“ଶିକ୍ଷାର ଆଲୋକ ବିତରଣ କରୁଛି ‘ମାତା ସାବିତ୍ରୀବାଇ ଫୁଲେ ପାଠଶାଳା’
ଗରିବ ଓ ମେଧାବୀ ଛାତ୍ରଛାତ୍ରୀଙ୍କ ସ୍ୱପ୍ନକୁ ଦେଉଛି ନୂଆ ଦିଗ, ୪ ବର୍ଷ ଧରି ଜାରି ରହିଛି ଶିକ୍ଷାଦାନ”
ଜୁନାଗଡ଼: ୨/୧୧(ମନୀସ) ଶିକ୍ଷା ହେଉଛି ସମାଜ ପରିବର୍ତ୍ତନର ମୁଖ୍ୟ ଆଧାର। ଆର୍ଥିକ ଅନଟନ ଯେପରି କୌଣସି ଶିଶୁର ଶିକ୍ଷାଲାଭ ଓ ଭବିଷ୍ୟତ ଗଠନରେ ବାଧକ ନହୁଏ, ସେହି ମହତ୍ ଉଦ୍ଦେଶ୍ୟ ନେଇ ଦୀର୍ଘ ୪ ବର୍ଷ ଧରି ଶିକ୍ଷାର ଆଲୋକ ବିତରଣ କରିଆସୁଛି ‘ମାତା ସାବିତ୍ରୀବାଇ ଫୁଲେ ପାଠଶାଳା’। ଭାରତର ପ୍ରଥମ ମହିଳା ଶିକ୍ଷୟିତ୍ରୀ ତଥା ନାରୀଶିକ୍ଷାର ଅଗ୍ରଦୂତ ମାତା ସାବିତ୍ରୀବାଇ ଫୁଲେଙ୍କ ନାମରେ ନାମିତ ଏହି ପାଠଶାଳା ଆଜି ଅନେକ ଛାତ୍ରଛାତ୍ରୀଙ୍କ ସ୍ୱପ୍ନ ପୂରଣର ଏକ ମାଧ୍ୟମ ପାଲଟିଛି।
ଏହି ପାଠଶାଳାର ସବୁଠାରୁ ବଡ଼ ସଫଳତା ହେଉଛି, ଏଠାରେ ଶିକ୍ଷାଲାଭ କରୁଥିବା ଛାତ୍ରଛାତ୍ରୀମାନେ ପ୍ରତିବର୍ଷ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଓ ଜବାହର ନବୋଦୟ ବିଦ୍ୟାଳୟ ଭଳି ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରେ ଅଧ୍ୟୟନ କରିବାର ସୁଯୋଗ ପାଇ ନିଜର ଭବିଷ୍ୟତ ଗଢ଼ିବା ଦିଗରେ ଆଗେଇ ଚାଲିଛନ୍ତି। କେବଳ ପାଠପଢ଼ା ନୁହେଁ, ଛାତ୍ରଛାତ୍ରୀଙ୍କ ଶିକ୍ଷାକୁ ସହଜ ଓ ସୁଗମ କରିବା ପାଇଁ ପାଠଶାଳା ପକ୍ଷରୁ ବହି, ଖାତା, କଲମ, ଡ୍ରେସ୍ ଆଦି ଆବଶ୍ୟକୀୟ ଶିକ୍ଷା ସାମଗ୍ରୀ ମଧ୍ୟ ବଣ୍ଟନ କରାଯାଉଛି।ପାଠଶାଳାର ଏହି ମହତ୍ କାର୍ଯ୍ୟ ପଛରେ ମୁଖ୍ୟ ପରିଚାଳକ ଭାବେ ରହିଛନ୍ତି ଆଇନଜୀବୀ ତଥା ସମାଜସେବୀ ଶ୍ରୀ ଦୁର୍ଗା ପ୍ରସାଦ ନାଏକ। ତାଙ୍କର ନିଷ୍ଠା, ଉଦ୍ୟମ ଓ ସମାଜସେବା ମନୋଭାବ ଯୋଗୁଁ ଗତ ଚାରି ବର୍ଷ ଧରି ଏହି ଶିକ୍ଷାସେବା ଅବ୍ୟାହତ ରହିଛି।
ଏହି ପରିପ୍ରେକ୍ଷୀରେ ଆଜି ପାଠଶାଳା ପକ୍ଷରୁ ଏକ ସ୍ୱତନ୍ତ୍ର ‘ସାବିତ୍ରୀ ବାଇ ଫୁଲେ ପାଠଶାଳା’ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହାକୁ ଚନ୍ଦ୍ରଧ୍ୱଜ ଗୁରୁ ଓ ଅଇଁରି ଗୁଞ୍ଜନ ଦଣ୍ଡସେନା ପରିଚାଳନା କରିଥିବା ବେଳେ ରାଜ କିଶୋର ସାହୁ, ଲୋକେଶ ନାଏକ, ଶ୍ରବଣ ପୁଝାରୀ, ମୁକେଶ ଭଣ୍ଡାରଘରିଆ ଓ ରଣଦୀପ ଦଣ୍ଡସେନା ପ୍ରମୁଖ ସହଯୋଗ କରିଥିଲେ।
ସମାଜର ଅବହେଳିତ ଓ ଆର୍ଥିକ ଦୁର୍ବଳ ବର୍ଗର ପିଲାମାନଙ୍କୁ ଶିକ୍ଷାର ସୁଯୋଗ ଯୋଗାଇ ଦେବା ସହ ସେମାନଙ୍କୁ ଆତ୍ମନିର୍ଭର ଓ ସଫଳ ନାଗରିକ ଭାବେ ଗଢ଼ିତୋଳିବାର ଏହି ପ୍ରୟାସ ନିଶ୍ଚିତ ଭାବେ ଅନ୍ୟମାନଙ୍କ ପାଇଁ ଏକ ପ୍ରେରଣାଦାୟୀ ଉଦାହରଣ।
ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍

