ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାତ୍ୟା, ବନ୍ୟାରେ ଉଜୁଡ଼ିଛି ଚାଷ : ଗଞ୍ଜାମ ଚାଷୀଙ୍କ ପାଇଁ ସ୍ଵତନ୍ତ୍ର ପ୍ୟାକେଜ୍‌‍ ଦାବି କଲା ଚାଷୀ ସଂଗଠନ

ବାତ୍ୟା, ବନ୍ୟାରେ ଉଜୁଡ଼ିଛି ଚାଷ : ଗଞ୍ଜାମ ଚାଷୀଙ୍କ
ପାଇଁ ସ୍ଵତନ୍ତ୍ର ପ୍ୟାକେଜ୍‌‍ ଦାବି କଲା ଚାଷୀ ସଂଗଠନ

ବ୍ରହ୍ମପୁର,3/11 : ଗଞ୍ଜାମ ଲଗାତାର ବାତ୍ୟା, ପ୍ରବଳ ବର୍ଷା ଓ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର କୃଷି କ୍ଷେତ୍ର ଗୁରୁତର ଭାବେ କ୍ଷତିଗ୍ରସ୍ତ ହୋଇଛି। ଏହାର ପ୍ରଭାବରେ ହଜାର ହଜାର କୃଷକ ପରିବାର ଆର୍ଥିକ ଦୁର୍ଦ୍ଦଶା ଓ ଜୀବିକା ସଙ୍କଟର ସମ୍ମୁଖୀନ ହେଉଛନ୍ତି। ଏଭଳି ପରିସ୍ଥିତିରେ କ୍ଷତିଗ୍ରସ୍ତ କୃଷକଙ୍କ ପୁନର୍ବାସ ଓ କୃଷିର ପୁନରୁଦ୍ଧାର ପାଇଁ ଗଞ୍ଜାମ ଜିଲ୍ଲା ନିମନ୍ତେ ଏକ ସ୍ଵତନ୍ତ୍ର କୃଷି ପ୍ୟାକେଜ୍‌‍ ଘୋଷଣା କରିବାକୁ ଓଡ଼ିଶା ଚାଷୀ ସୁରକ୍ଷା ଅଭିଯାନର ଆବାହକ ରବି ରଥ ଓ ରୁଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଏବଂ ସଞ୍ଜିବ ରେଡ୍ଡୀ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି।

କୃଷକଙ୍କ ଦୁର୍ଦ୍ଦଶାକୁ ଗୁରୁତ୍ଵର ସହ ବିଚାର କରି ତୁରନ୍ତ ସହାୟତା ପ୍ରଦାନ କରିବାକୁ ସେମାନେ ଅନୁରୋଧ କରିଛନ୍ତି।

ଦାବିପତ୍ରରେ ଉଲ୍ଲେଖ କରାଯାଇଛି ଯେ, ଗଞ୍ଜାମ ଜିଲ୍ଲାର ହଜାର ହଜାର ପରିବାର କୃଷି ଉପରେ ନିର୍ଭରଶୀଳ। ଲଗାତାର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଧାନ, ପନିପରିବା, ଡାଲିଜାତୀୟ ଫସଲ, ତୈଳବୀଜ, ଫୁଲଚାଷ ଓ ଉଦ୍ୟାନ କୃଷି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି। ଏପରିକି ଅମଳ ହେବାକୁ ଥିବା ଫସଲ ମଧ୍ୟ ନଷ୍ଟ ହୋଇଛି। ମତ୍ସ୍ୟଚାଷ, ଜଳସେଚନ ବ୍ୟବସ୍ଥା ଓ କୃଷି ଉପକରଣ ମଧ୍ୟ କ୍ଷତିରୁ ବାଦ୍‌‍ ପଡ଼ିନାହିଁ।

