ଧର୍ମଗଡ଼ ସହରର ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ
ସିଟି ସ୍କୁଲ ଛକରୁ ଚାରିଛକ ଯାଏଁ ଡ୍ରେନେଜ୍ ବ୍ୟବସ୍ଥାର ହେଲା ସରଜମିନ ଅନୁଧ୍ୟାନ….
ଧର୍ମଗଡ଼: ଧର୍ମଗଡ଼ ସହରର ମୁଖ୍ୟ ରାସ୍ତା ଜାତୀୟ ରାଜପଥ ୧୩୦ସିର ସିଟି ସ୍କୁଲ ଛକ ଓ ଚାରିଛକ ଅଞ୍ଚଳରେ ଦୀର୍ଘଦିନ ଧରି ଲାଗି ରହିଥିବା ବର୍ଷାଜଳ ନିଷ୍କାସନ ସମସ୍ୟାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଆରମ୍ଭ ହୋଇଛି। ଏନେଇ ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଜି ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରି ସରଜମିନ ଅନୁଧ୍ୟାନ କରିଥିଲେ।
ଏହି ଅନୁଧ୍ୟାନ ସମୟରେ ଜାତୀୟ ରାଜପଥ ଅଧୀକ୍ଷଣ ଯନ୍ତ୍ରୀ ସପନ କୁମାର ମହାଲିକ, ପୂର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଗଜିନ୍ଦ୍ର ବେହେରା, ଧର୍ମଗଡ଼ ଏନ୍ଏସି ନିର୍ବାହୀ ଅଧିକାରୀ ବିଶ୍ୱମ୍ବର ମିଶ୍ର, ଏନ୍ଏସି ଅଧ୍ୟକ୍ଷ ଅଶୋକ କୁମାର ମହାନ୍ତି ଏବଂ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ଉପସ୍ଥିତ ଥିଲେ। ସହରର ତିନିଛକରୁ ଚାରିଛକ ପର୍ଯ୍ୟନ୍ତ ଡ୍ରେନେଜ୍ ବ୍ୟବସ୍ଥାର ତ୍ରୁଟି ସୁଧାରିବା ସହ ବର୍ଷାଜଳର ସୁବ୍ୟବସ୍ଥିତ ନିଷ୍କାସନ ନେଇ ଆଲୋଚନା କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ତିନିଛକରୁ ଚାରିଛକ ପର୍ଯ୍ୟନ୍ତ ଡ୍ରେନ୍ ନିର୍ମାଣରେ ତ୍ରୁଟି ରହିଥିବାରୁ ବିଶେଷକରି ବର୍ଷାଋତୁରେ ଜଳ ନିଷ୍କାସନ ବାଧାପ୍ରାପ୍ତ ହେଉଛି। ଫଳରେ ରାସ୍ତା ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କୃତ୍ରିମ ବନ୍ୟା ସଦୃଶ ପରିସ୍ଥିତି ସୃଷ୍ଟି ହେବା ସହ ଜନସାଧାରଣଙ୍କ ଯାତାୟାତରେ ନାନା ସମସ୍ୟା ଦେଖାଦେଉଛି।
ଏହି ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ସାଧାରଣ ଲୋକଙ୍କ ଯାତାୟାତକୁ ସୁଗମ କରିବା ଏବଂ ସମ୍ପୃକ୍ତ ଅଞ୍ଚଳରେ ଜଳବନ୍ଦୀ ସ୍ଥିତିରୁ ମୁକ୍ତି ଦେବା ପ୍ରଶାସନର ପ୍ରାଥମିକତା ବୋଲି ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଏଥିପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଦିଗରେ ବିଭାଗୀୟ ଅଧିକାରୀମାନଙ୍କୁ ବିଧାୟକ ଶ୍ରୀ ପଟ୍ଟଯୋଶୀ ନିର୍ଦ୍ଦେଶ ଦେଇଥିଲେ।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

