ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ , ୨- ଜାତୀୟ ସେବା ଯୋଜନା (NSS) ୟୁନିଟ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ସାତଦିନିଆ ସ୍ୱତନ୍ତ୍ର ଶିବିର

ଧୀରପାଟଣା ଗ୍ରାମରେ ପହଞ୍ଚିଲା ସୁପ୍ରିମକୋର୍ଟ ଓ ହାଇକୋର୍ଟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍, ଭିଡିଓ କନ୍‌ଫରେନ୍ସିଂରେ ୫ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ

ଏଣିକି ଲୋକଙ୍କ ଦ୍ୱାରଦେଶରେ ପହଞ୍ଚିବ ନ୍ୟାୟିକ ସେବା। ସୁଦୂର ଗ୍ରାମାଞ୍ଚଳରେ ରହୁଥିବା ଲୋକଙ୍କୁ ସହଜରେ ନ୍ୟାୟ ପ୍ରଦାନ ଓ ଆଇନଗତ ସହାୟତା ଯୋଗାଇଦେବା ଲକ୍ଷ୍ୟରେ ଢେଙ୍କାନାଳର ଧୀରପାଟଣା ଗ୍ରାମରେ ପହଞ୍ଚିଛି ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଇ-ସେବା ମୋବାଇଲ୍ ଭ୍ୟାନ୍।

ଗତ ୨ ଅକ୍ଟୋବର ୨୦୨୬ରେ ଜିଲ୍ଲା ଓ ଦୌରାଜଜ୍ ପ୍ରଣବ କୁମାର ରାଉତରାୟଙ୍କ ତତ୍ତ୍ୱାବଧାନରେ ଢେଙ୍କାନାଳରୁ ଧୀରପାଟଣା ଗ୍ରାମକୁ ଯାତ୍ରା କରିଥିଲା ଏହି ଇ-ସେବା ମୋବାଇଲ୍ ଭ୍ୟାନ୍। ଏହି ଅବସରରେ ଅନ୍ୟ ବିଚାରପତି ଓ ଆଇନଜୀବୀମାନେ ମଧ୍ୟ ଉପସ୍ଥିତ ଥିଲେ।

ଧୀରପାଟଣା ଗ୍ରାମରେ ଏକ ଫୌଜଦାରୀ ମାମଲାରେ ଉପଖଣ୍ଡ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ରେସ୍ନା ଧଳ ବିଶୋଇ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ପାଞ୍ଚ ଜଣ ବରିଷ୍ଠ ନାଗରିକଙ୍କ ସାକ୍ଷ୍ୟ ରେକର୍ଡ କରିଥିଲେ।

ଫଳରେ ବୟସାଧିକ୍ୟ ଓ ଶାରୀରିକ ଅସୁବିଧା ଯୋଗୁଁ ଅଦାଲତକୁ ଯାଇପାରୁନଥିବା ବରିଷ୍ଠ ନାଗରିକମାନେ ନିଜ ଗ୍ରାମରେ ରହି ନ୍ୟାୟିକ ପ୍ରକ୍ରିୟାରେ ସାମିଲ ହେବାର ସୁଯୋଗ ପାଇଛନ୍ତି।

କେବଳ ସେତିକି ନୁହେଁ, ଗ୍ରାମାଞ୍ଚଳର ଲୋକଙ୍କୁ ନିଃଶୁଳ୍କ ଆଇନ ସହାୟତା, ନାଗରିକଙ୍କ ଅଧିକାର ଓ ନ୍ୟାୟ ପ୍ରାପ୍ତିର ବିଭିନ୍ନ ସୁଯୋଗ ସମ୍ପର୍କରେ ମଧ୍ୟ ସଚେତନ କରାଯାଉଛି।

ଅନ୍ୟପଟେ ଢେଙ୍କାନାଳର ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜାକୁ ଆସୁଥିବା ଶ୍ରଦ୍ଧାଳୁ ଓ ସାଧାରଣ ଜନତାଙ୍କୁ ମଧ୍ୟ ଏହି ମୋବାଇଲ୍ ଭ୍ୟାନ୍ ମାଧ୍ୟମରେ ଆଇନ ସମ୍ପର୍କିତ ବିଭିନ୍ନ ସୂଚନା ଓ ସଚେତନତା ବାର୍ତ୍ତା ପ୍ରଦାନ କରାଯାଉଛି।

