ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୋକବିକାଶ ବନ୍ଧୁତ୍ୱ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ -୨୦୨୬ ପାଳିତ

ଲୋକବିକାଶ ବନ୍ଧୁତ୍ୱ କାର୍ଯ୍ୟକ୍ରମରେ ଆନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ -୨୦୨୬ ପାଳିତ

ଢେଙ୍କାନାଳ: ତା.୧୪.୧୦.୨୦୨୬ (ମ ନି ସ    ): ଲୋକବିକାଶ ବନ୍ଧୁତ୍ୱ କାର୍ଯ୍ୟକ୍ରମ ଆନୁକୂଲ୍ୟରେ ଅIନ୍ତର୍ଜାତୀୟ ଶିଶୁ କନ୍ୟା ଦିବସ-୨୦୨୬ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ପାଳିତ ହୋଇଯାଇଛି।ଏଥିରେ ଭାପୁର,କାକୁଡିଭାଗ ଓ ମଧୁସାହୁ ପାଟଣା ପଞ୍ଚାୟତର ୩ଟି ଉଚ୍ଚ ବିଦ୍ୟାଳୟ ଓ ୭ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୬୨ଜଣ କିଶୋରୀ ବାଳିକା,୨୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ଅଭିଭାବକ ଓ ୧୦ ଟି ଗାଁର ୧୦ ଜଣ ଆନିମେଟର,ସି.ଆର.ସି.ସି, ଇନରହୁଇଲ୍ କ୍ଲବ୍ କପିଳାସ,ଢେଙ୍କାନାଳର ସଦସ୍ୟା ଏବଂ କୋଅର୍ଡିନେଟର୍ ଅନିତା ସାହୁ ଯୋଗ ଦେଇଥିଲେ। ଯୋଗଦେଇଥିବା କିଶୋରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। 