ଚାଷ ପାଇଁ ବିହନ, ସାର, ଶ୍ରମିକ ଓ ଜଳସେଚନରେ ନିଜର ସଞ୍ଚିତ ଅର୍ଥ ବିନିଯୋଗ କରିଥିବା କୃଷକମାନେ ଏବେ ଫସଲ ହରାଇ ଋଣଭାରରେ ବୁଡ଼ିବାକୁ ବସିଛନ୍ତି। ଫସଲ ନଷ୍ଟ ହେବା ସହ ଆୟର ଉତ୍ସ ବନ୍ଦ ହୋଇଯାଇଥିବାରୁ ପରିବାର ପ୍ରତିପୋଷଣ ମଧ୍ୟ ଚିନ୍ତାଜନକ ହୋଇପଡ଼ିଛି। ଏଭଳି ସ୍ଥିତିରେ ସରକାରୀ ସହାୟତା ବିଳମ୍ବ ହେଲେ ଅନେକ କୃଷକ ଚାଷ ଛାଡ଼ିବାକୁ ବାଧ୍ୟ ହେବାର ଆଶଙ୍କା ରହିଛି।

କୃଷକଙ୍କୁ ତୁରନ୍ତ ଆର୍ଥିକ ସହାୟତା, କ୍ଷତିପୂରଣ ଓ ପୁନଃଚାଷ ପାଇଁ ଅଧିକ କୃଷି ଇନ୍‌‍ପୁଟ୍‌‍ ସବ୍‌‍ସିଡି ପ୍ରଦାନ କରିବାକୁ ଦାବି କରାଯାଇଛି। ଏଥିସହ ଫସଲ ଋଣ ପୁନର୍ଗଠନ, ଋଣ ପରିଶୋଧ ସମୟସୀମା ବୃଦ୍ଧି, ସୁଧ ସହାୟତାଯୁକ୍ତ ନୂତନ ଋଣ ଏବଂ ଯୋଗ୍ୟ କୃଷକଙ୍କୁ ଫସଲ ବୀମା ସହାୟତା ଯୋଗାଇଦେବାକୁ ନିବେଦନ କରାଯାଇଛି। ବିଶେଷକରି ଫୁଲଚାଷୀ, ପନିପରିବା ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସମେତ ଭାଗଚାଷୀ ଓ ବଟାଇ ଚାଷୀଙ୍କୁ ରିଲିଫ୍‌‍ ପ୍ରକ୍ରିୟାରେ ସାମିଲ କରିବାକୁ ଦାବି ହୋଇଛି। କ୍ଷତିଗ୍ରସ୍ତ କୃଷକଙ୍କୁ ମାଗଣା କିମ୍ବା ରିହାତି ଦରରେ ବିହନ, ସାର, ଜୈବିକ ଖତ ଓ ଫସଲ ସୁରକ୍ଷା ସାମଗ୍ରୀ ଯୋଗାଇବା ସହ ନଷ୍ଟ ହୋଇଥିବା ଜଳସେଚନ ଓ ଜଳ ନିଷ୍କାସନ ବ୍ୟବସ୍ଥାର ମରାମତି ପାଇଁ ସହାୟତା ଦେବାକୁ ମଧ୍ୟ ଅନୁରୋଧ କରାଯାଇଛି। କେବଳ କ୍ଷତିପୂରଣ ନୁହେଁ, କୃଷକଙ୍କ ଦୀର୍ଘକାଳୀନ ଜୀବିକା ସୁରକ୍ଷା ପାଇଁ ବଜାର ସଂଯୋଗ, କୃଷିଜାତ ଦ୍ରବ୍ୟର ମୂଲ୍ୟବୃଦ୍ଧି, ଶୀତଳ ଭଣ୍ଡାର, ପରିବହନ ଓ ସଂଗ୍ରହ କେନ୍ଦ୍ର ପ୍ରତିଷ୍ଠା ଉପରେ ମଧ୍ୟ ଗୁରୁତ୍ଵ ଦିଆଯାଇଛି। କୃଷକ ଉତ୍ପାଦକ ସଂଗଠନ ଗଠନ, ଖାଦ୍ୟ ପ୍ରକ୍ରିୟାକରଣ ଓ ଗ୍ରାମୀଣ ଉଦ୍ୟୋଗୀକରଣ ମାଧ୍ୟମରେ ବିକଳ୍ପ ଜୀବିକା