ତେବେ ନ୍ୟାୟିକ ସେବାକୁ ସାଧାରଣ ଲୋକଙ୍କ ଦ୍ୱାରଦେଶରେ ପହଞ୍ଚାଇବା ସହ ଆଇନ ସଚେତନତା ବୃଦ୍ଧି କରିବା ଦିଗରେ ସର୍ବୋଚ୍ଚ ନ୍ୟାୟାଳୟ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଏହି ପଦକ୍ଷେପକୁ ସ୍ୱାଗତ କରାଯାଇଛି।

ଜାତୀୟ ସେବା ଯୋଜନା (NSS) ୟୁନିଟ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ସାତଦିନିଆ ସ୍ୱତନ୍ତ୍ର ଶିବିର

ଢେଙ୍କାନାଳ, ନଭେମ୍ବର ୨, ୨୦୨୬: ଛାତ୍ରୀମାନଙ୍କ ମଧ୍ୟରେ ସାମାଜିକ ସଚେତନତା, ଗୋଷ୍ଠୀ ଉନ୍ନୟନ ଏବଂ ସ୍ୱେଚ୍ଛାସେବାର ମନୋଭାବ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜାତୀୟ ସେବା ଯୋଜନା (NSS) ୟୁନିଟ୍ ପକ୍ଷରୁ ବିଦ୍ୟାଳୟ ପରିସରରେ ସାତଦିନିଆ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି।

ଶିବିରର ଷଷ୍ଠ ଦିବସର କାର୍ଯ୍ୟକ୍ରମ ପ୍ରାତଃକାଳୀନ ପ୍ରାର୍ଥନା ସଭା, ଯୋଗ ଓ ବ୍ୟାୟାମରୁ ଆରମ୍ଭ ହୋଇଥିଲା। ଏଥିରେ ସମ୍ପୃକ୍ତ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଉପସ୍ଥିତିରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ଯୋଗ ଦେଇଥିଲେ। ସକାଳ ୯ଟା ସୁଦ୍ଧା ଛାତ୍ରୀମାନଙ୍କର ପଞ୍ଜୀକରଣ କାର୍ଯ୍ୟ ସମ୍ପନ୍ନ ହେବା ପରେ ବିଦ୍ୟାଳୟର ଅଧ୍ୟକ୍ଷା ଡ. ଶକୁନ୍ତଳା ଜେନା ‘ବାଲ୍ୟବିବାହ ସଚେତନତା’ ଶୀର୍ଷକ ଏକ ସଚେତନତା ରାଲିର ଶୁଭାରମ୍ଭ କରିଥିଲେ। ଏହି ରାଲିରେ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନଙ୍କ ସହିତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ। ବିଭିନ୍ନ ସ୍ଲୋଗାନ ଓ ଫ୍ଲାସ୍‌କାର୍ଡ ମାଧ୍ୟମରେ ଛାତ୍ରୀମାନେ ବାଲ୍ୟବିବାହର କୁପରିଣାମ ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରାଇଥିଲେ।

ପରବର୍ତ୍ତୀ ସମୟରେ ବିଦ୍ୟାଳୟର ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ଅଧିକାରୀ ଡ. ପଙ୍କଜ କୁମାର ବାରିକ ସ୍ୱେଚ୍ଛାସେବୀମାନଙ୍କୁ ସାତଦିନିଆ ଶିବିରର ଉଦ୍ଦେଶ୍ୟ, ବିଭିନ୍ନ କାର୍ଯ୍ୟକଳାପ ଏବଂ ଦୈନନ୍ଦିନ କାର୍ଯ୍ୟସୂଚୀ ସମ୍ପର୍କରେ ଅବଗତ କରାଇଥିଲେ। ଏଥିସହ ସେ ସମାଜସେବାରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ସହ ସମାଜର କଲ୍ୟାଣ ଦିଗରେ କାର୍ଯ୍ୟ କରିବାକୁ ସ୍ୱେଚ୍ଛାସେବୀମାନଙ୍କୁ ଉତ୍ସାହିତ କରିଥିଲେ।