ଏହି ଅବସରରେ ‘ମୋ ସ୍ୱପ୍ନ ଓ ମୋ ଭବିଷ୍ୟତ’ ଶୀର୍ଷକ ବିତର୍କ,‘ବାଲ୍ୟବିବାହ ବନ୍ଦ କର’, ବିଷୟବସ୍ତୁକୁ ନେଇ ଚିତ୍ରାଙ୍କନ,କୁଇଜ୍ ଓ ସ୍ଲୋଗାନ୍ ପ୍ରତିଯୋଗିତା ଆୟୋଜିତ ହୋଇଥିଲା।ଇନର୍ ହୁଇଲ୍ କ୍ଲବ୍ ତରଫରୁ ସମସ୍ତ କିଶୋରୀମାନଙ୍କୁ ସାନିଟାରି ନାପକିନ୍ ବଣ୍ଟନ କରାଯାଇଥିଲା।କିଶୋରୀମାନଙ୍କ ସ୍ୱପ୍ନ,ଆତ୍ମବିଶ୍ୱାସ,ଶିକ୍ଷା ଓ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି ସହ ବାଲ୍ୟବିବାହ ଭଳି ସାମାଜିକ କୁପ୍ରଥାର ନିରାକରଣ ଉପରେ ଗୁରୁତ୍ୱ ଦିଆଯାଇଥିଲା।ସଭା ଆରମ୍ଭରେ ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ଗାନ କରାଯାଇଥିଲା।ତତ୍ ପରେ ଶିମିଳିପାଟଣା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର କିଶୋରୀମାନେ ବାଲ୍ୟ ବିବାହ ଉପରେ ଆଧାରିତ ଏକ ସୁନ୍ଦର ନାଟକ ପରିବେଷଣ କରିଥିଲେ।ଏହା ଶିକ୍ଷକ ଦିଲ୍ଲୀପ ପଣ୍ଡା ଙ୍କ ତତ୍ୱାବଧାନରେ କରାଯାଇଥିଲା।ସି.ଆର.ସି.ସି ଅର୍ଜୁନ ନାୟକ,ଶିକ୍ଷକ ଦିଲ୍ଲୀପ ପଣ୍ଡା,ଦିଲ୍ଲୀପ ସାହୁ, ବିରଂଚି ପଣ୍ଡା,ରୁଦ୍ର ମୋହନ ମହାପାତ୍ର,ଶେଷଦେବ ବାରିକ ଓ ଶିକ୍ଷୟିତ୍ରୀ ଗୀତାରାଣୀ ବରାଳ ଓ ଇନର୍ ହୁଇଲ୍ କ୍ଲବ୍ ର ସେକ୍ରେଟାରୀ ସ୍ୱପ୍ନା ଆଚାର୍ଯ୍ୟ ପ୍ରତିଯୋଗିତାଗୁଡିକରର ବିଚାରକ ରହିବା ସହ ସୁପରିଚାଳନା କରିଥିଲେ।ଲୋକ ବିକାଶର ମିଡ଼ିଆ ସଂଯୋଜକ ଆମଜାଦ ଖାଁ ଫଟୋ ଓ ଭିଡିଓ ରେକର୍ଡ଼ିଂ କରିଥିଲେ।ଲୋକ ବିକାଶର ସେକ୍ରେଟାରୀ ସେକ୍ ଅବଦୁଲ୍ ସଫିକ୍ ସମସ୍ତ କାର୍ଯ୍ୟର ତଦାରଖ କରିବା ସହ ମହିଳା ଓ ଝିଅମାନଂକ ଉପରେ ହେଉଥିବା ଅତ୍ୟାଚାର ଓ ତହିଁରୁ ମୁକୁଳିବାର ବାଟ ସମ୍ବଳିତ ପୋଷ୍ଟର ପ୍ରଦର୍ଶନୀ କରିଥିଲେ।କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଡା.ବିଭୁଦତ୍ତ ମିଶ୍ର ଯୋଗ ଦେଇ କିଶୋରୀ ମାନଙ୍କର ସ୍ୱାସ୍ଥ୍ୟ,ପରିଚ୍ଛନତା ଓ ସୁଷମ ଖାଦ୍ୟର ଆବଶ୍ୟକତା,ବାଲ୍ୟ ବିବାହର କୁପରିଣତି ସମ୍ପର୍କରେ ବିଷଦଭାବେ ଆଲୋଚନା କରିଥିଲେ।ସମ୍ମାନିତ ଅତିଥି ଇନର୍ ହୁଇଲ୍ କ୍ଲଵ୍ ର ପ୍ରେସିଡେଣ୍ଟ ଦୀପ୍ତିବାଳା ମିଶ୍ର ଋତୁସ୍ରାବ ଏକ ଜୈବିକ ପ୍ରକ୍ରିୟା,ଏଥିରେ ଲାଜ,ଭୟ ନ କରି ପାଠପଢ଼ା ସହିତ ଖେଳକୁଦ,ନାଚ ଗୀତ ଆଦି ସବୁ କାମରେ ସାମିଲ୍ ହୋଇ ନିଜର ଭବିଷ୍ୟତ ନିଜେ ଗଢନ୍ତୁ ବୋଲି ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥି ଆଇନଜୀବୀ ତଥା ପୂର୍ବତନ ଶିଶୁମଙ୍ଗଳ କମିଟିର ଅଧକ୍ଷ ପୁଷ୍ପକ ତ୍ରିପାଠୀ ଶିଶୁ କନ୍ୟାର ଅଧିକାର ଓ ଆଇନଗତ ବ୍ୟବସ୍ଥା ବିଷୟରେ ଓ ମେମ୍ବର ବିଭୂତି ଭୂଷଣ ଦାଶ ଏଥିରେ ପିତାମାତା,ପରିବାର,ସମାଜ ସର୍ବୋପରି ସରକାରଙ୍କର ଦାୟିତ୍ୱ ଉପରେ ଆଲୋକପାତ କରିଥିଲେ।