍କୁ ସମାନ ସମ୍ମାନ ଓ ସୁଯୋଗ ପ୍ରଦାନ କରିବା ସହ ପ୍ରଗତିଶୀଳ ସମାଜରେ କିନ୍ନର ମାନଙ୍କୁ ଏକ ଭିନ୍ନ ପରିଚୟ ଦେବା ନିମନ୍ତେ ଜିଲ୍ଲା ପ୍ରଶାସନ ଉଦ୍ୟମ କରୁଛି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ସାଧାରଣରେ ଆଲୋଚନା ହେଉଛି। ଜିଲ୍ଲା ପ୍ରଶାସନ ଓ ବିଭିନ୍ନ ପ୍ରତିଷ୍ଠିତ ଅନୁଷ୍ଠାନ ପକ୍ଷରୁ କିନ୍ନର ସଂଘର ସଦସ୍ୟମାନଙ୍କୁ ବିଭିନ୍ନ ସାମାଜିକ ଓ ସାର୍ବଜନୀନ କାର୍ଯ୍ୟକ୍ରମରେ ସାମିଲ କରାଯିବା ଦ୍ୱାରା ସାମାଜିକ ସମାନତା, ସମ୍ମାନ ଓ ସହଭାଗିତାର ଏକ ସକାରାତ୍ମକ ବାର୍ତ୍ତା ପ୍ରସାରିତ ହେଉଛି। ସେବା ଜ୍ୟୋତି ଯାତ୍ରାରେ ଜିଲ୍ଲା କିନ୍ନର ସଂଘର ସଦସ୍ୟ ମାନଙ୍କୁ ଯୋଗଦେବାର ସୁଯୋଗ ପ୍ରଦାନ କରିଥିବାରୁ ଜିଲ୍ଲା କିନ୍ନର ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ ଜିଲ୍ଲା ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି। ପ୍ରଶାସନର ଏହି ପଦକ୍ଷେପକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ପ୍ରଶଂସା କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲା କିନ୍ନର ସଂଘ କେବଳ ନିଜ ସମାଜର ଉନ୍ନତି ପାଇଁ ନୁହେଁ, ବରଂ ବ୍ୟାପକ ସାମାଜିକ ସେବା କ୍ଷେତ୍ରରେ ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଆସୁଛି। ବର୍ଷା ଋତୁରେ ଗରିବ ଓ ଅସହାୟ ଲୋକଙ୍କୁ ଛତା ବଣ୍ଟନ, ଶୀତ ଋତୁରେ କମ୍ବଳ ପ୍ରଦାନ, ବିଭିନ୍ନ ରକ୍ତଦାନ ଶିବିର ଓ ରକ୍ତ ସଂଗ୍ରହ କାର୍ଯ୍ୟକ୍ରମରେ ସହଯୋଗ, ବିଭିନ୍ନ ପୂଜା କମିଟି ଓ କ୍ରୀଡ଼ା କମିଟିକୁ ଆର୍ଥିକ ସହାୟତା ଏବଂ ଜିଲ୍ଲାସ୍ତରୀୟ କାର୍ଯ୍ୟକ୍ରମରେ ଯୋଗଦାନ କରି ସଂଘ ନିଜର ସାମାଜିକ ଦାୟିତ୍ୱବୋଧର ପରିଚୟ ଦେଇଆସୁଛି। ସଂଘ ଗଠନ ପରେ କିନ୍ନର ସମାଜର ସଦସ୍ୟମାନଙ୍କ ମଧ୍ୟରେ ଆସିଥିବା ସଚେତନତା, ସଂଗଠନ ଓ ସାମାଜିକ ସକ୍ରିୟତାକୁ ନେଇ ସଂଘର ଅଧ୍ୟକ୍ଷ ମନୋଜ କୁମାର ପଟ୍ଟନାୟକ, ମୁଖ୍ୟ ପରାମର୍ଶଦାତା ଜଗନ୍ନାଥ ମହାପାତ୍ର, ଉପଦେଷ୍ଟା ଅଧିବକ୍ତା ଶ୍ରୀନିବାସ ପଟ୍ଟନାୟକ, ପ୍ରୋଜେକ୍ଟ ଲିଡର ଏମ୍. ବାଲା କୃଷ୍ଣ ରାଓ, ଆଇନ ପରାମର୍ଶଦାତା ରାମ ପ୍ରସାଦ ପାତ୍ର, ମହିଳା ଉପଦେଷ୍ଟା ତଥା ସମାଜସେବୀ ଶର୍ମିଷ୍ଠା ଦେଓ, ଅଧିବକ୍ତା କିଶୋରୀ ପଟ୍ଟନାୟକ, ଅଧ୍ୟାପିକା ଡକ୍ଟର ସଂଯୁକ୍ତା ପଣ୍ଡା, ପ୍ରିନ୍ସିପାଲ ସ୍ୱର୍ଣ୍ଣଲତା ପଟ୍ଟନାୟକ, ସମାଜସେବୀ ନୀନୀବାବୁ ତ୍ରିପାଠୀ, ଅଧ୍ୟାପକ ଅଖିଳ ଭଟ୍ଟ, ସମାଜସେବୀ ଦୁର୍ଗା ପାଢ଼ୀ, ଇଞ୍ଜିନିୟର ଚନ୍ଦନା ମଲ୍ଲିକ, ସଭାପତି କାଜଲ କିନ୍ନର, ସମ୍ପାଦକ ଚୁମକି କିନ୍ନର ଓ ସହସମ୍ପାଦକ ପ୍ରୀତି କିନ୍ନର ପ୍ରମୁଖ ଆନନ୍ଦ ପ୍ରକାଶ କରିବା ସହ ସଂଘର ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

