ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର ଆୟୋଜିତ
ନବରଙ୍ଗପୁର:( ୩୧.୧୦.୨୦୨୬)(ରବି ନାରାୟଣ ମହାନ୍ତି)ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ପକ୍ଷରୁ ଆଜି ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁରଠାରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ଆଇନ ସଚେତନତା ଶିବିର ଆୟୋଜିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୌରାଜଜ୍ ଶ୍ରୀ ସଂଗ୍ରାମ କେଶରୀ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ଶିବିର ଆୟୋଜନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ସଚିବ ଶ୍ରୀମତୀ ସାଇ ଅଭୀପ୍ସା ଗୋଛାୟତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଇନ ସଚେତନତାର ଗୁରୁତ୍ୱ ଏବଂ ନାଗରିକଙ୍କ ପାଇଁ ଉପଲବ୍ଧ ଆଇନଗତ ସହାୟତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ଲୌହମାନବ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ସ୍ମୃତିରେ ଜାତୀୟ ଏକତା ଦିବସ ପାଳନ କରାଯାଇଥିଲା। ଏଥି ଉପଲକ୍ଷେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଜାତୀୟ ଏକତା ଓ ଦେଶପ୍ରେମର ଭାବନା ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।ଆଇନ ସଚେତନତା ଶିବିରରେ ବିପର୍ଯ୍ୟୟ ପୀଡ଼ିତଙ୍କ ପାଇଁ ନାଲ୍ସା ଆଇନଗତ ସେବା ଯୋଜନା, ୨୦୧୦ ଏବଂ ଶିଶୁମାନଙ୍କ ପାଇଁ ନାଲ୍ସା ଶିଶୁ ଅନୁକୂଳ ଆଇନଗତ ସେବା ଯୋଜନା, ୨୦୨୪ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ବିଶେଷକରି ବିପର୍ଯ୍ୟୟ ସମୟରେ ପ୍ରଭାବିତ ବ୍ୟକ୍ତିମାନଙ୍କୁ ଆଇନଗତ ସହାୟତା ପ୍ରଦାନ ଏବଂ ଶିଶୁମାନଙ୍କ ଅଧିକାର ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଆଇନଗତ ବ୍ୟବସ୍ଥା ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅନ୍ୟତମ ଅତିଥି ଭାବେ ନବରଙ୍ଗପୁରର ଆଇନଜୀବୀ ଶ୍ରୀମତୀ କିଶୋରୀ ପଟ୍ଟନାୟକ, ପାରାଲିଗାଲ୍ ସ୍ୱେଚ୍ଛାସେବୀ, ପ୍ୟାନେଲ୍ ଆଇନଜୀବୀ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ, ନବରଙ୍ଗପୁରର ଶିକ୍ଷୟିତ୍ରୀ ମିସ୍ ଆଶାଞ୍ଜଳି ବେହେରା ଯୋଗଦେଇଥିଲେ।କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର ପ୍ରସାଦ ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି ଓ ଆୟୋଜକମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି ଆଇନ ସଚେତନତା ଶିବିର ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ଦ୍ୱାରା ଆୟୋଜନ ଓ ପରିଚାଳନା କରାଯାଇଥିଲା।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