ସମାଜର ଢେଙ୍କାନାଳ ପ୍ରତିନିଧି ଶିଶିର ଶତପଥୀ ଅନ୍ୟତମ ସମ୍ମାନିତ ଅତିଥି ଶିଶୁ କନ୍ୟାର ଅଧିକାର ସୁରକ୍ଷାରେ ଗଣମାଧ୍ୟମର ଭୂମିକା ଓ ସୋସିଆଲ ମିଡ଼ିଆର ଦାୟିତ୍ୱପୁର୍ଣ ବ୍ୟବହାର ଓ ସାଇବର ସୁରକ୍ଷା ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିଥିଲେ। ଶିମିଳିପାଟଣା ଉଚ୍ଚ ବିଦ୍ୟାଳୟର ପ୍ରତିଷ୍ଠାତା ଶିବରାମ ଆଲୁକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଝିଅମାନେ ଆଗକୁ ବଢନ୍ତୁ,ନିଜର ସ୍ୱପ୍ନକୁ ସାକାର କରନ୍ତୁ ବୋଲି ଉପଦେଶ ଦେଇଥିଲେ। ଅତିଥିମାନେ ନିଜ ବକ୍ତବ୍ୟରେ ବାଳିକାମାନଙ୍କ ଶିକ୍ଷା, ସୁରକ୍ଷା ଓ ସ୍ୱାବଲମ୍ବନ ଉପରେ ଗୁରୁତ୍ୱାରୋପ କରିବା ସହ ପ୍ରତ୍ୟେକ ବାଳିକାଙ୍କୁ ନିଜ ସ୍ୱପ୍ନ ପୂରଣ ପାଇଁ ସମାନ ସୁଯୋଗ ମିଳିବା ଆବଶ୍ୟକ ବୋଲି ମତ ଦେଇଥିଲେ।ବାଲ୍ୟବିବାହ ରୋକିବା ପାଇଁ ପରିବାର, ବିଦ୍ୟାଳୟ ଓ ସମାଜର ମିଳିତ ଉଦ୍ୟମ ଅପରିହାର୍ଯ୍ୟ ବୋଲି ସେମାନେ କହିଥିଲେ।ଲୋକ ବିକାଶର ପ୍ରେସିଡେଣ୍ଟ ନିହାର ଦାସପଟ୍ଟନାୟକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିବା ସହ ମଂଚ ପରିଚାଳନା କରିଥିବାବେଳେ ନାରାୟଣ ଖଟୁଆ ଧନ୍ୟବାଦ ଅର୍ପଣ କରିଥିଲେ।କୃଷିଦା ବେଗମ୍ ଅତିଥି ପରିଚୟ ସହିତ କାର୍ଯ୍ୟକ୍ରମ ଆଭିମୁଖ୍ୟ ସମ୍ପର୍କରେ ଜଣାଇଥିଲେ। ପ୍ରତିଯୋଗିତାରେ ଭାଗନେଇଥିବା ସମସ୍ତ ୬୨ ଜଣ କିଶୋରୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା।ବିଭିନ୍ନ ବିଭାଗର କୃତୀ ପ୍ରତିଯୋଗୀଙ୍କୁ ସ୍ୱତନ୍ତ୍ର ପୁରସ୍କାର ସହ ପ୍ରମାଣପତ୍ର ଦେଇ ଉତ୍ସାହିତ କରାଯାଇଥିଲା।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଣେଶ ବାଇ,ସମସ୍ତଶିକ୍ଷକ,କର୍ମଚାରୀ ଓ ହଷ୍ଟେଲର ଅନ୍ତେବାସୀମାନେ ଆନ୍ତରିକତାର ସହ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।ନିବାରଣ ଖଟୁଆ ଓ ସୁମୀଙ୍କ ସହ ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ମୋବାରକ ଅଲ୍ଲୀ ସମସ୍ତଙ୍କୁ ସ୍ୱାଦିଷ୍ଟ ଭୋଜନରେ ଆପ୍ୟାୟିତ କରିଥିଲେ ବୋଲି ଲୋକ ବିକାଶର ମିଡ଼ିଆ ପ୍ରଭାରୀ ଡା.ଦେବୀ ପ୍ରସାଦ ମିଶ୍ର ଏକ ପ୍ରେସ୍ ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।

ଡା.ଦେବୀ ପ୍ରସାଦ ମିଶ୍ରଙ୍କ ରିପୋର୍ଟ୍

Related posts

ସମାଜର ଶେଷ ମଣିଷ ପାଇଁ ଅଧିକାର ଓ ନ୍ୟାୟ ସୁନିଶ୍ଚିତ କରେ ସମ୍ବିଧାନ 

masiha

ବଳରାମପୁରୁ ଘରପୋଡି ବିପନ୍ନଙ୍କୁ ସାଂସଦ ଵୈଜୟନ୍ତଙ୍କ ସହାୟତା

masiha

ଜଳ ବିଭାଜିକା ଉନ୍ନୟନ ବିଭାଗ ନିର୍ଦ୍ଦେଶକଙ୍କ କାଶିପୁର ଗସ୍ତ

Sunil Chandra Nayak

Leave a Comment

error: Content is protected !!