ଷଷ୍ଠ ଦିବସର କାର୍ଯ୍ୟକ୍ରମ ଅନ୍ତର୍ଗତ ଏନ୍‌ଏସ୍‌ଏସ୍‌ ସ୍ୱେଚ୍ଛାସେବୀମାନେ ସ୍ୱଚ୍ଛତା ଅଭିଯାନରେ ଭାଗ ନେଇଥିଲେ। ଏଥିସହ ସ୍ଥାନୀୟ ବାସିନ୍ଦାଙ୍କ ସହ ଆଲୋଚନା କରି ବିଭିନ୍ନ ସାମାଜିକ ଓ ପରିବେଶ ସମ୍ବନ୍ଧୀୟ ସମସ୍ୟା ଚିହ୍ନଟ କରିଥିଲେ। ଏହାବ୍ୟତୀତ ‘ସାଇବର ଅପରାଧ ସଚେତନତା’ ଶୀର୍ଷକ ଏକ ପଥପ୍ରାନ୍ତ ନାଟକ ପରିବେଷଣ କରିଥିଲେ। ଏହି ନାଟକ ମାଧ୍ୟମରେ ସାଧାରଣ ଲୋକଙ୍କୁ ସାଇବର ଠକେଇରୁ କିପରି ନିଜକୁ ସୁରକ୍ଷିତ ରଖିବେ ଏବଂ ସାଇବର ଅପରାଧରେ ଜଡ଼ିତ ନ ହେବେ, ସେ ସମ୍ପର୍କରେ ସଚେତନ କରାଯାଇଥିଲା।

ସମସ୍ତ କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀମାନେ ଅତ୍ୟନ୍ତ ଉତ୍ସାହର ସହ ଭାଗ ନେଇଥିଲେ ଏବଂ ଶିବିରକୁ ସଫଳ ଓ ଅର୍ଥପୂର୍ଣ୍ଣ କରିବା ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ।

ଷଷ୍ଠ ଦିବସର କାର୍ଯ୍ୟକ୍ରମ ଧନ୍ୟବାଦ ଅର୍ପଣ ସହ ଉଦ୍‌ଯାପିତ ହୋଇଥିଲା। ଏହି ଦିବସଟି ସାତଦିନିଆ ଶିବିର ମାଧ୍ୟମରେ ନୂତନ ଶିକ୍ଷା, ସେବା ଓ ସାମାଜିକ ଅଂଶଗ୍ରହଣର ଏକ ନୂତନ ଯାତ୍ରାର ଆରମ୍ଭ କରିଥିଲା।

ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏନ୍‌ଏସ୍‌ଏସ୍‌ର ମୂଳମନ୍ତ୍ର “ମୁଁ ନୁହେଁ, ତୁମେ” (Not Me, But You) ର ମହତ୍ତ୍ୱ ସ୍ୱେଚ୍ଛାସେବୀମାନଙ୍କ ମନରେ ଜାଗ୍ରତ କରିବା ସହ ସେମାନଙ୍କୁ ସମାଜ ପ୍ରତି ନିଜର ଦାୟିତ୍ୱବୋଧ ଓ ସେବା ମନୋଭାବରେ ଅନୁପ୍ରାଣିତ କରିବା।ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଢେଙ୍କାନାଳ, ଓଡ଼ିଶା।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ଆସନ୍ତା ଏପ୍ରିଲ ୧୬ରୁ ବହୁଚରା ମାତାଙ୍କ ଷୋହଳ ପୂଜା

Sunil Chandra Nayak

ଧର୍ମପ୍ରାଣ ବ୍ୟକ୍ତିତ୍ୱ ମଧୁସୂଦନ ବେହେରାଙ୍କ ବିୟୋଗ 

Sunil Chandra Nayak

ଭୁଆସୁଣୀ ପାହାଡ଼ରେ ବିସ୍ଫୋରଣ କରି କଳା ମୁଗୁନି ପଥର ଲୁଟ,ଜିଲ୍ଲା ପ୍ରଶାସନ,ପୋଲିସ ପ୍ରଶାସନ ନୀରବ

Leave a Comment

error: Content is protected !!