ସୃଷ୍ଟି କରିବାକୁ ପ୍ରସ୍ତାବ ରହିଛି। ଏହା ସହିତ ଗଞ୍ଜାମ ଜିଲ୍ଲାପାଳଙ୍କ ନେତୃତ୍ଵରେ ଏକ ‘ଗଞ୍ଜାମ ଜିଲ୍ଲା ସ୍ଵତନ୍ତ୍ର କୃଷି ପୁନର୍ବାସ ମିଶନ’ ଗଠନ କରିବାକୁ ଦାବି କରାଯାଇଛି। ଏହି ମିଶନ ମାଧ୍ୟମରେ ବ୍ଲକ୍‌‍ ଓ ଗ୍ରାମସ୍ତରରେ ଫସଲ କ୍ଷୟକ୍ଷତି ଆକଳନ, କ୍ଷତିଗ୍ରସ୍ତ କୃଷକଙ୍କ ଚିହ୍ନଟ, ସ୍ଵଚ୍ଛ ଓ ସମୟବଦ୍ଧ କ୍ଷତିପୂରଣ ବଣ୍ଟନ ଏବଂ କୃଷି ପୁନରୁଦ୍ଧାର ଯୋଜନା ପ୍ରସ୍ତୁତି କରାଯିବାକୁ ପ୍ରସ୍ତାବ ରହିଛି। କୃଷକଙ୍କ ସ୍ଵାର୍ଥରେ କାର୍ଯ୍ୟ କରୁଥିବା ରୁଷିକୁଲ୍ୟା ରୟତ ମହାସଭା ଓ କୃଷି ବିପଣନ, ପ୍ରାକୃତିକ କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ କ୍ଷେତ୍ରରେ କାର୍ଯ୍ୟରତ ହାପିଡୁକାନ୍‌‍ ପକ୍ଷରୁ ଏହି ପୁନର୍ବାସ ପ୍ରକ୍ରିୟାରେ ପ୍ରଶାସନକୁ ସହଯୋଗ କରିବାର ପ୍ରତିଶ୍ରୁତି ଦିଆଯାଇଛି। କୃଷକଙ୍କ ଆର୍ଥିକ ସ୍ଥିରତା, ଆତ୍ମବିଶ୍ଵାସ ଓ କୃଷିର ଦୀର୍ଘକାଳୀନ ସ୍ଥାୟିତ୍ଵ ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକ ବୋଲି ଆବାହକ ଶ୍ରୀ ରଥ ଓ ରୟତ ମହାସଭାର ସମ୍ପାଦକ ଶ୍ରୀ ନାୟକ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି।

   (ସୀମାଞ୍ଚଳ ନାହାକ) (ରବି ରଥ)

ସମ୍ପାଦକ, ଋଷିକୂଲ୍ୟା ରୟତ ମହାସଭା ଆବାହକ, ଚାଷୀ ସୁରକ୍ଷା ଅଭିଯାନ, ଗଞ୍ଜାମ

Related posts

ଜୁନାଗଡ଼ ସମ୍ବାଦ ସାହିତ୍ୟ ଘରର ପ୍ରସ୍ତୁତି ବୈଠକ

masiha

ଚନ୍ଦ୍ରପୁର ବ୍ଲକରେ ଜିଲ୍ଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ 

Sunil Chandra Nayak

ଡାବୁଗାଁରେ ୭୭ ସାଧାରଣତନ୍ତ୍ର ଦିବସ ପାଳିତ 

Sunil Chandra Nayak

Leave a Comment

error: Content is protected !!