ଧର୍ମଗଡ଼ ବ୍ଲକ ନନ୍ଦଗାଁରେ ଧୁମ୍ଧାମ୍ରେ ସମ୍ପନ୍ନ ହେଲା ପ୍ରଭୁ ଶ୍ରୀ ଶ୍ରୀ ବୁଢ଼ାରଜା ଠାକୁରଙ୍କ ଐତିହାସିକ ବାର୍ଷିକ ଦଶହରା ପୂଜା ମହୋତ୍ସବ
ଧର୍ମଗଡ :ଆସ୍ଥା, ଭକ୍ତି ଓ ପରମ୍ପରାର ଅପୂର୍ବ ସମନ୍ୱୟ। ପୂର୍ବ ପୁରୁଷ ଅମଳରୁ ଚାଲିଆସିଥିବା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଅନ୍ତର୍ଗତ ନନ୍ଦଗାଁର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ଶ୍ରୀ ବୁଢ଼ାରଜା ଠାକୁରଙ୍କ ଐତିହାସିକ ବାର୍ଷିକ ଦଶହରା ପୂଜା ମହୋତ୍ସବ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି।
ଏହି ଉତ୍ସବରେ ଧର୍ମଗଡ଼ ବିଧାୟକ ଶ୍ରୀ ସୁଧୀର ରଞ୍ଜନ ପଟ୍ଟଯୋଶୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ଜଗନ୍ନାଥ ସେବା ସମିତିର ଅଧ୍ୟକ୍ଷ ତଥା ସମାଜସେବୀ ଶ୍ରୀ ବିଷ୍ଣୁ ପ୍ରସାଦ ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଦଶହରା ଅବସରରେ ସମଗ୍ର ନନ୍ଦଗାଁ ଅଞ୍ଚଳ ଭକ୍ତି, ଉତ୍ସାହ ଓ ଆନନ୍ଦରେ ଭରି ଉଠିଥିବା ବେଳେ ପ୍ରଭୁ ବୁଢ଼ାରଜାଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା।
ସାଧାରଣତଃ ଲୋକେ ଆମପାଣିରେ ବିରାଜମାନ ପ୍ରଭୁ ବୁଢ଼ାରଜାଙ୍କ ପୀଠକୁ ବେଶ୍ ଭଲଭାବେ ଜାଣିଥାନ୍ତି। କିନ୍ତୁ ଠାକୁରଙ୍କର ଆଉ ଏକ ଅନନ୍ୟ ପୀଠ ରହିଛି, ଯାହା ଧର୍ମଗଡ଼ ବ୍ଲକର ନନ୍ଦଗାଁରେ ଅବସ୍ଥିତ। ଏହି ପୀଠର ସବୁଠୁ ବଡ଼ ବିଶେଷତା ହେଲା— ଆଜି ବି ଏଠାରେ ଆମପାଣି ବୁଢ଼ାରଜାଙ୍କ ଭଳି ସମାନ ରୀତିନୀତି, ପୂଜାବିଧି ଏବଂ ତନ୍ତ୍ର-ମନ୍ତ୍ରର ମେଳରେ ପୂଜାର୍ଚ୍ଚନା କରାଯାଇଆସୁଛି। ପ୍ରତିବର୍ଷ କୁମାର ପୂର୍ଣ୍ଣିମା ପର ପ୍ରଥମ ଶନିବାର ଦିନ ପ୍ରଭୁଙ୍କର ଏହି ବାର୍ଷିକ ପୂଜା ‘ଦଶରା’ ବଡ଼ ଧୁମ୍ଧାମ୍ରେ ପାଳନ କରାଯାଏ।
ପାରମ୍ପରିକ ରୀତିନୀତି ଅନୁଯାୟୀ ଠାକୁରଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହେବା ସହ ଗାଁର ସୁଖ, ଶାନ୍ତି, ସମୃଦ୍ଧି, ଏକତା ଓ ଭାଇଚାରା ବଜାୟ ରଖିବା ପାଇଁ ସ୍ୱତନ୍ତ୍ର ପ୍ରାର୍ଥନା କରାଯାଇଥିଲା। ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଏକ ବିରାଟ ଲାଠି ଶୋଭାଯାତ୍ରା। ବିଭିନ୍ନ ବାଦ୍ୟ ଓ ନୃତ୍ୟର ତାଳେ ତାଳେ ଶୋଭାଯାତ୍ରା ଆଗକୁ ବଢ଼ିଥିବା ବେଳେ, ରାସ୍ତାର ଉଭୟ ପାର୍ଶ୍ବରେ ଶହ ଶହ ଦର୍ଶକଙ୍କ ସମାଗମ ହୋଇଥିଲା।
ଭିଡ଼ ସତ୍ତ୍ବେ ସାଂସ୍କୃତିକ କାର୍ଯ୍ୟକ୍ରମଗୁଡ଼ିକ ଦର୍ଶକଙ୍କ ମନ ମୋହିଥିଲା ଏବଂ ଶ୍ରଦ୍ଧାଳୁଙ୍କୁ ରାତିସାରା ବାନ୍ଧି ରଖିଥିଲା। ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଉତ୍ସବକୁ ମନଭରି ଉପଭୋଗ କରିଥିଲେ। ନନ୍ଦଗାଁର ଦଶହରା କେବଳ ଏକ ଧାର୍ମିକ ଉତ୍ସବ ନୁହେଁ, ବରଂ ଏହା ଏହି ଅଞ୍ଚଳର ପରମ୍ପରା, ସଂସ୍କୃତି ଓ ସାମାଜିକ ଏକତାର ଏକ ମହାନ ପ୍ରତୀକ ଅଟେ।
ଗ୍ରାମର ପୂଜା କମିଟି, ଯୁବକ ସଂଘ (ବୁଢ଼ାରଜା ସେନା) ଏବଂ ପୋଲିସ ପ୍ରଶାସନର ସହଯୋଗ ଓ ତତ୍ତ୍ୱାବଧାନରେ ଏହି ଦଶହରା ପର୍ବ ମହାଆଡ଼ମ୍ବର ଏବଂ ଶାନ୍ତିଶୃଙ୍ଖଳା ସହ ସଫଳତାର ସହ ସମାପ୍ତ ହୋଇଛି।
ବିଦ୍ୟାଧର ସାହୁଙ୍କ ରିପୋର୍ଟ….

